(କିମାଶ୍ଚର୍ଯ୍ୟମ୍)- ଗଳ୍ପ ପରି ଦିଶେ, ହେଲେ ଗଳ୍ପ ନୁହେଁ ମୋଟେ

(ପରଂବ୍ରହ୍ମ ତ୍ରିପାଠୀ): ବନ୍ଧୁ ପଚାରିଲେ ମହାପାତ୍ର ବାବୁଙ୍କର ଅମକ ଗପଟି ପଢ଼ିଲଣି? ଚମତ୍କାର ହେଇଛି ଗପଟି। ମୁଁ ପଢି ନଥିଲି, ସେଥିପାଇଁ ପଚାରିଲି, ଯଦି ପଢିଛ କହୁନ ଗପଟି କଣ? ବର୍ଷା ସଂଧ୍ୟାରେ ଚା, ପକୁଡି ଆଉ ଗୋଟେ ଭଲଗପ- ଆଉ ଅଧିକ କଣ ଦରକାର ଯେ ଜୀବନରେ? ବନ୍ଧୁ କହିଲେ , ସେଇଟି କଣ କହି ହେବ? କି ଚମତ୍କାର ଦ୍ବନ୍ଦ୍ୱର ଚିତ୍ରଣ, କି ନିଖୁଣ ପାରିପାର୍ଶ୍ବିକ ବର୍ଣ୍ଣନ। ନିଜେ ନପଢିଲେ ଜାଣି ପାରିବନି ମ। ମୁଁ ଭାବିଲି ବନ୍ଧୁ ଜଣଙ୍କ ବୋଧେ ଗପଟିର କାହାଣୀ ସମ୍ପର୍କରେ ଆଗୁଆ ସୂଚନା ଦେବାକୁ ଚାହୁଁ ନାହାନ୍ତି। ବହୁ ସମୟରେ ମୁଁ ନିଜେ ବି ଏମିତି କରେ। ଭଲ ଗପଟିଏ, ଭଲ ସିନେମାଟିଏ ନିଜେ ଅନୁଭବ ନକଲା ଯାଏ ଅନୁଭୂତି ପୁରା ହୁଏନି। ତାପରେ ପୂର୍ବରୁ କାହାଣୀ ସମ୍ପର୍କରେ ସମ୍ୟକ ସୂଚନା ପାଇ ଯାଇଥିଲେ କାହାଣୀଟିକୁ ପଢିବା ବା ଦେଖିବା ବେଳେ ମଜାଟିକେ ପାଣିଚିଆ ବି ହୋଇଯାଏ। ସେଥିପାଇଁ ମୁଁ ବନ୍ଧୁଙ୍କୁ କହିଲି ଆରେ ପୁରା କାହାଣୀ ନ କହିଲେ ନାହିଁ, ପ୍ଲଟଟି ତ କୁହ, ଧାଡି଼ଏ କି ଦି ଧାଡିରେ। ମୁଁ ପୁରା କାହାଣୀଟି ପଢି ନେବିନି! ବନ୍ଧୁ କିଛି ସମୟ ଚୁପ ରହି କହିଲେ ସବୁ ବୁଝିହେଲା କିନ୍ତୁ ଗପର କାହାଣୀଟି ବୁଝି ହେଲାନି। ମହାପାତ୍ର ବାବୁ ଏଡ଼େ ବଡ଼ ଲେଖକ, ସେ ଲେଖିଛନ୍ତି ମାନେ କିଛି ଅଲଗା ଉଦ୍ଦେଶ୍ୟରେ ଲେଖିଥିବେ ନିଶ୍ଚିତ।

ଯେହେତୁ ମୁଁ ନିଜେ ଗପ ଲେଖି ପାରେନି, ଗପକୁ ମୁଁ ନିରୁତା ପାଠକ ଭାବେ ପଢେ, ଗପକୁ ନିରୋଳା ଗପ ଭାବି ହିଁ ପଢେ। ଗପ ପଢିଲା ବେଳେ ମତେ ଗୋଟିଏ ଜିନିଷ ହିଁ ସବୁଠାରୁ ବେଶୀ ଆକର୍ଷିତ କରିଥାଏ, ଆଉ ସେଇଟି ହେଲା ଗପର କାହାଣୀ। କାହାଣୀ ବା ପ୍ଲଟ ଆଗରେ ବ୍ୟାକରଣ, ଗଳ୍ପ ଗଠନର ସ୍ଥାପତ୍ୟ, ତା ଭିତରେ ସରରିୟଲିଜିମ ଅଛି କି ନାହିଁ, ସମାଜ ପ୍ରତି ସନ୍ଦେଶ କଣ, ପ୍ରକୃତି ବର୍ଣ୍ଣନା କେତେ ନିଖୁଣ ଇତ୍ୟାଦି ଇତ୍ୟାଦି ସଂଗୋଷ୍ଠୀ ପ୍ରାସଙ୍ଗିକ ତତ୍ତ୍ୱ ମୋ ପାଇଁ ବେଶୀ କିଛି ମାନେ ରଖେନା। ଗପଟି ଆରମ୍ଭ ହେଉଥିବ, ସରୁଥିବ, ତା ଭିତରେ ଗପଟି ମତେ ଭେଟାଉଥିବ ନିଜ ଚରିତ୍ରମାନଙ୍କୁ ମୋ ଧୈର୍ଯ୍ୟର ବିନା ପରୀକ୍ଷା ନେଇ। ଆଉ ସରିଲା ବେଳକୁ ସେ ଦୁଃଖ ହେଉ କି ହସ, ପ୍ରେମ ହେଉ କି ରାଗ, ମୋ ଭିତରେ ଯେକୌଣସି ଗୋଟେ ରସକୁ ଟିକେ ବଢ଼େଇ ଦେଇ ଯାଇଥିବ। ଯାହାକୁ ପଢ଼ି ମୁଁ ନିଜେ ଦ୍ୱନ୍ଦ୍ୱରେ ରୁହେ, ବ୍ୟକ୍ତିଗତ ଭାବେ ମୋ ପାଇଁ ସିଏ ଭଲ ଗପ ନୁହେଁ।

ମୁଁ ଶବ୍ଦଟିକୁ ଏଠି ଏହି ଲେଖକ ବୋଲି ନବୁଝି ବଡ଼ ପରିଧିରେ ଦେଖିଲେ ଏହି ଆଲୋଚନା ଅଧିକ ସାର୍ଥକ ହୋଇ ପାରନ୍ତା। ଯେଉଁ ମୁଁ କଥା ଏହି ଲେଖକ କହିବାକୁ ଚାହୁଁଛି ସେଇଟି ହେଲା ଗପ ଓ କାହାଣୀ ଭିତରେ ନିଜକୁ ଖୋଜୁଥିବା ବୃହତ୍ତର ପାଠକଗୋଷ୍ଠୀ। ସେମାନେ ହୁଏତ ବଡ଼ ସହରରେ ନରହି ପାରନ୍ତି, ସାହିତ୍ୟ ସଭାରେ, ସାହିତ୍ୟ ଉତ୍ସବରେ ଦେଖା ଯାଆନ୍ତି ନାହିଁ, କିନ୍ତୁ ସେମାନେ ଭଲ ପାଆନ୍ତି ଗପ ଓ କାହାଣୀକୁ। ଆଉ ସେଇ କାହାଣୀର ଦାୟରେ ମୁଣ୍ଡରେ ବସାନ୍ତି ନିଜ ପ୍ରିୟ ଲେଖକକୁ। ସେମାନେ ହୁଏତ ଲେଖକ ଲେଖୁଥିବା ସବୁ ବହି କିଣି ପାରନ୍ତି ନାହିଁ ବା ତା ପାଖରେ ପହଂଚି ପାରନ୍ତି ନାହିଁ। କିନ୍ତୁ ସେମାନେ ହେଉଛନ୍ତି ସେଇ ଗୋଷ୍ଠୀ ଯିଏ ଘରକୁ ଇସ୍ତ୍ରୀ ହୋଇ ଫେରିଥିବା କପଡା ଗୁଡା ହୋଇଥିବା ଖବରକାଗଜରେ ବି ଗପଟିଏ ଦେଖିଲେ ପଢ଼ିବାର ଲୋଭ ସମ୍ଭାଳି ପାରନ୍ତି ନାହିଁ, ଆଉ କାହାଣୀଟି ଭଲ ଲାଗିଲେ ଲେଖକକୁ ଚିଠିଟିଏ ଲେଖିବା, ଫୋନଟିଏ କରିବାରେ କାର୍ପଣ୍ୟ କରନ୍ତି ନାହିଁ। ସେମାନଙ୍କ ଭିତରେ ହିଁ ମଙ୍ଗରାଜଙ୍କ ଠାରୁ ନେଇ ସରଦେଇ ଯାଏ, ଘିନୂଆଠାରୁ ନେଇ ଗୋପାଳ ଯାଏ ଖାଲି ବଞ୍ଚନ୍ତିନି, ପିଢି ପରେ ପିଢି ସଂଚରିତ ହୋଇଥାଆନ୍ତି। ସାହିତ୍ୟ ସଂଗୋଷ୍ଠୀ ବାହାରେ, ସାହିତ୍ୟ ପୁରସ୍କାର ଓ ଉତ୍ସବର ଜାକଜମକ ଠାରୁ ଆଲୋକବର୍ଷ ଦୂରତାରେ ଥିଲେ ବି ଏହି ପାଠକମାନଙ୍କ ପରିସଂସ୍ଥାନ ହିଁ ଗପ ଓ କାହାଣୀକୁ କରେ କାଳଜୟୀ।

ଯେକୌଣସି ଭାଷାର ଗପ କାହାଣୀ ବା ସିନେମାର ଏହି ସଂଖ୍ୟାବହୁଳ ଗୋଷ୍ଠୀ ସେ ଭାଷାର ଗପ କାହାଣୀ ବା ସିନେମାଠାରୁ କେବେ ଦୁରେଇ ଯାଆନ୍ତି ଜାଣନ୍ତି? ଦୁରେଇ ଯିବା ପଛରେ ଅନେକ କାରଣ ଥାଇ ପାରେ କିନ୍ତୁ ପ୍ରମୁଖ କାରଣଟି ହେଲା ଯେତେବେଳେ ତାଙ୍କୁ ସେହି ଭାଷାର ଗପ ବା କାହାଣୀ କେବଳ ଗପ ଭଳି ଦିଶେ କିନ୍ତୁ ଗପ ଭଳି ଲାଗେନି। ହଜାର ହଜାର ପୃଷ୍ଠାର ସୁଦୃଶ୍ୟ ମୁଦ୍ରିତ କାଗଜ ବନ୍ଧେଇ ଭିତରେ ହେଉ କି ତାରକାଖଚିତ ବ୍ୟୟବହୁଳ ସିନେମା ଭିତରେ, ଯେତେବେଳେ ଏହି ସଂଖ୍ୟାବହୁଳ ଗୋଷ୍ଠୀ ସେଇ ‘ମୁଁ’କୁ ଖୋଜି ପାଏନି, ସେତେବେଳେ ସେ ବିମୁଖ ହେବା ଆରମ୍ଭ କରେ। ଆଉ ଏହି ବିମୁଖତା, ମୋହଭଙ୍ଗ ବାରମ୍ବାର ଓ ବର୍ଷ ପରେ ବର୍ଷ ନିୟମିତ ଘଟିଲେ, ତାର ସାମୁହିକ ପ୍ରଭାବ ପଡେ ସମ୍ପୃକ୍ତ ଭାଷାର ସାମଗ୍ରିକ ସାହିତ୍ୟ ଓ ସିନେମା ଉପରେ। ଗପ ଭିତରେ କାହାଣୀ ନଥିଲେ ତା ଜାଗାକୁ ପରିପାଟୀ, ଛଦ୍ମ ବୌଧିକତାର ଚତୁର ଶବ୍ଦବିନ୍ୟାସ ବା ଆଇଟମ ଗୀତ କଣ ସଠିକ ଭାବେ ପୂରଣ କରିପାରେ? ବୋଧହୁଏ ନା। ଆଉ ଯଦି ବି କରେ ତେବେ ଏହା ଏକ ସ୍ଵଳ୍ପମିଆଦି ବ୍ୟବସ୍ଥା ମାତ୍ର।

ଗପ ଭିତରୁ କାହାଣୀ ଅପସରି ଗଲେ ଆଉ ଯେଉଁ ଜିନିଷଟି ସର୍ବାଧିକ ପ୍ରଭାବିତ ହୁଏ ସେଇଟି ହେଲା ଗପ ବା ସିନେମାର ଭିଜୁଆଲ ଅପିଲ। କାହାଣୀ ନଥିଲେ ପାଠକଟି ଗପଟିକୁ ଖାଲି ପଢେ ବା ସିନେମାଟିକୁ ଖାଲି ଦେଖେ। କିନ୍ତୁ ପଢିଲା ବେଳେ ବା ଦେଖିଲା ବେଳେ ନିଜ ମନ ଭିତରେ ତାର ଏକ ସମାନ୍ତର ଦୃଶ୍ୟମାନ ପ୍ରତିକଳ୍ପ ଗଢିପାରେନା। ଯେହେତୁ ଏ ପ୍ରତିକଳ୍ପ ଗଢି ହୁଏନି, ସେଲାଗି ପାଠକ ବା ଦର୍ଶକ ଉକ୍ତ ଗପ ବା ସିନେମା ସହ ନିଜକୁ ଯୋଡି ପାରେନି ବା କନେକଟ କରି ପାରେନାହିଁ। ଯୋଡି ନହୋଇ ପାରିବାର ଏ ଅକ୍ଷମତା ଦୀର୍ଘସ୍ଥାୟୀ ହେଲେ କୌଣସି ସାହିତ୍ୟ କି ସିନେମା ବୃହତ୍ତର ପାଠକଗୋଷ୍ଠୀର ବିଶ୍ୱାସଭାଜନ ହୋଇପାରେ ନାହିଁ।

ଗପ ଭିତରେ କାହାଣୀ ନରହିଲେ ଆଉ ଗୋଟିଏ ବଡ଼ ଅସୁବିଧା ହୁଏ ଯାହା ବର୍ତ୍ତମାନର ଡିଜିଟାଲ ଯୁଗ ପାଇଁ ଅଧିକ ପ୍ରଯୁଜ୍ୟ। କାହାଣୀଟିଏ ଥିଲେ ଆପଣ ତାକୁ ଭିନ୍ନ ଭିନ୍ନ ରୂପ ଦେଇ ପାରିବେ ଓ ଏକାଧିକ ମାଧ୍ୟମରେ ତାକୁ ପ୍ରସାରିତ କରି ପାରିବେ। ଗୋଟିଏ ମାଧ୍ୟମ ଯଦି ବୃହତ୍ତର ପାଠକ ବା ଦର୍ଶକ ପାଖରେ ନପାଞ୍ଚି ପାରିଲା ତାହାଲେ ଅନ୍ୟ କୌଣସି ମାଧ୍ୟମ ବା ରୂପରେ ସେଇଟି ସେମାନଙ୍କ ପାଖରେ ପହଞ୍ଚିବ। ଉଦାହରଣସ୍ୱରୂପ, ଯଦି ପାଠକ ପାଖରେ ବହି ପଢିବା ପାଇଁ ସମୟ ଅଭାବ, ତାହାଲେ କାହାଣୀକୁ ନେଇ ଅଡିଓ ବହି କରିହେବ, ଓ ତାକୁ ପାଠକର ମୋବାଇଲ ପର୍ଯ୍ୟନ୍ତ ପହଞ୍ଚାଇ ଦେଇ ହେବ। କିନ୍ତୁ ଏପରି ସେତେବେଳେ ହିଁ ସମ୍ଭବ ହେବ, ଯେତେବେଳେ ଗପରେ କାହାଣୀ ଥିବ। ଛଦ୍ମ ବୌଧିକତା ଓ କେବଳ ଶବ୍ଦ ଚତୁର୍ଯ୍ୟରେ ଭରା ମୁଦ୍ରିତ କାଗଜ ପୃଷ୍ଠା ଗୁଡିକ ହୁଏତ କେବଳ ଗପ ବା କାହାଣୀ ପରି ଦେଖାଯିବ କିନ୍ତୁ ବିଭିନ୍ନ ରୂପରେ ବିଭିନ୍ନ ମାଧ୍ୟମରେ ବୃହତ୍ତର ଗୋଷ୍ଠୀ ପାଖେ ପହଂଚି ପାରିବ ନାହିଁ କିମ୍ବା ଡିଜିଟାଲ ଯୁଗରେ କ୍ରମକ୍ଷୟିଷ୍ଣୁ ଧ୍ୟାନ ଅବଧି(ଆଟେନସନ ସ୍ପାନ) ଆଗରେ ନିଜ ପ୍ରାସଙ୍ଗିକତା ରଖି ପାରିବ ନାହିଁ।

ଶେଷରେ ଏତିକି। ଗପରୁ କାହାଣୀ କାଢିନେଇ ବୃହତ୍ତର ପାଠକଗୋଷ୍ଠୀର ବିଭିନ୍ନ ଚାପରେ ଭାରାକ୍ରାନ୍ତ ମନକୁ ଅଧିକ ଭାରାକ୍ରାନ୍ତ କରିବାର ପାପରେ ଭାଗୀ ନହେବା ଦିଗରେ ସବୁ ସର୍ଜନଶୀଳ ସ୍ରଷ୍ଟା ପ୍ରୟାସ କରିବାର ଆବଶ୍ୟକତା ରହିଛି।

ନାଉଗାଁହାଟ, ଜଗତସିଂହପୁର

9717302205

Leave a Reply

Your email address will not be published.