‘ରଙ୍ଗବତୀ’ ପାଇଲା ନୂଆ ପରିଚୟ

‘ରଙ୍ଗବତୀ’ ପାଇଲା ନୂଆ ପରିଚୟ

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ:ସତୁରୀ, ଅଶୀ ଦଶକର ଲୋକପ୍ରିୟ ଗୀତ ‘ରଙ୍ଗବତୀ’ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ ମଧ୍ୟ କରିଛି। ଜିତେନ୍ଦ୍ରିୟ ହରିପାଲ ଓ କ୍ରିଷ୍ଣା ପଟେଲଙ୍କ କଣ୍ଠରେ ଚାରିଆଡ଼େ ବିସ୍ତାରି ଯାଇଥିବା ଏହି ଗୀତକୁ ଲେଖିଥିଲେ ସମ୍ୱଲପୁର ଜିଲ୍ଲା ବିଲୁଙ୍ଗ ଗାଁର ମିତ୍ରଭାନୁ ଗୌନ୍ତିଆ। ତେବେ ମିତ୍ରଭାନୁଙ୍କ ଏହି ଗାଁ ବିଲୁଙ୍ଗ ଜରିଆରେ ଏହି ଐତିହାସିକ ଗୀତଟି ଏବେ ଆଉ ଏକ ପରିଚୟ ପାଇଛି। ବିଲୁଙ୍ଗ ଗାଁ ପୂର୍ବରୁ ରଙ୍ଗବତୀ ଯୋଡ଼ିହୋଇ ‘ରଙ୍ଗବତୀ ବିଲୁଙ୍ଗ’ ଭାବେ ଗାଁର ନାମକରଣ କରିଛନ୍ତି ରାଜ୍ୟ ସରକାର। ୨୦୦୪ରୁ ଏହି ଗାଁକୁ ‘ରଙ୍ଗବତୀ’ନାଁରେ ନାମିତ କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଦାବି ହୋଇ ଆସୁଥିଲା। ବିଳମ୍ୱରେ ହେଉ ପଛେ ରାଜ୍ୟ ସରକାର ଏବେ ଏହି ଗାଁକୁ ‘ରଙ୍ଗବତୀ’ ନାଁରେ ନାମିତ କରିଛନ୍ତି। ପିଲାଠୁ ବୁଢ଼ା ଯାଏ ରଙ୍ଗବତୀ ଗୀତକୁ କିଏ ବା ନ ଜାଣିଛି। ପଶ୍ଚିମ ଓଡ଼ିଶାର ଏହି ଲୋକପ୍ରିୟ ଲୋକଗୀତ କେବଳ ଓଡ଼ିଶାରେ ସୀମିତ ନାହିଁ, ବିଶ୍ୱର ବିଭିନ୍ନ ସ୍ଥାନରେ ଏହି ଗୀତ ଅନେକ ପ୍ରଶଂସା ସାଉଁଟିବା ସମ୍ମାନ ମଧ୍ୟ ପାଇଛି। ଆଉ ଏହି ଗୀତର ସ୍ରଷ୍ଟା ମିତ୍ରଭାନୁ ଗୌନ୍ତିଆ ମଧ୍ୟ ନିକଟରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ତାଙ୍କ ଗାଁ ଓ ଗୀତ ଉଭୟେ ନୂଆ ପରିଚୟ ପାଇଥିବାରୁ ବେଶ୍ ଖୁସି ଅଛନ୍ତି ମିତ୍ରଭାନୁ। ଏହି ମାନ୍ୟତା ପାଇବା ପଛରେ ଅନେକ ଲୋକଙ୍କ ଅବଦାନ ରହିଛି ବୋଲି କହିଛନ୍ତି ରଙ୍ଗବତୀ ଗୀତର ସ୍ରଷ୍ଟା ମିତ୍ରଭାନୁ ଗୌନ୍ତିଆ।


‘ରଙ୍ଗବତୀ’ ଗୀତଟି ସର୍ବପ୍ରଥମେ ୧୯୭୮ ମସିହାରେ ସମ୍ବଲପୁର ଅଲ୍‌ ଇଣ୍ଡିଆ ରେଡ଼ିଓରେ ରେକର୍ଡିଂ କରାଯାଇ ‘ସୁରମାଳିକା’ କାର୍ଯ୍ୟକ୍ରମରେ ବେତାର ପ୍ରସାରଣ କରାଯାଇଥିଲା। ମିତ୍ରଭାନୁ ଗୌନ୍ତିଆ ଏହି ଗୀତଟିକୁ ରଚନା କରିଥିଲେ ଓ ପ୍ରଭୁଦତ୍ତ ପ୍ରଧାନ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଜିତେନ୍ଦ୍ରିୟ ହରିପାଲ ଓ କ୍ରିଷ୍ଣା ପଟେଲ ଏଥିରେ କଣ୍ଠଦାନ କରିଥିଲେ। ପଞ୍ଚବାଦ୍ୟ ଯଥା ଢୋଲ, ନିଶାନ, ତାସା, ମହୁରି ଓ ଝାଞ୍ଜରେ ସଙ୍ଗୀତକୁ ସଂଯୋଜନା କରାଯାଇଥିଲା। ଚୈତନ୍ୟ ପାଇକ ଏଥିରେ ପ୍ରମୁଖ ବାଦ୍ୟଯନ୍ତ୍ରରେ ସହାୟତା କରିଥିଲେ। ତେବେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ସମୟରେ ଏହି ଗୀତ ପରିବେଷଣ କରାଯାଇଛି। ଏବେ ମିତ୍ରଭାନୁଙ୍କ ଗାଁର ନାଁ ମଧ୍ୟ ରଙ୍ଗବତୀ ସହ ଯୋଡ଼ି ହୋଇ ଏକ ନୂଆ ପରିଚୟ ପାଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: