କେହି ଜାଣି ନ ଥିଲେ କ’ଣ ଚାଲିଛି…

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ନିକଟରେ ରିଲିଜ ହୋଇଛି ଅନୁରାଗ ବସୁଙ୍କ ଡାର୍କ କମେଡି ଫିଲ୍ମ ‘ଲୁଡୋ’। ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ ହୋଇଥିବା ଏହି ଫିଲ୍ମକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ‘ଜଗା ଜାସୁସ୍’ର ବିଫଳତା ପରେ ପୁଣି ଥରେ ଡାର୍କ କମେଡିକୁ ‘ଲୁଡୋ’ରେ ପ୍ରତିଫଳିତ କରିଛନ୍ତି ଅନୁରାଗ ବସୁ। ଚାରିଟି ଭିନ୍ନ କାହାଣୀକୁ ଗୋଟିଏ ଜାଗାରେ ସ୍ଥାନ ଦେଇ ଅତି ସୁନ୍ଦର ଭାବେ ଏକ କାହାଣୀ ଗଢ଼ି ତୋଳିଛନ୍ତି ଅନୁରାଗ ବସୁ। ଏଥିରେ ଅଭିନୟ କରିଥିବା ପଙ୍କଜ ତ୍ରିପାଠୀ, ଅଭିଷେକ ବଚ୍ଚନ, ଆଦିତ୍ୟ ରାୟ କପୁର, ରାଜକୁମାର ରାଓ, ସାନ୍ୟା ମାଲହୋତ୍ରା, ଇନାୟତ ବର୍ମା ପ୍ରମୁଖଙ୍କ ବଳିଷ୍ଠ ଅଭିନୟ କାହାଣୀକୁ ପ୍ରତିଟି ମୁହୂର୍ତ୍ତରେ ଜୀବନ୍ତ କରିଛି ଆଉ ଦର୍ଶକଙ୍କୁ ବାନ୍ଧି ରଖିଛି।

ତେବେ ଫିଲ୍ମରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଯେ, ଏଥିରେ ଅଭିନୟ କରିଥିବା ପ୍ରତିଟି ଅଭିନେତା ଓ ଅଭିନେତ୍ରୀ ସୁଟିଂ ପୂର୍ବରୁ ଓ ସୁଟିଂ ସମୟରେ ବି ଜାଣି ନ ଥିଲେ ଯେ, ଆଗକୁ କ’ଣ ଚାଲିଛି। ବର୍ତ୍ତମାନରେ କ’ଣ କରିବାକୁ ହେବ, ତାହା କୌଣସି କଳାକାର ଜାଣି ନ ଥିଲେ। ଏକ ଜାତୀୟ ଗଣମାଧ୍ୟମରେ ସାକ୍ଷାତକାର ସମୟରେ ସବୁ କଳାକାର ସେମାନଙ୍କ ସୁଟିଂ ସମୟର ଅନୁଭୂତି ବଖାଣି ଏହା କହିଥିଲେ। ହଠାତ୍ ଏକ ଦୃଶ୍ୟରେ ଗୁଳି ବର୍ଷୁଛି, ସେହି ସମୟରେ ସମସ୍ତେ ପରସ୍ପରକୁ ଦେଖି ଆଚମ୍ୱିତ ହୋଇ ଯାଇଥିଲେ। ଏହି ଫିଲ୍ମରେ ଅନ୍ୟତମ ଆକର୍ଷଣ ଥିଲା ଏହାର ପ୍ରଚ୍ଛଦପଟ ଗୀତ। ୧୯୫୧ ମସିହାର ପ୍ରସିଦ୍ଧ ଚଳଚ୍ଚିତ୍ର ତଥା ଭଗବାନ ଦାଦାଙ୍କ ଫିଲ୍ମ ‘ଅଲବେଲା’ର ‘କିସମତ୍ କି ହୱା କଭି ନରମ୍’ ଗୀତ।

%d bloggers like this: