‘ବାଣ ଫୁଟା କଟକଣା’, ଆଗୁଆ କରିଥିଲେ…EXCLUSIVE

ପ୍ରିଜମ୍ ନ୍ୟୁଜ (Exclusive): ଏଥର ଦୀପାବଳିରେ ଶୁଭିବନି ଢୋ..ଢା। କାରଣ କୋରୋନା ପାଇଁ ବାଣ ଫୁଟାଇବାକୁ ମନା କରିଛନ୍ତି ରାଜ୍ୟ ସରକାର। ଆସନ୍ତା ନଭେମ୍ବର ୧୦ରୁ ୩୦ ତାରିଖ ମଧ୍ୟରେ ରାଜ୍ୟର କୌଣସି ସ୍ଥାନରେ ବାଣ ଫୁଟାଇବା କିମ୍ବା ବିକ୍ରି କରିବା ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର। ଏସଆରସିଙ୍କ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ, ବୟସ୍କ ବ୍ୟକ୍ତି, ଶିଶୁ ଓ ଅସୁସ୍ଥ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଜନିତ ସୁରକ୍ଷା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି।

ବର୍ତ୍ତମାନ ସମୟରେ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଥିଲେ ମଧ୍ୟ ବିପଦ ଟଳି ନାହିଁ। ବାଣ ଫୁଟାଇବା ଫଳରେ କ୍ଷତିକାରକ ରାସାୟନିକ ପଦାର୍ଥ ଯୋଗୁ ଶ୍ବାସ ଜନିତ ତଥା ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇ ଥାଏ ଏବଂ ସଂକ୍ରମିତଙ୍କ ପାଇଁ ଏହା ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି ବୋଲି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

ତେବେ ପରିବେଶବିତ୍ ଙ୍କ କହିବାନୁସାରେ, ବାଣ ଫୁଟାଇବା ଦ୍ୱାରା ଅନେକ ରାସାୟନିକ ପଦାର୍ଥ ନିର୍ଗତ ହୋଇଥାଏ। ଏହାସହ ପରିବେଶ ମଧ୍ୟ ପ୍ରଦୂଷଣ ହୋଇଥାଏ। ସେହିପରି ବର୍ତ୍ତମାନ ସଂକ୍ରମଣ ହାର କମିଥିଲେ ବି ବିପଦ ଦୂର ହୋଇ ନାହିଁ। ତେଣୁ, ଏଥର ବାଣ ନ ଫୁଟାଇବା ସରକାରଙ୍କ ଭଲ ନିଷ୍ପତ୍ତି ବୋଲି ପରିବେଶବିତ୍ କହିଛନ୍ତି।

ସେହିପରି ଜଣେ ବାଣ ବେପାରୀଙ୍କ କହିବାନୁସାରେ, କୋରୋନା ପାଇଁ ସରକାର ଏବେ ବାଣ ଫୁଟାଇବା ନେଇ କଟକଣା ଜାରି କରିଛନ୍ତି। ଏକ ମାସ ପୂର୍ବରୁ ଏହା କହିଥିଲେ କ’ଣ ଅସୁବିଧା ହୋଇଥାନ୍ତା ! କୋରୋନା ସମୟରେ ବ୍ୟବସାୟୀମାନେ ଯେତିକି କ୍ଷତି ସହିଛନ୍ତି, ତାକୁ ଭରଣ କରି ପାରିନାହାନ୍ତି। ଏବେ ପୁଣି ବାଣ ତିଆରି ସରିଛି। ଅଚାନକ୍ ସରକାର ଏଭଳି ନିଷ୍ପତ୍ତି ନେଲେ ବୋଝ ଉପରେ ନଳିତା ବିଡ଼ା ବୋଲି ବାଣ ବେପାରୀ କହିଛନ୍ତି।

ବିଶ୍ୱଜିତ ସାହୁ ନାମକ ଜଣେ ଯୁବ ଉଦ୍ୟୋଗୀଙ୍କ କହିବାନୁସାରେ, ସରକାର ଯାହା ନିଷ୍ପତ୍ତି ନେଇଛନ୍ତି, ତାହା ସ୍ୱାଗତଯୋଗ୍ୟ। ଏତେଦିନ ଧରି ଆମେ କୋରୋନା କଟକଣାକୁ ମାନିଛେ, ଏବେ ସିନା ସଂକ୍ରମଣ କମିଛି। ଆଗକୁ ବଢ଼ିବାର ସମ୍ଭାବନା ରହିଛି। ତେଣୁ, ଆମକୁ ଧ୍ୟାନ ଦେବାକୁ ପଡ଼ିବ। ସେହିପରି ବାଣ ଫୁଟିଲେ ଧୂଆଁ ଯୋଗୁ ପ୍ରଦୂଷଣ ବୃଦ୍ଧି ପାଇବ। ପ୍ରଦୂଷଣ ବୃଦ୍ଧି ହେଲେ ଶ୍ୱାସଜନିତ ସମସ୍ୟା ଲାଗି ରହିବ। ଆଉ ଏହାର ଫାଇଦା କୋରୋନା ନେବ।

ତେବେ ପ୍ରଦୂଷଣ ସମସ୍ୟା ଏବେ ଚିନ୍ତା ଜନକ ସ୍ଥିତିରେ ପହଞ୍ଚିଲାଣି। କିଭଳି ଏହାକୁ କମ୍ କରାଯିବ ସେ ନେଇ ସରକାର ତଥା ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ବିଭିନ୍ନ ପ୍ରକାରର ପଦକ୍ଷେପ ନେବାକୁ ଚେଷ୍ଟା କରୁଛନ୍ତି। ମୁଖ୍ୟତଃ ଯେଉଁ ସହର ଗୁଡ଼ିକରେ ପ୍ରଦୂଷଣର ମାତ୍ରା ଆଶାତୀତ ଭାବେ ବୃଦ୍ଧି ପାଉଛି, ସେହି ସହର ଗୁଡ଼ିକରେ କିଭଳି ପ୍ରଦୂଷଣକୁ ନିୟନ୍ତ୍ରଣ କରାଯିବ ସେ ନେଇ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରା ଯିବାକୁ ନିଷ୍ପତ୍ତି ନିଆଯାଇଛି। କୋରୋନା ମୃତ୍ୟୁ ତ ଏବେ ଚିନ୍ତାର କାରଣ ପାଲଟିଛି। କିନ୍ତୁ, ପ୍ରଦୂଷଣ ମାତ୍ରା ବୃଦ୍ଧି ହେତୁ ପ୍ରତିବର୍ଷ ରାଜ୍ୟରେ ଅନେକ ଲୋକ ପ୍ରାଣ ହରାଉଛନ୍ତି। ୨୦୧୮ ମସିହାରେ ଲାନସେଟ୍ ରିପୋର୍ଟ ଅନୁସାରେ, ଓଡ଼ିଶାରେ ବାୟୁ ପ୍ରଦୂଷଣ ଯୋଗୁ ୩୧ ହଜାର ୧୭୮ ଜଣ ଲୋକ ପ୍ରାଣ ହରାଇଥିଲେ। ସେହପରି ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ପ୍ରାୟ ୬୫.୩ ପ୍ରତିଶତ ଲୋକଙ୍କ ବାୟୁ ପ୍ରଦୂଷଣ ଜନିତ ମୃତ୍ୟୁ ହେଉଛି। ତନ୍ମଧ୍ୟରୁ ୧୭ ହଜାର ୬୩୩ ଜଣ ଲୋକ ଗୃହ ନିର୍ମାଣରୁ ହେଉଥିବା ପ୍ରଦୂଷଣ କାରଣରୁ ପ୍ରାଣ ହରାଇଛନ୍ତି ଏବଂ ୧୧ ହଜାର ୯୮୫ ଜଣ ଲୋକ ବାୟୁ ପ୍ରଦୂଷଣ ଯୋଗୁ ପ୍ରାଣ ହରାଇଛନ୍ତି। ତେବେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ହୃତ୍ ଜନିତ ରୋଗ ଏବଂ ଶ୍ୱାସ ଜନିତ ରୋଗରେ ପ୍ରାଣ ହରାଇଛନ୍ତି। ତେଣୁ, କୋରୋନାକୁ ଦୃଷ୍ଟିରେ ରଖି ଆମକୁ ସଚେତନ ହେବାକୁ ପଡ଼ିବ। ଏହାସହ ବାୟୁ ପ୍ରଦୂଷଣକୁ ମଧ୍ୟ ରୋକିବାକୁ ପଡ଼ିବ। ତେଣୁ, ଦୀପାବଳିକୁ ପାଳନ କରନ୍ତୁ, କିନ୍ତୁ ବାଣ ଫୁଟାଇ ନୁହେଁ। ବରଂ, ନିଜ ପରିବାର ସମେତ କୋରୋନା କଟକଣା ମାନି ଏବଂ ଦୀପ ଜଳାଇ।

%d bloggers like this: