(କିମାଶ୍ଚର୍ଯ୍ୟମ୍-୭)-ନେହେରୁ! ହୁ???

ସ୍ୱାଧୀନତ୍ତୋର ଭାରତ ଯେଉଁ ସବୁ ଜିନିଷ ପାଇଁ ଗର୍ବ କରୁଛି ସେଥିରୁ ନେହେରୁଙ୍କ ଅବଦାନ ଫେଡ଼ି ଦିଅନ୍ତୁ, ଫଳାଫଳ ଯାହା ରହିବ ତାହା ସ୍ୱତଃ ପ୍ରମାଣିତ କରିଦେବ ଭାରତ ପାଇଁ ନେହେରୁଙ୍କ ଅବଦାନ କଣ ଓ ହୁ ଇଜ ନେହେରୁ।


(ପରଂବ୍ରହ୍ମ ତ୍ରିପାଠୀ): ଟୋକିଓ ଅଲମ୍ପିକରେ ଆମେ ଆମ କ୍ରୀଡା ଇତିହାସର ସର୍ବୋତ୍ତମ ପ୍ରଦର୍ଶନ କରିଛେ। ଜିତିଛନ୍ତି ଖେଳାଳୀ, କିନ୍ତୁ ଶ୍ରେୟ ନେବାର ବିକଳ ପ୍ରତିଯୋଗିତା ଭିତରେ କେଉଁଠି ନା କେଉଁଠି ବିକୃତ ହେଉଛି ଇତିହାସ, କ୍ଷତାକ୍ତ ହେଉଛି ଅନେକ ଗୌରବମୟ ଅବଦାନ। ଆଲୋଚନା ଆରମ୍ଭ କରିବା ପୂର୍ବରୁ ଛୋଟିଆ କଥାଟିଏ। ସେଇଟି ହେଲା, ଅଲମ୍ପିକର ଇତିହାସ ମାତ୍ର ଦୁଇ ଶହ କେତେ ବର୍ଷର ନୁହେଁ। ଏହାର ଐତିହାସିକ ଗୁରୁତ୍ୱ ହିଁ ଆଧୁନିକ ଅଲମ୍ପିକ୍ସ ପ୍ରତିଯୋଗିତା ଆୟୋଜନର ମୁଖ୍ୟ ପ୍ରେରଣା ଓ କାରଣ।

ଏବେ ଆସିବା ୧୯୫୧ମସିହାକୁ। ଭାରତ ଆୟୋଜନ କଲା ଏସିଆଡ଼ ପ୍ରତିଯୋଗିତା। ମହାଦେଶ ସ୍ତରରେ ଏଭଳି ଏକ ପ୍ରତିଯୋଗିତାର ଆୟୋଜନ ଯେ କରିହେବ ସେକଥା ଖାଲି ଏସିଆର ତତ୍କାଳୀନ ମହାଶକ୍ତି ନୁହେଁ, ବିଶ୍ୱର ମହାଶକ୍ତିଙ୍କ କଳ୍ପନାର ବାହାରେ ଥିଲା। ଭାରତ ଯେତେବେଳେ ଏ ପ୍ରତିଯୋଗିତାର ଆୟୋଜନ କରିବା ପରିକଳ୍ପନା କଲା, ସେତେବେଳେ ଭାରତ ଥିଲା କଣ? ମାତ୍ର ପାଞ୍ଚ ବର୍ଷ ତଳେ ସ୍ୱାଧୀନ ହୋଇଥିବା ଏକ ଜନବହୁଳ ରାଷ୍ଟ୍ର ଯିଏ ନିଜର ଦୈନନ୍ଦିନ ଆବଶ୍ୟକତା ପାଇଁ ପଶ୍ଚିମ ରାଷ୍ଟ୍ରମାନଙ୍କ ଉପରେ ନିର୍ଭରଶୀଳ, ଯିଏ ସ୍ୱାଧୀନତା ସହ ବିଭାଜନ, ଶରଣାର୍ଥୀ ସମସ୍ୟା ଓ ସାମ୍ପ୍ରଦାୟିକ ଦଙ୍ଗାକୁ ଗିଫ୍ଟ ଭାବେ ପାଇଥିଲା ଓ ଜିଡିପି/ଗ୍ରୋଥ ରେଟ/ଇତ୍ୟାଦି ଇତ୍ୟାଦି ଶବ୍ଦ ଯାହା ଅଭିଧାନରେ କେବଳ ଫ୍ୟାନସି ଅଳଙ୍କାର ମାତ୍ର ଥିଲେ। ଏଭଳି ଏକ ସନ୍ଦିକ୍ଷଣରେ ଭାରତ ପରିକଳ୍ପନା କରିଥିଲା ଏସିଆଡ଼ ଦୌଡ଼କୁଦ ପ୍ରତିଯୋଗିତା, ବିଶ୍ୱର ପ୍ରଥମ ମହାଦେଶ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଆୟୋଜନ କରିଵାର। ସେ ସମୟର ଅବସ୍ଥା ଓ ପରିସ୍ଥିତିକୁ ଭାବନ୍ତୁ ଓ ଆକଳନ କରନ୍ତୁ ଏଭଳି ଏକ ପ୍ରତିଯୋଗିତା ଆୟୋଜନର ସ୍ବପ୍ନ ବି ଦେଖିବା ପାଇଁ ଆବଶ୍ୟକ ପଡିଥିବା ସାହସ ଓ ଉଚ୍ଚାକାଂକ୍ଷାର। ହଁ, ସେତିକି ସାହସୀ, ଦୂରଦୃଷ୍ଟି ସମ୍ପନ୍ନ ଓ ବଡ଼ ସ୍ବପ୍ନ ଦେଖି ପାରିବାର କ୍ଷମତା ରଖିଥିବା ବ୍ୟକ୍ତିତ୍ୱ ଥିଲେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ, ଜବାହରଲାଲ ନେହେରୁ।

ଏସିଆଡ଼ ଆୟୋଜନ ପାଇଁ ଦେଶ କ୍ରୀଡା ମନ୍ତ୍ରାଳୟ ପାଖରେ ଟଙ୍କାଟିଏ ନଥିଲା। ଦେଶ ବହୁବିଧ ସମସ୍ୟା ସହ ଲଢ଼ୁଥିଲା ବେଳେ ଏଭଳି ଏକ ପ୍ରତିଯୋଗିତାର ଆୟୋଜନକୁ ଅନେକ ନେହେରୁଙ୍କ ସିଗାର ଖିଆ ଖିଆଲି ବିଳାସ ବୋଲି କଟାକ୍ଷ କରୁଥିଲେ। ତଥାପି ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ଏସିଆ ମହାଦେଶର ରାଜନୀତି, କୂଟନୀତି ଓ ଦେଶ-ଦେଶ ସମ୍ପର୍କ ମାମଲାରେ ଭାରତକୁ ପ୍ରତିଷ୍ଠିତ କରିବା ପାଇଁ ଏସିଆଡ଼ ଆୟୋଜନ ଯେ ଏକ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ତାହା ନେହେରୁଙ୍କର ବିଶ୍ୱାସ ଥିଲା। ପ୍ରସ୍ତୁତି ଶେଷ ନହେଇ ପାରିବାରୁ ପ୍ରତିଯୋଗିତାର ତାରିଖ ଦୁଇ ଦୁଇ ଥର ବଦଳି ଥିଲା। ଭିତ୍ତିଭୂମି ଓ ଅର୍ଥ ଅଭାବ ସମସ୍ୟାର ପ୍ରତିକାର ପାଇଁ ନେହେରୁ ଆୟୋଜନ ସହ ଯୋଡିଥିଲେ ବେସରକାରୀ ଅନୁଷ୍ଠାନ ଓ ଧନାଢ୍ୟ ବ୍ୟକ୍ତିତ୍ୱଙ୍କୁ। ବିସିସିଆଇ ପ୍ରତିଷ୍ଠାତା ଠାରୁ ଆରମ୍ଭ କରି ପଟିଆଲା ମହାରାଜା, ଜେନେରାଲ କରିଆପାଙ୍କ ଠାରୁ ନେଇ ଦେଶର ସମସ୍ତ ବଡ଼ ଶିଳ୍ପପତି- ସଭିଙ୍କ ପାଖରେ ପହଞ୍ଚିଥିଲେ ନେହେରୁ, ସଭିଙ୍କୁ ସାଙ୍ଗରେ ନେଇ ଚାଲିଥିଲେ, ହାତୀର କାମ ହାତୀକୁ ଓ ଘୋଡାର କାମ ଘୋଡାକୁ ଦେଇ ମୁଣ୍ଡି ମାରିଥିଲେ ଏସିଆଡ଼ର। ହଁ, ଏକଥା ବି ସ୍ମରଣଯୋଗ୍ୟ ଯେ ସେତେବେଳେ ଯାଏ ପ୍ରଥମ ନିର୍ବାଚନ ହୋଇ ନଥିଲା। ଅଦମ୍ୟ ଇଛାଶକ୍ତି ଓ କଠିନ ପରିଶ୍ରମର ଫଳଶ୍ରୁତିର ସଫଳ ସ୍ଵାକ୍ଷର ହେଲା ପ୍ରଥମ ଏସିଆଡ଼। ୧୧ ଦେଶର ୪୮୯ କ୍ରୀଡ଼ାବିତ ୫୭ଟି ପ୍ରତିଯୋଗିତାରେ ଭାଗନେଲେ। ସାରା ବିଶ୍ୱ ଆଚମ୍ବିତ ହେଇ ଦେଖିଲା ନୂଆ ସ୍ୱାଧୀନ ହୋଇଥିବା ଏକ ଦେଶ ଯାହା ପାଇଁ ସେମାନେ ଶୋକବର୍ତ୍ତା ଲେଖି ସାରିଥିଲେ, ତାର ଦୂରଦୃଷ୍ଟି ଓ ସାମର୍ଥ୍ୟ।

ଏଭର ଅନବର୍ଡ୍ସ ବା ‘ସର୍ବଦା ଆଗକୁ’ ଲକ୍ଷ୍ୟରେ ବିଶ୍ୱାସ କରୁଥିବା ଏସିଆଡ଼ ଆଜି ମିନି ଅଲମ୍ପିକ୍ସ ଓ ଅନେକ ବହୁଦେଶୀୟ କ୍ରୀଡା ପ୍ରତିଯୋଗିତାର ପ୍ରେରଣାଦାତ୍ରୀ। ଏସିଆଡ଼ ଆୟୋଜନ ହିଁ ଭାରତରେ କ୍ରୀଡା ଭିତ୍ତିଭୂମିର ପ୍ରଥମ ଓଁକାର। ନିଜ ଦେଶର ସମସ୍ୟା ସହ ଯୁଝି ମଧ୍ୟ ବିଶ୍ୱ ପ୍ରେକ୍ଷାପାଟରେ ନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇ ହେବ, ତାର ପ୍ରଥମ ରଣଦୁନ୍ଦୁଭି।

ଆଉ ଯେତେବେଳେ ଆଜି କିଛି ପ୍ରଶ୍ନ କରନ୍ତି ବା ଏପରି ଏକ ଅବଧାରଣା ସୃଷ୍ଟି କରିବାର ପ୍ରୟାସ କରାଯାଏ ଯେ ନେହେରୁ କିଏ , କଣ ତାଙ୍କ ଅବଦାନ, ତାହା କେବଳ ଆମ ଗୌରବମୟ ଇତିହାସକୁ ପ୍ରଶ୍ନ କରେନି, ଆମ ସାଧାରଣ ଜ୍ଞାନ, କୃତଜ୍ଞତା ଓ ସାମାଜିକ ବିବର୍ତ୍ତନରେ ନିବେଶ ହୋଇଥିବା ବଳିଦାନ ପ୍ରତି ଆମର ସମ୍ବେଦନଶୀଳତାକୁ କାଠଗଡ଼ାରେ ଠିଆ କରେ। ମାତ୍ର ପନ୍ଦର ଷୋଳ ବର୍ଷ ପାଇଁ ନେହେରୁ ଏ ଦେଶର ପ୍ରଧାନମନ୍ତ୍ରୀ ଥିଲେ। ସେ ଥିଲେ ସନ୍ଦିକ୍ଷଣର ପ୍ରଧାନମନ୍ତ୍ରୀ, ପ୍ରତିକୂଳ ସମୟର ପ୍ରଧାନମନ୍ତ୍ରୀ। ତଥାପି ବି ମାତ୍ର ୧୫ ବର୍ଷ ଭିତରେ ସେ ପରିକଳ୍ପନା କରି ପାରିଥିଲେ ଭାବା ଆଟୋମିକ ରିସର୍ଚ୍ଚ ସେଣ୍ଟର, ଏମ୍ସ, ଆଇଆଇଟି, ସ୍ପେସ ରିସର୍ଚ୍ଚ ସେଣ୍ଟର, ଡିଆରଡିଓ, ଆଇସିଆଇଆର, ଅଇସିଏଚଆର, ସିଏସଆଇଆର ଭଳି କୋଡ଼ିଏରୁ ଉର୍ଦ୍ଧ୍ୱ ବିଶ୍ୱସ୍ତରୀୟ ଅନୁଷ୍ଠାନ। ବୃହତଶିଳ୍ପ, ନଦୀବନ୍ଧ, ଜଳ ବିଦ୍ୟୁତ ଯୋଜନା, ଆଣବିକ ଶକ୍ତି ଠାରୁ ନେଇ କଳା, ସାହିତ୍ୟ, ଖେଳ, ସ୍ଥାପତ୍ୟ, ଏମିତି କୌଣସି ଏକ ଦିଗ କୁହନ୍ତୁ ଯେଉଁଥିରେ ନେହେରୁଙ୍କ ପନ୍ଦର ବର୍ଷର ଜାଜୁଲ୍ୟମୟ ଅବଦାନ ନଥିବ। ସ୍ୱାଧୀନତ୍ତୋର ଭାରତ ଯେଉଁ ସବୁ ଜିନିଷ ପାଇଁ ଗର୍ବ କରୁଛି ସେଥିରୁ ନେହେରୁଙ୍କ ଅବଦାନ ଫେଡ଼ି ଦିଅନ୍ତୁ, ଫଳାଫଳ ଯାହା ରହିବ ତାହା ସ୍ୱତଃ ପ୍ରମାଣିତ କରିଦେବ ଭାରତ ପାଇଁ ନେହେରୁଙ୍କ ଅବଦାନ କଣ ଓ ହୁ ଇଜ ନେହେରୁ।

ପ୍ରତି ରାଜନୈତିକ ବ୍ୟକ୍ତିତ୍ୱଙ୍କ ଭଳି ତାଙ୍କର ମଧ୍ୟ ଦୋଷତ୍ରୁଟି ଥିଲା। ସେସବୁର ଆଲୋଚନା ସମାଲୋଚନା ହେଉ। କିନ୍ତୁ ଆମେ ତାଙ୍କ ସମକକ୍ଷ ହୋଇ ପାରୁ ନାହୁଁ ବୋଲି ନେହେରୁଙ୍କ ଅବଦାନକୁ ଛୋଟ କରି ହୁ ଇଜ ନେହେରୁ ଭଳି ସଂକୀର୍ଣ୍ଣ ରାଜନୈତିକ ନ୍ୟାରେଟିଭ ତିଆରି କରା ନଯାଉ।

Leave a Reply

Your email address will not be published.