ଓଡ଼ିଶାରେ କୋରୋନା ସ୍ଥିତି ଭଲ ଅଛି: ଆଇଏଲ୍ଏସ୍ ନିର୍ଦ୍ଦେଶକ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଦିନକୁ ଦିନ ବଢ଼ିବାରେ ଲାଗିଛି ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ୨୦୦ ପାର କରିଛି କୋରୋନା ମାମଲା। ଏଥିରେ ଡରିବାର କୌଣସି ଆବଶ୍ୟକତା ନାହିଁ । ଓଡ଼ିଶାର ସ୍ଥିତି ଠିକ୍ ରହିଛି ବୋଲି ଆଇଏଲ୍ଏସ୍ ନିର୍ଦ୍ଦେଶକ ଅଜୟ ପରିଡ଼ା କହିଛନ୍ତି । ଏଥିସହ ସେ କହିଛନ୍ତି, ଡିସେମ୍ବର ମାସରେ ଓଡ଼ିଶା ଫେରିଥିବା ୩ ଜଣଙ୍କ ଠାରେ ୟୁକେ ଷ୍ଟ୍ରେନ୍ ଚିହ୍ନଟ ହୋଇଛି । ସେମାନେ ସୁସ୍ଥ ହୋଇଥିବା ବେଳେ କାହାକୁ ସଂକ୍ରମିତ କରି ନାହାନ୍ତି । ଆଇଏଲ୍ଏସ୍ ରେ ୨୨୦ଟି ସାମ୍ପୁଲ ଟେଷ୍ଟ କରାଯାଇଥିବା ବେଳେ ତାହା ମାରାତ୍ମକ ନୁହେଁ ବୋଲି ସେ କହିଛନ୍ତି ।
ଆଜି ରାଜ୍ୟରେ ସମୁଦାୟ ୨୧୪ଟି ନୂଆ କୋରୋନା ପଜେଟିଭ ମାମଲା ଚିହ୍ନଟ ହୋଇଛି । ସଙ୍ଗରୋଧ କେନ୍ଦ୍ରରୁ ୧୨୬ଟି ଓ ୮୮ଟି ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୩୩ଟି ମାମଲା ଚିହ୍ନଟ ହୋଇଛି । ଅନୁଗୁଳରୁ ୬ ଜଣ, ବାଲେଶ୍ବରରୁ ୧୧ ଜଣ, ବରଗଡ଼ରୁ ୧୩ ଜଣ, ଭଦ୍ରକରୁ ୪ ଜଣ, ବଲାଙ୍ଗିରରୁ ୨୦ ଜଣ, ବୌଦ୍ଧରୁ ୨ ଜଣ, କଟକରୁ ୨୦ ଜଣ, ଢେଙ୍କାନାଳରୁ ୧୦ ଜଣ, ଗଞ୍ଜାମରୁ ୪ ଜଣ, ଜଗତସିଂହପୁରରୁ ୨ ଜଣ, ଯାଜପୁରରୁ ୫ ଜଣ, ଝାରସୁଗୁଡ଼ାରୁ ୩ ଜଣ, କଳାହାଣ୍ଡିରୁ ୫ ଜଣ, କନ୍ଧମାଳରୁ ଜଣେ, କେନ୍ଦ୍ରାପଡ଼ାରୁ ଜଣେ, କୋରାପୁଟରୁ ୧୦ ଜଣ, ମୟୂରଭଞ୍ଜରୁ ୯ ଜଣ, ନବରଙ୍ଗପୁରରୁ ଜଣେ, ନୂଆପଡ଼ାରୁ ୨ ଜଣ, ପୁରୀରୁ ୫ ଜଣ, ରାୟଗଡ଼ାରୁ ୩ ଜଣ, ସମ୍ବଲପୁରରୁ ୧୦ ଜଣ, ସୁନ୍ଦରଗଡ଼ରୁ ୨୭ ଜଣ ଓ ଷ୍ଟେଟପୁଲରୁ ୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୯ ହଜାର ୪୬୦ରେ ପହଞ୍ଚିଛି। ୧୧୫୧ଟି ସକ୍ରିୟ ମାମଲା ଥିବା ବେଳେ ଏଯାବତ୍ ୩ ଲକ୍ଷ ୩୬ ହଜାର ୩୩୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।

%d bloggers like this: