ଟିକା ପାଇଁ ଓଡ଼ିଶା କରିବ ଗ୍ଲୋବାଲ ଟେଣ୍ଡର

ଟିକା ପାଇଁ ଓଡ଼ିଶା କରିବ ଗ୍ଲୋବାଲ ଟେଣ୍ଡର

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଟିକା ପାଇଁ ଓଡ଼ିଶା ସରକାର ଆହ୍ବାନ କରିବେ ଗ୍ଲୋବାଲ ଟେଣ୍ଡର। ଏନେଇ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ରାଜ୍ୟ କ୍ୟାବିନେଟରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ, ଟିକା ଯେପରି ରାଜ୍ୟର ଲୋକେ ସୁବିଧାରେ ପାଇପାରିବେ, ସେଥିପାଇଁ ବିଶ୍ବର ବିଭିନ୍ନ କମ୍ପାନୀରୁ ଟିକା ସଂଗ୍ରହ ପାଇଁ ପଦକ୍ଷେପ ନିଆଯିବ। ଏଣିକି ବିଦେଶୀ କମ୍ପାନୀଙ୍କଠାରୁ ସରକାର ଟିକା କିଣିବା ନେଇ ନିଷ୍ପତ୍ତି ହୋଇଛି ।
ସେହିପରି ଟିକା ଉପରୁ ସମସ୍ତ ପ୍ରକାର ଟିକସ ଉଠାଇବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି । ଏହା ଫଳରେ ରାଜ୍ୟ ଅର୍ଥନୀତି ଉପରେ କମ୍ ଚାପ ପଡ଼ିବ ଏବଂ ସାର୍ବଜନୀନ ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମରେ ଏହା ବିଶେଷ ସହାୟକ ହେବ । କୋଭିଡ୍ ବିରୁଦ୍ଧରେ ଚାଲିଥିବା ଲଢ଼େଇରେ ରାଜ୍ୟ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ଯଥା- ଟେଷ୍ଟିଂ, ଟ୍ରାକିଂ, ଟିକାକରଣ ଓ ଲକଡାଉନ୍ ଆଦିରେ ରାଜ୍ୟବାସୀଙ୍କ ସହଯୋଗ କରିଥିବାରୁ କ୍ୟାବିନେଟ୍ କୃତଜ୍ଞତା ଜଣାଇଛି । ଭବିଷ୍ୟତରେ କୋଭିଡ୍ ସଂକ୍ରମଣରୁ ରାଜ୍ୟବାସୀଙ୍କୁ ସୁରକ୍ଷା ଦେବା ପାଇଁ ଟିକାକରଣ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୋଲି କ୍ୟାବିନେଟ ଅନୁଭବ କରିଛନ୍ତି ।

ଇସ୍ରାଏଲ ପରି ଦେଶ ଯେଉଁମାନେ ଏବେ ନିଜ ଜନସଂଖ୍ୟାର ବୃହତ୍ ଭାଗକୁ ଟିକାକରଣ କରିସାରିଛନ୍ତି, ସେମାନେ ଏବେ ସ୍ୱାଭାବିକତା ଆଡ଼କୁ ଫେରୁଛନ୍ତି । ତେଣୁ ରୋଗର ଜଟିଳତା ହ୍ରାସ କରି ରୋଗୀର ଜୀବନ ରକ୍ଷା ଦିଗରେ ଟିକାକରଣ ବହୁତ ଫଳପ୍ରଦ ହେଉଥିବା ଜଣାପଡ଼ିଛି। ବିପଦପୂର୍ଣ୍ଣ କାର୍ଯ୍ୟ ପରିବେଶ ସତ୍ତ୍ୱେ ଆଗଧାଡ଼ି କର୍ମଚାରୀ ତଥା ସ୍ୱାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀମାନେ କୋଭିଡ୍ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ସେମାନଙ୍କର ସମ୍ପୂର୍ଣ୍ଣ ଟିକାକରଣ ହୋଇଛି ।

କୋଭିଡ୍ ବିରୁଦ୍ଧରେ ଚାଲିଥିବା ଏହି ଲଢ଼େଇ ବହୁତ ଲମ୍ବା ଲଢ଼େଇ । ତେଣୁ କେନ୍ଦ୍ର ସରକାର ବିଭିନ୍ନ ସେସ୍ ଓ ସରଚାର୍ଜ ମାଧ୍ୟମରେ ଆଦାୟ କରୁଥିବା ଅତିରିକ୍ତ ସମ୍ବଳକୁ ରାଜ୍ୟମାନଙ୍କ ମଧ୍ୟରେ ଉପଯୁକ୍ତ ବଣ୍ଟନ କରିବାର ଆବଶ୍ୟକତା ରହିଛି । ଏହି ଜଟିଳ ପରିସ୍ଥିତିରେ କୋଭିଡ଼ ଲଢ଼େଇ ରେ ରାଜ୍ୟ ମାନଙ୍କ ଅର୍ଥିକ ସ୍ଥିତିକୁ ମଜବୁତ କରିବାରେ ଏହା ଶକ୍ତି ଯୋଗାଇବ । ସେହିପରି ମାସ୍କ ପିନ୍ଧିବା, ବାରମ୍ବାର ସାବୁନରେ ଭଲ ଭାବେ ହାତ ଧୋଇବା, ସାମାଜିକ ଦୂରତା ରକ୍ଷା କରିବା, ଘରେ ରହିବା ଏବଂ ଆବଶ୍ୟକତା ନ ଥିଲେ ବାହାରକୁ ନ ଯିବା ଆଦିକୁ କଡ଼ାକଡ଼ି ଭାବରେ ପାଳନ କରିବା ଉପରେ ଗୁରୁତ୍ବ ଦିଆଯାଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: