ବୟସ୍କଙ୍କୁ ରିଟର୍ଣ୍ଣ ରିହାତି ଭେଳିକି

ପ୍ରିଜମ୍ ନ୍ୟୁଜ(କମଳାକାନ୍ତ ପତି): ଆଗାମୀ ବର୍ଷ ଦେଶ ପାଳିବାକୁ ଯାଉଛି ସ୍ୱାଧୀନତାର ୭୫ ବର୍ଷ। ଏଥିପାଇଁ କେନ୍ଦ୍ର ସରକାର ଆରମ୍ଭ କରୁଛନ୍ତି ଅମୃତ ଯୋଜନା। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ମାସ ପହିଲାରେ ସଂସଦରେ ଉପସ୍ଥାପିତ କରିଥିବା ୨୦୨୧-୨୨ ସାଧାରଣ ବଜେଟରେ ୭୫ ବର୍ଷରୁ ଊର୍ଦ୍ଧ୍ଵ ପେନ୍ସନଧାରୀ ବ୍ୟକ୍ତିଙ୍କ ପାଇଁ ଆୟକର ରିଟର୍ଣ୍ଣ ଦାଖଲକୁ ରିହାତି ଦେଇଛନ୍ତି। ଆୟକର ସ୍ଲାବ ଅପରିବର୍ତ୍ତିତ ରଖାଯାଇଥିଲେ ମଧ୍ଯ ବୟସ୍କ ନାଗରିକଙ୍କୁ ରିଟର୍ଣ୍ଣ ଫାଇଲରୁ ମୁକ୍ତ କରି ସେମାନଙ୍କୁ ଖୁସି କରାଯାଇଛି।

ସାଧାରଣତଃ ଅବସର ଗ୍ରହଣ ପରେ ବ୍ୟକ୍ତି ପେନସନ ଓ ବିଭିନ୍ନ ଜମା ଉପରୁ ମିଳୁଥିବା ସୁଧ ଉପରେ ନିର୍ଭର କରି ଗୁଜରାଣ ମେଣ୍ଟାଇ ଥାନ୍ତି। କେହିକେହି ବ୍ୟବସାୟ କିମ୍ବା ଘର ଭଡ଼ା ସୂତ୍ରରୁ ମିଳୁଥିବା ଅର୍ଥ ନିର୍ଭର ମଧ୍ଯ ହୋଇଥାନ୍ତି। ଏଥିପାଇଁ ସେମାନଙ୍କୁ ପ୍ରତିବର୍ଷ ଆୟକର ରିଟର୍ଣ୍ଣ ଦାଖଲ କରି ଆୟ ବିବରଣୀ ଦର୍ଶାଇବାକୁ ପଡୁଛି। ଅର୍ଥମନ୍ତ୍ରୀ ଏଥର ୭୫ ବର୍ଷ କିମ୍ବା ତା’ଠୁ ଅଧିକ ବୟସର ବ୍ୟକ୍ତିଙ୍କୁ ରିଟର୍ଣ୍ଣ ଦାଖଲ ବାଧ୍ୟବାଧକତାରୁ ମୁକ୍ତ କରିଛନ୍ତି। ସେ ଦର୍ଶାଇଛନ୍ତି ଯେ, ବ୍ୟାଙ୍କ କିମ୍ବା ଡାକଘର ହିସାବ କରି ଟିକସ କାଟିନେଲେ ସେମାନଙ୍କୁ ସୁବିଧା ହେବ। ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, ବ୍ୟକ୍ତି ୭୫ ବର୍ଷ କିମ୍ବା ଅଧିକ ହୋଇଥିଲେ ମଧ୍ଯ ପେନସନ ବାଦ୍ ଅନ୍ୟ ଆୟରୁ ଟିକସ ରିହାତି ପାଇବେ ନାହିଁ। କେବଳ ଆଶ୍ୱାସନା ଯେ, ତାଙ୍କୁ ରିଟର୍ଣ୍ଣ ଭରିବା ଜଂଜାଳର ସାମ୍ନା କରିବାକୁ ପଡ଼ିବ ନାହିଁ। ପ୍ରଶ୍ନ ଉଠୁଛି, କେତେ ପ୍ରତିଶତ ପ୍ରବୀଣ ପେନ୍ସନଧାରୀ ନିର୍ମଳାଙ୍କର ଏହି ନୂଆ ବ୍ୟବସ୍ଥାରୁ ଉପକୃତ ହେବେ ? ଆୟକର ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ପ୍ରବୀଣମାନଙ୍କ ପାଇଁ ଅର୍ଥମନ୍ତ୍ରୀ ଏହି ଯେଉଁ ପ୍ରସ୍ତାବ ତାଙ୍କ ବଜେଟରେ ରଖିଛନ୍ତି ସେଥିରୁ ଖୁବ କମ ଫାଇଦା ପାଇବେ। ସବୁଠାରୁ ବଡ଼ କଥା ହେଉଛି, ସବୁ ବ୍ୟାଙ୍କରୁ ଏହି ସୁବିଧା ମିଳିବ ନାହିଁ ବୋଲି ବଜେଟ ସଂଲଗ୍ନ ବ୍ୟାଖ୍ୟାରେ ସ୍ପଷ୍ଟ କରି ଦିଆଯାଇଛି। ଫଳରେ ବଜେଟରେ ବ୍ୟବସ୍ଥାଟି ରଖି ଲାଭ କ’ଣ ହେଲା, ତାହାକୁ ନେଇ ପ୍ରଶ୍ନ ଉଠୁଛି। ବଜେଟରେ ଥିବା ପ୍ରସ୍ତାବକୁ ନେଇ ଅନେକଙ୍କ ମନରେ ଦ୍ୱନ୍ଦ୍ୱ ରହିଛି। କେନ୍ଦ୍ରର ପ୍ରସ୍ତାବ ଅନୁଯାୟୀ କେବଳ ପେନସନଭୋଗୀ ଏହି ବ୍ୟବସ୍ଥାର ସୁଯୋଗ ନେଇ ପାରିବେ। ସେମାନଙ୍କର ସୁଧରୁ ଆୟ ଥାଇପାରେ। ତେବେ ପେନସନ ଓ ସୁଧ ସେ ଗୋଟିଏ ବ୍ୟାଙ୍କରୁ ନେଉଥିବା ଦରକାର। ଯଦି ସମ୍ପୃକ୍ତ ବ୍ୟକ୍ତି ଘର ଭଡା କିମ୍ବା ଅନ୍ୟ ସୂତ୍ରରୁ ଆୟ କରୁଥାନ୍ତି ତେବେ ସେ ଏହି ବ୍ୟବସ୍ଥାର ସୁଯୋଗ ନେଇ ପାରବେ ନାହିଁ। ଏହା ଫଳରେ ବେଶିଭାଗ ପ୍ରବୀଣ ବ୍ୟକ୍ତି ରିହାତିର ଲାଭ ପାଇବେ ନାହିଁ ବୋଲି ଆୟକର ବିଶେଷଜ୍ଞଙ୍କ ମତ। ଅନ୍ୟ ଏକ ପ୍ରସଙ୍ଗ ହେଉଛି ପ୍ରବୀଣ ନାଗରିକଙ୍କର ବାର୍ଷିକ ମୋଟ ଆୟ ଯଦି ତିନି ଲକ୍ଷ ଟଙ୍କା ( ଟିକସଶୂନ୍ୟ ଆୟ )ରୁ ବେଶୀ ତେବେ ଆୟକର ରିଟର୍ଣ୍ଣ ଦାଖଲ ବାଧ୍ୟତାମୂଳକ। ନୂଆ ବ୍ୟବସ୍ଥା ଅନୁସାରେ ଏଵେ ଗୋଟିଏ ବ୍ୟାଙ୍କରୁ ଯଦି ଜଣେ ପ୍ରବୀଣ ନାଗରିକ ପେନସନ ଓ ସୁଧରୁ ଆୟକୁ ମିଶାଇ ୩ ଲକ୍ଷ ଟଙ୍କାରୁ ଅଧିକ ଆୟ କରୁଥାନ୍ତି, ତେବେ ସେ ଚାହିଁଲେ ରିଟର୍ଣ୍ଣ ଦାଖଲ ନ କରି ଚୁପଚାପ ବସି ପାରନ୍ତି। ତାଙ୍କର ଆୟ ଯଦି ଟିକସ ଯୋଗ୍ୟ ହେଉଥାଏ ତେବେ ବ୍ୟାଙ୍କ ତାଙ୍କ ଆୟରୁ ଟିକସ ଅଂଶଟି କାଟିନେବ। କୌଣସି ପେନ୍ସନଧାରୀ ପ୍ରବୀଣ ବ୍ୟକ୍ତି ଅନ୍ୟ କୌଣସି ବ୍ୟାଙ୍କ କିମ୍ବା ଡାକଘରରୁ ସୁଧରୁ ଆୟ କରୁଥିଲେ ତେବେ ସେ ରିଟର୍ନ ଦାଖଲରୁ ମୁକ୍ତ ନୁହନ୍ତି। ଦେଖିବାର କଥା ହେଉଛି ଗୋଟିଏ ବ୍ୟାଙ୍କ କିମ୍ବା ଡାକ ଘରୁ ପେନସନ ଓ ଯାବତୀୟ ଜମାରୁ ସୁଧ ଉଠାଉ ଥିବା ପ୍ରବୀଣ ନାଗରିକ କେତେଜଣ। ଚାକିରିରୁ ଅବସର ନେବା ପରେ ଅନେକ ବ୍ୟକ୍ତି ଦୈନଦିନ ଚଳଣି ପାଇଁ ସାଧାରଣତଃ ବିଭିନ୍ନ ବ୍ୟାଙ୍କ ଓ ଡାକ ଘରେ ନିଜର କଷ୍ଟାର୍ଜିତ ଅର୍ଥ ଜମା ରଖି ମାସିକିଆ କିମ୍ବା ବାର୍ଷିକ ସୁଧ ଉଠାଇ ଥା’ନ୍ତି। ସରକାର କହିଛନ୍ତି ଯେ, ସବୁ ବ୍ୟାଙ୍କରୁ ଏହି ସୁବିଧା ମିଳିବ ନାହିଁ। ନିର୍ଦ୍ଦିଷ୍ଟ କେଉଁ ବ୍ୟାଙ୍କରୁ ଏହି ସୁବିଧା ମିଳିବ ସରକାର ତାହା ପାରେ ଜଣାଇଦେବେ। ଆଉ ଏକ ପ୍ରସଙ୍ଗ ହେଉଛି, ଏହି ବ୍ୟବସ୍ଥା ଫଳରେ ବ୍ୟାଙ୍କଗୁଡ଼ିକ ଉପରେ କାର୍ଯ୍ୟର ବୋଝ ବଢ଼ିବା କଥାଟିକୁ ଅସ୍ବୀକାର କରାଯାଇପାରିବ ନାହିଁ। ପ୍ରବୀଣ ଜମାକାରୀଙ୍କ ଟିକସ କାଟିବା ଦାୟିତ୍ୱ ବ୍ୟାଙ୍କ ଉପରେ ନ୍ୟସ୍ତ ରହିବ। ସୁତରାଂ ବ୍ୟାଙ୍କ କର୍ମଚାରୀଙ୍କ କାର୍ଯ୍ୟଭାର ବଢ଼ିବ। ସଂଶ୍ଲିଷ୍ଟ ମହଲର ଅନେକଙ୍କ ମତ, ସରକାର ପ୍ରବୀଣ ନାଗରିକଙ୍କୁ ଟିକସ ବ୍ୟବସ୍ଥାରୁ ମୁକ୍ତ ରଖି ଥିଲେ ଝିନଝଟ ନଥାନ୍ତା। ଏହା କରିବା ପରିବର୍ତ୍ତେ ସରକାର ବଜେଟରେ ପ୍ରବୀଣ ନାଗରିକଙ୍କ ପାଇଁ ରିଟର୍ନ ଫାଇଲ ରିହାତି ବିଷୟ ଘୋଷଣା କରି ଅଧିକ ଅଡୁଆ ସୃଷ୍ଟି କରିଛନ୍ତି ବୋଲି ତଥ୍ୟାଭିଜ୍ଞ ମହଲର ମତ ପ୍ରକାଶ ପାଇଛି। ଏହାକୁ ଅର୍ଥମନ୍ତ୍ରୀଙ୍କ ବଜେଟ ଭେଳିକି ବୋଲି ମଧ୍ଯ କେତେକ କହିଲେଣି।

%d bloggers like this: