ଓଡ଼ିଶାକୁ ରେଳବାଇ ପାଇଁ ବ୍ୟୟବରାଦ: କେନ୍ଦ୍ରର ଅନୁକମ୍ପା ନୁହେଁ

ପ୍ରିଜମ୍ ନ୍ୟୁଜ(କମଳାକାନ୍ତ ପତି): ସୋମବାର ସଂସଦରେ ଉପସ୍ଥାପିତ ସାଧାରଣ ବଜେଟ ୨୦୨୧-୨୨ରେ ଓଡ଼ିଶାକୁ ରେଳବାଇର ବିକାଶ ପାଇଁ କେତେ ଅର୍ଥ ବରାଦ କରାଯାଇଛି ତାହା ବଡ଼ କଥା ନୁହେଁ, କିନ୍ତୁ ଏହି ଅର୍ଥ କେନ୍ଦ୍ରର ଅନୁକମ୍ପା କିମ୍ବା କେନ୍ଦ୍ରର ବଦାନ୍ୟତା ନୁହେଁ। ବରାଦ ଅର୍ଥକୁ ନେଇ ବାହାସ୍ଫୋଟ ମାରୁଥିବା ଏବଂ ନରେନ୍ଦ୍ର ମୋଦିଙ୍କ ଶାସନ କାଳରେ ଏହି ରାଜ୍ୟକୁ ଅଧିକ ଅନୁଦାନ ମିଳିଛି ବୋଲି ଉଚ୍ଚ ସ୍ୱରରେ ଦାବି କରୁଥିବା ବିଜେପି ନେତା, ମନ୍ତ୍ରୀ ଓ ମୁଖପାତ୍ରମାନେ ମନେରଖିବା ଉଚିତ୍ ଯେ, ରେଳ କ୍ଷେତ୍ରକୁ ମିଳୁଥିବା ଅନୁଦାନର କାହିଁ କେତେଗୁଣ ଅଧିକ ଅର୍ଥ, ଏହି ରେଳବାଇ ଓଡ଼ିଶାରୁ ରାଜସ୍ବ ଆକାରରେ ସଂଗ୍ରହ କରି ନେଉଛି। ସେହି ତୁଳନାରେ ରାଜ୍ୟକୁ ଦେଉଛି କ’ଣ ? ଅନେକ ରେଳ ପ୍ରକଳ୍ପ ଅଧାଗଢ଼ା ହୋଇ ପଡ଼ିରହିଛି, ଅର୍ଥ ଅଭାବରୁ କାମ ଆଗେଇ ପାରୁନାହିଁ। ପୂର୍ବରୁ କେତୋଟି ନୂଆ ପ୍ରକଳ୍ପ ଘୋଷଣା ହୋଇଥିଲେ ମଧ୍ଯ ଅର୍ଥ ବରାଦ ହେଉ ନଥିବାରୁ କାମ ଆରମ୍ଭ ହୋଇ ପାରୁନାହିଁ। ରାଜ୍ୟ ସରକାରଙ୍କ ପକ୍ଷରୁ ଅଭିଯୋଗ ହେଲେ ବିଭିନ୍ନ ଆଳ ଦେଖାଇ ଦୋଷ ଲଦି ଦେଉଛି କେନ୍ଦ୍ର। ପ୍ରଶ୍ନ ଉଠୁଛି, ଅଧିକ ରାଜସ୍ବ ଦେଉଥିବା ରାଜ୍ୟକୁ କ’ଣ ଏପରି ଅବହେଳା ଠିକ ହେଉଛି କି ? କେନ୍ଦ୍ରର ଏଭଳି ନୀତି ସାମଗ୍ରିକ ଭାବେ ଅର୍ଥନୀତିର ନିୟମ ଉଲ୍ଲଙ୍ଘନ କରୁ ନାହିଁ କି ? ନା ଏହା ପଛରେ ରାଜନୈତିକ ଅସୂୟା ଭାବ କାର୍ଯ୍ୟ କରୁଛି ? ଏହାର ଉତ୍ତର ଦେବ କିଏ ?

ଓଡ଼ିଶାରେ ରେଳ ସାନ୍ଧ୍ରତା ୧୫.୦ ପ୍ରତିଶତ। ଜାତୀୟସ୍ତରରେ ଏହା ୧୯.୦ ପ୍ରତିଶତ ରହିଛି। ତଥାପି ଏବେ ମଧ୍ଯ ଓଡ଼ିଶାର ଅନେକ ଜିଲ୍ଲା ରେଳ ମାନଚିତ୍ରରେ ସ୍ଥାନ ପାଇନାହିଁ। ଯେହେତୁ ଏହି ରାଜ୍ୟ ରେଳବାଇକୁ ବାର୍ଷିକ ପ୍ରାୟ ୨୦ ହଜାର କୋଟି ରାଜସ୍ବ ଦେଉଛି, ତେଣୁ ରେଳବାଇ ଓଡ଼ିଶା ପ୍ରତି ଅଧିକ ଧ୍ୟାନ ଦେବା ଉଚିତ୍ ବୋଲି କେବଳ ରାଜନୈତିକ ମହଲରେ ନୁହେଁ ସାଧାରଣରେ ମଧ୍ଯ ଦାବି ହେଉଛି। ମାତ୍ର ପୂର୍ବର କଂଗ୍ରେସ ସରକାର ଠାରୁ ଆରମ୍ଭ କରି ବର୍ତ୍ତମାନର ବିଜେପି ନେତୃତ୍ୱାଧୀନ ସରକାର ପର୍ଯ୍ୟନ୍ତ କେହି କର୍ଣ୍ଣପାତ କରୁଥିବା ଭଳି ମନେ ହେଉ ନାହିଁ। ରାଜ୍ୟ ସରକାର ପ୍ରତିବର୍ଷ ରାଜ୍ୟର ରେଳ ବିକାଶ ପାଇଁ ଯେଉଁ ପରିମାଣର ଅର୍ଥ ଦାବି କରୁଛନ୍ତି ତାହା ପୂରଣ ହେଉନାହିଁ। ରାଜ୍ୟ ସରକାର ୨୦୨୧-୨୨ ଆର୍ଥିକ ବର୍ଷ ସକାଶେ ରେଳବିକାଶ ପାଇଁ ୭ ହଜାର ୨ଶହ କୋଟି ଟଙ୍କା ଦାବି କରିଥିଲେ। ଏଥିରେ ୩ ହଜାର ୫ଶହ କୋଟି ପୁରୁଣା ପ୍ରକଳ୍ପ ସକାଶେ ଓ ୩ ହଜାର ୭ଶହ କୋଟି ନୂଆ ପ୍ରକଳ୍ପ ପାଇଁ ଦାବି କରାଯାଇଥିଲା। ଏହି ଦାବି କ୍ରମେ କେନ୍ଦ୍ର ସରକାର ସାଧାରଣ ବଜେଟରେ ରାଜ୍ୟ ପାଇଁ କେତେ ବ୍ୟୟ ବରାଦ କରିଛନ୍ତି ତାର ଚିତ୍ର ସ୍ପଷ୍ଟ ନୁହେଁ। ବଜେଟ୍ ଉପସ୍ଥାପିତ ହେବା ପରେ ରେଳ ମନ୍ତ୍ରୀ ପିୟୁଷ ଗୋଏଲ ଟ୍ୱିଟ୍ କରି ଓଡ଼ିଶାକୁ ୫ ହଜାର ୫୨୮ କୋଟି ବ୍ୟୟବରାଦ ହୋଇଛି ବୋଲି ଜଣାଇଥିଲେ। ଗୁରୁବାର ପୂର୍ବତଟ ରେଳବାଇ ପକ୍ଷରୁ ପ୍ରେସ ବିଜ୍ଞପ୍ତିରେ ଭିନ୍ନ ସଂଖ୍ୟା ଦର୍ଶାଯାଇଛି। ପୂର୍ବତଟ ରେଳବାଇ ଦର୍ଶାଇଛି ଯେ, ଏଥର ଓଡ଼ିଶାକୁ ରେଳ ବିକାଶ ପାଇଁ ୬ ହଜାର ୯୯୫.୫୯ କୋଟି ବରାଦ କରାଯାଇଛି।

ମନ୍ତ୍ରୀଙ୍କ ଟ୍ୱିଟ୍ ଏବଂ ପୂର୍ବତଟ ରେଳବାଇ ବିଜ୍ଞପ୍ତିରେ ପ୍ରଦର୍ଶିତ ଭିନ୍ନ ସଂଖ୍ୟା ସାଧାରଣରେ ବିଭ୍ରାନ୍ତି ସୃଷ୍ଟି କରୁଛି। ପ୍ରଶ୍ନ ଉଠୁଛି, ଏହା ଭିତରୁ କିଏ ଠିକ, ମନ୍ତ୍ରୀ ନା ମନ୍ତ୍ରାଳୟ ? ମନ୍ତ୍ରୀ ଗୋଏଲ ତାଙ୍କ ଟ୍ୱିଟରେ ଉଲ୍ଲେଖ କରିଥିଲେ ଯେ, ଓଡ଼ିଶାକୁ ପୂର୍ବ ବର୍ଷ ତୁଳନାରେ ୬୦ ପ୍ରତଶତ ଅଧିକ ଅନୁଦାନ ମିଳିଛି। କହି ରଖାଯାଇ ପାରେ ଯେ, କେନ୍ଦ୍ର ସରକାର ୨୦୧୯-୨୦ ଆର୍ଥିକ ବର୍ଷରେ ଓଡ଼ିଶାକୁ ୫ ହଜାର ୯୯୩ କୋଟି ଟଙ୍କା ମଞ୍ଜୁର କରିଥିଲେ। ୨୦୨୦-୨୧ ବର୍ଷରେ ଏହା ୨୭% ହ୍ରାସ କରାଯାଇ ୪ ହଜାର ୩୭୩ କୋଟି ଟଙ୍କା ଅନୁଦାନ ପ୍ରଦାନ କରାଯାଇଥିଲା। ଏଥର ସରକାର ୭ ହଜାର ୨ଶହ କୋଟି ଟଙ୍କା ମାଗିଥିଲେ ମଧ୍ଯ କେନ୍ଦ୍ର କେତେ ଦେଇଛି ତାହାକୁ ନେଇ ବିଭ୍ରାନ୍ତି କଟୁ ନାହିଁ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, କେନ୍ଦ୍ର ସରକାର ଏଥର ଓଡ଼ିଶାକୁ କୌଣସି ନୂଆ ରେଳ ପ୍ରକଳ୍ପ ମଞ୍ଜୁର କରିନାହାନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀ-କୋଣାର୍କ, ବରଗଡ଼-ନୂଆପଡ଼ା, ଯାଜପୁର-ଆରଡ଼ି-ଧାମରା ଭଳି କେତୋଟି ନୂଆ ପ୍ରକଳ୍ପ ପାଇଁ ଦାବି ପତ୍ର ଦେଇଥିଲେ। ମାତ୍ର କେନ୍ଦ୍ର କୌଣସି ଗୋଟିଏ ନୂଆ ପ୍ରକଳ୍ପକୁ ଅନୁମୋଦନ ନ କରିବା ରାଜ୍ୟ ସରକାରଙ୍କୁ ନିରାଶ କରିଛି। କିନ୍ତୁ ରାଜ୍ୟ ବିଜେପିର ମୁଖପାତ୍ର, କେନ୍ଦ୍ର ମନ୍ତ୍ରୀ ଓଡ଼ିଶାକୁ ପୂର୍ବାପେକ୍ଷା ଅଧିକ ରେଳ ଅନୁଦାନ ମୋଦି ଦେଇଛନ୍ତି କହି ଆନନ୍ଦିତ ହେଉଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଖଣି ଖାଦାନ ଭରା ଓଡ଼ିଶାରେ ତିନିଟି ରେଳବାଇ ରହିଛି। ତନ୍ମଧ୍ଯରୁ ପୂର୍ବତଟ ରେଳବାଇ ୭୫ ପ୍ରତିଶତ ଅଞ୍ଚଳରେ ରହିଥିବା ବେଳେ ଦକ୍ଷିଣ-ପୂର୍ବ ରେଳପଥ ୨୦ ପ୍ରତିଶତ ଏବଂ ଦକ୍ଷିଣ -କେନ୍ଦ୍ରୀୟ ରେଳପଥ ୫ ପ୍ରତିଶତ ଅଞ୍ଚଳରେ ରହିଛି। ଖଣିଜ ପରିବହନରୁ ରେଳବାଇ ଓଡ଼ିଶାରୁ ସର୍ବାଧିକ ରାଜସ୍ବ ନେଉଛି। ସେହି ତୁଳନାରେ ଓଡ଼ିଶାକୁ ଦେଉଛି କ’ଣ ? ତାହାକୁ ନେଇ ବିଜେପି ନେତାମାନେ ରାଜନୀତି କରିବାକୁ ଏତେ ଆଗଭର କାହିଁକି ? କେନ୍ଦ୍ରରେ ଯେଉଁ ସରକାର ରହିବ, ଓଡ଼ିଶାକୁ ତାର ହକ୍ ଦେବାକୁ ବାଧ୍ୟ ହେବ। ଏହା ରାଜ୍ୟ ପ୍ରତି କେନ୍ଦ୍ରର ଅନୁକମ୍ପା କିମ୍ବା ବଦାନ୍ୟତା ନୁହେଁ। ରାଜ୍ୟ ପରିବହନ ମନ୍ତ୍ରୀଙ୍କ କହିବାନୁସାରେ, ରେଳ ଅନୁଦାନ ନେଇ ରେଳ ମନ୍ତ୍ରୀ ଟ୍ୱିଟ୍ କରି ବିଭ୍ରାନ୍ତି ବଢ଼ାଇଛନ୍ତି। ଏହା ସତ୍ୟ ଉପରେ ଆଧାରିତ ନୁହେଁ। ରେଳ ମନ୍ତ୍ରୀ ଟ୍ୱିଟରେ ଦର୍ଶାଇଥିଲେ ଯେ, କେନ୍ଦ୍ର ସରକାର ୨୦୦୯-୧୪ ତୁଳନାରେ ୨୦୨୧-୨୨ରେ ୫୬୦% ଅଧିକ ଅର୍ଥ ଆବଣ୍ଟିତ କରିଛନ୍ତି। ଏହାକୁ ମନ୍ତ୍ରୀଙ୍କ ହିସାବ ଭେଳିକି ବୋଲି କୁହାଗଲାଣି। କେନ୍ଦ୍ର ଯଦି ବାର୍ଷିକ ପ୍ରାୟ ୨୦ ହଜାର କୋଟି ରେଳ ରାଜସ୍ବ ଓଡ଼ିଶାରୁ ସଂଗ୍ରହ କରୁଛନ୍ତି, ତେବେ ଏହି ରାଜ୍ୟରେ ସେଥିରୁ ଅଧା ରେଳ ବିକାଶରେ ଖର୍ଚ୍ଚ କରାଯାଉନାହିଁ କାହିଁକି ? ରାଜ୍ୟ ସରକାର ମଧ୍ଯ ସେହି ଅନୁଯାୟୀ ଦାବି ଉପସ୍ଥାପନ କରୁ ନାହାନ୍ତି କାହିଁକି ? ରାଜ୍ୟର ମନ୍ତ୍ରୀ କହୁଛନ୍ତି, କେନ୍ଦ୍ର ସରକାର ବଜେଟରେ ଓଡ଼ିଶାର ରେଳ ବିକାଶ ପାଇଁ ୪ ହଜାର ୫ଶହ କୋଟି ଟଙ୍କା ଅନୁଦାନ ଦେଇଛନ୍ତି। ଯଦି ରାଜ୍ୟ ମନ୍ତ୍ରୀଙ୍କ କଥାକୁ ଗ୍ରହଣ କରାଯାଏ ତେବେ କେନ୍ଦ୍ର ରେଳ ମନ୍ତ୍ରୀ ଓ ରେଳ ମନ୍ତ୍ରଣାଳୟ ଅନୁଦାନ ଅର୍ଥକୁ ଏତେ ବଢ଼େଇ ବିଭ୍ରାନ୍ତି ସୃଷ୍ଟି କରିବା ପଛରେ କାରଣ କ’ଣ ? ଜନସାଧାରଣ କାହା କଥାକୁ ବିଶ୍ୱାସକୁ ନେବେ, ଦେବା ଲୋକର ନା ପାଇବା ପକ୍ଷର ?

%d bloggers like this: