ଓଡ଼ିଆ ଅସ୍ମିତାର ପ୍ରତୀକ ‘ଉତ୍କଳ ଦୀପିକା’

ଓଡ଼ିଆ ଅସ୍ମିତାର ପ୍ରତୀକ ‘ଉତ୍କଳ ଦୀପିକା’

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଅଗଷ୍ଟ ୪, ଓଡ଼ିଆ ସାମ୍ୱାଦିକତା ଦିବସ । ୧୮୬୬ ମସିହାରେ ନଅଙ୍କ ଦୁର୍ଭିକ୍ଷରେ ଯେତେବେଳେ ଆଉଟୁପାଉଟୁ ହୋଇ ସାରା ଓଡ଼ିଶା କଙ୍କାଳ ସାଜି ଯାଇଥିଲା, ସେତେବେଳେ ଜନ୍ମ ନେଇଥିଲା ଉତ୍କଳ ଦୀପିକା । ଗୌରୀଶଙ୍କର ରାୟ ଓ ବିଚିତ୍ରାନନ୍ଦ ଦାସ ଏହାକୁ ଓଡ଼ିଆ ଅସ୍ମିତାର ପ୍ରତୀକ ଭାବେ ଗଢ଼ି ତୋଳିଥିଲେ । ତେବେ ଅକ୍ଷର ଅଭାବରୁ ସତେବେଳେ ପ୍ରଥମେ ଉତ୍କଳ ଦୀପିକା ଲିଥୋ ଜରିଆରେ ପ୍ରକାଶ ପାଇଥିଲା । ମିଶନାରୀ ମାନେ ଓଡ଼ିଆ ଅକ୍ଷର ଦେବାକୁ ମନା କରିଦେବାରୁ ଏପରି ଘଟଣା ସେତେବେଳେ ଘଟିଥିଲା । ଏହାପରେ କଟକ ପ୍ରିଟିଂ ପ୍ରେସର ପ୍ରତିଷ୍ଠାତାମାନେ କଲିକତା ଯାଇ ସେଠାକାର ମାଛୁଆ ବଜାର ଗଳିରେ ଅଧର ଚନ୍ଦ୍ର କର୍ମକାରଙ୍କ ଦ୍ୱାରା ପ୍ରତିଷ୍ଠିତ ଅକ୍ଷର କାରଖାନାରେ ବରାଦ ଦେଇ ସୁନ୍ଦର ଓଡ଼ିଆ ଅକ୍ଷରମାନ ତିଆରି କରାଇ ଆଣିଥିଲେ । ଏହି ନୂଆ ଅକ୍ଷର ବ୍ୟବହାର କରି ୧୮୬୬ ଅଗଷ୍ଟ ୪ ତାରିଖରେ ଉତ୍କଳ ଦୀପିକା ଖବରକାଗଜ ପ୍ରକାଶ ପାଇଥିଲା । ଏଥିରେ ସବୁ ପ୍ରକାର ଖବର, ସମାଲୋଚନା ଓ ପର୍ଯ୍ୟାଲୋଚନା ମାନ ପ୍ରକାଶ ପାଉଥିଲା । ଇଂରେଜ ସରକାର ବିରୋଧରେ ବିପ୍ଳବାତ୍ମକ ଲେଖା ମାନ ଏଥିରେ ପ୍ରକାଶ ପାଉଥିଲା ।

ତେବେ ଏହା ପୂର୍ବରୁ ଓଡ଼ିଆ ସାମ୍ୱାଦିକତାର ଇତିହାସ ଆହୁରି ଅନେକ ରହିଛି ।  କଳିଙ୍ଗ ଯୁଦ୍ଧ ସମୟରେ ଖବର ଦିଆନିଆ ହେଉ, କି କୁଜି ବରପତ୍ର କାହାଣୀ ହେଉ ।  କୁଜି ବରପତ୍ର ଇତିହାସ ଏକ ମଜାଦାର କାହାଣୀ । ୧୭୨୦ ଖ୍ରୀଷ୍ଟାବ୍ଦ ବେଳକୁ କଟକ ଜିଲ୍ଲା ଆଠଗଡ଼ର କୁମାରପୁର ଗାଁରେ ସୁନ୍ଦର ଦାସ ନାମକ ଜଣେ ସାଧୁ ଥିଲେ । ପରେ ସେ ଜଣେ କୁଶଳୀ ଯୋଦ୍ଧା ଭାବେ ବେଶ୍ ଖ୍ୟାତି ଲାଭ କରିଥିଲେ । ଏହାପରେ ସାଧୁ ହେବା ପରେ ଚୌଦ୍ୱାର ନିକଟରେ ଏକ ବରଗଛ ମୂଳେ ସେ ରହୁଥିଲେ । ସେତେବେଳେ ମରାଠୀ ଶାସକ ତାଙ୍କର ଶିଷ୍ୟ ଥିଲେ । ପରେ ମିଶନାରୀମାନଙ୍କ ଚକ୍ରାନ୍ତରେ ତାଙ୍କୁ ଫସିବା ପରେ ସେ ଏକ ମାସ ଜେଲ ଦଣ୍ଡ ଭୋଗିଥିଲେ । ତେବେ ବରଗଛ ମୂଳେ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଆଶ୍ରମର ନାଁ କୁଜିବର ଆଶ୍ରମ ଥିଲା ଏବଂ ସେଠାରୁ ସେ ଏକ ଖବରକାଗଜ ପ୍ରକାଶ କରୁଥିଲେ, ଯାହାର ନାଁ ଥିଲା କୁଜିବର ପତ୍ରିକା । ତାଳପତ୍ରରେ ବିଭିନ୍ନ ଖବର ଲେଖି ସେ ଏହାକୁ ପ୍ରକାଶ କରୁଥିଲେ ଏବଂ ତାଙ୍କର ଶିଷ୍ୟମାନେ ନକଲ କରି ବିଭିନ୍ନ ସ୍ଥାନକୁ ପଠାଉଥିଲେ । ସେହିପରି କୁଜିବର ପାଖରେ ପଦ୍ମପୁର ଗାଁରେ ହରିତାଳି ନାମକ ଆଉ ଏକ କାଜଗ ଦେଶୀୟ ପଦ୍ଧତିରେ ତିଆରି ହେଉଥିଲା, ଏବଂ ଏହି କାଜଗକୁ କଟକର ବିଭିନ୍ନ ସ୍ଥାନକୁ ପଠାଯାଉଥିଲା । ଏଥିରୁ କେତୋଟି ସଂଖ୍ୟା ଲଣ୍ଡନ ମଧ୍ୟ ପଠାଯାଇଥିଲା ।

ତେବେ ଉତ୍କଳ ଦୀପିକା ହେଉ କି ସମ୍ୱାଦ ବାହିକା, ଦି ପ୍ରେସ ହେଉ କି ଉତ୍କଳ ଦର୍ପଣ, ସମସ୍ତଙ୍କର ଥିଲା ସ୍ୱତନ୍ତ୍ର ପରିଚୟ ।  କଟକରୁ ଉତ୍କଳ ଦୀପିକା, ବାଲେଶ୍ୱରରୁ ସମ୍ୱାଦ ବାହିକା ଓ ସମ୍ୱଲପୁରରୁ ହିତୈଶିଣୀ ସେତେବେଳେ ପ୍ରକାଶିତ ହେଉଥିଲା । ନଅଙ୍କ ଦୁର୍ଭିକ୍ଷ ଓ ଓଡ଼ିଆ ଭାଷା ବିଲୋପ ଆନ୍ଦୋଳନ ବେଳେ ଏହି ଖବରକାଗଜ ଗୁଡ଼ିକ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।

ଗୌରୀ ଶଙ୍କର ରାୟଙ୍କ ବିୟୋଗ ପରେ ନୀଳମଣି ବିଦ୍ୟାରତ୍ନ ଉତ୍କଳ ଦୀପିକାର ସଂପାଦକ ଭାବେ ଦାୟିତ୍ୱ ନେଇଥିଲେ ।  ମାତ୍ର, ୧୯୩୬ରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହେବା ପରେ ସେହି ବର୍ଷ ହିଁ ଉତ୍କଳ ଦୀପିକା ବନ୍ଦ ହୋଇଯାଇଥିଲା । ତବେ ଏହା ବନ୍ଦ ହେବାର କିଛିଦିନ ପୂର୍ବରୁ ଦୈନିକ ସମ୍ୱାଦପତ୍ର ଭାବେ ପ୍ରକାଶିତ ହୋଇଥିଲା । ଏହା ପରେ ଆଶା ଓ ନିଅ ଓଡ଼ିଶା ନାମକ ଖବରକାଗଜ ପ୍ରକାଶ ପାଇଥିଲା । ଅବଶ୍ୟ ଏହା ପୂର୍ବରୁ ୧୯୧୯ ମସିହାରେ ପଣ୍ଡିତ ଗୋପବନ୍ଧୁ ଦାସ ସାପ୍ତାହିକ ଭାବେ ସମାଜକୁ ପ୍ରକାଶ କରିଥିଲେ । ୧୯୩୦ରୁ ଏହା ଦୈନିକ ଭାବେ ପ୍ରକାଶ ପାଇଥିଲା । ଏହାପରେ ପ୍ରଜାତନ୍ତ୍ର, କଳିଙ୍ଗ (ବିଜୁ ବାବୁ ମୁଖ୍ୟମନ୍ତ୍ରୀ ଥିଲାବେଳେ), ଇଣ୍ଟର୍ଣ୍ଣ ଟାଇମ୍ସ ଭଳି ଖବରକାଗଜ ବାହାରିଥିଲା ।

ଆଜି ଅନେକ ଖବରକାଗଜ ଅଛି ।କେତେକଙ୍କର ନିଜସ୍ୱ ଆଜେଣ୍ଡା ବି ଅଛି । ଓଡ଼ିଶାରେ ଆଜି ଛୋଟ ବଡ଼ କରି ପ୍ରାୟ ତିନି ଶହରୁ ଅଧିକ ଖବରକାଗଜ ଅଛି । ସେଥିରୁ କେତେକ ସାପ୍ତାହିକ, କେତେକ ପାକ୍ଷିକ ଓ ଆଉ କେତେକ ଦୈନିକ ।  ତେଣୁ ଓଡ଼ିଆ ସାମ୍ୱାଦିକ ଦିବସରେ ବାସ୍ ଏତିକି କହିବି ଯେ, ସାମ୍ୱାଦିକତା ନାଁରେ କେହି ନିଜର ମୂଳ ଠାରୁ ଦୂରେଇ ନ ଯାଆନ୍ତୁ  । ତା ହେଲେ ଯାଇ ଓଡ଼ିଆ ସାମ୍ୱାଦିକତା ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: