ଅଗ୍ନିପରୀକ୍ଷାରେ ସିନ୍ଧିଆ ପାସ୍ !, କମଲନାଥଙ୍କ ଗତି କୁଆଡ଼େ ?

ପ୍ରିଜମ୍ ନ୍ୟୁଜ (ସ୍ୱତନ୍ତ୍ର): ମଧ୍ୟପ୍ରଦେଶ ଉପନିର୍ବାଚନରେ ୨୮ ଆସନରୁ ୧୯ଟି ଆସନରେ ବାଜି ମାରିଛି ବିଜେପି। ସେହିପରି ୯ଟି ଆସନ ପାଇ ସନ୍ତୁଷ୍ଟ ହୋଇଛି କଂଗ୍ରେସ। ତେବେ ମଧ୍ୟପ୍ରଦେଶରେ ବିଜେପି ସରକାର ସେହି ସମୟରେ ଗଢ଼ିଥିଲା, ଯେଉଁ ସମୟରେ କମଲନାଥଙ୍କ ୧୫ ମାସର ପୁରୁଣା କଂଗ୍ରେସ ସରକାରରେ ଦୁଇ ଡଜନରୁ ଅଧିକ ବିଧାୟକ ଦଳ ଛାଡ଼ିଥିଲେ। ଏହି ବିଧାୟକମାନେ ହାତ ଛାଡ଼ି ପଦ୍ମ ଧରିଥିଲେ। ଏସବୁ ସରକାର ଭାଙ୍ଗିବା ଓ ଗଢ଼ିବାର ମଙ୍ଗ ଯିଏ ଧରିଥିଲେ, ସିଏ ହେଉଛନ୍ତି ୟଙ୍ଗ୍ ଆଣ୍ଡ ଡାଇନାମିକ୍ ଲିଡର୍ ଜ୍ୟୋତିରାଦିତ୍ୟ ସିନ୍ଧିଆ। ଏହାବ୍ୟତୀତ ତିନି ଜଣ ବିଧାୟକଙ୍କ ନିଧନ ପରେ ସେଠାରେ ଆସନ ଖାଲ ପଡ଼ିଥିଲା।

୨୦୧୮ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ୧୧୪ ଆସନ ମିଳିଥିଲା। ସେହିପରି ବିଜେପି ପାଇଥିଲା ୧୦୯ ଆସନ। କଂଗ୍ରେସ ୪ ଜଣ ସ୍ୱାଧୀନ ବିଧାୟକଙ୍କ ସମର୍ଥନରେ ସରକାର ଗଢ଼ିଥିଲା ଏବଂ କମଲନାଥ ହୋଇଥିଲେ ମୁଖ୍ୟମନ୍ତ୍ରୀ। କିନ୍ତୁ, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଗେମ୍ ପ୍ଲାନ୍ ଯୋଗୁ କଂଗ୍ରେସର ସଂଖ୍ୟା ୮୮କୁ ହ୍ରାସ ପାଇଥିଲା ଏବଂ ବିଜେପି ସେଠାରେ ସରକାର ଗଢ଼ିଥିଲା। ତେଣୁ, ଜ୍ୟୋତିରାଦିତ୍ୟଙ୍କୁ ବିଜେପି ଏକ ଅଲଗା ସ୍ଥାନ ଦେବା ଆରମ୍ଭ କରିଥିଲା। ୨୦୧୯ ସଂସଦ ନିର୍ବାଚନରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜର ପାରମ୍ପରିକ ଆସନ ‘ଗୁନା’ରେ ନିର୍ବାଚନ ହାରିଥିଲେ। ଏହାପରେ ବିଜେପିରେ ମିଶିବା ପରେ ଗ୍ୱାଲିୟର ଓ ଚମ୍ୱଲରେ ନିଜର ଦବଦବା କାଏମ୍ ରଖିବା ନିହାତି ଜରୁରୀ ଥିଲା। ତେଣୁ, ଏବେ ନିର୍ବାଚନରେ ତାଙ୍କ ନେତୃତ୍ୱରେ ବିଜେପି ଭଲ ପ୍ରଦର୍ଶନ କରିବା ପରେ ଏବେ ଜ୍ୟୋତିରାଦିତ୍ୟଙ୍କ ପାୱାର ପୁଣିଥରେ ବଢ଼ିଯାଇଥିବା ଚର୍ଚ୍ଚା ହେଉଛି।

କିଛି ମାସ ପୂର୍ବେ ମଧ୍ୟପ୍ରଦେଶରେ ଚାଲିଥିଲା ପାୱାର-ପଲିଟିକ୍ସର ନାଟକ। ନାଟକୀୟ ଢଙ୍ଗରେ ବିଧାୟକମାନଙ୍କୁ ଲୁଚେଇ ରଖିବା ପରେ ଦିଲ୍ଲୀ ଆସି ଅମିତ ଶାହ ଓ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ ମହାରାଜ ଜ୍ୟୋତିରାଦିତ୍ୟ ସିନ୍ଧିଆ। ଏହା ପରଦିନ ଡିଲ୍ ଫାଇନାଲ କରି ବିଜେପିରେ ସାମିଲ ହୋଇଥିଲେ। ଗେରୁଆ ହେବାର ମାତ୍ର ତିନି ଘଣ୍ଟା ମଧ୍ୟରେ ଦଳ ତାଙ୍କୁ ରାଜ୍ୟସଭା ପଠାଇ ଦେଇଥିଲା। କଂଗ୍ରେସ ଛାଡ଼ିଥିବାରୁ ଅନେକ ଲୋକ ତାଙ୍କୁ ଧୋକାବାଜ ବି କହିଥିଲେ। ଚର୍ଚ୍ଚା ହେଲା ଯେ, ସିନ୍ଧିଆ ବି ଏସ୍ଏମ୍ କ୍ରିଷ୍ଣା, ଗିରିଧର ଗମାଙ୍ଗ, ମୁକୁଲ ରାୟ ଓ ବିଜୟ ବହୁଗୁଣାଙ୍କ ଭଳି କୋଣଠେସା ହୋଇ ରହିବେ। କିନ୍ତୁ, ଏବେ ସେ ମଉକା ଦେଖି ଚଉକା ମାରିଛନ୍ତି। ମଧ୍ୟପ୍ରଦେଶ ଉପନିର୍ବାଚନର ପ୍ରଳୟ ସାଜି ବିଜେପିକୁ ଜିତାଇବାରେ ମୁଖ୍ୟ ପୁରୋଧା ସାଜିଛନ୍ତି, ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଆବଶ୍ୟକ ପଡ଼ିଲେ ଦଳ ତାଙ୍କୁ କେନ୍ଦ୍ର ରାଜନୀତିରେ ସକ୍ରିୟ କରିବାକୁ ଯୋଜନା କରୁଛି।

କେନ୍ଦ୍ରରେ ପ୍ରଭାବୀ ହେବେ ସିନ୍ଧିଆ ?

୧) କଂଗ୍ରେସ ଛାଡ଼ିବା ପରେ ତାଙ୍କୁ ଧୋକାବାଜର ଆଖ୍ୟା ମିଳିଥିଲା। କିନ୍ତୁ, ଗ୍ୱାଲିୟର ଓ ଚମ୍ୱଲରେ ଭଲ ପ୍ରଦର୍ଶନ କରିବା ପରେ ଜ୍ୟୋତିରାଦିତ୍ୟଙ୍କ ପ୍ରଭାବ ପୁଣି ଥରେ ବଢ଼ିଛି। ଏହି ଅଞ୍ଚଳରେ ଯେତେବେଳେ ପ୍ରଥମ କରି ନିର୍ବାଚନ ହୋଇଥିଲା, ସେତେବେଳେ ଏହାକୁ ହିନ୍ଦୁ ମହାସଭାର ଗଡ଼ ବୋଲି କୁହାଯାଉଥିଲା। ତେଣୁ, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଜେଜେ ମା’ ରାଜମାତା ବିଜୟାରାଜେ ସିନ୍ଧିଆଙ୍କୁ ଜବାହରଲାଲ ନେହରୁ ନେତା ଭାବେ ବାଛିଥିଲେ। କାରଣ,ଦକ୍ଷିଣପନ୍ଥୀ ବିଚାରଧାରା ଥିବା ଏହି ଅଞ୍ଚଳକୁ ନେଇ କଂଗ୍ରେସ ସବୁବେଳେ ଚିନ୍ତିତ ଥିଲା। ଏବେ ଏହି ଅଞ୍ଚଳରେ ବିଜେପିର ବିଜୟ ପରେ କଂଗ୍ରେସ ହାତରୁ ଏହି ଅଞ୍ଚଳ ସମ୍ପୂର୍ଣ୍ଣ ଭାବେ ହାତଛଡ଼ା ହୋଇଛି। ତେଣୁ, ଜ୍ୟୋତିରାଦିତ୍ୟଙ୍କ ଏହି ସଫଳତା ପାଇଁ ବିଜେପିର ଅନ୍ୟତମ ମାନସ ପୁତ୍ର ଭାବେ ସେ ଏବେ ବିବେଚିତ ହେବେ।

୨) ସେହିପରି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଇଂରାଜୀ ଓ ହିନ୍ଦୀ ଖୁବ ଭଲ। ୟୁପିଏ ସରକାରରେ ସେ ମନ୍ତ୍ରୀ ମଧ୍ୟ ଥିଲେ। ତେଣୁ, କେନ୍ଦ୍ରରେ ତାଙ୍କର ଦଖଲ ଭଲ। ସେ କେନ୍ଦ୍ରକୁ ଆସିଲେ ରାହୁଲ ଗାନ୍ଧିଙ୍କ ପାଇଁ ମଧ୍ୟ ଘାତକ ସାଜିବେ। ତେଣୁ, କେନ୍ଦ୍ରରେ ତାଙ୍କୁ ଆକ୍ଟିଭ ରଖିବାକୁ ଗେରୁଆ ଦଳ ନିହାତି ଚାହିଁବ।

କେଉଁ ଦିଗରେ କମଲନାଥଙ୍କ ଭବିଷ୍ୟତ ?

କମଲନାଥଙ୍କ ରାଜନୈତିକ କ୍ୟାରିୟରକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ, ୧୫ ମାସର ସରକାର ଭାଙ୍ଗିବା ପରେ ଏହି ନିର୍ବାଚନ କମଲନାଥଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା। କିନ୍ତୁ,ତାକୁ ସେ ସଫଳ କରି ପାରିଲେ ନାହିଁ। ୨୦୨୩ ନିର୍ବାଚନ ବେଳକୁ ୭୪ ବର୍ଷୀୟ କମଲନାଥଙ୍କ ପାଇଁ ବଡ଼ ଫ୍ୟାକ୍ଟର ହେବ ତାଙ୍କର ବୟସ। ସେହିପରି ସେ ରାଜ୍ୟର ବିରୋଧୀ ଦଳ ନେତା ଏବଂ ପ୍ରଦେଶ ଅଧ୍ୟକ୍ଷ ମଧ୍ୟ। ତେଣୁ, ଏକାସାଙ୍ଗରେ ଦୁଇଟି ପଦ ଧାରଣ କରିଥିବାରୁ ଏହାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇପାରେ। ତେଣୁ, ସବୁ ଦିଗକୁ ବିଚାର କଲେ, ଆଗକୁ କମଲନାଥଙ୍କ ରାଜନୈତିକ କ୍ୟାରିୟରରେ ଏକ ପ୍ରକାର ପୂର୍ଣ୍ଣଚ୍ଛେଦ ପଡ଼ିପାରେ।

%d bloggers like this: