ବିଚିତ୍ର ଜନାଦେଶ: ଇଭିଏମରେ ଏନଡିଏ, ପୋଷ୍ଟାଲରେ ମହାମେଣ୍ଟ

ପ୍ରିଜମ୍ ନ୍ୟୁଜ (ସ୍ୱତନ୍ତ୍ର): ବିହାର ନିର୍ବାଚନରେ ଏନଡିଏକୁ ସ୍ପଷ୍ଟ ବହୁମତ ମିଳିସାରିଛି। ବିଜେପି-ଜେଡିୟୁ-ହାମ୍-ଭିଆଇପି ମେଣ୍ଟ ୧୨୫ ଆସନ ଜିତି ଗଢ଼ିବାକୁ ଯାଉଛି ସରକାର। ସେଥିପାଇଁ ପିଏମ୍ ମୋଦିଙ୍କଠାରୁ ନେଇ ବହୁ ବଡ଼ ବଡ଼ ନେତା ଶୁଭେଚ୍ଛା ଓ ସଦିଚ୍ଛା ବି ଜଣାଇ ସାରିଛନ୍ତି। ତେବେ ସରକାର ଗଠନକୁ ନେଇ ଆଉ କିଛି ଦ୍ୱିଧା ବା ଦ୍ୱିମତ ନାହିଁ। ଚିନ୍ତାର ବିଷୟ ହେଉଛି, ବିହାରର ମୋଟ ୨୪୩ ଆସନ ମଧ୍ୟରୁ ପ୍ରାୟ ସବୁ ଆସନରେ ଇଭିଏମ୍ ଛଡ଼ା ପୋଷ୍ଟାଲ ଭୋଟରେ ମହାମେଣ୍ଟ ଆଗୁଆ ଟ୍ରେଣ୍ଡ କରିଥିଲା।

ପୋଷ୍ଟାଲ ଭୋଟ୍ ଦେଇଥାନ୍ତି ରାଜ୍ୟର ସରକାରୀ କର୍ମଚାରୀ ବା ଚାକିରିଆ, ଯେଉଁମାନେ ନିର୍ବାଚନ ପରିଚାଳନାରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ନିୟୋଜିତ ଥାଆନ୍ତି। ତେବେ ସେମାନଙ୍କ ମଧ୍ୟରୁ ବୃହତ୍ତର ଗୋଷ୍ଠୀ ମହାମେଣ୍ଟକୁ ଭୋଟ୍ ଦେବା ଅର୍ଥ, ରାଜ୍ୟରେ କ୍ଷମତା ପରିବର୍ତ୍ତନ ହେଉ ବୋଲି ସେମାନେ ଚାହୁଁଥିଲେ ବା ସିଧା କଥାରେ କହିବାକୁ ଗଲେ, ନୀତୀଶ ସରକାରଙ୍କ ପ୍ରତ୍ୟାବର୍ତ୍ତନ ସେମାନେ ଚାହୁଁ ନ ଥିଲେ। ସାଧାରଣ ଜନତା ଏବଂ ମୋଦିଙ୍କ ଭାଷାରେ ବିହାରର ମା’-ମାଉସୀଙ୍କ ପାଇଁ ଏନଡିଏ କ୍ଷମତାକୁ ଫେରିଲା। ଯେଉଁ ସରକାରୀ କର୍ମଚାରୀମାନେ ନୀତୀଶ ସରକାରକୁ ଭୋଟ୍ ଜରିଆରେ ପ୍ରତ୍ୟାଖ୍ୟାନ କରିଥିଲେ, ସେହିମାନଙ୍କୁ ନେଇ ଆଗାମୀ ପାଞ୍ଚବର୍ଷ ନୀତୀଶ କେମିତି ଚଳାଇବେ ସରକାର ? ସେ ପାଟନା ସାହିବ ହେଉ ବା ମୋତିହାରି ହେଉ ଅବା ମଧୁବନି ହେଉ କିମ୍ବା ମୁଜାଫରପୁର, ନତୁବା ନାଳନ୍ଦା ନହେଲେ ଜେହାନାବାଦ କି ଦିନାରା। ପ୍ରାୟ ସବୁ ଆସନରେ ପୋଷ୍ଟାଲ ଭୋଟ୍ ଆରଜେଡି ନେତୃତ୍ୱାଧୀନ ମହାମେଣ୍ଟ ସପକ୍ଷରେ ଯାଇଛି। ଏ ଦିଗଟି ପ୍ରତି କେହି ଗୁରୁତ୍ୱ ଦେଇନାହାନ୍ତି। କିନ୍ତୁ ଏହା ଏକ ମହାସଙ୍କଟ ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି। ଆଉ ତାହା ହେଲା, ପରବର୍ତ୍ତୀ ପାଞ୍ଚବର୍ଷ ଶାସନ କ୍ଷମତାରେ ରହିବାକୁ ଯାଉଥିବା ଏନଡିଏକୁ ସରକାରୀ ଚାକିରିଆଙ୍କ ସହଯୋଗ ମିଳିବ ନାହିଁ। ଚାକିରୀ କରୁଥିବା ହେତୁ ସେମାନେ ସରକାରଙ୍କୁ ସମର୍ଥନ କରିବେ ସତ, ହେଲେ ସେଥିରେ ଆନ୍ତରିକତାର ଘୋର ଅଭାବ ପରିଲକ୍ଷିତ ହେବ। ଆଉ ଅଭିଜ୍ଞ ରାଜନେତାମାନଙ୍କୁ ଅଛପା ନାହିଁ ଯେ, ଇଚ୍ଛା ନ ଥାଇ ସରକାରୀ ଉନ୍ନୟନମୂଳକ କାମ କିପରି ହୁଏ। ତେଣୁ ଏହା ଆଗାମୀ ନୀତୀଶ କୁମାରଙ୍କ ସରକାର ପାଇଁ ଘରେ ନ ପଶୁଣୁ ମୁଣ୍ଡରେ ଚାଳ ବାଜିବା ପରି ଅବସ୍ଥା ହେବ।

ଏହାଛଡ଼ା ବର୍ତ୍ତମାନ ବିହାରରେ ଏନଡିଏର ରାଜନୈତିକ ସମୀକରଣ ହେଉଛି ବିଜେପି- ୭୪, ଜେଡିୟ-୪୩, ହାମ୍ ପାର୍ଟି- ୪ ଓ ଭିଆଇପି- ୪। ଅବଶ୍ୟ ପ୍ରାକ୍ ନିର୍ବାଚନୀ ମେଣ୍ଟରେ ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା କରାଯାଇସାରିଥିବାରୁ ସେଥିରେ ପରିବର୍ତ୍ତନ ହେବା ସମ୍ଭାବନା କ୍ଷୀଣ। ତେବେ ବିଜେପିର ରାଜ୍ୟ ନେତାମାନଙ୍କ ମନରେ କେଉଁଠି ନା କେଉଁଠି କ୍ଷମତାର ବାକ୍ ଡୋର ହାତେଇବାକୁ ମନ ସକପକ ହେଉଥିବ ନିଶ୍ଚୟ। ଅବଶ୍ୟ ଏହା ସତ ଯେ, ବିଜେପି ଉପମୁଖ୍ୟମନ୍ତ୍ରୀ ପଦ ହାତେଇବା ସହ ଅଧିକାଂଶ ମନ୍ତ୍ରିମଣ୍ଡଳ ନିଜ ହାତରେ ରଖିବ। ତେବେ ହାମ୍ ଓ ଭିଆଇପି ମାତ୍ର ୪ଟି ଲେଖାଏଁ ବିଧାୟକ ଜିତି ଅନ୍ତତଃ ପକ୍ଷେ ଜଣେ ଜଣେ ମନ୍ତ୍ରୀ ପାଇବା ନିଶ୍ଚିତ। ନ ହେଲେ ତାଙ୍କୁ ମହାମେଣ୍ଟ ପକ୍ଷରୁ ଲଲିପପ୍ ଅଫର ହେବା ଅସମ୍ଭବ ନୁହେଁ। ମୋଟାମୋଟି କୁହାଯାଇ ପାରିବ, ୧୨୫ ଆସନ ଜିତି ଏକ ନିରାପଦ ସ୍ଥାନରେ ଥିବା ପରି ଉପରକୁ ମନେ ହେଉଥିବା ଏନଡିଏର ସ୍ଥିତି ଠିକ୍ ସେହି ବ୍ୟକ୍ତିଟି ପରି, ଯିଏ ଖଜଣାକୁ ଜଗିଥାଏ କିନ୍ତୁ ଭୋଗ କରେ ଆଉକେହି।

%d bloggers like this: