ପୁଡୁଚେରୀରେ ପଶ୍ଚିମବଙ୍ଗ ଖେଳ ଖେଳୁଛି କି ବିଜେପି ?

ପ୍ରିଜମ୍ ନ୍ୟୁଜ(କମଳାକାନ୍ତ ପତି) : ଦାକ୍ଷିଣାତ୍ୟର କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ରାଜନୀତିର ଖେଳ ଆରମ୍ଭ କରିଛି ଭାରତୀୟ ଜନତା ପାର୍ଟି। ଆଉ କିଛିଦିନ ପରେ ଏହି କେନ୍ଦ୍ର ଶାସିତ ଅଞ୍ଚଳ ବିଧାନସଭା ପାଇଁ ନିର୍ବାଚନ। କଂଗ୍ରେସ ଶାସିତ ଏହି କେନ୍ଦ୍ର ଶାସିତ ଅଞ୍ଚଳ ଉପରେ ଗୈରିକ ଦଳର ନେତାମାନେ ଆଖି ପକାଇଲେଣି।ପଡ଼ୋଶୀ ତାମିଲନାଡୁ ରାଜ୍ୟରେ ଅନ୍ନାଡିଏମକେ ସହ ନିର୍ବାଚନୀ ବୁଝାମଣା କରି କ୍ଷମତା ହାସଲ କରିବା ଏଥର ସମ୍ଭବ ହେବ ନାହିଁ ବୋଲି ଜାଣିସାରିଲେଣି ବିଜେପି ନେତୃତ୍ୱ। ତେଣୁ ଦାକ୍ଷିଣାତ୍ୟର ଏହି ଅଞ୍ଚଳ ଉପରେ ନଜର। ପଶ୍ଚିମବଙ୍ଗରେ ବିଜେପି ଯେପରି ଶାସକ ତୃଣମୂଳ କଂଗ୍ରେସ ନେତାଙ୍କୁ ଥୋପ ପକାଇ ଟାଣିନେଉଛି, ପୁଡୁଚେରୀରେ ମଧ୍ୟ ସମାନ ଖେଳ ଆରମ୍ଭ ହୋଇଛି। ନିର୍ବାଚନ ପୂର୍ବରୁ କଂଗ୍ରେସର କେତେଜଣ ବିଧାୟକଙ୍କୁ ଟାଣି ନେଇ କଂଗ୍ରେସ ସରକାରକୁ ସଂଖ୍ୟାଲଘୁ କରିଦିଆଗଲାଣି। ଉପରାଜ୍ୟପାଳ କିରଣ ବେଦୀଙ୍କୁ ହଟାଇ ଦେଇ କେନ୍ଦ୍ର ସରକାର ଏକ ନୂଆ ଅଧ୍ୟାୟର ସୂତ୍ରପାତ କରିଛନ୍ତି। କିରଣ ବେଦୀ ସେଠାରେ ସମାନ୍ତରାଳ ସରକାର ଚଳାଇଥିଲେ ବୋଲି ହେଉଥିବା ଅଭିଯୋଗକୁ ସମ୍ମାନ ଜଣାଇ ତାଙ୍କୁ ଅପସାରିତ କରାଗଲା ବୋଲି ଲୋକଙ୍କୁ ନିର୍ବାଚନ ପୂର୍ବରୁ ବାର୍ତ୍ତା ଦେବା ସକାଶେ କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ସରକାର ଏହି ପଦକ୍ଷେପ ନେଇଥିବା କୁହାଯାଉଛି। କିରଣ ବେଦୀଙ୍କ ବିରୋଧରେ ରାଷ୍ଟ୍ରପତିଙ୍କୁ ଗୁହାରି କରିବା ସକାଶେ ମୁଖ୍ୟମନ୍ତ୍ରୀ ଭି. ନାରାୟଣସ୍ୱାମୀ ଯେଉଁ ବିଧାୟକଙ୍କୁ ସାଙ୍ଗରେ ନେଇ ଦିଲ୍ଲୀ ଯାଇଥିଲେ, ସେହି ବିଧାୟକ ପୁଡୁଚେରୀ ଫେରିବା ପରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ପୂର୍ବରୁ ଆଉ ତିନିଜଣ କଂଗ୍ରେସ ବିଧାୟକ ଇସ୍ତଫା ଦେଇ ସାରିଥିବାରୁ ନାରାୟଣସ୍ୱାମୀ ସରକାର ବିଧାନସଭାରେ ସଂଖ୍ୟାଲଘୁରେ ପରିଣତ ହୋଇଛି। କିନ୍ତୁ ନାରାୟଣସ୍ୱାମୀଙ୍କ ପାଇଁ ଆଶ୍ୱସନାର ବିଷୟ ହେଉଛି ନିର୍ବାଚନ ପୂର୍ବରୁ ଉପରାଜ୍ୟପାଳ କିରଣ ବେଦୀ ପଦରୁ ହଟିଛନ୍ତି। ଏହି ଘଟଣା କାକାତାଳିକ ନ୍ୟାୟରେ ହୋଇଥିଲେ ମଧ୍ଯ ଉକ୍ତ ପ୍ରସଙ୍ଗକୁ ନେଇ ନାନା କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ଅନ୍ୟପଟେ ଦ୍ୱାରମୁହଁରେ ନିର୍ବାଚନ ପହଁଚି ଯାଇଥିବା ବେଳେ ଶାସକ ଦଳରେ ସାଙ୍ଗଠନିକ ବିପର୍ଯ୍ୟୟ ଦେଖାଦେଇଛି। ଚବିଶ ଘଣ୍ଟା ମଧ୍ୟରେ ପୁଡୁଚେରୀରେ ଯେଉଁ ରାଜନୈତିକ ଘଟଣା ଘଟିଲା ତାହା ରାଜନୈତିକ ମହଲକୁ ଆଶ୍ଚର୍ଯ୍ୟ କରିଛି। ଉପରାଜ୍ୟପାଳ ବେଦୀ ନିଜ ପଦବୀର ଅପବ୍ୟବହାର କରି ଶାସନ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି କରୁଛନ୍ତି ବୋଲି ରାଷ୍ଟ୍ରପତିଙ୍କ ନିକଟରେ ଫେରାଦ ହେବାକୁ ଦିଲ୍ଲୀ ଯାଇଥିଲେ ମୁଖ୍ୟମନ୍ତ୍ରୀ ନାରାୟଣସ୍ୱାମୀ। ତାଙ୍କ ସହ ଯାଇଥିଲେ ଦଳୀୟ ବିଧାୟକ ଜନ କୁମାର। ଉପରାଜ୍ୟପାଳ ବେଦୀଙ୍କୁ ତୁରନ୍ତ ଅପସାରଣ ପାଇଁ ସେମାନେ ରାଷ୍ଟ୍ରପତିଙ୍କୁ ନିବେଦନ କରି ଫେରିଥିଲେ। ପୁଡୁଚେରୀରେ ପହଞ୍ଚିବା ପରେ ଜନ କୁମାର ବିଧାୟକ ପଦରୁ ଇସ୍ତଫା ଦେଇ ନାରାୟଣସ୍ୱାମୀ ସରକାରକୁ ସଙ୍କଟ ମଧ୍ୟକୁ ଠେଲି ଦେଇଛନ୍ତି। ଅବଶ୍ୟ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ରଖି କେନ୍ଦ୍ର ସରକାର ବେଦୀଙ୍କୁ ଉପରାଜ୍ୟପାଳ ପଦରୁ ହଟାଇ ନେଇଛନ୍ତି। କିନ୍ତୁ ସରକାର ସଂଖ୍ୟାଲଘୁରେ ପରିଣତ ହେବା ସଙ୍ଗେ ସଙ୍ଗେ ଉପରାଜ୍ୟପାଳ ବେଦୀଙ୍କୁ ଅପସାରଣ କରାଯିବା ଘଟଣା ଏକ ଭିନ୍ନ ଦିଗକୁ ଇଙ୍ଗିତ କରୁଛି। ଏହା ପଛରେ କ’ଣ ଉଦ୍ଦେଶ୍ୟ ଲୁଚି ରହିଛି ତାହା ଆକଳନ କରାଯାଇ ପାରୁନାହିଁ। ପ୍ରଶ୍ନ ଉଠୁଛି ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଉପରାଜ୍ୟପାଳ ବେଦୀଙ୍କୁ ବଳି ପକାଇଦେଲେ କାହିଁକି ? ବିରୋଧୀ କଂଗ୍ରେସ ଦଳର ଜଣେ ମୁଖ୍ୟମନ୍ତ୍ରୀଙ୍କ ଦାବିକୁ ରାଷ୍ଟ୍ରପତି ଏତେ ସହଜରେ ମାନିନେଲେ କିପରି ? ଭିତିରି ମହଲ କିନ୍ତୁ ଏହାକୁ କିରଣ ବେଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଭାବେ ଗ୍ରହଣ କରୁ ନାହିଁ। କୁହାଯାଉଛି ଯେ, କିରଣ ନିର୍ବାଚନ ପୂର୍ବରୁ ପୁଡୁଚେରୀ କଂଗ୍ରେସରେ ବିଭ୍ରାଟ ସୃଷ୍ଟି କରିପାରଥିବାରୁ ତାଙ୍କ ପାଇଁ କେନ୍ଦ୍ର ସରକାର ନୂଆ କିଛି ବଡ଼ ପୁରସ୍କାର ବ୍ୟବସ୍ଥା କରୁଛନ୍ତି। ନିର୍ବାଚନ କାଳରେ ତାଙ୍କୁ ଉପରାଜ୍ୟପାଳ ଆସନରେ ରଖି ଅଧିକ ବଦନାମ କରିବା ପାଇଁ ସମ୍ଭବତଃ କେନ୍ଦ୍ର ସରକାର ଚାହିଁଲେ ନାହିଁ। ତେଣୁ ତାଙ୍କୁ ଦିଲ୍ଲୀ ଫେରାଇ ନିଆ ଗଲା ବୋଲି କୁହାଯାଉଛି। ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ସହ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କର ବିବାଦ ଭଳି ପୁଡୁଚେରୀ ଉପରାଜ୍ୟପାଳ ବେଦୀଙ୍କର ମୁଖ୍ୟମନ୍ତ୍ରୀ ନାରାୟଣସ୍ୱାମୀଙ୍କର କେତେକ ପ୍ରସଙ୍ଗକୁ ନେଇ ମତଭେଦ ରହିଥିଲା। ତେଣୁ ସେ ଦୀର୍ଘ ଦିନ ଧରି ବେଦୀଙ୍କ ଉପସ୍ଥିତିକୁ ସହ୍ୟ କରି ପାରୁ ନଥିଲେ। ବେଦୀ ଉପରାଜ୍ୟପାଳ ରହିଲେ ନିର୍ବାଚନ ନିରପେକ୍ଷ ହେବ ନାହିଁ ବୋଲି ନାରାୟଣସ୍ୱାମୀ କହିଆସୁଥିଲେ।

ମୂଳ କଥା ହେଉଛି, ପୁଡୁଚେରୀରେ କଂଗ୍ରେସ ଗଣିତ ବିଗାଡ଼ିବାରେ କିରଣ ଭିତିରି କାର୍ଯ୍ୟ କରୁଥିଲେ ବୋଲି ଅଭିଯୋଗ ଶାସକ ଦଳରୁ ଶୁଣିବାକୁ ମିଳୁଥିଲା। ଏଥିରେ ମଧ୍ଯ ରହିଥିବା ସତ୍ୟତାକୁ ଅସ୍ବୀକାର କରାଯାଇପାରିବ ନାହିଁ। ଗତ ମାସ ଠାରୁ କଂଗ୍ରେସ ବିଧାୟକମାନଙ୍କ ଇସ୍ତଫା ପର୍ବ ଆରମ୍ଭ ହୋଇଥିବାରୁ ଏହା ପଛରେ କିଛି ନା କିଛି କାରଣ ରହିଥିବା ଅନୁମାନ କରାଯାଉଛି। ଗତ ମାସରେ ପ୍ରଥମେ ମନ୍ତ୍ରୀ ଏ ନମାଶିବାୟମ ଓ ଇ ଥିପେନଜାନ କଂଗ୍ରେସ ବିଧାୟକ ପଦରୁ ଇସ୍ତଫା ଦେଇ ପରେ ବିଜେପିରେ ମିଶିଛନ୍ତି। ମନ୍ତ୍ରୀ ମଲଲାଡୀ କୃଷ୍ଣ ରାଓ ମଧ୍ଯ ପୂର୍ବରୁ ସରକାରରୁ ଇସ୍ତଫା ଦେଇଥିଲେ। ସେ ସୋମବାର ବିଧାୟକ ପଦ ଛାଡ଼ିଛନ୍ତି। ଗତବର୍ଷ ଜୁଲାଇ ମାସରେ ଏଇ ଧାନୁବେଲୁଙ୍କୁ ଦଳବିରୋଧୀ କାର୍ଯ୍ୟ ପାଇଁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଜନ କୁମାର ମଙ୍ଗଳବାର କଂଗ୍ରେସ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ସେ ଖୁବଶୀଘ୍ର ବିଜେପିରେ ସାମିଲ ହେବେ ବୋଲି ଶୁଣିବାକୁ ମିଳୁଛି।

ଏହି ହିସାବ ଦେଖିଲେ ୩୦ ସଦସ୍ୟ ବିଶିଷ୍ଟ ପୁଡୁଚେରୀ ବିଧାନସଭାରେ ନାରାୟଣସ୍ୱାମୀ ସରକାରର ସଦସ୍ୟ ସଂଖ୍ୟା ୧୪କୁ ହ୍ରାସ ପାଇଛି। ସରକାର ସଂଖ୍ୟାଗରିଷ୍ଠତା ହରାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ଉଠିଲାଣି। ନାରାୟଣସ୍ୱାମୀ କିନ୍ତୁ ଏହାକୁ ଗ୍ରହଣ କରୁନାହାନ୍ତି। ତାଙ୍କର କହିବା କଥା ହେଉଛି, ବିଜେପି ତାଙ୍କ ସରକାରକୁ ଭାଙ୍ଗି ଉପରାଜ୍ୟପାଳଙ୍କ ଶାସନରେ ନିର୍ବାଚନ କରାଇବାକୁ ଚାହୁଁଛି। ଏହା ସେ କସ୍ମିନ କାଳେ କରାଇବାକୁ ଦେବେ ନାହିଁ। ପ୍ରଶ୍ନ ଉଠୁଛି, ବିଜେପି ଏହି କେନ୍ଦ୍ରଶାସିତ ଅଞ୍ଚଳରେ କ୍ଷମତା ହାସଲ ପାଇଁ ପଶ୍ଚିମବଙ୍ଗ ଫର୍ମୁଲା ପ୍ରୟୋଗ କରୁଛି କି ? ଗତମାସରେ ବିଜେପି ରାଷ୍ଟୀୟ ସଭାପତି ଜେ ପି ନଡ୍ଡା ପୁଡୁଚେରୀରେ ଏକ ରାଲି କରି ତାଙ୍କ ଦଳ ଏଥର ୨୩ ଆସନରେ ବିଜୟୀ ହୋଇ ସରକାର ଗଢ଼ିବ ବୋଲି ଭବିଷ୍ୟବାଣୀ କରିଯାଇଛନ୍ତି। ସେହି ଉଦ୍ଦେଶ୍ୟ ରଖି ବିଜେପି ଶାସକ ଦଳ ବିଧାୟକଙ୍କ ଉପରେ ଥୋପ ପକାଉଛି। ବାସ୍ତବରେ ଦେଖିବାକୁ ଗଲେ ପୁଡୁଚେରୀ ବିଧାନସଭାରେ ବିଜେପିର ଏବେ ଜଣେ ହେଲେ ନିର୍ବାଚିତ ବିଧାୟକ ନାହାନ୍ତି। ତିନି ଜଣ ମନୋନୀତ ବିଧାୟକ ଅଛନ୍ତି। ସୁତରାଂ ବିଜେପି ଜିରୋରୁ ହିରୋ ହେବାର ଆସ୍ଫାଳନ ପୋଷଣ କରୁଛି। ବିଜେପିର ଏହି ସ୍ବପ୍ନକୁ ପୁଡୁଚେରୀବାସୀ ପୂରଣ କାରବେ କି ନାହିଁ ତାହା ଆଗାମୀ ନିର୍ବାଚନ ପରେ ଜଣାପଡ଼ିବ।

%d bloggers like this: