ପଲିଟିକାଲ ଫାୟାର ରୂପ ନେଲାଣି କ୍ଷମତା ପାଇଁ କୁହୁଳୁଥିବା ଧୂଆଁ

ପ୍ରିଜମ ନ୍ୟୁଜ ବ୍ୟୁରୋ: ପଲିଟିକ୍ସ ପାଇଁ ପୁଅ, ପତ୍ନୀ ବି ଆଶାୟୀ। ପୁଅର ହେବ ନା ସ୍ତ୍ରୀର ନା ପର ପୁରୁଷ ହାତରେ ପାର୍ଟି ମୁଖିଆ ଟେକିଦେବେ ପିପିଲିର ପଲିଟିକାଲ ଭାଗ୍ୟ, ତାକୁ ନେଇ ଏବେ ଚର୍ଚ୍ଚା, ତର୍କ ଓ ବିତର୍କ। କ୍ଷମତା କେନ୍ଦ୍ର ଶେଷ ନିଷ୍ପତ୍ତି ନେବା ପୂର୍ବରୁ ହିଁ ଆଶାୟୀଙ୍କ ମନରେ କୁହୁଳୁଥିବା ଧୂଆଁ ଏବେ ନିଆଁ ହୋଇ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀକୁ କାରାୟତ କରିବାକୁ ଉଦ୍ଯମ କଲାଣି। ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ କାହା ମୁଣ୍ଡରେ ନବୀନ ପିନ୍ଧାଇବେ ରାଜମୁକୁଟ, ତାକୁ ନେଇ ଚର୍ଚ୍ଚା। ଏଥିରେ ସନ୍ଦେହ ନାହିଁ ଯେ, ଟିକଟ ମହାରଥୀ ପରିବାରକୁ ମିଳୁ କି ଆଉ କାହାକୁ, ଜିତିବ ତ ନବୀନଙ୍କ ପାର୍ଟି ବିଜେଡି। ପିପିଲିର ଭାଗ୍ଯ ଭବିଷ୍ଯତ ନିଜ ମୁଣ୍ଡରେ ମୁଣ୍ଡାଇ ନବୀନ ପୁଣି ଦେବେ ପ୍ରତିଶ୍ରୁତି। ଆପଣ କେମିତି ଅଛନ୍ତି ପଚାରିବେ ଆଉ ଭୋଟ୍ ମାଗି ଜିତିଯିବେ। ଅବଶ୍ଯ ଫରକ୍ ପଡ଼େନି ଟିକଟ କାହାକୁ ଦିଆଯାଉଛି ଆଉ କିଏ ଲଢୁଛି, ସମର୍ଥନ କେତେ ମିଳୁଛି ଆଉ ବିରୋଧ ସତ୍ତ୍ୱେ କେବଳ ନବୀନଜିମ୍ ଆହ୍ବାନରେ ପ୍ରାର୍ଥୀଙ୍କ ପଲ୍ଲା ଭାରି ପଡ଼ୁଛି।

କିଛିଦିନ ତଳେ ପ୍ରାର୍ଥୀପତ୍ରକୁ ନେଇ ଉଭୟେ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ ଓ ପୁଅ ରୁଦ୍ର ମୁହଁ ଖୋଲିଥିଲେ। ପ୍ରତିଭା କହିଥିଲେ ଯେ, ବିଜେଡି ସୁପ୍ରିମୋ ଯାହାକୁ ଚାହିଁବେ, ମୁଁ ଗ୍ରହଣ କରିବି। ମୋତେ ସୁଯୋଗ ମିଳିଲେ ମୁଁ ଖୁସି ହେବି ବୋଲି ପ୍ରତିଭା ମହାରଥୀ କହିଛନ୍ତି। ସେହିପରି ପରେ ଏ ବାବଦରେ ମହାରଥୀଙ୍କ ପୁଅ ରୁଦ୍ର ପ୍ରତିକ୍ରିୟା ରଖିଥିଲେ। କହିଥିଲେ। ବାପାଙ୍କ ସହ ୨ଟି ର୍ନିବାଚନ ବୁଲିଛି। ଅଭିଜ୍ଞତା ଅଛି। ତେଣୁ ମୁଁ ଜନ୍ମରୁ ରେଡି। ଏଥିସହ ମା’ଙ୍କର ବି ଅଭିଜ୍ଞତା ରହିଥିବା କଥା ସେ ସ୍ବୀକାର କରିଛନ୍ତି।

ଅଞ୍ଚଳବାସୀଙ୍କ ମନରେ କିନ୍ତୁ ଗୋଟିଏ ପ୍ରଶ୍ନ, କିଏ ହେବ ପିପିଲିର ପରବର୍ତ୍ତୀ ଦାବିଦାର? ମହାରଥୀ ପରିବାରର ରାଜ୍ ଚାଲିବ ନା ଲୋକ ବଦଳାଇବେ ମନ? ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର। ଅନ୍ୟପଟେ ପରିବାର ଭିତରୁ କିଏ ପାଇବ ଟିକେଟ ତାକୁ ନେଇ ରାଜନୀତି ଆରମ୍ଭ ହୋଇଗଲାଣି। ମହାରଥୀଙ୍କ ଗୋଟିଏ ଗୋଷ୍ଠୀ ପୁଅ ରୁଦ୍ରଙ୍କ ସପକ୍ଷରେ ମତ ରଖୁଥିବାବେଳେ ଅନ୍ୟଗୋଷ୍ଠୀ ପତ୍ନୀ ପ୍ରତିଭା ମହାରଥୀଙ୍କ ସମର୍ଥନରେ ବାହାରିଛନ୍ତି। ତେବେ ବିଜେଡି ସୁପ୍ରିମୋ କାହାକୁ ଦେବେ ଟିକେଟ୍? ବର୍ତ୍ତମାନ ବିଜେଡି ଫୋକସରେ ଉଭୟ ମହିଳା ଓ ଯୁବ ଗୋଷ୍ଠୀ। ତେଣୁ ଟିକେଟ୍ କାହାକୁ ମିଳିବ, ସେନେଇ ସ୍ପଷ୍ଟତା ଆସି ନଥିବା ବେଳେ ଉଭୟ କିନ୍ତୁ ନିଜ ନିଜ ତରିକାରେ କ୍ଷେତ୍ର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସଭା ସମିତି ସହ କର୍ମୀଙ୍କୁ ଏକଜୁଟ୍ କରାଇବାକୁ ପିପିଲିରେ ଅଲଗା ଅଲଗା ଘନ ଘନ ବୈଠକ କରୁଛନ୍ତି ମା’ ଓ ପୁଅ। ହେଲେ ଟିକେଟ୍ ନିଷ୍ପତ୍ତି କିନ୍ତୁ ଦଳର ସୁପ୍ରିମୋଙ୍କ ଉପରେ ଛାଡିଛନ୍ତି ପ୍ରତିଭା ଓ ରୁଦ୍ର।

ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ଗତବର୍ଷ ଅକ୍ଟୋବର ୪ରେ ହୋଇଥିଲା। ନିୟମ ଅନୁଯାୟୀ, ୬ ମାସ ମଧ୍ୟରେ ଉପ-ନିର୍ବାଚନ ସରିବ। ଏଣୁ ଯେ କୌଣସି ମୁହୂର୍ତ୍ତରେ ତାରିଖ ଘୋଷଣା ହୋଇପାରେ। ଏଥିଲାଗି ଶାସକ ବିଜେଡି ଗତ ୨୮ ତାରିଖରେ ପିପିିଲି ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ଆଳି ବିଧାୟକ ପ୍ରତାପ ଦେବଙ୍କୁ ନିଯୁକ୍ତ କରିଛି। ସେପଟେ ବିଜେପି ଓ କଂଗ୍ରେସ ବି ବେଶ ଆଶାବାଦୀ ଅଛନ୍ତି। ମାତ୍ର ନିକଟରେ ଶେଷ ହୋଇଥିବା ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ ବିଜେପି ନିଜ ଗଡ଼ ବାଲେଶ୍ୱରକୁ ହରାଇଥିବାବେଳେ ତିର୍ତ୍ତୋଲରେ ବି ପରାଜୟର ଦଶା ଭୋଗିବାକୁ ପଡ଼ିଥିଲା। ସେପଟେ କଂଗ୍ରେସ ଉଭୟ ନିର୍ବାଚନରେ ଶୋଚନୀୟ ଭାବେ ପରାସ୍ତ ହୋଇଛି। କିନ୍ତୁ ଏଥର ବିଜେପି ବାଲେଶ୍ୱରର ବଦଲା ପିପିଲିରେ ନେବାକୁ ପ୍ରୟାସ ଚଳାଇଥିବାବେଳେ କଂଗ୍ରେସ ନିଜ ବଳ ସାଉଁଟୁଛି ।
ଅନ୍ଯପଟେ ଯେ କୌଣସି ମୁହୂର୍ତ୍ତରେ ହୋଇପାରେ ପିପିଲି ବିଧାନସଭା ଉପନିର୍ବାଚନ ତାରିଖ ଘୋଷଣା। ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ଏପଟେ ଭୋଟିଂ ପାଇଁ ନିଜକୁ ପ୍ରସ୍ତୁତ ରଖିଥିବା କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। କୋଭିଡ୍ ପାଇଁ ଉପନିର୍ବାଚନରେ ବୁଥ୍ ସଂଖ୍ଯା ବଢ଼ାଯିବ। ନିର୍ବାଚନ ପୂର୍ବରୁ ରାଜନୈତିକ ଦଳଗୁଡ଼ିକୁ ତାଲିମ କାର୍ଯ୍ୟକ୍ରମ ମଧ୍ୟ ଶେଷ ହୋଇଥିବା କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲି ଆସନ ଖାଲି ପଡ଼ିଛି।

%d bloggers like this: