ସମଲେଇଙ୍କ ପାଇଁ ୨ଶହ କୋଟି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ମା’ ସମଲେଶ୍ୱରୀଙ୍କ ପୀଠର ବିକାଶ ପାଇଁ ରାଜ୍ୟ ସରକାର ଆରମ୍ଭ କରିବାକୁ ଯାଉଛନ୍ତି ‘ସମଲେଇ’ ଯୋଜନା ୨୦୨୧-୨୨ ଆର୍ଥିକ ବର୍ଷରେ ୨୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ସମଲେଶ୍ୱରୀଙ୍କ ପୀଠ ତଥା ଆଖପାଖର ୧୦୮ ଏକର ଜମିରେ ବିକାଶ କରାଯିବ। ଏହି ଯୋଜନାରେ ମା’ଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ, ସ୍ଥାନୀୟ ଲୋକଙ୍କ ଆର୍ଥିକ ବିକାଶ ତଥା ପର୍ଯ୍ୟଟକ ଓ ଭକ୍ତଙ୍କ ପାଇଁ ଏକ ଅନନ୍ୟ ଅନୁଭୂତି ହେବା ଉଦ୍ଦେଶ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟ କରିବ। ତେବେ ମନ୍ଦିର ଚାରିପଟେ ଭକ୍ତମାନେ ଯେପରି ସୁବିଧାରେ ପରିକ୍ରମା କରିପାରିବେ, ସେଥିପାଇଁ ୧ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏକ ପାଦଚଲା ରାସ୍ତା ନିର୍ମାଣ କରାଯିବ। ସମ୍ବଲପୁରର ଜଳବାୟୁକୁ ଦୃଷ୍ଟିରେ ରଖି ପରିକ୍ରମା ପଥରେ ଛାୟାପ୍ରଦ ବୃକ୍ଷ ଆଦି ରୋପଣ କରାଯିବ। ମା’ଙ୍କ ମନ୍ଦିର ଅଞ୍ଚଳ ୧୨ ଏକର ଜମି ଉପରେ ପ୍ରତିଷ୍ଠିତ। ତେଣୁ ଏଠାରୁ ଆସୁଥିବା ଭକ୍ତମାନେ ଯେଭଳି ସୁବିଧାରେ ମା’ଙ୍କ ଦର୍ଶନ କରିପାରିବେ, ସେଥିପାଇଁ ଧାଡ଼ି ପରିଚାଳନା ବ୍ୟବସ୍ଥା, ବିଭିନ୍ନ ଧାର୍ମିକ ଉତ୍ସବ ଅନୁଷ୍ଠାନ ପାଇଁ ସ୍ଥାନ ସହିତ ଭୋଗମଣ୍ଡପ ଓ ପୂଜାରୀଙ୍କ ବିଶ୍ରାମଗୃହ ନିର୍ମାଣ କରାଯିବ। ମନ୍ଦିରର ଚାରି ଦିଗରେ ୪ଟି ଐତିହ୍ୟ ଦ୍ବାର ନିର୍ମାଣ କରାଯିବ। ଭକ୍ତମାନେ ପୂର୍ବ ଦ୍ୱାର ଦେଇ ମନ୍ଦିରକୁ ପ୍ରବେଶ କରିବେ ଏବଂ ଅନ୍ୟ ୩ଟି ଦ୍ୱାର ଦେଇ ବାହାରକୁ ବାହାରିବେ।

ସେହିପରି ଯାତ୍ରୀଙ୍କ ପାଇଁ ସେଠାରେ ପର୍ଯ୍ୟାପ୍ତ ସୁବିଧା କରାଯିବ ଏବଂ ପାର୍କିଂ ଜାଗା, ସ୍ବତନ୍ତ୍ର ଭେଣ୍ଡିଂ ଜୋନ, ଶୌଚାଳୟ, ସୂଚନା କେନ୍ଦ୍ର, ଦାନ କେନ୍ଦ୍ର ଇତ୍ୟାଦି ବ୍ୟବସ୍ଥା କରାଯିବ। ଏହାସହ ମନ୍ଦିର ପାଖରେ ଯାତ୍ରୀନିବାସର ମଧ୍ୟ ସୁବିଧା ଉପଲବ୍ଧ ହେବ। ମନ୍ଦିର ନିକଟରେ ରହୁଥିବା ସେବାୟତଙ୍କ ପାଇଁ ସୁରକ୍ଷିତ ବାସଗୃହ ପ୍ରକଳ୍ପ ହାତକୁ ନିଆଯିବ ଏବଂ ଏଥିରେ ସମସ୍ତ ପ୍ରକାର ମୌଳିକ ସୁବିଧାର ବିକାଶ କରାଯିବ। ମନ୍ଦିରରୁ ମହାନଦୀ ପର୍ଯ୍ୟନ୍ତ ୩୦ ମିଟର ଚଉଡା ବିଶିଷ୍ଟ ପାଦଚଲା ରାସ୍ତାର ମଧ୍ୟ ବିକାଶ କରାଯିବ। ପାଦଚଲା ରାସ୍ତାର ମଧ୍ୟ ଭାଗରେ ଏକ ୩୦ ମିଟର ବିଶିଷ୍ଟ ଡେକ୍ ନିର୍ମାଣ କରାଯିବ, ଯେଉଁଠାରୁ କି ଉଭୟ ମହାନଦୀ ଓ ମା’ଙ୍କ ମନ୍ଦିର ସ୍ପଷ୍ଟ ଭାବରେ ଦେଖାଯିବ। ସେଠାରେ ପ୍ରତିଦିନ ମହାନଦୀ ଆଳତି ଭକ୍ତମାନଙ୍କୁ ଏକ ଅନନ୍ୟ ଆଧ୍ୟାତ୍ମିକ ଅନୁଭୂତି ଦେବ। ଏହି ପ୍ରକଳ୍ପ ଅଧୀନରେ ୨୨ ଏକର ଜମିରେ ହ୍ରଦ କୂଳର ବିକାଶ କରାଯିବ। ଏଥିରେ ୫ ଏମଏଲଡି ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ କରାଯିବ। ଏହାସହ ସେଠାରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଫୁଡ୍ ପାର୍କ, ସ୍ଥାପତ୍ୟ ପାର୍କ ତଥା ମୁକ୍ତାକାଶ ରଙ୍ଗମଞ୍ଚର ବ୍ୟବସ୍ଥା ରହିବ। ସମ୍ବଲପୁରର ପ୍ରସିଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପ ସହିତ ବିଭିନ୍ନ ସ୍ମାରକୀ ସାମଗ୍ରୀର ବିକ୍ରି ପାଇଁ ଭେଣ୍ଡିଂ ବ୍ୟବସ୍ଥା କରାଯିବ। ସେହିପରି ରେଳଷ୍ଟେସନରୁ ମନ୍ଦିରର ଉତ୍ତର ପାଶ୍ୱର୍କୁ ସଂଯୁକ୍ତ କରୁଥିବା ରାସ୍ତାକୁ ପ୍ରଶସ୍ତ କରାଯିବ। ଫଳରେ ଟ୍ରାଫିକ ସମସ୍ୟା ଦୂର ହୋଇପାରିବ। ବର୍ତ୍ତମାନ ଥିବା ଶ୍ମଶାନ ପୂର୍ବ ପଟକୁ ସ୍ଥାନାନ୍ତର କରାଯିବ ଏବଂ ଏଠାରେ ଆଧୁନିକ ସୁବିଧାର ବିକାଶ କରାଯିବ। ଏହି ଶ୍ମଶାନଟି ୯ ମିଟର ବିଶିଷ୍ଟ ପାଦଚଲା ରାସ୍ତା ଦ୍ୱାରା ମହାନଦୀ ସହ ସଂଯୁକ୍ତ ହେବା ଫଳରେ ଲୋକମାନେ ସୁବିଧାରେ ନଦୀଘାଟକୁ ଯାଇ ପରମ୍ପରା ଓ ରୀତିନୀତି ପାଳନ କରିପାରିବେ। ଶ୍ମଶାନ ପାଖରେ ଶେଷକୃତ୍ୟ ସ୍ଥାନ, ଶ୍ରାଦ୍ଧମଣ୍ଡପ ଓ ବିଶ୍ରାମଗୃହର ବ୍ୟବସ୍ଥା କରାଯିବ।

%d bloggers like this: