ପରାଗ ଅଗ୍ରୱାଲ ହେଲେ ଟ୍ୱିଟରର ନୂଆ ସିଇଓ

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ:ଟ୍ୱିଟରର ପୂର୍ବତନ ସିଇଓ ଜ୍ୟାକ ଡୋର୍ସି ପଦବୀ ଛାଡିବା ପରେ ସୋମବାର ଭାରତୀୟ ବଂଶୋଦ୍ଭବ ପରାଗ ଅଗ୍ରୱାଲ ଟ୍ୱିଟର ସିଇଓ ନିଯୁକ୍ତ ହୋଇଛନ୍ତି। ଚିଫ୍ ଟେକ୍ନୋଲୋଜି ଅଫିସର (ସିଟିଓ) ଥିବା ପରାଗଙ୍କୁ ଟ୍ୱିଟର ଗ୍ରୁପ୍‌ର ସିଇଓ ଭାବେ ନିଯୁକ୍ତ କରାଯାଇଛି। ଜ୍ୟାକ୍‌ ଡୋର୍ସେ ସିଇଓ ପଦରୁ ଇସ୍ତଫା ଦେବା ପରେ ପରାଗଙ୍କୁ ଏହି ପଦବୀରେ ତତ୍‌କାଳ ନିଯୁକ୍ତ କରାଯାଇଛି। ଏହା ସହିତ ସେ ଟ୍ୱିଟର ବୋର୍ଡର ଜଣେ ସଦସ୍ୟ ଭାବେ ମଧ୍ୟ ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହି ଖବର ପରେ ପରାଗ ଟ୍ୱିଟ୍‌ କରି ଡୋର୍ସେ ଓ ପୂରା ଟ୍ୱିଟର ଟିମ୍‌କୁ ଧନ୍ୟବାଦ ଜଣାଇଛନ୍ତି। ନୂଆ ଦାୟିତ୍ୱକୁ ନେଇ ସେ ଖୁବ୍ ଉତ୍ସାହିତ ଅଛନ୍ତି ବୋଲି ଟ୍ୱିଟ୍‌ କରି କହିଛନ୍ତି। ସମସ୍ତେ ତାଙ୍କ ଉପରେ ବିଶ୍ୱାସ ରଖିଥିବାରୁ ଓ ସହଯୋଗର ହାତ ବଢ଼ାଇଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି। ଏହା ସହିତ ସେ ନୂଆ ଦାୟିତ୍ୱ ପାଇବା ପରେ କମ୍ପାନୀକୁ ଲେଖିଥିବା ଚିଠିକୁ ଟ୍ୱିଟର ମାଧ୍ୟମରେ ସାର୍ବଜନନୀନ କରିଛନ୍ତି। ପରାଗ ଆଇଆଇଟି ବମ୍ବେରୁ କମ୍ପ୍ୟୁଟର ସାଇନ୍ସ ଓ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିବା ପରେ ଆମେରିକା ଚାଲି ଯାଇଥିଲେ। ଏହାପରେ ସେ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ସାଇନ୍ସରେ ଡକ୍ଟରେଟ୍ ଲାଭ କରିଥିଲେ। ୨୦୧୧ରେ ସେ ଟ୍ୱିଟରରେ ଯୋଗ ଦେଇଥିଲେ। ୨୦୧୭ରୁ ସେ ଟ୍ୱିଟରର ଚିଫ୍ ଟେକ୍ନୋଲୋଜି ଅଫିସର (ସିଟିଓ) ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।୨୦୧୧ରେ ଟ୍ୱିଟରରେ ଯୋଗ ଦେବା ପୂର୍ବରୁ ସେ ମାଇକ୍ରୋସଫ୍ଟ, ଏଟି ଆଣ୍ଡ ଟି ଓ ୟାହୁରେ କାମ କରିଥିଲେ। ଏହି ସମସ୍ତ କମ୍ପାନୀରେ ତାଙ୍କ କାମ ବିଶେଷ କରି ଗବେଷଣାତ୍ମକ ଥିଲା।ଜ୍ୟାକ ପଦ ଛାଡିବା ଓ ପରାଗ ଅଗ୍ରୱାଲ ନିଯୁକ୍ତ ହେବା ପରେ ନିଜର ଏକ ଟ୍ୱିଟରେ ପରାଗଙ୍କୁ ଖୁବ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ତାଙ୍କର ପ୍ରତ୍ୟେକ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ପଛରେ ପରାଗ ଥିଲେ ଯିଏ କମ୍ପାନୀ ଉନ୍ନତିରେ ବହୁତ ସାହାଯ୍ୟ କରିଛନ୍ତି।ତେବେ କମ୍ପାନୀର ଫାଇଲିଙ୍ଗ ଅନୁସାରେ, ପରାଗ ଅଗ୍ରୱାଲଙ୍କୁ ୧ ମିଲିୟନ ଡଲାର ଅର୍ଥାତ ୭ କୋଟି ୫୦ ଲକ୍ଷ ୫୪ ହଜାର ୫୦୦ ଟଙ୍କା ବାର୍ଷିକ ପ୍ୟାକେଜ ମିଳିବ। ତାଛଡା ତାଙ୍କୁ ବୋନସ ସହ ପ୍ରତିବନ୍ଧିତ ସେୟାର ୟୁନିଟ ସମେତ ୧୨.୫ ମିଲିୟନ ଡଲାର (ପ୍ରାୟ ୯୩ କୋଟି ଟଙ୍କା) ମୂଲ୍ୟର ପ୍ରଦର୍ଶନ ଆଧାରିତ ଷ୍ଟକ ୟୁନିଟ ମଧ୍ୟ ଦିଆଯିବ।

Leave a Reply

Your email address will not be published. Required fields are marked *