ପୋଲସରାରୁ ଆରତୀ ଲଢ଼ିବେ : ପୋଷ୍ଟରରେ ନାହିଁ ଶଙ୍ଖ ଚିହ୍ନ, ନବୀନଙ୍କ ମୁହଁ

ପୋଲସରାରୁ ଆରତୀ ଲଢ଼ିବେ : ପୋଷ୍ଟରରେ ନାହିଁ ଶଙ୍ଖ ଚିହ୍ନ, ନବୀନଙ୍କ ମୁହଁ

ପୋଲସରା: ନିର୍ବାଚନ ସମୟ ଯେତେ ଯେତେ ପାଖେଇ ଆସୁଛି ଆଶାୟୀଙ୍କ ମଧ୍ୟରେ ଉତ୍କଣ୍ଠା ସେତିକି ବଢୁଛି। କାଳେ ପାର୍ଟି ସୁପ୍ରିମୋ ଟିକେଟ୍ ଦେଇଦେବେ ସେଇ ଆଶା ନେଇ ଅନେକ ଆଶାୟୀ ଏବେ କ୍ୟାପିଟାଲରେ ଭିଡ଼ ଜମାଇଛନ୍ତି । ଆଉ କିଛି ଆଶାୟୀ ଏରିଆରେ ରହି ସଂଗଠନକୁ ବଳ ଦେଉଛନ୍ତି । ବିଜେଡି, ବିଜେପି ଓ କଂଗ୍ରେସ ସବୁ ଦଳରେ ସମାନ ଅବସ୍ଥା । ବିଜୁ ଜନତା ଦଳରେ କିନ୍ତୁ ଆଶାୟୀଙ୍କ ସଂଖ୍ୟା ପ୍ରବଳ । ଏହାର କାରଣ ସଭିଙ୍କୁ ଜଣା, ବିଜେଡିରୁ ଯିଏ ବି ନିର୍ବାଚନ ଲଢ଼ିବ ସେ ନିଶ୍ଚିତ ବିଜୟୀ ହେବ ଏହି ଆଶା ହିଁ ଅନେକ ଆଶାୟୀ ସୃଷ୍ଟି କରୁଛି ଆଉ ଦଳ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରୁଛି ।

ଏଭଳି ପରିସ୍ଥିତିରେ ଗଞ୍ଜାମ ଜିଲ୍ଲାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଆସନ ପୋଲସରା ବିଧାନସଭା ଆସନ ପାଇଁ ବି ଆଶାୟୀଙ୍କ ଲମ୍ବା ତାଲିକା । ପୂର୍ବତନ ଶ୍ରମ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଆସିଥିବା ବିବାଦରେ  ଫାଇଦା ନେବାକୁ ଚେଷ୍ଟା କରୁଛନ୍ତି । ଆଉ ଏହି ତାଲିକାରେ ଆଶାୟୀ ନିଜ ନିଜର ବଳ କଷି ଟିକେଟ ଆଣିବାକୁ ଯେନ ତେନ ପ୍ରକାରରେ ଚେଷ୍ଟା କରୁଛନ୍ତି ।

ଏହି ପ୍ରକ୍ରିୟାରେ ଏବେ ନିଜକୁ ଖୁବ୍ ଜୋରରେ ଲଗାଇ ଦେଇଛନ୍ତି ପୂର୍ବତନ ସରପଞ୍ଚ  ତଥା ନାରୀ ନେତ୍ରୀ ଆରତୀ ଦେବୀ । ବିଜେଡିର ଏହି ନାରୀ ନେତ୍ରୀ ଅଞ୍ଚଳରେ ନିଜର ଉପସ୍ଥିତି ଜାହିର କରିବା ପାଇଁ ସମୟେ ସମୟରେ ବିଭିନ୍ନ କାର୍ଯ୍ୟକ୍ରମ, ସଭା ସମିତି ଓ ଜନସମ୍ପର୍କ ଅଭିଯାନ କରି ଆସୁଛନ୍ତି । କେବେ କିନ୍ତୁ ଟିକଟ ଦୌଡ଼ରେ ସାମିଲ ହୋଇ ଶକ୍ତି ପ୍ରଦର୍ଶନ କରିନାହାନ୍ତି । ଏବେ କିନ୍ତୁ ସେ ସିଧାସଳଖ ପୋଲସରା ମାଟିର ଉନ୍ନତି ପାଇଁ ଲଢ଼େଇ କରିବା ପାଇଁ ଯୁଦ୍ଧ ଦେହୀଂ ଡାକରା ଦେଇଛନ୍ତି । ଶରଣ ଶ୍ରୀକ୍ଷେତ୍ର ମାରଦାରୁ ଆରମ୍ଭ କରିଛନ୍ତି ଜନସମ୍ପର୍କ ଅଭିଯାନ । ଜନ ଆର୍ଶୀବାଦ ଅଭିଯାନ ଆରମ୍ଭ କରି ସେ ରାଜନୀତି ଜୋରଦାର କରିବେ ବୋଲି କହିଛନ୍ତି ।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେ ଯେଉଁ ପୋଷ୍ଟରଟି ପ୍ରସ୍ତୁତ କରିଛନ୍ତି ସେଥିରେ ନା ଅଛି ବିଜେଡିର ଚିହ୍ନ ନା ନବୀନଙ୍କ ମୁହଁ କେବଳ ନାରୀ ନେତ୍ରୀର ଆହ୍ୱାନ ଦେଇ ଜୟଜଗନ୍ନାଥ ନାରା ଦେଇ ସେ ଆଗକୁ ପୋଲସରା ମାଟିର ସାମାଜିକ, ଆର୍ଥିକ ଓ ଶିକ୍ଷା କ୍ଷେତ୍ରରେ ବିପ୍ଲବ ଆଣିବେ ବୋଲି ଡାକରା ଦେଇ ସମର୍ଥନ ଲୋଡୁଛନ୍ତି ।

ମିଳିଥିବା ଖବର ଅନୁସାରେ ପୋଲସରା ବିଧାନସଭା ଆସନ ନଚେତ ଆସ୍କା ସଂସଦୀୟ କ୍ଷେତ୍ର ପାଇଁ ଆରତୀଙ୍କୁ ବିକଳ୍ପ ଭାବେ ବିଜେଡି ଚିନ୍ତା କରୁଛି । ଟିକେଟ ଘୋଷଣା ପୂର୍ବରୁ କିନ୍ତୁ ଆରତୀଙ୍କ ଏ ଆହ୍ୱାନ ବିଜେଡି ସପକ୍ଷରେ ନା ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ତାହା ଅବୁଝା ହୋଇ ରହିଛି । ଖବର ଏହା ବି ରହିଛି ଯେ, ବିଜେଡି ପୁଣି ଥରେ ଶ୍ରୀକାନ୍ତ ସାହୁଙ୍କୁ ପୋଲସରାରୁ ରିପିଟ୍ କରିପାରେ କିନ୍ତୁ ଯେଉଁ ବିବାଦ ଆସିଛି ତାହାର ମଉକା ନେଇ ଫାଇଦା ଉଠାଇବାକୁ ସମସ୍ତେ ଚାହୁଁଛନ୍ତି । ସେହି ଦୌଡ଼ରେ ଆରତୀ ଅଛନ୍ତି କି ନାହାନ୍ତି ତାହା ସମୟ ହିଁ କହିବ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: