ଜନତାଙ୍କ ହାତେ ଭାଗ୍ୟ, ଜାଣନ୍ତୁ କେମିତି ହେବ ଉପ ନିର୍ବାଚନ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆସନ୍ତା ୩ ତାରିଖରେ ବାଲେଶ୍ୱରର ୨ଲକ୍ଷ ୩୦ହଜାର ୨୯୭ ଭୋଟର ମତଦାନ କରିବେ। ଉପନିର୍ବାଚନ ପାଇଁ ୩୫୦ଟି ଲାଇଟ୍ ଭେଇକିଲ ସମେତ ୬୦ଟି ହେଭି ଭେଇକିଲ ନିୟୋଜିତ କରାଯାଇଛି। ୬୭ଟି ସମ୍ବେଦନଶୀଳ ବୁଥ ଚିହ୍ନଟ ହୋଇଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ମୋଟ୍ ୩୪୬ ବୁଥ କରାଯାଇଥିବା ବେଳେ ୧ ହଜାର ୮ଶହ ପୋଲିଂ ଏବଂ ପ୍ରିଜାଇଡିଂ ଅଫିସର ନିୟୋଜିତ ହୋଇଛନ୍ତି। ପ୍ରତି ହଜାରେ ଭୋଟରଙ୍କ ପାଇଁ ଗୋଟିଏ ବୁଥ କରାଯାଇଛି। କୋଭିଡ୍ କଟକଣା ମଧ୍ୟରେ ମତଦାନ କରିବେ ଭୋଟର। ଭୋଟ୍ ଦେବାକୁ ଯିବାବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ସେହିପରି ସାମାଜିକ ଦୂରତା ରକ୍ଷା କରିବା ପାଇଁ ପ୍ରତି ଦୁଇ ମିଟର ବ୍ୟବଧାନରେ ଗୋଲେଇ କରାଯାଇଛି। ବୁଥକୁ ପ୍ରବେଶ କରିବା ପୂର୍ବରୁ ହାତ ଧୋଇବାର ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ। ସାଧାରଣ ଭୋଟର ଭୋଟ୍ ଦେଇ ସାରିବା ପରେ ପୁଲିଂ ଅଧିକାରୀମାନେ ପିପିଇ କିଟ୍ ପିନ୍ଧି କୋରୋନା ସନ୍ଦିଗ୍ଧଙ୍କ ଭୋଟ୍ ଗ୍ରହଣ କରିବେ।

ସେହିପରି ତିର୍ତ୍ତୋଲରେ ମଧ୍ୟ ନିର୍ବାଚନୀ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସମୁଦାୟ ୩୭୩ଟି ବୁଥରେ ଭୋଟ ଗ୍ରହଣ କରାଯିବ। ପୁଲିଂ ପାର୍ଟିର ସମସ୍ତ ଅଧିକାରୀମାନଙ୍କ ପାଇଁ ସାନିଟାଇଜର,ମାସ୍କ,ଓ ପିପିଇ କିଟ୍ ମଧ୍ୟ ଦିଆଯାଇଛି। ନିଜେ ସୁରକ୍ଷିତ ରହି ଅନ୍ୟମାନଙ୍କୁ କିଭଳି ସୁରକ୍ଷିତ ଭାବେ ମତଦାନ କରିବେ, ସେ ନେଇ ଗୁରୁତ୍ବ ଦେବେ ବୋଲି ପୁଲିଂ ପାର୍ଟି ଅଧିକାରୀ ମାନେ କହିଛନ୍ତି। ତେବେ ଏହି ନିର୍ବାଚନ ମଣ୍ଡଳୀରେ ୧୫୫ ଟି ସମ୍ବେଦନଶୀଳ ବୁଥ ରହିଛି। ତନ୍ମଧ୍ୟରୁ ୬୨ଟି ବୁଥରେ ସିଏପିଏଫ ,୩୭ଟି ବୁଥରେ ୱେବ କାଷ୍ଟିଙ୍ଗଓ ୧୧ଟି ବୁଥରେ ସିସିଟିଭି ବ୍ୟବସ୍ଥା କରାଯାଇଛି। ୩୭୩ଟି ବୁଥ ପାଇଁ ୪୦ ଜଣ ମାଇକ୍ରୋ ଅବଜରଭର ଓ ୩୦ ଜଣ ସେକ୍ଟର ଅଫିସର ନିୟୋଜିତ କରାଯାଇଛି। ଏହାସହ ୨୧ ପ୍ଲାଟୁନ ପୋଲିସ ଫୋର୍ସ,୩ କମ୍ପାନୀ ସି ଏ ପି ଏଫ ଓ ୧୫୦ ଜଣ ଅଫିସର ,୮ ଜଣ ଡି ଏସ ପି , ନିୟୋଜିତ କରାଯାଇଛି।

%d bloggers like this: