ପଞ୍ଚାୟତ ନିର୍ବାଚନ ପାଇଁ ସଙ୍କେତ, ରାଜ୍ୟ ସରକାରଙ୍କୁ କମିସନଙ୍କ ଚିଠି

ପଞ୍ଚାୟତ ନିର୍ବାଚନ ପାଇଁ ସଙ୍କେତ, ରାଜ୍ୟ ସରକାରଙ୍କୁ କମିସନଙ୍କ ଚିଠି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ୨୦୨୨ ଫେବ୍ରୁଆରୀରେ ପଞ୍ଚାୟତ ନିର୍ବାଚନ ହେବ। ଏଥିପାଇଁ ସରକାରୀ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ରାଜ୍ୟ ନିର୍ବାଚନ କମିସନ ଇତିମଧ୍ୟରେ ରାଜ୍ୟ ସରକାରଙ୍କୁ ଚିଠି ଲେଖି ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବା ଲାଗି କହିସାରିଲେଣି। ପଞ୍ଚାୟତ ସୀମା ପୁନଃ ନିର୍ଦ୍ଧାରଣ ଓ ସଂରକ୍ଷଣ ସଂକ୍ରାନ୍ତରେ ଆବଶ୍ୟକ ପଦକ୍ଷେପ ପ୍ରକ୍ରିୟା ସାରିବାକୁ ନିର୍ବାଚନ କମିସନ ରାଜ୍ୟ ସରକାରଙ୍କୁ ଜଣାଇଛନ୍ତି। କମିସନଙ୍କ ଏହି ଚିଠି ପରେ ରାଜ୍ୟ ରାଜନୀତିରେ ପଞ୍ଚାୟତ ନିର୍ବାଚନକୁ ନେଇ ତାତି ଧୀରେ ଧୀରେ ଏବେ ବଢ଼ିବ। କିନ୍ତୁ ୨୦୨୨ ଫେବ୍ରୁଆରୀରେ ପଞ୍ଚାୟତଗୁଡ଼ିକର କାର୍ଯ୍ୟକାଳ ଶେଷ ହେବାକୁ ଥିବା ବେଳେ ୬ ମାସ ପୂର୍ବରୁ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ବ୍ୟବସ୍ଥା ନ ସାରିଲେ ନିର୍ବାଚନ ହେବା ଅସମ୍ଭବ। ତେଣୁ ବହୁ ପୂର୍ବରୁ ଏହି କାର୍ଯ୍ୟ ସାରିବା ପାଇଁ ଗତ ଜାନୁଆରୀ, ଫେବ୍ରୁଆରୀ ଏବଂ ମାର୍ଚ୍ଚ ମାସରେ ମଧ୍ୟ ରାଜ୍ୟ ସରକାରଙ୍କୁ ନିର୍ବାଚନ ଆୟୋଗ ଚିଠି ଲେଖିଛନ୍ତି। ହେଲେ ସୁପ୍ରିମକୋର୍ଟଙ୍କ ୫୦ ପ୍ରତିଶତ ସଂରକ୍ଷଣ ଛାଟରେ ଲାଖିଛନ୍ତି ରାଜ୍ୟ ସରକାର। ସର୍ବାଧିକ ୬୫ ପ୍ରତିଶତ ସଂରକ୍ଷଣ କରି ଅଡୁଆରେ ଥିବା ରାଜ୍ୟ ସରକାର କିଭଳି ଏହାକୁ ତୁଟାଇବେ ଆଉ ପଞ୍ଚାୟତ ନିର୍ବାଚନ କରିବେ ତାହାକୁ ନେଇ ଚିନ୍ତା। ସେପଟେ ରାଜ୍ୟ ସରକାର ଗଣତନ୍ତ୍ରର ହତ୍ୟା କରୁଛନ୍ତି ବୋଲି କହିଛନ୍ତି ବିରୋଧୀ। ମ୍ୟୁନିସିପାଲିଟି ନିର୍ବାଚନ ଭଳି ପଞ୍ଚାୟତ ନିର୍ବାଚନ ମଧ୍ୟ କରିବା ଉଦ୍ଦେଶ୍ୟରେ ନାହାନ୍ତି ରାଜ୍ୟ ସରକାର ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ରାଜ୍ୟ ସରକାର ଯେଉଁ ବଜେଟ୍ ଉପସ୍ଥାପନ କରିଛନ୍ତି, ସେଥିରେ କୋରୋନା ଜନିତ ଆର୍ଥିକ ଦୁଃସ୍ଥିତିର ଚିତ୍ର ଜଳ ଜଳ ହୋଇ ପରିଦୃଷ୍ଟ ହେଉଥିଲେ ହେଁ ସରକାର ରାଜ୍ୟର ବିକାଶକୁ ପ୍ରାଥମିକତା ଦେଇ ଆସିଛନ୍ତି। ସରକାରୀ ତଥ୍ୟ ଅନୁସାରେ, ବଜେଟ୍‌ର ପାଖାପାଖି ୧୧.୬ ପ୍ରତିଶତ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ପ୍ରଦାନ କରାଯାଇଛି। ସେହିଭଳି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ୧୦.୮ ପ୍ରତିଶତ ଅର୍ଥ, କୃଷି ଓ ଆନୁଷଙ୍ଗିକ ବିଭାଗକୁ ୧୦ ପ୍ରତିଶତ ଅର୍ଥ ପ୍ରଦାନ କରାଯାଇଛି। ସେହିପରି ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ୫.୪ ପ୍ରତିଶତ, ପୂର୍ଣ୍ଣ ବିଭାଗକୁ ୩.୯ ପ୍ରତିଶତ, ଗୃହ ବିଭାଗକୁ ୩.୪ ପ୍ରତିଶତ, ଗୃହ ଓ ନଗର ଉନ୍ନୟନ ବିଭାଗକୁ ୩.୪ ପ୍ରତିଶତ, ଗ୍ରାମ୍ୟ ଉନ୍ନୟନ ବିଭାଗକୁ ୩.୨ ପ୍ରତିଶତ, ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗକୁ ୨.୩ ପ୍ରତିଶତ ଓ ଅନୁସୂଚିତ ଜନଜାତି ଓ ଜାତି କଲ୍ୟାଣ, ସଂଖ୍ୟାଲଘୁ ବିଭାଗକୁ ୨.୧ ପ୍ରତିଶତ ଅର୍ଥ ବରାଦ କରାଯାଇଛି। ୧ଲକ୍ଷ ୭୦ ହଜାର କୋଟି ଟଙ୍କାର ବିଶାଳ ବଜେଟ୍‌ରେ ଏହି ଦଶଟି ବିଭାଗ ପ୍ରାଥମିକତା ପାଇଛନ୍ତି। ସ୍ବାଭାବିକ ଭାବେ ଏହାର ଏକ ବଡ଼ ପ୍ରଭାବ ତୃଣମୂଳସ୍ତରରେ ରହିବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: