ଶିକ୍ଷକ ନାହାନ୍ତି, ଭିତ୍ତିଭୂମି ନାହିଁ, ସରକାରୀ ସ୍କୁଲରେ ପିଲା ପଢ଼ିବେ କାହିଁକି ?

ପ୍ରିଜମ୍ ନ୍ୟୁଜ (ସମ୍ପାଦକୀୟ): ସୋମବାର ରାଜ୍ୟ କ୍ୟାବିନେଟ୍ ଏକ ଐତିହାସିକ ନିଷ୍ପତ୍ତି ନେଇଛି। ସରକାରୀ ସ୍କୁଲରେ ପଢ଼ୁଥିବା ପିଲାଙ୍କ ପାଇଁ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ସଂରକ୍ଷଣ ବ୍ୟବସ୍ଥା ରହିବ। ସରକାରଙ୍କ ଏହା ନିହାତି ଭାବେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। କାରଣ, ସରକାରୀ ସ୍କୁଲ ପ୍ରତି ବିମୁଖତା ଥିବା ଛାତ୍ରଛାତ୍ରୀ ଏଣିକି ସରକାରୀ ସ୍କୁଲ ମୁହାଁ ହେବେ। ସରକାର ବି ପିଲା ପାଇ ଖୁସ୍ ହେବେ। କିନ୍ତୁ, ଠାକୁର ନ ଥାଇ ମନ୍ଦିର ପୂଜା କରିବା ଭଳି ବିନା ଶିକ୍ଷକରେ ପିଲା ପଢ଼ିବେ କେମିତି ? ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏବେ ବି ଅଧିକାଂଶ ସ୍ଥାନରେ ଖୋଲା ଛାତ ତଳେ ପିଲା ପାଠ ପଢ଼ୁଛନ୍ତି। ସେହି ସ୍କୁଲରେ ପାଠ ପଢ଼ି ଜଣେ ପିଲାର ଭବିଷ୍ୟତ ଗଠନ ହେବ କେମିତି ? ସେହିପରି ରାଜ୍ୟରେ ଅନେକ ସ୍କୁଲ ଅଛି, ଯେଉଁଠି ଜଣେ ଶିକ୍ଷକରେ ପୂରା ସ୍କୁଲ ଚାଲିଛି। ସେହିଭଳି କ୍ଷେତ୍ରରେ ସରକାରୀ ସ୍କୁଲରେ ପିଲା କାହିଁକି ପାଠ ପଢ଼ିବ ? ରାଜ୍ୟର କେତୋଟି ସ୍କୁଲରେ ଉପଯୁକ୍ତ ଭିତ୍ତିଭୂମି ଅଛି ? ଦିଲ୍ଲୀ ଭଳି ଆମ ରାଜ୍ୟର କେତୋଟି ସ୍କୁଲରେ ସରକାର ପିଲାଙ୍କ ପାଠ ପଢ଼ିବା ପାଇଁ ‘ନୋ ଡିଟେନ୍ସନ ପଲିସି’ କରିଛନ୍ତି ? କେତୋଟି ସ୍କୁଲରେ ଶିକ୍ଷକ-ଅଭିଭାବକଙ୍କ ମଧ୍ୟରେ ପିଲାର ପାଠପଢ଼ା ନେଇ ଆଲୋଚନା ହେଉଛି ?

ରାଜ୍ୟରେ ଅନେକ ପିଲା ଅଛନ୍ତି, ଯେଉଁମାନେ ସିଟି, ବିଇଡି କରି ବସି ରହିଛନ୍ତି। ସରକାର ପୋଷ୍ଟ ବାହାର କରୁ ନ ଥିବାରୁ ସେମାନେ ବେକାର ବସିଛନ୍ତି। ଗୋଟେପଟେ ସରକାରୀ ସ୍କୁଲରେ ସରକାର ନିଯୁକ୍ତି ଦେଉନାହାନ୍ତି ଏବଂ ଅନ୍ୟପଟେ ପିଲାର ଭବିଷ୍ୟତ ଗଠନ ପାଇଁ ଖସଡ଼ା ପ୍ରସ୍ତୁତ କରୁଛନ୍ତି। ଲକଡାଉନ୍ ସମୟରେ ପିଲାଙ୍କୁ ଅନଲାଇନରେ ପାଠ ପଢ଼ାଇବାକୁ ସରକାର ଅନଲାଇନ ଶିକ୍ଷା ବ୍ୟବସ୍ଥା ଆରମ୍ଭ କରିଥିଲେ। କିନ୍ତୁ, ସହରାଞ୍ଚଳର କେତୋଟି ସ୍କୁଲକୁ ଛାଡ଼ି ରାଜ୍ୟର ଅନ୍ୟ କେଉଁଠି ଏହି ବ୍ୟବସ୍ଥା କାମ କଲାନି। କାରଣ, କେଉଁଠି ନେଟୱାର୍କ ନାହିଁ ତ ଆଉ କେଉଁଠି ପିଲା ଘରେ ସ୍ମାର୍ଟଫୋନ୍ ନାହିଁ। ଏଭଳି ସ୍ଥିତିରେ ଅନଲାଇନ ଶିକ୍ଷା ବ୍ୟବସ୍ଥା ପୂରା ଫେଲ୍ ମାରିଲା। ପିଲାଙ୍କୁ ପାଠ ପଢ଼ାଇବାରେ ସରକାର ଅସଫଳ ହେଲେ। ପିଲାଙ୍କ ଶିକ୍ଷାବର୍ଷ କୋରୋନା ନାଁରେ ଚୁଲିକୁ ଗଲା। ଏବେ ପୁଣି ସଂରକ୍ଷଣର ଲୋଭ ଦେଖାଇ ପିଲାଙ୍କୁ ସରକାରୀ ସ୍କୁଲ ପ୍ରତି ଆକୃଷ୍ଟ କରିବାକୁ ସରକାର ପ୍ରୟାସ କରିଛନ୍ତି। ସରକାରୀ ସ୍କୁଲ ପ୍ରତି ପିଲାଙ୍କୁ ଆକୃଷ୍ଟ କରିବାକୁ ହେଲେ ପ୍ରଥମେ ଭିତ୍ତିଭୂମି ସଜାଡ଼ିବାକୁ ପଡ଼ିବ। ଉପଯୁକ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦେବାକୁ ପଡ଼ିବ। ପିଲାଙ୍କ ପାଠପଢ଼ା ପାଇଁ ପଢ଼ା ସାମଗ୍ରୀ ଯୋଗାଇ ଦେବାକୁ ପଡ଼ିବ। ପ୍ରତି ସ୍କୁଲରେ ସରକାର ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରିବାକୁ ପଡ଼ିବ। ମେଡିକାଲ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମ ପାଇଁ ଦିଆଯାଉଥିବା ପ୍ରବେଶିକା ପରୀକ୍ଷା ସିଲାବସ ପିଲାକୁ ସ୍କୁଲ ସ୍ତରରେ ପଢ଼ାଇବାକୁ ପଡ଼ିବ। ଜଣେ ପିଲାକୁ ମୂଳରୁ ଉପଯୁକ୍ତ ତାଲିମ ଦେଲେ, ବଡ଼ ହେଲା ପରେ ସେ ଉଚ୍ଚଶିକ୍ଷା କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବ। ତେଣୁ, ସରକାରୀ ସ୍କୁଲ ପ୍ରତି ପିଲାଙ୍କୁ ଆକୃଷ୍ଟ କରିବାକୁ ହେଲେ ପ୍ରଥମେ ମୌଳିକ ଆବଶ୍ୟକତାକୁ ପୂରଣ କରନ୍ତୁ, ତା’ ହେଲେ ଯାଇ ପିଲାଙ୍କ ସୁନ୍ଦର ଭବିଷ୍ୟତ ଗଠନ ହୋଇ ପାରିବ।

%d bloggers like this: