ଚିନ୍ତାରେ ପ୍ରାର୍ଥୀ, ଦ୍ବନ୍ଦ୍ବରେ ଦଳ: କୋଶଲ ଆଣ୍ଡ କୋ’ର ବଡ଼ ଭୂମିକା ?

ଚିନ୍ତାରେ ପ୍ରାର୍ଥୀ, ଦ୍ବନ୍ଦ୍ବରେ ଦଳ: କୋଶଲ ଆଣ୍ଡ କୋ’ର ବଡ଼ ଭୂମିକା ?

ପ୍ରିଜମ୍‌ ନ୍ୟୁଜ ବ୍ୟୁରୋ: ଦିନ ଗଡ଼ିବା ସାଙ୍ଗକୁ ରାଜ୍ୟରେ ହାଇ ହେଉଛି ନିର୍ବାଚନୀ ପାରା । ଏହାରି ଭିତରେ ବଲାଙ୍ଗିର ଲୋକସଭା ଆସନକୁ ନେଇ ମଧ୍ୟ ଆରମ୍ଭ ହୋଇଛି ଅଙ୍କକଷା। କିନ୍ତୁ ପ୍ରାର୍ଥିତ୍ବକୁ ନେଇ ଲାଗି ରହିଛି ବିରାଟ ଦ୍ବନ୍ଦ୍ବ। ବିଜେଡି କଥା ଆଲୋଚନା କଲେ, ଟିକେଟ୍‌ ପାଇଁ ଦାବିଦାର୍‌ ଅଛନ୍ତି ପୂର୍ବତନ ସାଂସଦ କଳିକେଶ ସିଂହଦେଓ। ଗତ ନିର୍ବାଚନରେ ସେ ବିଜେପି ପ୍ରାର୍ଥୀ ସଙ୍ଗୀତା ସିଂହଦେଓଙ୍କଠାରୁ ପରାଜିତ ହେବାପରେ ସ୍ବାଭାବିକ ଭାବେ ଦଳୀୟ ଟିକେଟ୍‌ ନେଇ ଆଶାବାଦୀ ରହିଛନ୍ତି। ଏଥିପାଇଁ ୨୦୧୯ ମସିହା ପରଠାରୁ ତାଙ୍କୁ ବିଭିନ୍ନ କାର୍ଯ୍ୟକ୍ରମର ଯୋଗ ଦେଉଥିବା ଦେଖିବାକୁ ମିଳୁଛି। ଏହାସହ ଭିତିରିଆ ଭାବେ ନିଜ ଲବିକୁ ଷ୍ଟ୍ରଙ୍ଗ୍‌ କରୁଥିବା ରାଜନୈତିକ ମହଲରେ ଜୋର୍‌ଦାର ଚର୍ଚ୍ଚା ହେଉଛି। ଯଦି ଅର୍କେଶଙ୍କୁ ଏଥର ଟିକେଟ୍‌ ନ ମିଳେ, ତେବେ କଳିକେଶ ବିଧାନସଭା ପ୍ରାର୍ଥୀ ମଧ୍ୟ ହୋଇପାରନ୍ତି। ଏ ନେଇ ମଧ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଅନ୍ୟପଟେ ବଲାଙ୍ଗିର ଲୋକସଭା ପ୍ରାର୍ଥୀ ପାଇଁ ଅସିତ ତ୍ରିପାଠୀ, ଟୁକୁନି ସାହୁ ଏବଂ ନିରଞ୍ଜନ ପୂଜାରୀଙ୍କ ନାଁ ମଧ୍ୟ ଚର୍ଚ୍ଚା ହେଉଛି। କିନ୍ତୁ ପାୱାର କରିଡରର ଅତି ନିକଟତର ଥିବା ନିରଞ୍ଜନଙ୍କୁ ଯଦି ଲୋକସଭା ପାଇଁ ପ୍ରାର୍ଥୀ କରାଯାଏ, ତେବେ ସୋନପୁର ବିଧାନସଭା ଆସନରୁ କିଏ ପ୍ରାର୍ଥୀ ହେବେ, ତାହା ମଧ୍ୟ ସବୁଠୁ ବଡ଼ ଚର୍ଚ୍ଚା।

ସେହିପରି ବିଜେପି ପାଇଁ ସଂଗୀତା ସିଂହଦେଓ ଏକମାତ୍ର ଚେହେରା। ‌ଟିକେଟ୍‌ ଦୌଡ଼ରେ ସେ ହିଁ ନିଜେ ନିଜର ବିକଳ୍ପ ବୋଲି ଚର୍ଚ୍ଚା ହେଉଛି। ଉପରେ ତାଙ୍କର ସାର୍ଟିଫେକ୍‌ଟ ଗୁଡ୍‌ ଥିବାରୁ ତାଙ୍କୁ ପୁଣି ଥରେ ରିପିଟ୍‌ କରାଯିବା ସମ୍ଭାବନା ରହିଛି। କଂଗ୍ରେସ କଥା ବିଚାର କଲେ, ନୂଆ କରି ଦଳରେ ଯୋଗ ଦେଇଥିବା ଅଭିନେତା ମନୋଜ ମିଶ୍ରଙ୍କୁ ନେଇ ଜୋର୍‌ଦାର ଚର୍ଚ୍ଚା। ପୂର୍ବ ଓ ପଶ୍ଚିମ ଓଡ଼ିଶା ବିବାଦୀୟ ପ୍ରସଙ୍ଗରେ ତାଙ୍କର ରହିଛି ଅନ୍ୟତମ ପ୍ରମୁଖ ଭୂମିକା। ବର୍ତ୍ତମାନ କୋଶଲ ଆନ୍ଦୋଳନକୁ ସେ ସମର୍ଥନ କରୁଥିବାବେଳେ, ତାଙ୍କୁ କଂଗ୍ରେସ ପ୍ରାର୍ଥୀ କଲେ ତାହା ବୁମେରାଂ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ସେହିପରି କଂଗ୍ରେସ ଶିବିରରେ ଟିକେଟ୍‌ ଦୌଡ଼ରେ ବହୁ ପୁରୁଣା ନେତା ଅଛନ୍ତି। ପୁରୁଣାଙ୍କୁ ଅଣଦେଖା କରି ନବାଗତଙ୍କୁ ଟିକଟ୍‌ ଧରାଇବା ଦଳ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ। ଏଭଳି ସ୍ଥିତିରେ ଦଳ ଭିତରେ ଫାଟ ଆହୁରି ଲମ୍ବିପାରେ। ସେହିପରି ଗତ ନିର୍ବାଚନରେ ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ରଙ୍କୁ କଂଗ୍ରେସ ଲୋକସଭା ପ୍ରାର୍ଥୀ କରିଥିଲା। ଏଥର ନିର୍ବାଚନ ଲଢ଼ିବାକୁ ନରସିଂହ ମିଶ୍ର ମନା କରିଛନ୍ତି। ତେଣୁ, ସମରେନ୍ଦ୍ରଙ୍କୁ ଦଳ ଏଥର ବିଧାନସଭା ପଠାଇପାରେ। ଏଭଳି ସ୍ଥିତିରେ ସମରେନ୍ଦ୍ର ଯଦି ବିଧାନସଭା ଯାଆନ୍ତି, ତେବେ କଂଗ୍ରେସ ମନୋଜଙ୍କୁ ଲୋକସଭା ପଠାଇବ ନା ଅନ୍ୟ ପ୍ରାର୍ଥୀ ଦେବ, ତାହା ବି ଏକ ବଡ଼ ଚର୍ଚ୍ଚା।

ଏସବୁ ଭିତରେ ସବୁଠାରୁ ବଡ଼ ଚର୍ଚ୍ଚା ଯାହା, ତାହା ହେଉଛି କୋଶଲ ଆନ୍ଦୋଳନ। କୋଶଲ ସେନା, ମିଳିତ କୋଶଲ କ୍ରିୟାନୁଷ୍ଠାନ କମିଟି ଓ କୋଶଲ କ୍ରାନ୍ତି ଦଳ ମିଳିତ ଭାବେ ବିଧାନସଭା ପ୍ରାର୍ଥୀ ଦେଇପାରନ୍ତି। ଏ ନେଇ ଏକ ରୁଦ୍ଧଦ୍ବାର ବୈଠକ ମଧ୍ୟ ବସିଥିବା ସୂତ୍ରରୁ ଜଣାପଡ଼ିଛି। ଏଥିପାଇଁ ପ୍ରାୟ ଶହେଟି ସତ୍ୟପାଠ ଦାଖଲ ହୋଇଥିବା ମଧ୍ୟ ଜଣାପଡ଼ିଛି।

ତେବେ ଏଥିରେ ଦୁବାଇର ୨ ଜଣ ଇଞ୍ଜିନିୟର ମଧ୍ୟ ପ୍ରମୁଖ ଭୂମିକା ନିଭାଇଥିବା ସୂତ୍ରରୁ ଜଣାପଡ଼ିଛି। ତେଣୁ, ଏଥର ବଲାଙ୍ଗିର ଲୋକସଭା ଆସନରେ କଡ଼ା ଟକ୍କର ହେବା ନେଇ ଏବେଠାରୁ ଆଭାସ ମିଳିଲାଣି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: