କବିସୂର୍ଯ୍ୟନଗର: ବିରୋଧୀ ଦୁର୍ବଳ ଏଠି ବିଜଦ ଆଶାୟୀ ପ୍ରବଳ

କବିସୂର୍ଯ୍ୟନଗର: ବିରୋଧୀ ଦୁର୍ବଳ ଏଠି ବିଜଦ ଆଶାୟୀ ପ୍ରବଳ

କବିସୂର୍ଯ୍ୟନଗର: ମୁଣ୍ଡ ଉପରେ ୨୦୨୪ ସାଧାରଣ ନିର୍ବାଚନ । ଓଡ଼ିଶା ବିଧାନସଭା ନିର୍ବାଚନ ଏଥର ହେବ ସମ୍ପୂର୍ଣ୍ଣ ଭିନ୍ନ। ଶାସକ ଦଳ ପାଇଁ ନିର୍ବାଚନ ଜିଣିବା ସହଜ ଥିଲେ ମଧ୍ୟ ତୃଣମୂଳ ସ୍ତରରେ ସଂଗଠନେର ଥିବା କେଁକୁ ଦୂର କରିବାକୁ ପଡ଼ିବ । ଆଉ ଏହି କେଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ଜିଲ୍ଲାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆସନ କବିସୂର୍ଯ୍ୟନଗରରେ ଅଧିକ । ଖାସ୍ ସେଥିପାଇଁ ଦଳର ତୁଙ୍ଗ ନେତାମାନେ ଏହା ଉପରେ ନଜର ରଖିଛନ୍ତି । ଶାସକ ଦଳର ବର୍ତ୍ତମାନର ବିଧାୟିକା ଲତିକା ପ୍ରଧାନ ନିଜର ଦବଦବା ରଖିଥିବା ବେଳେ ନିଜର ଟାଣପଣ ଦେଖାଇବାକୁ ପ୍ରତିଟି ଛୋଟ ବଡ଼ କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ନେତାଙ୍କୁ ଆମନ୍ତ୍ରଣ କରି ନିଜ ଦଳର ବିରୋଧୀ ନେତାଙ୍କୁ ସାବାଡ୍ କରିବାକୁ ଚେଷ୍ଟା କରିଛନ୍ତି । ଠିକ୍ ଏଇ ଗଲା ୧୮ ତାରିଖର ଘଟଣାକୁ ନଜରରେ ରଖିଲେ ଏହା ସ୍ପଷ୍ଟ ଯେ, ଏଠି କାହାର କେତେ ପାୱାର ତାହାର ପ୍ରତିଯୋଗୀତା ଚାଲିଛି ।

ଗଲା ୧୮ ତାରିଖରେ ପୂର୍ବତନ ଆସ୍କା ସାଂସଦ ନିତ୍ୟାନନ୍ଦ ପ୍ରଧାନଙ୍କ ଜନ୍ମଦିନ ଅବସରରେ ସ୍ଥାନୀୟ କଲ୍ୟାଣ ମଣ୍ଡପଠାରେ ମେଗା ରକ୍ତଦାନ ଶିବିର ଆୟୋଜନ କରିବା ଏବଂ ତୁଙ୍ଗ ନେତାଙ୍କୁ ନିମନ୍ତ୍ରଣ କରିବା ପଛରେ ଏମିତି କିଛି ଉଦ୍ଦେଶ୍ୟ ଥିଲା ବୋଲି ଲୋକେ କହୁଛନ୍ତି । କାହିଁକିନା ରକ୍ତଦାନ ଶିବିରକୁ ବିଜେଡିର ଆଗଧାଡ଼ିର ନେତା ପ୍ରମୋଦ ପଣ୍ଡା ସାମିଲ ନ ହେବା ଏବଂ ସେହି ଦିନ ସଂଧ୍ୟାରେ ପ୍ରମୋଦ ପଣ୍ଡାଙ୍କ ଜନ୍ମଦିନ ଉତ୍ସବରେ ବିଧାୟକଙ୍କୁ ଲୋକେ ନ ଦେଖିବା ପ୍ରମାଣ କରୁଛି ଏହି ଦୁଇ ଜଣଙ୍କ ମଧ୍ୟରେ ବୋଧେ ତୁ ତୁ ମେମେ ସୀମା ଟପିଲାଣି । ଆଉ ସେଇଥି ପାଇଁ ରାଜନୀତି ବିଷାରଦଙ୍କ କହିବା କଥା ପ୍ରମୋଦ ପଣ୍ଡା ବିଜେଡିରୁ ଟିକେଟ ଆଶାୟୀ ଥିବା ବେଳେ ଇଏ ତାର ପୂର୍ବ ପ୍ରସ୍ତୁତି । ଆଉ ବିଧାୟିକା ଲତିକା ପ୍ରଧାନ ଗତ କିଛି ଦିନ ହେବ ନା ପ୍ରମୋଦ ପଣ୍ଡାଙ୍କୁ ନେଇ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ନା ନିଜେ ପ୍ରମୋଦ ପଣ୍ଡା ସାମିଲ ହେଉଛନ୍ତି । ବିଧାୟିକା ଲତିକା ପ୍ରଧାନ ନିଜ ବାଟରେ ଜନସେବା ଏବଂ ଲୋକସମ୍ପର୍କ ବୃଦ୍ଧିକୁ ଗୁରୁତ୍ୱ ଦେଉଛନ୍ତି । ସେହିଭଳି ପ୍ରମୋଦ ପଣ୍ଡା ମଧ୍ୟ ସହଯୋଗୀ ଏବଂ ସମର୍ଥକଙ୍କୁ ସାଙ୍ଗରେ ନେଇ ଲୋକଙ୍କ ସମସ୍ୟାକୁ ସରକାରୀ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସେ ସବୁର କେମିତି ସମାଧାନ ହୋଇପାରିବ ସେଥିପାଇଁ ସରକାରୀ କଳର ସଦୁପଯୋଗ ପାଇଁ ପ୍ରାଧାନ୍ୟ ଦେଉଛନ୍ତି ।

ଆଉ ଏଭଳି ସମୟରେ ବିରାଟ ବଡ଼ ଜନ୍ମଦିନ ଉତ୍ସବ ପାଳନ କରିବା ପଛରେ ଟିକେଟ୍ ହାତେଇବା ହିଁ ପ୍ରମୋଦ ପଣ୍ଡାଙ୍କ ଏକମାତ୍ର ଉଦ୍ଦେଶ୍ୟ ଏହାକୁ ଅଣଦେଖା କରାନଯାଇପାରେ । ପ୍ରମୋଦ ପଣ୍ଡାଙ୍କ ସଂଗଠନର କଳେବର ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଆଗକୁ ତାଙ୍କର ରାଜନୈତିକ ଯାତ୍ରା କେଉଁ ଲକ୍ଷ୍ୟ ସ୍ଥଳରେ ପହଞ୍ଚୁଛି ତାହା ଦେଖିବାକୁ ବାକି ରହିଲା ।

ସେପଟେ ଏହି ଦୁଇ ନେତାଙ୍କ ସହ ସମାନ୍ତରାଳ ଭାବେ ନିଜ ସଂଗଠନକୁ ମଜଭୂତରୁ ଅଧିକ ମଜଭୂତ କରିବାରେ ଲାଗି ପଡ଼ିଛନ୍ତି ପୂର୍ବତନ କୋଦଳା ନଗରପାଳ ଏବଂ ସ୍ୱାଧୀନ ହୋଇ ନିଜକୁ ବିଜେଡି ଏବଂ ନବୀନ ବାବୁ ତାଙ୍କ ଆଦର୍ଶ କହୁଥିବା ଟାଣୁଆ ନେତା ହର ପ୍ରସାଦ ସାହୁ । କୃଷକଙ୍କ ସାଥୀ, ଦରଦୀଙ୍କ ବନ୍ଧୁ ଅଭାବୀ ମଣିଷଙ୍କ ବଡ଼ ଭାଇ ବୋଲାଇ ପ୍ରତିଦିନ ଗାଁ ବୁଲା ସାଙ୍ଗକୁ ଲୋକମାନଙ୍କ ଭଲ ମନ୍ଦ ପଚାରି ବୁଝିବା, ସାମାଜିକ ଓ ପାରିବାରିକ କାର୍ଯ୍ୟକ୍ରମରେ ଯୋଗ ଦେବା । ବିଜେଡିର କାର୍ଯ୍ୟକ୍ରମରେ ସାମିଲ ହେବା ଏବଂ ନିଜ ଝିଅକୁ ସାମ୍ନାକୁ ଆଣି ରାଜନୀତିର ବୈତରଣୀ ପାର୍ ହେବାକୁ ଚାହୁଁଥିବା ହର ପ୍ରସାଦ ସାହୁ ଏହି ଦୁଇ ନେତାଙ୍କୁ କଡ଼ା ଟକ୍କର ଦେଇ ଟିକେ ହାତେଇ ବାଜି ମାରି ପାରନ୍ତି ବୋଲି ଲୋକେ କହୁଛନ୍ତି । ଲୋକେ ଏଥର ଏହା ବି କହୁଛନ୍ତି ଯେ, ହର ଏଥର ହାରିଲା ବାଜି ନ ଜିତିଲେ ଅଞ୍ଚଳରେ ଦୁର୍ନୀତି ଓ ଭ୍ରଷ୍ଟାଚାର ବଢ଼ିବ ।

ନିର୍ବାଚନ ଋତୁ ମୁଣ୍ଡ ଉପରେ ଥିବା ବେଳେ ଏହି ବିଜେଡିରୁ ଏହି ତିନି ନେତାଙ୍କୁ ନେଇ ଚର୍ଚ୍ଚା ସରଗରମ ହେଉଥିବା ବେଳେ ବିରୋଧୀ ଶିବିର କିନ୍ତୁ ଖାଁ ଖାଁ । କେବେ କେମିତି ସାଂଗଠନିକ କାର୍ଯ୍ୟକ୍ରମକୁ ବାଦ୍ ଦେଲେ ସେମିତି କିଛି ଆଖି ଦୃଶିଆ କାର୍ଯ୍ୟକ୍ରମ ଦେଖିବାକୁ ପାଉନାହାନ୍ତି ଲୋକେ କିମ୍ବା ଦଳୀୟ କର୍ମୀ । ଏଣୁ ଏବେ ହାଟରେ ବାଟରେ ଚର୍ଚ୍ଚା କବିସୂର୍ଯ୍ୟନଗରରେ ବିରୋଧୀ ଦୁର୍ବଳ ଏବଂ ଆଶାୟୀ ପ୍ରବଳ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: