ଦେଶର ୯୦% ପିଲାଙ୍କ ପସନ୍ଦ ଅନଲାଇନ୍ କ୍ଲାସ୍, ୨୦୨୧ ସୁଦ୍ଧା ଯୋଡ଼ି ହୋଇପାରନ୍ତି ୯୬ ଲକ୍ଷ ଛାତ୍ରଛାତ୍ରୀ

ଦେଶର ୯୦% ପିଲାଙ୍କ ପସନ୍ଦ ଅନଲାଇନ୍ କ୍ଲାସ୍, ୨୦୨୧ ସୁଦ୍ଧା ଯୋଡ଼ି ହୋଇପାରନ୍ତି ୯୬ ଲକ୍ଷ ଛାତ୍ରଛାତ୍ରୀ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କୋରୋନା ପାଇଁ ସାରା ସଂସାର ପ୍ରଭାବିତ ହୋଇଥିବାବେଳେ ଦେଶରେ ୭୫ ହଜାର କୋଟି ଟଙ୍କାର କୋଚିଂ କାରବାରେ ମଧ୍ୟ ବଡ଼ ଧରଣର କ୍ଷତି ଘଟିଛି। ଦୀର୍ଘ ୫ମାସର କ୍ଷତି ସହିବା ପରେ ଦେଶରେ ଏବେ ଅନଲାଇନ୍ କ୍ଲାସ୍ ଆରମ୍ଭ ହୋଇଛି। କେତେକ ନାମୀଦାମୀ କୋଚିଂ ସେଣ୍ଟର ଅନଲାଇନ୍ କ୍ଲାସ୍ ଆରମ୍ଭ କରିଛନ୍ତି। ତେବେ ଏକ ସର୍ଭେରୁ ଜଣାପଡ଼ିଛି ଯେ, ସାରାଦେଶର ୯୦ ପ୍ରତିଶତ ପିଲା କ୍ଲାସରୁମରେ ବସି ପଢ଼ିବା ଅପେକ୍ଷା ଅନଲାଇନ୍ କ୍ଲାସକୁ ଅଧିକ ପସନ୍ଦ କରିଛନ୍ତି।

ଦେଶରେ କୋଚିଂର କ’ଣ ରହିଛି କାରବାର ?
ସାରାଦେଶରେ ସବୁଠୁ ଅଧିକ କୋଚିଂ ସେଣ୍ଟର କୋଟାରେ ଅଛି। ୨୦୧୩ ମସିହାରେ ଉଦ୍ୟୋଗ-ବ୍ୟାପାର ସଂଗଠନ ଆସୋଚେମ୍ ନିଜର ଏକ ରିପୋର୍ଟରେ ଅନୁମାନ କରିଥିଲା ଯେ, ୨୦୧୭ ସୁଦ୍ଧା ଦେଶରେ କୋଚିଂ ଉଦ୍ୟୋଗ ବୃଦ୍ଧି ପାଇ ୫.୨ ଲକ୍ଷରେ ପହଞ୍ଚିବ। ସେହିପରି ଅସଂଗଠିତ କ୍ଷେତ୍ର ଯୋଗୁ ଏହି କାରବାରର ସଠିକ୍ ଆକଳନ କରିବା ଅସମ୍ଭବ। ମାତ୍ର, ୨୦୧୪ରେ ନ୍ୟାସନାଲ ସେମ୍ପଲ ସର୍ଭେ ସଂଗଠନ ନିଜ ରିପୋର୍ଟରେ କହିଥିଲା ଯେ, ଦେଶରେ ୭.୧୦ କୋଟି ଛାତ୍ର କୋଚିଂ କିମ୍ୱା ଘରୋଇ ଟ୍ୟୁସନ୍ ପଢ଼ିଥାନ୍ତି। ବର୍ତ୍ତମାନ ସେହି ପିଲାମାନେ ଧୀରେଧୀରେ ଅନଲାଇନ୍ କୋଚିଂମୁଖେ ଅଗ୍ରସର ହେଉଛନ୍ତି ଏବଂ ଅନଲାଇନରେ ପାଠ ପଢ଼ିବା ପାଇଁ ମନ ବଳାଉଛନ୍ତି।
କାହିଁକି ଅନଲାଇନ୍ କ୍ଲାସର ଚାହିଦା ବଢ଼ୁଛି ?
ସାଧାରଣ ବିଦ୍ୟାଳୟରେ ନିମ୍ନ ମାନର ପାଠପଢ଼ା ତଥା ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଶିକ୍ଷାଦାନ ଶୈଳୀକୁ ପସନ୍ଦ ନ କରି ପିଲାମାନେ କୋଚିଂ ସେଣ୍ଟର ଏବଂ ଅନଲାଇନ କ୍ଲାସ ପ୍ରତି ମନ ବଳାଉଛନ୍ତି। ଜଣେ ସରକାରୀ ସ୍କୁଲରେ ପଢ଼ୁଥିବା ଛାତ୍ର ନିଜ ନାମ ଗୋପନ ରଖି କହିଛନ୍ତି, ସ୍କୁଲରେ ଠିକ୍ ସେ ପାଠପଢ଼ା ହେଉନି। ସେଥିପାଇଁ କୋଚିଂରେ ସାର୍ ମାନଙ୍କଠାରୁ ଆଉ ଥରେ ପଢ଼ିବାକୁ ପଡ଼ୁଛି। ସ୍କୁଲରେ ପଢ଼ା ଯାଉଥିବା ପାଠକୁ ଆଉଥରେ କୋଚିଂରେ ଯାଇ ପଢ଼ିବାକୁ ପଡ଼ୁଛି।


କୋରୋନା ପରେ କ’ଣ ବଦଳିଛି ?
ଦିଲ୍ଲୀ, ଆହ୍ଲାବାଦ, କୋଟା ଭଳି ବଡ଼ବଡ଼ ସହରରେ କୋରୋନା ପାଇଁ ଛାତ୍ରଛାତ୍ରୀମାନେ ନିଜ ଘରକୁ ଫେରି ଯାଇଛନ୍ତି। ଫଳରେ ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକ ବଡ଼ ଧରଣକ କ୍ଷତି ସହିଛନ୍ତି। ଏବେ ଅନଲାଇନ୍ କ୍ଲାସ୍ ଆରମ୍ଭ ହେବାପରେ ଧୀରେଧୀରେ ସେମାନେ ନିଜର କାରବାର ସ୍ୱାଭାବିକ ସ୍ଥିତିକୁ ଫେରାଇ ଆଣିବାରେ ସକ୍ଷମ ହେଉଛନ୍ତି।
ଅନଲାଇନ୍ କୋଚିଂର କ’ଣ ରହିଛି ଫାଇଦା ?
ଏଥିଯୋଗୁ ପିଲାମାନେ ଘରେବସି ସୁବିଧାରେ ପାଠ ପଢ଼ି ପାରୁଛନ୍ତି। ସେହିପରି କୋଚିଂ ସେଣ୍ଟର ଗୁଡ଼ିକ କିସ୍ତି ଜରିଆରେ ପିଲାଙ୍କଠାରୁ ଫି’ ନେଉଛନ୍ତି। କେପିଏମଜିର ଏକ ସଦ୍ୟ ରିପୋର୍ଟ ଆଧାରରେ, ୨୦୧୬ରେ ଅନଲାଇନ କ୍ଲାସ କରୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ପାଖାପାଖି ୧୬ ଲକ୍ଷ ଥିଲା। ମାତ୍ର, ୨୦୨୧ ସୁଦ୍ଧା ଏହା ୯୬ ଲକ୍ଷକୁ ବୃଦ୍ଧି ପାଇବାର ଅନୁମାନ କରାଯାଉଛି।
କ’ଣ କହୁଛନ୍ତି ଶିକ୍ଷାବିତ୍ ?
ଭୁବନେଶ୍ୱରର ଜଣେ ଶିକ୍ଷାବିତଙ୍କ କହିବାନୁସାରେ, ଅନଲାଇନ୍ କ୍ଲାସ ଦ୍ୱାରା ପିଲାଙ୍କୁ ପଢ଼ିବାରେ ସହଜ ହେଉଛି। କୋରୋନା ପାଇଁ ପ୍ରଥମେ କୋଚିଂ ସେଣ୍ଟରଗୁଡ଼ିକୁ ଅନେକ କ୍ଷତି ସହିବାକୁ ପଡ଼ିଥିଲା। କିନ୍ତୁ, ଏବେ ଅନଲକ୍ ହୋଇଯିବା ପରେ ସେମାନେ ଡିଜିଟାଲ ଶିକ୍ଷାଦାନ କରିବା ଆରମ୍ଭ କରିଛନ୍ତି। ଏହାଯୋଗୁ ଛାତ୍ରଛାତ୍ରୀମାନେ ଘରେ ବସି ଅତି ସହଜରେ ପାଠ ପଢ଼ିବାର ଫାଇଦା ଉଠାଉଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: