ପିପିଲି ଉପନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ ଦାଖଲ, ବିଜେଡି ପ୍ରାର୍ଥୀଙ୍କ ଉପରେ ନଜର

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ପିପିଲି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ବିଜ୍ଞପ୍ତି ଅନୁଯାୟୀ ଆଜିଠାରୁ ନାମାଙ୍କନ ଦାଖଲ କରିପାରିବେ ପ୍ରାର୍ଥୀ। ମାର୍ଚ୍ଚ ୩୦ ତାରିଖ ନାମାଙ୍କନପାତ୍ର ଦାଖଲ କରିବାର ଶେଷ ତାରିଖ ରହିଛି। ସେହିପରି ମାର୍ଚ୍ଚ ୩୧ ତାରିଖରେ ନାମାଙ୍କନପତ୍ରଗୁଡ଼ିକର ଯାଞ୍ଚ ହେବ ବୋଲି ଜଣା ପଡ଼ିଛି । ସେହିପରି ଏପ୍ରିଲ ୩ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ଧାର୍ଯ୍ୟ ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାସହ ଏପ୍ରିଲ ୧୭ରେ ପିପିଲିରେ ଉପନିର୍ବାଚନ ହେବା ନେଇ ପୂର୍ବରୁ ତାରିଖ ଘୋଷଣା ହୋଇସାରିଛି।

ସେଦିନ ସକାଳ ୭ ଟାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ଏହି ଉପନିର୍ବାଚନକୁ ନେଇ ରାଜ୍ୟର ୩ ପ୍ରମୁଖ ଦଳ ପ୍ରସ୍ତୁତି ଆରମ୍ଭ କରିଦେଛନ୍ତି। ତେବେ ସମସ୍ତଙ୍କ ଆଖି ବିଜେଡି ପ୍ରାର୍ଥୀଙ୍କ ଉପରେ ରହିଛି। କାରଣ ଏଠାରେ ବିଜେଡିର ପ୍ରାର୍ଥୀ ଭାବେ ଅନେକ ନାମ ଚର୍ଚ୍ଚାରେ ରହିଛି। ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପରିବାରରୁ କେହି ପ୍ରାର୍ଥୀ ହେବା ନେଇ କୁହାଯାଉଥିବା ବେଳେ କେହି କେହି ପୂର୍ବତନ ପୋଲିସ ଅଧିକାରୀ ଅରୂପ ପଟ୍ଟନାୟକଙ୍କୁ ଏଠାରେ ପୁଣି ଥରେ ଦଳ ପକ୍ଷରୁ ସୁଯୋଗ ମିଳିବ ବୋଲି କୁହାଯାଉଛି।

ତେବେ ଯାହା ବିଜେଡି ସୁପ୍ରିମୋଙ୍କ ଘୋଷଣାକୁ ଅପେକ୍ଷା। ଅନ୍ୟପକ୍ଷରେ କଂଗ୍ରେସ ଚୂଡାନ୍ତ ପ୍ରାର୍ଥୀଙ୍କ ନାଁ ଏଆଇସିସିର ମୋହର ମାରିବାକୁ ଦିଲ୍ଲୀ ପଠାଇ ସାରିଛି । ସେହିପରି ବିଜେପିର ପ୍ରାର୍ଥୀ ଚୂଡାନ୍ତ ପାଇଁ କୋର କମିଟି ବୈଠକ ବସିଥିବାର ସୂଚନା ମିଳିଛି। ତେବେ ଏଠାରେ ସୂଚନା ଥାଉକି ଗତ କିଛି ମାସ ହେଲା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଉପନିର୍ବାଚନ କରାଯାଉଛି l

%d bloggers like this: