ନବରଙ୍ଗପୁରରେ ନାଇଟ୍ କର୍ଫ୍ୟୁ,ରାତି ୮ରୁ ସକାଳ ୬ଟା ପର୍ଯ୍ୟନ୍ତ ସବୁ ବନ୍ଦ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କୋରୋନା ବୃଦ୍ଧିକୁ ଦେଖି ନବରଙ୍ଗପୁର ଜିଲ୍ଲାରେ ଲାଗୁ ହେଲା ନାଇଟ୍ କର୍ଫ୍ୟୁ। ଗୁରୁବାର ଠାରୁ ଏହା ବିଧିବଦ୍ଧ ଭାବେ ଲାଗୁ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ରାତି ୮ରୁ ସକାଳ ୬ଟା ପର୍ଯ୍ୟନ୍ତ ରହିବ ନାଇଟ କର୍ଫ୍ୟୁର କଟକଣା। ଏହି ସମୟରେ ଲୋକେ କୌଣସି ଜୁରୁରୀ କାମ ବ୍ୟତୀତ ବାହାରେ ଚଳପ୍ରଚଳ କରିପାରିବେ ନାହିଁ, ୫ ଜଣରୁ ଅଧିକ ବ୍ୟକ୍ତି କୌଣସି ସର୍ବସାଧାରଣ ସ୍ଥାନରେ ଏକାଠି ହୋଇପାରିବେ ନାହିଁ, ସମାବେଶ ଉପରେ ମଧ୍ୟ ରୋକ ଲଗାଯାଇଛି। ସେହିପରି ସେମିନାର, କର୍ମଶାଳା ଓ କନଫରେନସ୍କୁ ବାତିଲ କରିବା ପାଇଁ ନିର୍ଦ୍ଦେଶ ନାମା ଜାରି ହୋଇଛି। ଧାର୍ମିକ ସମାବେଶ, ବିବାହ ଶୋଭାଯାତ୍ରା, ଭୋଜିଭାତକୁ ଅନୁମତି ଦିଆଯାଇପାରିବ ନାହିଁ। ବିବାହ ବରଯାତ୍ରୀ, ଅପେରା ଏବଂ ତତ୍ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶ ରହିଛି। ରାଜନୈତିକ ରାଲି, ବିକ୍ଷୋଭ-ପ୍ରଦର୍ଶନ ଓ ଧାରଣା ଭଳି କାର୍ଯ୍ୟକ୍ରମ ହୋଇପାରିବ ନାହିଁ।
ଲଜ ଓ ହୋଟେଲ ଗୁଡିକରେ ନିୟମିତ ବିଶୋଧନ ଓ ସାନିଟାଇଜର ବ୍ୟବସ୍ଥା କରିବାକୁ ହେବ। କୌଣସି ବ୍ୟକ୍ତି କାଶ, ଜ୍ବର, ଶ୍ବାସ ସମସ୍ୟା ଅନୁଭବ କଲେ କୋଭିଡ କଣ୍ଟ୍ରୋଲ ରୁମ୍ ନଂ ୦୬୮୫୮-୨୨୨୪୩୪ କିମ୍ବା ଜିଲ୍ଲା ହେଲପଲାଇନ ନଂ ୦୬୮୫୮-୨୨୨୪୫୯ରେ ତୁରନ୍ତ ଯୋଗଯୋଗ କରିବାକୁ ବିଜ୍ଞାପ୍ତିରେ କୁହାଯାଇଛି। ତେବେ ଏହା ପୂର୍ବରୁ ରାଜ୍ୟର ମାଲକାନାଗିରି ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁ ହୋଇଛି।

%d bloggers like this: