ଟ୍ୱିନସିଟିକୁ ‘ଫିଜିବିଲିଟି’ ଝଟକା, ମେଟ୍ରୋ ସ୍ୱପ୍ନରେ ‘ପପୁଲେସନ୍’ ବ୍ରେକ୍

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଦିଲ୍ଲୀ-ମୁମ୍ବାଇ ଭଳି ଠିକ୍ କଟକ-ଭୁବନେଶ୍ୱରରେ ଦୌଡ଼ିଥାନ୍ତା ମେଟ୍ରୋ ଟ୍ରେନ୍। ବିକାଶର ଆଉ ଏକ ବିଶାଳ ମାଇଲଖୁଣ୍ଟ ଛୁଇଁଥାଆନ୍ତା ଉତ୍କଳ ପ୍ରଦେଶ। ୨୦୧୪ରେ ଯେବେ ମେଟ୍ରୋ ସେବା ନେଇ ସର୍ଭେ ଆରମ୍ଭ ହେଲା, ସେବେ ଟ୍ୱିନସିଟିବାସୀ ସ୍ୱପ୍ନରେ ସ୍ୱପ୍ନରେ ଆରମ୍ଭ କରିସାରିଥିଲେ ତାଙ୍କ ମେଟ୍ରୋ ଯାତ୍ରା।କିନ୍ତୁ ସ୍ୱପ୍ନର ସେ ମେଟ୍ରୋ ଟ୍ରେନ୍ ଷ୍ଟେସନରେ ଲାଗିବା ଆଗରୁ ବିଧାନସଭାରେ ଅଟକିଯାଇଛି। ମେଟ୍ରୋ ସ୍ୱପ୍ନରେ କଷି ହୋଇଯାଇଛି ‘ପପୁଲେସନ୍’ ବ୍ରେକ୍। ବିଧାନସଭା ପ୍ରଶ୍ନକାଳରେ ମେଟ୍ରୋ ଟ୍ରେନକୁ ନେଇ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ପ୍ରଶ୍ନର ଉତ୍ତରରେ, ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।

ଟ୍ୱିନସିଟିରେ ମେଟ୍ରୋ ଚଳାଚଳ ଲାଗି ରାଜ୍ୟ ସରକାରଙ୍କ କୌଣସି ପ୍ରସ୍ତାବ ନାହିଁ। ୨୦୧୪ରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏକ ସର୍ଭେ ହୋଇଥିଲା, ଯାହାର ଟେଣ୍ଡର ବାଲାଜୀ ରେଲ୍ ଆଣ୍ଡ ରୋଡ ବର୍ଷାଲି କମ୍ପାନୀକୁ ମିଳିଥିଲା। ସର୍ଭେ ପାଇଁ କେନ୍ଦ୍ର ୧୨ ଲକ୍ଷ ୬୧ ହଜାର ଟଙ୍କା ଦେଇଥିବା ବେଳେ ରାଜ୍ୟ ସରକାର ଖର୍ଚ୍ଚ କରିଛନ୍ତି ୫୨ ଲକ୍ଷ। କିନ୍ତୁ ସେହି ସର୍ଭେରୁ ସ୍ପଷ୍ଟ ହୋଇଛି, ଆସନ୍ତା ୨୦୪୧ ମଧ୍ୟରେ ଟ୍ୱିନ ସିଟିରେ ମେଟ୍ରୋ ଟ୍ରେନ୍ ଗଡ଼ିବା ଅସମ୍ଭବ। କାରଣ ଜନସଂଖ୍ୟା ଆଧାରରେ ହୋଇଥିବା ସର୍ଭେରେ ଫିଜିବିଲିଟି ନ ଥିବା କହିଛନ୍ତି ମନ୍ତ୍ରୀ। ସେପଟେ ମନ୍ତ୍ରୀଙ୍କ ଉତ୍ତରକୁ କାଉଣ୍ଟର କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ମେଟ୍ରୋ ସ୍ୱପ୍ନ ବିଧାନସଭାରେ ଚୁରମାର ହେଉଥିବା ଦେଖି ସଦସ୍ୟମାନେ ପୁଣିଥରେ ସର୍ଭେ ଦାବି କରିଛନ୍ତି। ତେଣୁ ଏଥର କେବଳ ଟ୍ୱିନ ସିଟିକୁ ନେଇ ନୁହେଁ, କଟକରୁ ଚଣ୍ଡିଖୋଲ ଓ ଭୁବନେଶ୍ୱରରୁ ପୁରୀ ପର୍ଯ୍ୟନ୍ତ ମେଟ୍ରୋ ପ୍ରସ୍ତାବକୁ ସମ୍ପ୍ରସାରଣ କରି କେନ୍ଦ୍ର ଆଗରେ ସାନି ପ୍ରସ୍ତାବ ରଖାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଅନ୍ୟପଟେ ବର୍ତ୍ତମାନର ବର୍ଦ୍ଧିତ ଜନସଂଖ୍ୟା ଅନୁଯାୟୀ ସର୍ଭେ ହେଉ ବୋଲି ଉଭୟ ବିରୋଧୀ ଓ ଶାସକ ସଦସ୍ୟ ଦାବି କରିଛନ୍ତି।

%d bloggers like this: