(କିମାଶ୍ଚର୍ଯ୍ୟମ୍-୬)- ଖେଳକୁ କାଳ !

ବିଭିନ୍ନ ଖେଳରେ ନିୟମିତ ପଦକ ଆଣିବା ପାଇଁ, ଅନ୍ତର୍ଜାତୀୟ ସ୍ତରରେ ଏକ ଖେଳଶକ୍ତି ଭାବେ ପରିଚିତି ପାଇଁ , ଖେଳାଳି ଯେତିକି ଗୁରୁତ୍ୱପୂର୍ଣ୍ଣ, ଖେଳତନ୍ତ୍ର ତାଠାରୁ ବେଶୀ ଗୁରୁତ୍ୱପୂର୍ଣ୍ଣ


(ପରଂବ୍ରହ୍ମ ତ୍ରିପାଠୀ): ଘରେ ଦୁଇ ମୁଠା ଖାଇବାକୁ ନଥିଲା, ପାଣିଟୋପେ ପାଇଁ ଯିବାକୁ ପଡୁଥିଲା ବାର କୋଶ ବାଟ, ରୋଷେଇ ପାଇଁ ଜଙ୍ଗଲରୁ ମାଆଙ୍କ ସହ ବୋହି ଆଣୁଥିଲେ କାଠ, ଜିଲ୍ଲା ସ୍ତରର ପ୍ରତିଯୋଗିତା ଯିବା ପାଇଁ ବସ ଭଡା ଦେବାକୁ ବାପା ବିକ୍ରି କରିଦେଇଥିଲେ ଛେଳି, ଜାତୀୟ ସ୍ତର ପାଇଁ ପ୍ରସ୍ତୁତି ବେଳେ ବନ୍ଧା ପଡିଲା ଶେଷ ଚାରି ଗୁଣ୍ଠ ଜାଗା- ଅଲମ୍ପିକ, ରାଜ୍ୟଗୋଷ୍ଠୀ କିମ୍ବା ଏସିଆଡ଼ ପଦକଟିଏ ଭାରତୀୟ ଖେଳାଳି ପାଇ ସାରିଲା ପରେ ଶହଶହ କ୍ୟୁଣ୍ଟାଲ ନ୍ୟୁଜ ପ୍ରିଣ୍ଟ, ଶହଶହ ଘଣ୍ଟା ଏୟାରଟାଇମ ନିବେଶ କରାଯାଏ ଏମିତି କାହାଣୀ ସବୁ ବଖଣିବାରେ, ଏମିତି କାହାଣୀ ସବୁକୁ ଲୋକପ୍ରିୟ କରିବାରେ। କଣ ପାଇଁ କରାଯାଏ ଏସବୁ? କିଛି ତ ଗୋଟେ କାରଣ ଥିବ? ବୋଧ ହୁଏ ଏଇଥିପାଇଁ କରାଯାଉଥିବ ଯେ ସେ କାହାଣୀ ପ୍ରେରଣାଦାୟୀ! ଏ କାହାଣୀ ଗୁଡିକ ମାଧ୍ୟମରେ ବୋଧେ ଏ ଅବଧାରଣା ସୃଷ୍ଟି କରିବାର ପ୍ରୟାସ କରାଯାଏ ଯେ ସକଳ ପ୍ରତିକୂଳ ପରିବେଶ ଭିତରେ ବି ପ୍ରତିଭାଧର ନିଜ ପ୍ରତିଭା ଦେଖାଇ ପାରନ୍ତି। ଥରେ ଟିକେ ଭିତରକୁ ଯାଇ ଭାବନ୍ତୁ, ଏ କାହାଣୀ ଗୁଡିକ ବ୍ୟକ୍ତିଗତ ସ୍ତରରେ ହୁଏତ ପ୍ରେରଣାଦାୟୀ ହୋଇ ଥାଇ ପାରେ, ହେଲେ ସାମୁହିକ ଭାବେ ସାମାଜିକ ଲଜ୍ଜା ଓ ପରିତାପର ବିଷୟ ନୁହନ୍ତି କି ?

ସଫଳତା ପରେ ପ୍ରଚାର ପ୍ରସାର କରାଯାଉଥିବା ଏ କାହାଣୀ ଗୁଡିକ ଶୁଣିଲେ ଅଶୀ ନବେ ଦଶକର ବାପା ମାଙ୍କ ଏକ ତାଗିଦା ମନରେ ଆସିଯାଏ। ଘର ପାଖରେ ମାଇକ ବାଜୁଥିବ, ପିଲାଟି ଯଦି ପାଠ ନ ପଢି ଅନ୍ୟମନସ୍କ ହେଲା, ବାପା ଉପଦେଶ ଦେଇ ଗୁରୁଗମ୍ଭୀର କଣ୍ଠରେ କହୁଥିବେ ଯାହାର ପାଠ ପଢ଼ିବାର ଇଛା ଥିବ ତା ପାଖରେ ଘଣ୍ଟ ବାଜିଲେ ବି ତାର କିଛି ଅସୁବିଧା ହେବନି। ହେଲେ ଏ ଉପଦେଶ ବା ତାଗିଦାକୁ କଣ ଏମିତି ଭାବେ ଚ୍ୟାଲେଞ୍ଜ କରି ହେବନି ଯେ ଯଦି ତମେ ଜାଣିଛ ଘଣ୍ଟ ବାଜିଲେ ପାଠପଢ଼ା ବ୍ୟାଘାତ ହେବ, ତାହାଲେ ଘଣ୍ଟ ବଜାଉଛ କାହିଁକି? ପିଲାର ଯଦି ସତରେ ପରୀକ୍ଷା ନବାର ଅଛି, ତା କୌଶଳର ନିଅ, ସେ ପଢିଲା ବେଳେ ଘଂଟ ବଜେଇ ତା ଏକାଗ୍ରତାର ନୁହଁ। ଗୋଟିଏ ପଟେ ବିଶ୍ୱ ସୁପର ପାୱାର ବୋଲି ଅସ୍ଫାଳନ, ଅନ୍ୟ ପଟେ ପଦକଟିଏ ପାଇବା ପାଇଁ ପ୍ରସ୍ତୁତି ବେଳେ ମୀରାବାଇ, ମେରିକମ, ଦୀପିକା କୁମାରୀ ଭଳି ସଂଖ୍ୟାଧିକ ପ୍ରତିଭାଧରଙ୍କ ସର୍ବନିମ୍ନ ଆବଶ୍ୟକତା ପୂରଣ ପାଇଁ ମହାସଂଗ୍ରାମର ଏ ଶହଶହ କାହାଣୀ। ଏ କାହାଣୀ ସବୁ ଯେତେବେଳେ ବାଜେ, ଲାଗେନି କି ସେମାନେ ଆମ ଖେଳତନ୍ତ୍ରକୁ କାନ ମୋଡି ଠୋ ଠୋ ଚଟକଣି ମାରୁଛନ୍ତି ବୋଲି? ଖେଳତନ୍ତ୍ର ହେଉଛି ସେହି ସବୁ ନୀତି ନିୟମ ଯାହା ଗୋଟିଏ ଦେଶକୁ ବିଭିନ୍ନ କ୍ରୀଡା ପାଇଁ ପ୍ରସ୍ତୁତ କରେ। ଭିତ୍ତିଭୂମି ଠାରୁ ଆରମ୍ଭ କରି ଖେଳ ପ୍ରଶାସନ, ପ୍ରତିଭା ଚିହ୍ନଟ, ସଠିକ ଲାଳନ ପାଳନ ଠାରୁ ନେଇ ସେମାନଙ୍କର ସଠିକ ବିନିଯୋଗ, ଏ ସବୁ ମିଶିଲେ ଯାଇ ତିଆରି ହୁଏ ଖେଳତନ୍ତ୍ର।

ବିଭିନ୍ନ ଖେଳରେ ନିୟମିତ ପଦକ ଆଣିବା ପାଇଁ, ଅନ୍ତର୍ଜାତୀୟ ସ୍ତରରେ ଏକ ଖେଳଶକ୍ତି ଭାବେ ପରିଚିତି ପାଇଁ , ଖେଳାଳି ଯେତିକି ଗୁରୁତ୍ୱପୂର୍ଣ୍ଣ, ଖେଳତନ୍ତ୍ର ତାଠାରୁ ବେଶୀ ଗୁରୁତ୍ୱପୂର୍ଣ୍ଣ। ଜଣେ ଅସାମାନ୍ୟ ପ୍ରତିଭାଧର ଖେଳାଳି ହୁଏତ ଦୁଇ ତିନୋଟି ପ୍ରତିଯୋଗିତାରେ ନିଜ ବ୍ୟକ୍ତିଗତ ପ୍ରତିଭା ପ୍ରଦର୍ଶିତ କରି ଦେଶର ଜନମାନସକୁ ଆଚମ୍ବିତ କରିପାରେ। ମାତ୍ର ଖେଳତନ୍ତ୍ର ସୁଦୃଢ଼ ନହେଲା ଯାଏ ପଦକ/ ସଫଳତା ଅଦିନିଆ ଛତୁ ହୋଇ ରହିଯାଏ, ଦୋଫସଲି କି ବାରମାସୀ ହୋଇ ପାରେନା। ପଦକ ପାଇଥିବା ଖେଳାଳିକୁ ଦୁଇ ଦିନିଆ ଲାଇମଲାଇଟ ଦେଇ ଖେଳତନ୍ତ୍ରରେ ଥିବା ଦୋଷ ଦୁର୍ବଳତାକୁ ଘୋଡାଇବା ଏକ ସୁଚିନ୍ତିତ ଷଡଯନ୍ତ୍ର। ଏ ଲାଇମଲାଇଟ ସଫଳତାର ଅନେକ ‘ବାପ’ ତ ସୃଷ୍ଟି କରିପାରେ, ହେଲେ ବିଫଳତା ପାଇଁ ଦାୟୀ ଥିବା କୋଟିଏ କାରଣ ଭିତରୁ ଗୋଟିଏକୁ ବି ଖୋଜିବା କିମ୍ବା ତାର ସମାଧାନ କରିବା ଦିଗରେ ଆଦୌ ସହାୟକ ହୁଏ ନାହିଁ। ପଦକ ପାଉଥିବା ଖେଳାଳିଟିର ପାଣି ପିଇବାଠୁ ନେଇ ତା ଗାଁ ପଡ଼ୋଶୀଙ୍କ ଘରର କୋଉ ଦିଗରେ ପାଇଖାନା ଅଛି, ଏସବୁ ଜିନିଷ ଦେଖାଇବା ପାଇଁ ଯେଉଁ ଦୁଇଦିନିଆ ତତ୍ପରତା ଦେଖାଯାଏ, ତାର ଶହେ ଭାଗରୁ ଭାଗେ ତତ୍ପରତା ଯଦି ଖେଳତନ୍ତ୍ରରେ ଥିବା ଦୋଷ ଦୁର୍ବଳତା ଦେଖାଇବାରେ ନିବେଶ କରାଯାଅନ୍ତା, ତେବେ ଖେଳାଳି ଓ ଖେଳ ଉଭୟଙ୍କର ଅଶେଷ ମଙ୍ଗଳ ହୁଅନ୍ତା।

ପ୍ରେରଣାଦାୟୀ ବୋଲି କୁହାଯାଉଥିବା ଏ ସବୁ କାହାଣୀର ପ୍ରଚାର ପ୍ରସାର ପଛରେ ଆଉ ଏକ ଜଘନ୍ୟ ଷଡଯନ୍ତ୍ର ଲୁଚି ଥିଲା ଭଳି ମତେ ଲାଗେ। ସେଇଟି ହେଲା, ସକଳ ପ୍ରତିକୂଳତା ଭିତରେ ବି ପ୍ରତିଭା ଥିଲେ ସଫଳତା ମିଳିବ ଏପରି ଏକ ଦୃଢ଼ ଧାରଣା ସୃଷ୍ଟି କରି ବିଫଳତା ପାଇଁ ଖେଳତନ୍ତ୍ରକୁ ଦାୟୀ କରିବାର ଅବକାଶକୁ ମନକୁ ମନ କମାଇ ଦେବା। ସେଇଥିପାଇଁ ତ ଏ ପ୍ରେରଣାଦାୟୀ କାହାଣୀ ଗୁଡିକର କୋଳାହଳ ଭିତରେ ମୁଖର ହୋଇ ପାରେନି କାହିଁକି ଖେଳ ବଜେଟ କମିଲା, କାହିଁକି ସବୁ ସ୍କୁଲରେ ଖେଳ ପଡିଆ କି ସବୁ ବ୍ଲକରେ ମିନି ଷ୍ଟାଡିୟମ ନାହିଁ, କାହିଁକି ସାରା ଦେଶରେ ଖାଲି ପଡ଼ିଛି ଲକ୍ଷ ଲକ୍ଷ କ୍ରୀଡା ଶିକ୍ଷକ ପଦ, କାହିଁକି ସବୁ ରାଜ୍ୟରେ ଖେଳ ବିଶ୍ୱବିଦ୍ୟାଳୟ ନାହିଁ, କାହିଁକି ପ୍ରତିଭା ଚିହ୍ନଟରେ ଆମେ ଦୁର୍ବଳ, ଏମିତି ଶତାଧିକ ପ୍ରଶ୍ନ।

୨୦୧୯ ମସିହାରୁ ଦକ୍ଷିଣ କୋରିଆ ନିଜ ତୀରନ୍ଦାଜମାନଙ୍କ ପାଇଁ ଟୋକିଓ ତୀରନ୍ଦାଜ କୋର୍ଟର ଅବିକଳ ନକଲ ପ୍ରସ୍ତୁତ କରିଥିଲା ଓ ସେହିଠାରେ ପ୍ରସ୍ତୁତି ଚଳାଇଥିଲେ ସେ ଦେଶର ପ୍ରତିଯୋଗୀମାନେ। ତାର ଫଳଶ୍ରୁତି ହେଉଛି, ପ୍ରତିଯୋଗିତାରେ ଏଯାବତ ସାରିଥିବା ପାଞ୍ଚଟି ତୀରଚାଳନା ପ୍ରତିଯୋଗିତାରୁ ଚାରୋଟିରେ ସ୍ୱର୍ଣ୍ଣ ପଦକ ଦକ୍ଷିଣ କୋରିଆ ଖାତାରେ। ଦୀପିକା, ଅତନୁଙ୍କ ଭଳି ବିଶ୍ୱସ୍ତରୀୟ ପ୍ରତିଭା ଆମ ପାଖରେ ଥିଲେ ମଧ୍ୟ ଆମେ ତାର ସଦୁପଯୋଗ କରି ପାରିଲୁନି। ଏଇଠି ଛୋଟିଆ ପ୍ରଶ୍ନଟିଏ, କେଉଁ କାହାଣୀର ପ୍ରଚାର ପ୍ରସାର ବେଶୀ ଆବଶ୍ୟକ? ଆମ ଖେଳାଳି କେମିତି ପଖାଳ ପିଆଜ ଖାଇ ଅଲମ୍ପିକରେ ପହଁଚିଲେ ସେଇଟାର ନା ଦକ୍ଷିଣ କୋରିଆର ଭିତ୍ତିଭୂମି ଓ ପ୍ରଶିକ୍ଷଣର? ଦ୍ଵିତୀୟ କାହାଣୀର ପ୍ରଚାର ପ୍ରସାର ବା ସେ ସମ୍ପର୍କିତ ପ୍ରଶ୍ନ ପଚାରିବାରେ ଆମେ ଅସମର୍ଥ କାରଣ ଏଥିରେ ଖେଳତନ୍ତ୍ରକୁ ପ୍ରଶ୍ନ କରିବାକୁ ପଡିବ। ଆମେ ବ୍ୟସ୍ତ ପ୍ରଥମ କାହାଣୀ ଗଢିବାରେ ଓ ଶୁଣେଇବାରେ। ସେଥିରେ ଖେଳ କି ଖେଳାଳୀ କାହାର କେଉଁ ସ୍ୱାର୍ଥ ସାଧିତ ହେଉଛି ଭଗବାନଙ୍କୁ ଜଣା।

ଶେଷରେ ଏତିକି। ଖେଳତନ୍ତ୍ରକୁ ନ ସୁଧାରି, ସୁଦୃଢ଼ ନକରି, ‘ରାମ ଭରୋସେ’ ଥାଇ ମଧ୍ୟ ପଦକ ଜିତୁଥିବା ଖେଳାଳିଙ୍କ ସମ୍ବର୍ଦ୍ଧନା ସଭାମଞ୍ଚରେ ନିଜ ଚୌକି ସୁରକ୍ଷିତ କରିବା ବା ସେମାନଙ୍କ ପ୍ରଶଂସା ହୋର୍ଡ଼ିଂରେ ନିଜ ଫଟୋ ରଖିବା, ସବୁଠୁ ବଡ଼ ଲଜ୍ୟାହୀନ ଓ ଅରୁଚିକର କାର୍ଯ୍ୟ। ଠିକ ଯେମିତି ଚୋରି ଉପରେ ଜୁଆ ଚୋରି। କୌଣସି ବିଶ୍ୱଶକ୍ତିକୁ ଏହା ଶୋଭା ଦିଏନି।

Leave a Reply

Your email address will not be published.