ଭବିଷ୍ୟତ ଏଠି ଲକଡାଉନ୍, ସ୍କୁଲ ଭୁଲି ଗଲେଣି ପିଲା- EXCLUSIVE

ଭବିଷ୍ୟତ ଏଠି ଲକଡାଉନ୍, ସ୍କୁଲ ଭୁଲି ଗଲେଣି ପିଲା- EXCLUSIVE

ପ୍ରିଜମ୍ ନ୍ୟୁଜ(EXCLUSIVE): ରାଜ୍ୟ ସରକାର ଘୋଷଣା କରିଛନ୍ତି ଯେ, ଡିସେମ୍ୱର ୩୧ ଯାଏ ସ୍କୁଲ ଖୋଲିବ ନାହିଁ। କୋରୋନାର ଦ୍ୱିତୀୟ ଲହର ଆଶଙ୍କାରେ ସରକାର ସ୍କୁଲ ନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଆନ୍ଧ୍ର ପ୍ରଦେଶରେ ସ୍କୁଲ ଖୋଲିବା ପରେ ସଂକ୍ରମଣ ବଢ଼ିଥିଲା। ତେଣୁ, ଓଡ଼ିଶା ସରକାର ଜମାରୁ ରିସ୍କ ନ ନେଇ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ, ଏହା କ’ଣ ପ୍ରକୃତ ସମସ୍ୟାର ସମାଧାନ ? ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ ନେଇ ସରକାର କେତେ ଚିନ୍ତିତ ତାହା ଏଭଳି ନିଷ୍ପତ୍ତିରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି। ଅନଲାଇନ୍ କ୍ଲାସକୁ ପ୍ରାଥମିକତା ଦେଇଛନ୍ତି ସରକାର। କିନ୍ତୁ, ରାଜ୍ୟରେ କ’ଣ ଅନଲାଇନ୍ କ୍ଲାସ ସଫଳ ହୋଇଛି ?

ରାଜ୍ୟର ଏକାଧିକ ସ୍ଥାନରେ ଆଜି ବି ଠିକ୍ ଭାବେ ମୋବାଇଲ ନେଟୱର୍କ କାମ କରୁନି। ସେହିପରି ଗ୍ରାମ ଗୁଡ଼ିକର ପାଖାପାଖି ୪୦ ପ୍ରତିଶତ ଲୋକଙ୍କ ଘରେ ଭଲ ସ୍ମାର୍ଟ ଫୋନ୍ ନାହିଁ। ଯେଉଁଥିରେ ସେମାନେ ଭଲ କରି ହ୍ୱାଟସଆପ, ଭିଡିଓ କଲ୍ ଏବଂ ଅନ୍ୟାନ୍ୟ ଅତ୍ୟାଧୁନିକ ଆପ୍ଲିକେସନ୍ ଇନଷ୍ଟଲ କରିପାରିବେ। ଇନଷ୍ଟଲ କରିବା ତ ଦୂରର କଥା, ଗାଁର ଅର୍ଦ୍ଧାଧିକ ଲୋକ ଭଲ ସ୍ମାର୍ଟଫୋନର ବ୍ୟବହାର ଜାଣା ନାହାନ୍ତି। ସର୍ବୋପରି ଘରେ ଆଣ୍ଡ୍ରଏଡ୍ ମୋବାଇଲ ନ ଥିବା ପିଲା ଅନଲାଇନ କ୍ଲାସ୍ କେମିତି କରିବ ? ସରକାର ପିଲାଙ୍କ ପାଇଁ କାହିଁକି ଆଣ୍ଡ୍ରଏଡ୍ ଫୋନ୍ ବ୍ୟବସ୍ଥା କରି ନାହାନ୍ତି ! ଏହାସହ ସେମାନଙ୍କୁ ଉଚିତ୍ ତାଲିମ ମଧ୍ୟ ଦିଆଯାଇ ନାହିଁ। ଆଉ ଏହି କ୍ଷେତ୍ରରେ ଅନଲାଇନ୍ କ୍ଲାସ୍ ସଫଳ କେମିତି ହେବ ? ପିଲା ପାଠ ନ ପଢ଼ିଲେ କେମିତି ଆଗକୁ ବଢ଼ିବ ? କୋରୋନା ମହାମାରୀ ଯୋଗୁ ୬ ମାସରୁ ଅଧିକ ସମୟ ଲକଡାଉନ୍ ଯୋଗୁ ସ୍କୁଲ ବନ୍ଦ ରହିଥିଲା। ଏହାରି ଭିତରେ ପିଲାଙ୍କ ସିଲାବସ୍ ବି କମାଇ ଦିଆଗଲା। ସ୍କୁଲ ଯଦି ବନ୍ଦ ରୁହେ, ପିଲା ସିଲାବସ୍ ପଢ଼ିବେ କେମିତି ? ୨୦୨୦ ବର୍ଷସାରା ବିନା ସ୍କୁଲରେ ସମୟ ବିତିଗଲା। ଏବେ ଯେଉଁ ଆଶା ଟିକକ ବଞ୍ଚିଥିଲା, ତାହା ଦ୍ୱିତୀୟ ଲହର ଆଳରେ ମଉଳିଗଲା।

କେରୋନା କଟକଣା ଭିତରେ ପିଲାଙ୍କୁ ସ୍କୁଲ ଡାକିଲେ ଅସୁବିଧା କେଉଁଠି ? ସେହିପରି ସରକାର ଚାହିଁଲେ ଅଳ୍ପ ପିଲାରେ ରୋଷ୍ଟର ସିଷ୍ଟମ କରି ମଧ୍ୟ ସ୍କୁଲ ଖୋଲି ପାରନ୍ତେ ବୋଲି କେତେକ ଶିକ୍ଷାବିତ୍ ମତ ଦେଇଛନ୍ତି। କେତେକ ଅଭିଭାବକ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଥିବାବେଳେ କେତେକ ନାପସନ୍ଦ କରିଛନ୍ତି। କଟକ ଜଗତପୁର ଅଞ୍ଚଳର ଜଣେ ଅଭିଭାବକ କହିଛନ୍ତି, ଆମ ଝିଅ ଘରେ ପାଠ ପଢ଼ୁନାହିଁ। ଅନଲାଇନ୍ କ୍ଲାସ୍ କରିବାକୁ ମୋବାଇଲ ଦେଲେ, ଭିଡିଓ ଗେମରେ ବ୍ୟସ୍ତ ରହୁଛି। ତେଣୁ, ନା ତାକୁ ମୋବାଇଲ ଦେଇ ହେଉଛି, ନା ଅନଲାଇନ୍ କ୍ଲାସ କରି ହେଉଛି !

ସେହିପରି ମାଲକାନଗିରି ବିଚ୍ଛିନ୍ନାଞ୍ଚଳର କାର୍ତ୍ତିକ ମାଡକାମୀଙ୍କ କହିବାନୁସାରେ, ତାଙ୍କ ପାଖରେ ସ୍ମାର୍ଟଫୋନ୍ ନାହିଁ। ଦିଦି ଆଗରୁ ଦିନେ ଅଧେ ଆସୁଥିଲେ, କିନ୍ତୁ ଏବେ ଆଉ କେହି ଆସୁନାହାନ୍ତି। ଗାଁରେ ମୋବାଇଲ ନେଟୱାର୍କ ମଧ୍ୟ ନାହିଁ। ତେଣୁ, ପିଲା ଘରେ ଅଛି। କୋରୋନା ସରିଲେ ଦେଖାଯିବ। ସ୍କୁଲ ଖୋଲିଲେ ପିଲା ପଢ଼ିବ।
ପ୍ରିଜମ୍ ନ୍ୟୁଜ ଟିମ୍ ତରଫରୁ ରାଜ୍ୟର କେତେକ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ମଧ୍ୟ ଯୋଗାଯୋଗ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ସହରାଞ୍ଚଳରେ ରହୁଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଅନଲାଇନ୍ କ୍ଲାସରେ କୌଣସି ପ୍ରକାର ଅସୁବିଧା ହେଉ ନ ଥିବାବେଳେ ଗ୍ରାମାଞ୍ଚଳର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଅନଲାଇନଲ୍ କ୍ଲାସ୍ ହିଁ କରୁନାହାନ୍ତି। ସେମାନଙ୍କୁ କାରଣ ପଚାରିବାରୁ ଜଣେ କହିଥିଲେ, ଆଜ୍ଞା ଅନଲାଇନ୍ କ୍ଲାସ୍ କରିବାକୁ ଗାଁକୁ ଫୋନ୍ କଲେ କିଏ ମୋବାଇଲ ନେଇ ହାଟକୁ ଯାଇଛି ତ ଆଉ କିଏ ଚାଷ କାର୍ଯ୍ୟ କରିବାକୁ ବିଲ ଯାଇଛି। ଏହି ପରିପ୍ରେକ୍ଷୀରେ ଅନଲାଇନ୍ କ୍ଲାସ୍ କେମିତି କରିବୁ ? ସରକାର ଯାହା ତାଲିମ ଦେଉଛନ୍ତି କିମ୍ୱା ଯେ କୌଣସି କାର୍ଯ୍ୟ କରିବାକୁ କହୁଛନ୍ତି, ତାହା କରୁଛୁ।

ଏହା ହିଁ ହେଉଛି ଆମ ରାଜ୍ୟର ଶିକ୍ଷାର ବାସ୍ତବ ସ୍ଥିତି। ସରକାର ଏସି ଘରେ ରହି ଗ୍ରାଉଣ୍ଡ ସ୍ଥିତି ସମୀକ୍ଷା କରୁଛନ୍ତି। ପିଲାଙ୍କ ଭବିଷ୍ୟତକୁ ମଧ୍ୟ ଲକଡାଉନ୍ ଓ ଶଟଡାଉନର କଟକଣା ଭିତରେ ବାନ୍ଧି ରଖିଛନ୍ତି। ତେଣୁ, ଏଠାରେ ପ୍ରଶ୍ନ ଉଠୁଛି ଯେ, ପିଲାଙ୍କ ଭବିଷ୍ୟତ ଗଢ଼ାହେବ କେମିତି ?

%d bloggers like this: