ଆସିଲା ନୂଆ ଆଇନ,ଦୁଷ୍କର୍ମକାରୀଙ୍କ କରାଯିବ ବନ୍ଧ୍ୟାକରଣ!

ପ୍ରିଜମ୍ ନ୍ୟୁଜ ବ୍ୟୁରୋ:ପଡ଼ୋଶୀ ପାକିସ୍ତାନରେ ବେଳେବେଳେ ଏମିତି କେତେକ ଆଇନ କାନୁନ ଲାଗୁ ହୋଇଥାଏ ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ଏବେ ପାକିସ୍ତାନ ସଂସଦରେ ଏକ ନୂଆ ବିଲ୍‌ ପାସ୍‌ ହୋଇଛି ଯାହା ଦେଶରେ ଦୁଷ୍କର୍ମ କାମେଇ ପାରିବ ବୋଲି କୁହାଯାଉଛି। ଏହା ଦ୍ବାରା ଏକାଧିକ ଦୁଷ୍କର୍ମ ମାମଲାରେ ଦୋଷୀକୁ ରାସାୟନିକ ଉପାୟରେ ବନ୍ଧ୍ୟାକରଣ କରାଯିବାର ଦଣ୍ଡ ଦିଆଯିବ ବୋଲି ଜଣାପଡ଼ିଛି। ଦେଶ‌ରେ ନାରୀମାନଙ୍କ ବିରୋଧରେ ଯୌନ ଅପରାଧ ବୃଦ୍ଧି ପାଉଥିବା ବେଳେ ପାକିସ୍ତାନରେ ଜନ ଅସନ୍ତୋଷ ତୀବ୍ର ହୋଇଛି। ଏହା ପରେ ସରକାର ଚାପରେ ପଡ଼ି ଏହି ବିଲ୍‌ ପାସ୍‌ କରିଥିବା କୁହାଯାଉଛି। ଗତ ବୁଧବାର ପାକିସ୍ତାନ ସଂସଦର ମିଳିତ ଅଧିବେଶନରେ ଦୁଷ୍କର୍ମ ନିରୋଧୀ ଆଇନ ସହ ୩୩ ଟି ଅନ୍ୟ ବିଲ୍‌ ପାସ୍‌ ହୋଇଛି। ଏହି ବିଲକୁ ପାକିସ୍ତାନର କିଛି ସାଂସଦ ବିରୋଧ ମଧ୍ୟ କରିଛନ୍ତି। ଜମାତ-ଏ-ମୁସଲିମ୍‌ ସାଂସଦ ମୁସ୍ତାଫ ଅହମଦ ବିଲକୁ ବିରୋଧ କରିବା ସହ ଏହାକୁ ଅଣ-ଇସ୍ଲାମିକ୍‌ ଏବଂ ଶରିୟା ବିରୋଧୀ ବୋଲି କହିଛନ୍ତି। ଦୁଷ୍କର୍ମକାରୀକୁ ସର୍ବାସଧାରଣରେ ଫାଶୀ ଦେଇ ହେବ କିନ୍ତୁ ବନ୍ଧ୍ୟାକରଣ ନେଇ ଶରିୟାରେ ଉଲ୍ଲେଖ ନାହିଁ ବୋଲି ସେ କହିଛନ୍ତି।ତେବେ ପାକିସ୍ତାନ ପୂର୍ବରୁ ଦକ୍ଷିଣ କୋରିଆ, ଚେକ୍‌ ଗଣରାଜ୍ୟ ଏବଂ ଆମେରିକାର କିଛି ରାଜ୍ୟରେ ରାସାୟନିକ ବନ୍ଧ୍ୟାକରଣ ଆଇନ୍‌ ରହିଛି। କିନ୍ତୁ ସେପଟେ ପାକିସ୍ତାନରେ କେବଳ ୪ ପ୍ରତିଶତ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଦଣ୍ଡ ମିଳୁଛି ବୋଲି ଲୋକେ ଅଭିଯୋଗ କରିଛନ୍ତି। ଏହି ଆଇନକୁ ପାକିସ୍ତାନରେ ବେଶ ପ୍ରଶଂସା କରାଯାଉଥିବା ବେଳେ କାର୍ଯ୍ୟକାରୀକୁ ନେଇ ପ୍ରଶ୍ନ ଉଠୁଛି।

Leave a Reply

Your email address will not be published. Required fields are marked *