‘ଇ-ଜିଲ୍ଲା’ର ଭବିଷ୍ୟତ ଅନ୍ଧାର, ବନ୍ଦ କରିଦେଲେ ଯା’ନ୍ତା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଲୋକଙ୍କ ସୁବିଧା, ଚଟାପଟ୍ ସେବା ପାଇଁ ୨୦୧୦-୧୧ରେ ଆରମ୍ଭ ହୋଇଥିଲା ଇ-ଜିଲ୍ଲା କାର୍ଯ୍ୟକ୍ରମ। ପ୍ରଥମ ପର୍ଯ୍ୟାୟରେ ୭ଟି ସେବାକୁ ଏଥିରେ ସାମିଲ କରାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଏହାର ସେବା ସଂଖ୍ୟା ବୃଦ୍ଧି କରାଯାଇଥିଲା। ଜନ୍ମ, ମୃତ୍ୟୁ ପ୍ରମାଣପତ୍ର, ବାସସ୍ଥାନ, ଜାତି, ଆୟ ଆଦି ସାର୍ଟିଫିକେଟ ପାଇଁ ଲୋକମାନେ ସରକାରୀ ଦପ୍ତରକୁ ନ ଯାଇ ନିଜ ଘର ପାଖରେ ଥିବା ଜନସେବା କେନ୍ଦ୍ରରୁ କିଭଳି ସେବା ପାଇପାରିବେ ସେଥିପାଇଁ ଏହା ଆରମ୍ଭ କରାଯାଇଥିଲା। ତେବେ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର (ଓକାକ) ଏହାକୁ ବିକଶିତ କରିବା ସହିତ ରକ୍ଷଣାବେକ୍ଷଣ ଭାର ସମ୍ଭାଳିଥିଲା । ମାତ୍ର, ଏବେ ଏଥିରୁ କିଛି ସୁଫଳ ମିଳୁନି।

୨୦୧୮ ମସିହାରେ ଓକାକ୍‍ କର୍ତ୍ତୃପକ୍ଷ ଏହାକୁ ଏନ୍‍ଆଇସିକୁ ହସ୍ତାନ୍ତର କରିଥିଲେ। ଏନ୍‍ଆଇସିର ସର୍ଭିସ୍ ପ୍ଲାଟଫର୍ମରେ ଏହି ସେବା ଯୋଗାଣ ପାଇଁ ସ୍ଥିର ହେବାସହ ଏଥିପାଇଁ ରାଜ୍ୟ ସରକାର ଏନ୍‍ଆଇସିକୁ ୧ କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଥିଲେ। ଏନ୍‍ଆଇସି ହାତକୁ ଇ-ଜିଲ୍ଲା ଯିବାପରେ ଏବେ ଏଥିରେ ଅନେକ ବିଭ୍ରାଟ ଦେଖାଦେଇଛି। ସରକାରୀ ବାବୁମାନେ ପୂର୍ବଭଳି ଏହାକୁ ଚଳାଇ ନପାରି ମାଳ ମାଳ ଅଭିଯୋଗ ପଠାଇବାରେ ଲାଗିଛନ୍ତି। ସେବା ସଂଖ୍ୟା ବଢ଼ିଥିବାବେଳେ ଅଭିଯୋଗ ସଂଖ୍ୟା ବି ବଢ଼ିବାରେ ଲାଗିଛି।

ଜଣେ ସରକାରୀ କର୍ମଚାରୀ ନିଜ ନାମ ଗୋପନ ରଖି କହିଛନ୍ତି, ଅଧିକାଂଶ ସମୟରେ ଏହାର ସର୍ଭର ଡାଉନ୍ ରହୁଛି। ସଫ୍ଟୱେରକୁ ନେଇ ମଧ୍ୟ କେତେକ ତ୍ରୁଟିଗତ ସମସ୍ୟା ରହୁଛି। ଫଳରେ ଲୋକମାନଙ୍କୁ ନାନା ଅସୁବିଧା ହେଉଛି। ତେବେ ସେ ଏହାର ପ୍ରତିକାର ବିଷୟରେ ପଚାରିବାରୁ କହିଛନ୍ତି ଯେ, ସରକାରୀସ୍ତରରେ ଆଉ ପୂର୍ବ ଭଳି ଏଥିପ୍ରତି ଧ୍ୟାନ ଦିଆଯାଉ ନାହିଁ। ବିଭିନ୍ନ ଅତ୍ୟାଧୁନିକ ସେବା ଭିତରେ ଏହି ସେବା ହଜିବାକୁ ବସିଲାଣି। ଯଦିଓ ଏନଆଇସି ଏହାର ତଦାରଖ କରୁଛି, ତେବେ ସରକାର ଏହା ଉପରେ ନଜର ରଖିବାକୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରନ୍ତୁ। ସେହି ଟିମ୍ ଏହାରି ଉପରେ ନଜର ରଖିବ। ତେବେ ଲଗ୍ ଇନ୍ ଓ ପାସୱାର୍ଡ ସମସ୍ୟା ବିଷୟରେ ପଚାରିବାରୁ ଏକଥାକୁ ଅଧିକାରୀ ଜଣଙ୍କ ସ୍ୱୀକାର କରିଛନ୍ତି।

%d bloggers like this: