ସ୍ୱର୍ଗଦ୍ୱାର ଶବଦାହ କଟକଣା: ହାଇକୋର୍ଟରେ ମାମଲା, କେନ୍ଦ୍ର-ରାଜ୍ୟକୁ ନୋଟିସ ଜାରି…

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଓଡ଼ିଶା ହାଇକୋର୍ଟରେ ପୁରୀ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲାବାସୀଙ୍କ ଶବଦାହ ମନାକୁ ନେଇ ଖପ୍ପା ହୋଇଛନ୍ତି ମାନ୍ୟବର କୋର୍ଟ । ଏହି କଟକଣା ପ୍ରସଙ୍ଗ ନେଇ ନିଜ ନିଜ ପକ୍ଷ ରଖିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନୋଟିସ ପଠାଇଛନ୍ତି ହାଇକୋର୍ଟ । ପୁରୀ ଜିଲ୍ଲା ବାହାରର ଲୋକଙ୍କ ଧର୍ମୀୟ ଭାବନା ପ୍ରତି ଅଘାତ ଆଣୁଛି ବୋଲି ହାଇକୋର୍ଟରେ ଆବେଦନ କରାଯାଇଛି । ଆବେଦନରେ ଦର୍ଶାଯାଇଛି ଯେ, କେନ୍ଦ୍ର ସରକାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି ଦେଇଥିବା ବେଳେ, ପୁରୀ ଜିଲ୍ଲାପାଳଙ୍କ ଏହି ନିର୍ଦ୍ଦେଶନାମା ବେଆଇନ ଅଟେ । ଆବେଦନକାରୀଙ୍କ ଏହି ଅପିଲକୁୁ ହାଇକୋର୍ଟ ଗ୍ରହଣ କରିବା ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପକ୍ଷ ରଖିବାକୁ ନୋଟିସ୍ କରିଛନ୍ତି । ଅଗଷ୍ଟ ୧୨ ତାରିଖରେ ଏହାର ଚୂଡ଼ାନ୍ତ ଶୁଣାଣୀ ହେବ ।

ମହାମାରୀ କରୋନା ଭାଇରସ ସଂକ୍ରମଣ ଲାଗି ବାହାରୁ ଆସୁଥିବା ଲୋକଙ୍କୁ ପୁରୀ ମନା ହୋଇଛି। ବାହାର ଜିଲ୍ଲାର ଲୋକମାନେ ଚଳିତ ମାସ ୩୧ ତାରିଖ ଯାଏଁ ପୁରୀରେ ପ୍ରବେଶ କରିପାରିବେ ନାହିଁ। ଏଥି ପାଇଁ ଜିଲ୍ଲା ପ୍ରଶାସନ କଟକଣା ଲଗାଇଛି । ଜୁଲାଇ ୭ରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସ୍ବତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ଜାରି ନିୟମାବଳୀର ଉଲ୍ଲଂଘନ କରି ପୁରୀ ଜିଲ୍ଲାପାଳଙ୍କ ପକ୍ଷରୁ ସ୍ବର୍ଗଦ୍ବାରରେ ଶବ ସତ୍କାର ସଂପର୍କିତ କଟକଣା ବିଜ୍ଞପ୍ତି ଜାରି କରାଯାଇଛି। କୋଭିଡ-୧୯କୁ ଦୃଷ୍ଟିରେ ରଖି ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଜାରି କରିଥିବା ନିୟମାବଳୀକୁ ଆଧାର କରି ଜିଲ୍ଲାପାଳ କୌଣସି ନିର୍ଦ୍ଦେଶନାମା ପ୍ରଦାନ କରିପାରିବେ। ଶବ ସତ୍କାର ପ୍ରସଂଗରେ ପୂର୍ବରୁ ନିୟମାବଳୀରେ ଉଲ୍ଲେଖ କରାଯାଇଥିବାବେଳେ ସ୍ବର୍ଗଦ୍ବାରରେ ଶବ ସତ୍କାର ପ୍ରସଂଗରେ କଟକଣା ଜାରି କରାଯିବା ଗ୍ରହଣୀୟ ନୁହେଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

ସ୍ବର୍ଗଦ୍ବାରରେ ଶବ ସତ୍କାର ହେଲେ ମୁକ୍ତି ମିଳେ ବୋଲି ହିନ୍ଦୁମାନଙ୍କ ବିଶ୍ବାସ ରହିଛି। ଏପରି ଧର୍ମ ବିଶ୍ବାସକୁ ନେଇ ସବୁ ହିନ୍ଦୁମାନେ ଚାଲୁଥିବାବେଳେ ବହୁ ଲୋକ ଆତ୍ମୀୟଙ୍କ ଅନ୍ତିମ ଇଚ୍ଛା ପୂରଣ ପାଇଁ ଶବ ନେଇ ପୁରୀ ସ୍ବର୍ଗଦ୍ବାରକୁ ସଂସ୍କାର ପାଇଁ ପହଞ୍ଚିଥା’ନ୍ତି। ପୁରୀ ଜିଲ୍ଲା ବାହାର ଶବ ବୋଲି ସ୍ବର୍ଗଦ୍ବାରରେ ସଂସ୍କାର ପାଇଁ ଅନୁମତି ନ ଦେବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। ଏପରି କଟକଣା ସଂପର୍କିତ ବିଜ୍ଞପ୍ତି ସମ୍ବିଧାନର ଧାରା ୧୫ର ଉଲ୍ଲଂଘନ କରୁଛି। ଆଇନର ବିରୁଦ୍ଧାଚରଣ କରୁଥିବା ଏପରି ବିଜ୍ଞପ୍ତିକୁ ରଦ୍ଦ କରାଯାଉ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଛି। ମାମଲାରେ କେନ୍ଦ୍ର ଗୃହ ମନ୍ତ୍ରାଳୟ, ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ରାଜ୍ୟ ସ୍ବତନ୍ତ୍ର ରିଲିଫ କମିସନର ଓ ପୁରୀ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି। 

Leave a Reply

Your email address will not be published. Required fields are marked *