ଜେଲରେ କଏଦୀ ମାନେ କେଉଁ ଭଳି ମୁଦ୍ରା ବ୍ୟବହାର କରନ୍ତି ଜାଣନ୍ତି କି?

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସାଧାରଣତଃ ଜେଲର କଥା ଶୁଣିଲେ ଅନେକଙ୍କ ମନରେ ଭୟ ଆସିଯାଏ। ସ୍ବପ୍ନରେ ମଧ୍ୟ କେହି ଜେଲ୍ ଯିବାକୁ ଚାହାଁନ୍ତି ନାହିଁ। ଜେଲ ଯିବା କଥା ପଡ଼ିବା ମାତ୍ରେ ଦେହ ହାତ ସିତେଇ ଯାଏ। ଏଠାରେ ବାହାର ଦୁନିଆ ସହ କୌଣସି ସମ୍ପର୍କ ନଥିବା ସହ ସେଠାରେ ରହିଥିବା କଏଦୀମାନଙ୍କର ଏକ ସଂପୂର୍ଣ୍ଣ ଭିନ୍ନ ଦୁନିଆ ରହିଥାଏ। କାରାଗାରରେ କଏଦୀମାନେ ସେମାନଙ୍କର ଆବଶ୍ୟକତାକୁ କିପରି ପୁରା କରନ୍ତି ତାହା ଆପଣ ଜାଣନ୍ତି କି? ଅନ୍ତେବାସୀମାନେ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ଅନେକ ଜିନିଷ ପାଇଥାନ୍ତି। କେବଳ ସେତିକି ନୁହେଁ, ସେମାନେ ଜେଲରେ ସପିଂ ମଧ୍ୟ କରିପାରିବେ ଏବଂ ସପିଂ କରିବା ପାଇଁ ସେମାନଙ୍କୁ ଟଙ୍କା ମଧ୍ୟ ଦିଆଯାଇଥାଏ। ଏହି ଟଙ୍କା ଆମେମାନେ ବ୍ୟବହାର କରୁଥିବା ସାଧାରଣ ମୁଦ୍ରିତ ନୋଟ୍ ପରି ନୁହେଁ, ଜେଲରେ ନିଜସ୍ୱ ସ୍ୱତନ୍ତ୍ର ମୁଦ୍ରା ପ୍ରଚଳିତ ହୋଇଥାଏ। ଜେଲ ମୁଦ୍ରା କିପରି ହୋଇଥାଏ ଏବଂ ଏହା କିପରି ବ୍ୟବହାର କରାଯାଏ ତାହା ବିଷୟରେ ଆସନ୍ତୁ ଜାଣିବା।
ସାଧାରଣ ଭାରତୀୟ ମୁଦ୍ରା ଜେଲରେ କାମ କରେ ନାହିଁ ଏବଂ ବନ୍ଦୀମାନଙ୍କ ପାଇଁ ଟଙ୍କା ଜେଲରେ ରଖିବା ମଧ୍ୟ ଏକ ପ୍ରକାର ଅପରାଧ। ତେବେ ଅନ୍ତେବାସୀମାନେ ଭାରତୀୟ ମୁଦ୍ରା ବଦଳରେ ଜେଲ ଟଙ୍କା ବା ଜେଲ କୁପନ ରଖିପାରିବେ, କିନ୍ତୁ ଏହାର ମଧ୍ୟ ନିର୍ଦିଷ୍ଟ ସୀମା ରହିଛି। ଏହି ଟଙ୍କା କୁପନ୍ ଆକାରରେ ରହିଥାଏ। ଏହି କୁପନଗୁଡିକ ପୁରୁଣା ଫିଲ୍ମ ଟିକେଟ୍ ପରି ଦେଖିବାକୁ। ଏବଂ ଏହାର ମୂଲ୍ୟ ୧,୨,୫,୧୦,୨୦ ହୋଇଥାଏ।
ଜେଲରେ ରହିଥିବା ସରକାରୀ କ୍ୟାଣ୍ଟିନରେ ଦୈନିକ ବ୍ୟବହୃତ ସାମଗ୍ରୀ ମିଳିଥାଏ। କୁପନଗୁଡିକ ଜେଲ କ୍ୟାଣ୍ଟିନରେ ବ୍ୟବହୃତ ହୁଏ । ଏଠାରୁ ଅନ୍ତେବାସୀମାନେ ସାବୁନ, ଟୁଥପେଷ୍ଟ, ଅନ୍ତଃବସ୍ତ୍ର ଇତ୍ୟାଦି କିଣିପାରିବେ। ସରକାରୀ କ୍ୟାଣ୍ଟିନ କେନ୍ଦ୍ର ସାଧାରଣତଃ ବଡ଼ ଜେଲଗୁଡ଼ିକରେ ବ୍ୟବସ୍ଥା ରହିଥାଏ।
କଏଦୀମାନେ ଜେଲରେ ଅନେକ ପ୍ରକାରର କାମ କରନ୍ତି, ଯାହା ବଦଳରେ ସେମାନଙ୍କୁ ମଧ୍ୟ ଦରମା ମିଳିଥାଏ । ଏହି ଦରମା ଜେଲରେ ସମାନ କୁପନ୍ ଭାବେ ଉପଲବ୍ଧ ହୋଇଥାଏ। କଏଦୀଙ୍କ ଦଣ୍ଡ ସମାପ୍ତ ହେବା ପରେ, ତାଙ୍କୁ ବାହାରକୁ ଯିବା ପୂର୍ବରୁ ସାଧାରଣ ମୂଲ୍ୟର ଟଙ୍କା ବଦଳାଯାଇ ଦିଆଯାଇଥାଏ। ଏହି କୁପନଗୁଡିକ ଜେଲ ବାହାରେ ବ୍ୟବହାର ପାଇଁ ଅନୁମତି ନାହିଁ ।

Leave a Reply

Your email address will not be published. Required fields are marked *