କିମାଶ୍ଚର୍ଯ୍ୟମ୍- ଶିକ୍ଷକଙ୍କୁ ଚିଠି

ଗାୟକ ହେବାକୁ ଚାହୁଁଥିବା ପିଲାଟି ପରିସ୍ଥିତିରେ ପଡି ଭବିଷ୍ୟତରେ ଆକାଉଣ୍ଟ ସମ୍ଭାଳେ। ଯନ୍ତ୍ରୀ ହେବାକୁ ଚାହୁଁ ନଥିବା ପିଲାଟି ଯନ୍ତ୍ରୀ ହୁଏ। ଏପରି ସ୍ଥଳେ ଜୀବନ ରସହୀନ ଓ ଯାନ୍ତ୍ରିକ ଲାଗେ। ମାତ୍ର ଯେକୌଣସି କାମ ହେଉ ସେଥିରେ ଯଦି ସେ ନିଜ ମୁଣ୍ଡ ସହ ମନକୁ ନିବେଶ କରିବ, କାମଟି ସେତିକି ଯାନ୍ତ୍ରିକ ଲାଗିବ ନାହିଁ।

(ପରଂବ୍ରହ୍ମ ତ୍ରିପାଠୀ) : ମହାଶୟା/ ମହାଶୟ,ଗୁରୁ ଦିବସର ଅଭିନନ୍ଦନ ଓ ପ୍ରଣାମ। ମୋ ପିଲାଟି ଆପଣଙ୍କ ବିଦ୍ୟାର୍ଥୀ। ଆପଣଙ୍କୁ ଦେଖି ସିଏ ଅନୁପ୍ରାଣିତ ହୁଏ। ଆମେ ବାପା ମାଆ ଦୁହିଁଙ୍କ ପରେ ଆପଣଙ୍କୁ ହିଁ ସିଏ ନିଜ ରୋଲ ମଡେଲ ବୋଲି ଭାବେ। ଏ ଚିଠିଟି ମୋ ବ୍ୟକ୍ତିଗତ ଭାବନା। ଆପଣ ଆବ୍ରାହାମ ଲିଙ୍କନଙ୍କ ଚିଠି ପଢିଥିବେ। ମୋ ଚିଠିଟି ସେତିକି ଭାବପ୍ରବଣ ଓ ଜ୍ଞାନ ଉଦ୍ରେକକାରୀ ନୁହେଁ। ଆଶା ଆପଣ ଏହାକୁ ସକାରାତ୍ମକ ଭାବେ ଗ୍ରହଣ କରିବେ ଓ ଗୁରୁ ଶିଷ୍ୟର ସମ୍ପର୍କ ଗଠନ ବେଳେ ଏ ଜିନିଷ ଗୁଡିକ ଉପରେ ସମ୍ବେଦନଶୀଳତାର ସହ ଧ୍ୟାନ ଦେବେ।

ତାକୁ ହୁଏତ ମୁଁ ସବୁବେଳେ ଜିତିବାକୁ ପ୍ରୋତ୍ସାହିତ କରିବି, କାରଣ ମୋର ଅନେକ ବିଫଳ ସ୍ୱପ୍ନ ସିଏ ସାକାର କରିବ ବୋଲି ଇଛାଟିଏ ମୋ ଜାଣତ ବା ଅଜାଣତରେ ସୃଷ୍ଟି ହେବା ସ୍ବାଭାବିକ। କିନ୍ତୁ ଆପଣ ତା ଗୁରୁ। ଆପଣ ଜାଣିଛନ୍ତି ଯେ ଖେଳିବା ଗୁରୁତ୍ୱପୂର୍ଣ୍ଣ, ଜିତିବା କି ହାରିବା ନୁହେଁ। ଆପଣ ତାକୁ ହାରିବା କିପରି ସ୍ୱୀକାର କରିହୁଏ ସେ ବିଷୟରେ ଶିଖେଇବେ। ବିଫଳତାକୁ କିପରି ହଜମ କରିହେବ, ଭାଙ୍ଗି ନ ପଡ଼ି କିପରି ଆଉ ଥରେ ପ୍ରୟାସ କରି ହେବ, ସବୁ ସ୍ୱପ୍ନଭଙ୍ଗ ପରେ ବି ସ୍ବପ୍ନକୁ କିପରି ଆବୋରି ରଖିହେବ, କିପରି ଆଉଥରେ ନୂଆ ସ୍ୱପ୍ନ ଦେଖିହେବ, ସେକଥା କଥାରେ କଥାରେ ଶିଖେଇବାକୁ ଅନୁରୋଧ।

ମୋ ପିଲା ସହ ମୁଁ ଘରେ ଯେତିକି ମିଶିଛି ସେହି ଅନୁସାରେ ଜାଣିଛି ଯେ ସେ ଆଵଶ୍ୟକତାଠୁ ଅଧିକ ପ୍ରଶ୍ନାକୁଳ, ଅନୁସନ୍ଧିତ୍ସୁ ଓ ଅଧର୍ଯ୍ୟ। ତାପରି ତା ଶ୍ରେଣୀରେ ଆଉ କିଛି ତାର ବନ୍ଧୁ ଏହି ପର୍ଯ୍ୟାୟରେ ଥିବେ। କିନ୍ତୁ ସେମାନଙ୍କ ପ୍ରଶ୍ନ, ସେମାନଙ୍କ ଅନୁସନ୍ଧିତ୍ସୁପଣ, ବାକି ପିଲାଙ୍କ ପାଇଁ ଯେମିତି ଆପଣଙ୍କ ନିୟମିତ ଦାୟିତ୍ୱ ନିର୍ବାହରେ ବାଧକ ନହେଉ। ସମସ୍ତେ ପଢ଼ନ୍ତୁ, ସମସ୍ତେ ବଢ଼ନ୍ତୁ। ଭିନ୍ନ ହେବା ନିଶ୍ଚିତ ଭାବେ ଏକ ଭଲ ଜିନିଷ, କିନ୍ତୁ ସାଧାରଣ ହେବା ବି କମ ଚମତ୍କାରୀ ନୁହେଁ। ଜଣକର ଭିନ୍ନତା କିମ୍ବା ବିଶେଷତା ଆଉ ଜଣକର ସାଧାରଣ ହେବା ପଥରେ ଯେମିତି ଅନ୍ତରାୟ ନହେଉ, ତା ବ୍ୟକ୍ତିତ୍ୱ ବିକାଶରେ ଯେପରି ବାଧା ସୃଷ୍ଟି ନକରୁ, ସେପ୍ରତି ଦୃଷ୍ଟି ଦେବାକୁ ବିଶେଷ ଅନୁରୋଧ।

ତାକୁ ‘ନା’ କହିବା ଶିଖାନ୍ତୁ। ‘ନା’ ନକହି ପାରି ଇତିହାସରୁ ନେଇ ଆଜି ଯାଏ ଅନେକ ଦକ୍ଷ ବ୍ୟକ୍ତି ନିଜ ଦକ୍ଷତା ଅପେକ୍ଷା କମ ପ୍ରଦର୍ଶନ କରିଛନ୍ତି। ‘ମୁଁ ପାରିବି’ କହିବା ଯେତିକି ଗୁରୁତ୍ୱପୂର୍ଣ୍ଣ ତାଠାରୁ ବେଶୀ ନହେଲେ ବି ସେତିକି ଗୁରୁତ୍ୱପୂର୍ଣ୍ଣ ହେଉଛି ମୁଁ ଏ କାମ କରି ପାରିବି ନାହିଁ ବୋଲି କହିବା। ମୁଁ ପାରିବି ନାହିଁ ହୁଏତ ଅହଂ, ବ୍ୟକ୍ତିଗତ ଅଭୀପ୍ସା ଓ ନିଜକୁ ସର୍ବୋଚ୍ଚ ଦେଖେଇବା ଭାବନାର ପରିପନ୍ଥୀ। କିନ୍ତୁ ‘ନା’ କହିବା ବ୍ୟକ୍ତିଗତ, ପାରିବାରିକ, ଓ ସାମାଜିକ ଜୀବନରେ ଜଣେ ମଣିଷ କେତେ ମିଛ କହି ପାରିବ ସେ ସଂଖ୍ୟାକୁ ଆଶାତୀତ ଭାବେ ହ୍ରାସ କରି ପାରେ। ନିଜ ଜୀବନ ସହ ନିଜ ଚାରିପାଖର ମଣିଷଙ୍କ ଜୀବନ ଅଧିକ ସହଜ, ସରଳ, ସାବଲୀଳ କରିପାରେ। ତେଣୁ ତାକୁ ପାରିବି ମାୟାଜାଲରୁ ମୁକ୍ତ କରି ଆବଶ୍ୟକ ସ୍ଥଳେ ପାରିବିନି ବୋଲି କହି ପାରିବାର ଆତ୍ମପ୍ରତ୍ୟୟ ଦିଅନ୍ତୁ।

ତାକୁ ଗୋଟିଏ ଜିନିଷ ହୃଦୟଙ୍ଗମ କରିବାକୁ ଦିଅନ୍ତୁ ଯେ ଅନିଶ୍ଚିତତା ହେଉଛି ଜୀବନର ସବୁଠାରୁ ବଡ଼ ନିଶ୍ଚିତତା। ବହୁ ଜିନିଷ ଆମ ଯୋଜନା ଅନୁସାରେ ହୁଏ ନାହିଁ। ଗାୟକ ହେବାକୁ ଚାହୁଁଥିବା ପିଲାଟି ପରିସ୍ଥିତିରେ ପଡି ଭବିଷ୍ୟତରେ ଆକାଉଣ୍ଟ ସମ୍ଭାଳେ। ଯନ୍ତ୍ରୀ ହେବାକୁ ଚାହୁଁ ନଥିବା ପିଲାଟି ଯନ୍ତ୍ରୀ ହୁଏ। ଏପରି ସ୍ଥଳେ ଜୀବନ ରସହୀନ ଓ ଯାନ୍ତ୍ରିକ ଲାଗେ। ମାତ୍ର ଯେକୌଣସି କାମ ହେଉ ସେଥିରେ ଯଦି ସେ ନିଜ ମୁଣ୍ଡ ସହ ମନକୁ ନିବେଶ କରିବ, କାମଟି ସେତିକି ଯାନ୍ତ୍ରିକ ଲାଗିବ ନାହିଁ। ଦକ୍ଷତା ସହ ମନର ମିଶ୍ରଣ ଯେକୌଣସି ସାଧାରଣ କାମକୁ ବି ଅସାଧାରଣ କରିପାରେ। ଯାହା ବି କରିବ ମନଦେଇ କରିବା ପାଇଁ ତାକୁ ବୁଝାଇବାକୁ ଅନୁରୋଧ।

ପୃଥିବୀର ଶ୍ରେଷ୍ଠ ଖେଳାଳୀଙ୍କ ଠାରୁ ନେଇ ଗାଁ ବଜାରର ସବୁଠାରୁ ଭଲ ଜଳଖିଆ ପ୍ରସ୍ତୁତକାରୀ ଯାଏ, ଦୁନିଆର ସବୁ ସର୍ବୋତ୍ତମଙ୍କ ଭିତରେ ଗୋଟିଏ ଜିନିଷ ହେଉଛି ଗରିଷ୍ଠ ସାଧାରଣ ଗୁଣନୀୟକ। ସେଇଟି ହେଲା ନିରନ୍ତରତା। ଭଲ କାମ କରିବାର ଅଛି, ଆଉ ଭଲ କରିବାରେ ନିରନ୍ତରତା ମଧ୍ୟ ବଜାୟ ରଖିବାର ଅଛି। ଏଥିପାଇଁ ଆବଶ୍ୟକ ହେଉଛି ନିୟମିତ ଅଭ୍ୟାସ। ପୃଥିବୀର ଶ୍ରେଷ୍ଠ ଗାୟକମାନେ ମଧ୍ୟ ପ୍ରତିଥର ମଞ୍ଚକୁ ଯିବା ପୂର୍ବରୁ ଅଭ୍ୟାସ କରି ଯାଆନ୍ତି। ଭଲ କରୁଛି ବୋଲି ଆତ୍ମବିଶ୍ୱାସ ଯେପରି ତା ଅଭ୍ୟାସ କରିବାର ପ୍ରବୃତ୍ତି ଉପରେ ପ୍ରତିକୂଳ ପ୍ରଭାବ ନ ପକାଏ ସେଥିପ୍ରତି ଧ୍ୟାନ ଦେବାକୁ ଅନୁରୋଧ।

ନିଜକୁ ସରସ ଓ ବୁଦ୍ଧିମାନ ଭାବିବାର ଅଧିକାର ସମସ୍ତଙ୍କର ଅଛି। ମୋ ପିଲା ଯଦି ନିଜକୁ ସେପରି ଭାବୁଥିବ ସେଥିରେ କିଛି ଅସୁବିଧା ନାହିଁ। ମାତ୍ର ଏହି ଉତ୍କର୍ଷ ଅନ୍ୟକୁ ଛୋଟ ଭାବି ବା ଛୋଟ ଦେଖାଇ ତିଆରି ନହେଉ। କାହାର ଶରୀରର ରଙ୍ଗ, କହିବାର ଶୈଳୀ କିମ୍ବା ସେପରି କୌଣସି ବାହ୍ୟ ପ୍ରଭେଦ, ତାକୁ ମୋ ପିଲାଠାରୁ ନିକୃଷ୍ଟ ବୋଲି ଧାରଣା ମୋ ପିଲା ମନରେ ତିଆରି ନକରୁ। କୌଣସି ଅବଧାରଣା ତା ବନ୍ଧୁ ବାଛିବା ପ୍ରକ୍ରିୟାରେ ନିର୍ଣ୍ଣାୟକ ନହେଉ। ସିଏ ମେଧା ପ୍ରତି ସଂଭ୍ରମ ହେଉ ଓ ନିଜଠାରୁ କମ ଦକ୍ଷମାନଙ୍କ ପାଇଁ ସଶ୍ରଦ୍ଧ ହେଉ।

ବିଭେଦ, ପାର୍ଥକ୍ୟ ଆଉ ବିଷମତା ପ୍ରତି ସହିଷ୍ଣୁ ହେବା ବର୍ତ୍ତମାନ ସମୟରେ ଜଣେ ମେଧାବୀ ଛାତ୍ରୀ/ଛାତ୍ର ହେବା ଠାରୁ ଅଧିକ ଆବଶ୍ୟକ। ସାମାଜିକ ଗଣମାଧ୍ୟମ ଓ ଇଣ୍ଟରନେଟ ଆମ ଆଗରେ ସୂଚନାର ବିପଣୀ ଖୋଲି ଦେଇଛି। କିନ୍ତୁ କେଉଁଟିକୁ ବାଛିବା, କେଉଁଟି ସାମୁହିକ ସ୍ୱାର୍ଥ ଦୃଷ୍ଟିରୁ ଅଧିକ ଗୁରୁତ୍ୱପୂର୍ଣ୍ଣ, ସେ ବିଚାରଶକ୍ତି ଆମ ଠାରୁ କାଢି ନେଉଛି। ଆମେ ବଡ଼ମାନେ ବି ତଥ୍ୟର ଏ ଘଡିସନ୍ଧିରେ ନିଜକୁ ନିରପେକ୍ଷ ରଖି ପାରୁନେ। ପିଲାଟିଏ ନିଜକୁ ନିରପେକ୍ଷ ରଖିବା ନିଶ୍ଚିତ ଭାବେ କଷ୍ଟ। ତାକୁ ଗୋଟିଏ କଥା ଶିଖେଇବେ ଯେ ପ୍ରତିଟି ଘଟଣାର ଦୁଇଟି ନୁହେଁ ଅନେକ ଦିଗ ଥାଏ। କୌଣସି ଘଟଣାରେ ନିଜ ମତ ସ୍ଥିର କରିବା ପୂର୍ବରୁ, ନିଜ ମତାମତ ଦେବା ପୂର୍ବରୁ, କୌଣସି ନିଷ୍କର୍ଷରେ ପହଂଚିବା ପୂର୍ବରୁ, ଘଟଣାର ଅନ୍ତତଃ ମୋଟାମୋଟି ଦିଶୁଥିବା ଦୁଇଟି ଦିଗକୁ ଧ୍ୟାନ ଦେବ। ନିଜ ପୁର୍ବାଗ୍ରହକୁ ଭିତ୍ତି କରି ନିଷ୍କର୍ଷରେ ପହଂଚିବ ନାହିଁ। ଘୃଣା କରିବା ସହଜ, କଠିନ ହେଉଛି ନିଜ ଆଖପାଖର ଲୋକଙ୍କୁ ଭଲ ପାଇବା। ତାକୁ ଏଇ କଠିନ କାମଟି କରିବା ପାଇଁ ଆପଣ ମାନସିକ ବଳ ଦେବେ।

ଆମେ ସମସ୍ତେ ଶିଢି ଦ୍ୱାରା ହିଁ ଉପର ସୋପାନକୁ ଯାଇଛେ। ସେ ଶିଢି କେବେ ଆମ ବାପା ମାଙ୍କ ଆମ ପ୍ରତି କର୍ତ୍ତବ୍ୟ, କେବେ ଆମ ପ୍ରିୟଜନଙ୍କ ଭଲ ପାଇବା ତ କେବେ ପୁଣି ଆମ ସମଧର୍ମାମାନଙ୍କ ଆମ ପାଇଁ ଶୁଭକାମନା। ଉଚ୍ଚତାରେ ପହଂଚିବାର ଅନୁଭବ ନିଶ୍ଚିତ ରୋମାଞ୍ଚକର, ନିଶ୍ଚିତ ଭାବେ ଆତ୍ମଗର୍ଵ ଉଦ୍ରେକକାରୀ। କିନ୍ତୁ ଉଚ୍ଚତା ଆମ ଭିତରୁ କୃତଜ୍ଞତାକୁ କାଢି ନ ନେଉ। ଶତ୍ରୁ ହେଉ ପଛେ, ଆମ ଉଠିବା ପଛରେ ଯଦି ତାର ସାମାନ୍ୟତମ ଅବଦାନ ରହିଛି, ତାହାଲେ ତା ପ୍ରତି କୃତଜ୍ଞତା ପ୍ରଦର୍ଶନ ପାଇଁ ଆମ ଓଠ, ବ୍ୟବହାର ଓ କଲମ ଅଟକି ନଯାଉ। ଉପକାରୀର ଉପକାର ଭୁଲିଯିବା ସହଜ। କିନ୍ତୁ ସେଇଟି ମନେରଖିବା ହେଉଛି ସ୍ୱର୍ଗୀୟ। ମୋ ପିଲା ଯେପରି ଏ ସ୍ୱର୍ଗୀୟ ଅନୁଭୁତିର ଅଂଶୀଦାର ହେବ ସେ ଦିଗରେ ତାକୁ ପ୍ରେରିତ କରିବାକୁ ଅନୁରୋଧ।

ଘରେ ଆମେ ଏହି ଜିନିଷଟିକୁ ଜୀବନଶୈଳୀ ହିସାବରେ ଗ୍ରହଣ କରିଛୁ। କେବଳ ସନ୍ତାନ ଜନ୍ମ ଓ ସ୍ତନପାନ କରାଇବା ଛଡା, ଆମ ପାରିବାରିକ ଜୀବନର ଆଉ ପ୍ରାୟ ସମସ୍ତ କାର୍ଯ୍ୟ ହେଲା ଲିଙ୍ଗ ନିରପେକ୍ଷ। ପୁଅ ବୋଲି ସେ ରୋଷେଇ ଜାଣିବନି କି ଝିଅ ବୋଲି ତାକୁ ବାହାରକୁ ଯିବା ମନା, ଏ ରୁଢିବାଦ ପୁଅ ଝିଅ ଉଭୟଙ୍କ ବ୍ୟକ୍ତିତ୍ୱର ସାମଗ୍ରିକ ବିକାଶର ଅନ୍ତରାୟ। ଘରେ ଆମେ ତାକୁ ଜଣେ ଲିଙ୍ଗ ନିରପେକ୍ଷ ମଣିଷ ହିସାବରେ ଗଢ଼ୁଛୁ। ଆଶା, ଘରେ ସିଏ ଯାହା ଶିଖୁଛି, ବିଦ୍ୟାଳୟରେ ସେ ଅନୁରୂପ ବ୍ୟବହାର ଦେଖାଉଛି। ଯେଉଁଠି ଦେଖାଉ ନଥିବ, ତାଗିଦ କରିବାକୁ, ସଂଶୋଧନ କରିବାକୁ ଅନୁରୋଧ।

ତା ଭିତରର ତାରୁଣ୍ୟ ଆଜୀବନ ବଜାୟ ରଖିବା ପାଇଁ ପ୍ରେରଣା ଦେବେ। ଦୁନିଆର ସବୁ ବଡ଼ କାମ ଆଜିଯାଏ ଅମାନିଆର ଚିରସବୁଜ ତାରୁଣ୍ୟ ହିଁ କରିଛି। ପ୍ରଶ୍ନ କରିବାର ପ୍ରବୃତ୍ତି ତା ଆଚରଣ ଓ ଉଚ୍ଚାରଣରେ ଯେପରି ସବୁଦିନ ସୁସ୍ପଷ୍ଟ ରୁହେ ସେ ଦିଗରେ ଧ୍ୟାନ ଦେବାକୁ ଅନୁରୋଧ। ପ୍ରଶ୍ନ କରୁଥିବା ଯାଏ ହିଁ ସିଏ ନିଜ ମାନବିକ ସତ୍ତା ବଜାୟ ରଖିବ। ପ୍ରଶ୍ନ କରିବା ଛାଡିଦେଲେ ହୁଏତ ସେ ଅର୍ଥନୈତିକ, ସାମାଜିକ ଦୃଷ୍ଟିରୁ ଅଧିକ ସମ୍ପନ୍ନ ହୋଇପାରେ, ହେଲେ ସେ ସଂପନ୍ନତା ତାକୁ ନିଜ ବ୍ୟକ୍ତିସତ୍ତା ଓ ମାନବିକତାର ମୂଲ୍ୟ ମାଗିବ। ବ୍ୟକ୍ତିସତ୍ତା ବିହୀନ ଜୀବନ ଯେତେ ସମ୍ପନ୍ନ ହେଲେ ବି ଜେଲଘରଟିଏ। କିଛି ଦିନ ପରେ ସେଠୁ ବାହାରିବା ପାଇଁ ବିବେକ କହିବ, କିନ୍ତୁ ରାସ୍ତା ନଥିବ। ବ୍ୟକ୍ତିତ୍ୱକୁ ବଳି ଦେଇ ଯଦି ସଂପନ୍ନପଣ ଆସୁଛି ତାହାଲେ ସେଇଟି କ୍ରୀତଦାସପଣର ବିଷମ ବଳୟ ବୋଲି ତାକୁ ଏବେଠୁ ବୁଝେଇ ଦେବାକୁ ଅନୁରୋଧ।

ଶେଷରେ ଏତିକି, ତାକୁ କହିବେ ଯେ ତାର କଥା ନୁହେଁ ତା କର୍ମ ହିଁ ତାକୁ ନିଜକୁ ଓ ତା ପାଇଁ ଆପଣଙ୍କୁ ଭବିଷ୍ୟତରେ ଗର୍ବିତ କରିବ। ତା ପ୍ରତି ଆପଣଙ୍କର ଶ୍ରଦ୍ଧା, ସ୍ନେହାଶିଷକୁ ଆଉ ଥରେ ପ୍ରଣାମ କରୁଛି। ଆଉ ଥରେ ଗୁରୁଦିବସର ସକଳ ସୁମନାସ। ଖରାପ ଛାତ୍ର ଥାଇ ପାରେ, କିନ୍ତୁ ପୃଥିବୀରେ ଜଣେ ବି ଖରାପ ଗୁରୁ ନାହିଁ ବୋଲି ମୋର ବିଶ୍ୱାସକୁ ଆପଣ ଆହୁରି ଦୃଢ଼ କରିବେ ବୋଲି ଆଶା ଓ ଭରସା।ଆପଣଙ୍କର ଗୁଣମୁଗ୍ଧ,ପରଂବ୍ରହ୍ମ

Leave a Reply

Your email address will not be published. Required fields are marked *