ମୋ ସ୍କୁଲରେ ସାମିଲ ହେବ+୨

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ମୋ ସ୍କୁଲରେ ସାମିଲ ହେବ ଯୁକ୍ତ ଦୁଇ। ରାଜ୍ୟରେ ଯେଉଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଯୁକ୍ତ ୨ କଲେଜଗୁଡ଼ିକ ଯୁକ୍ତ ୩ ଡିଗ୍ରୀ କଲେଜ ବା ମହାବିଦ୍ୟାଳୟ ସହ ଗୋଟିଏ କ୍ୟାମ୍ପସରେ ନ ଥାଇ ଭିନ୍ନ ଭାବେ ରହିଥିବ, ସେଗୁଡ଼ିକୁ ‘ମୋ ସ୍କୁଲ୍ ଅଭିଯାନ’ରେ ସାମିଲ କରିବାକୁ କାର୍ଯ୍ୟକାରୀ ପରିଷଦ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେବାକୁ ନିଷ୍ପତ୍ତି ନେଇଛି। ‘ମୋ ସ୍କୁଲ୍ ଅଭିଯାନ’ର ୨୩ତମ କାର୍ଯ୍ୟକାରୀ ପରିଷଦ ବୈଠକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଓଡ଼ିଶାର ୨୮ଟି ଜିଲ୍ଲାର ମୋଟ ୧୭୫ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଗତ ୧ ମାସ ମଧ୍ୟରେ ୪୬ ହଜାରରୁ ଊର୍ଦ୍ଧ୍ୱ ପୂରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ୍ ଅଭିଯାନ’ ସହ ଯୋଡ଼ି ହୋଇଥିବା ବେଳେ ସେମାନେ ନିଜ ନିଜ ବିଦ୍ୟାଳୟର ବିକାଶ ପାଇଁ ୯ କୋଟି ୬୯ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ବାଲେଶ୍ୱରରେ ୨.୭୬ କୋଟି, କଳାହାଣ୍ଡିରେ ୮୨ ଲକ୍ଷ, କଟକରେ ୬୪ ଲକ୍ଷ, ଅନୁଗୁଳରେ ୬୧ ଲକ୍ଷ ଏବଂ ବରଗଡ଼ରେ ୫୮ ଲକ୍ଷ ଟଙ୍କା ପୁରାତନ ଛାତ୍ରଛାତ୍ରୀମାନେ ପ୍ରଦାନ କରିଛନ୍ତି । ଏହାସହ ବିଭିନ୍ନ ସିଏସ୍‌ଆର୍ ପାଣ୍ଠିରୁ ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ମୋ ସ୍କୁଲ୍ ଅଭିଯାନକୁ ମୋଟ ୪୮.୮ କୋଟି ଟଙ୍କାର ଅନୁଦାନ ଆସିଛି । ସମସ୍ତ ଅନୁଦାନ ସହ ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ଥିକ ସହାୟତାକୁ ମିଶାଇ ମୋଟ ୧୭୫ କୋଟି ଟଙ୍କାର ପ୍ରକଳ୍ପକୁ କାର୍ଯ୍ୟକାରୀ ପରିଷଦ ଅନୁମୋଦନ ପ୍ରଦାନ କରିଛି।

ତେବେ ‘ମୋ ସ୍କୁଲ୍ ଅଭଯାନ’ ପ୍ରଥମ ଥର ପାଇଁ ‘ଅଗସ୍ତ୍ୟ ଫାଉଣ୍ଡେସନ’ ଏବଂ ‘ଇନ୍‌ଫୋସିସ୍ ଫାଉଣ୍ଡେସନ’ ସହ ମିଳିତ ଭାବେ ୭୫୦ ହାଇସ୍କୁଲ୍‌ର ବିଜ୍ଞାନ ଓ ଗଣିତ ଶିକ୍ଷକଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି। ଗଣିତ ଓ ବିଜ୍ଞାନ ଶିକ୍ଷକଙ୍କ ଦକ୍ଷତା ବିକାଶ ସହ ଛାତ୍ରଛାତ୍ରୀଙ୍କ ପାଇଁ କିଭଳି ଗଣିତ ଓ ବିଜ୍ଞାନ ଶିକ୍ଷା ସହଜ କରିହେବ ତାହା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ରହିବ। ବର୍ତ୍ତମାନ ସୁଦ୍ଧା ୧୧୩୮ଜଣ ବ୍ୟକ୍ତିବିଶେଷ ୧୩୨୪ ବିଦ୍ୟାଳୟକୁ ପୋଷ୍ୟଭାବେ ଗ୍ରହଣ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଇତି ମଧ୍ୟରେ ୩୦୦ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ନେଇ ମୋ ସ୍କୁଲ୍ ଟିମ୍ ଭର୍ଚୁଆଲ୍ ବୈଠକ ଆୟୋଜନ କରିଛି ।

%d bloggers like this: