ମାଣ୍ଡିଆ ପରଷିବେ ଅରୁଣ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ଓ ପୁଷ୍ଟିକର ଖାଦ୍ୟ କୃଷି ବିଭାଗର ଖର୍ଚ୍ଚଦାବି ଆଲୋଚନା ଦିନ ମନ୍ତ୍ରୀ, ବିଧାୟକମାନଙ୍କୁ ପରଷିଦେବେ କୃଷିମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ। ଏଥିପାଇଁ ସେ ବାଚସ୍ପତିଙ୍କ ଅନୁମତି ଲୋଡିଥିବାବେଳେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବି ସମ୍ମତି ପ୍ରଦାନ କରିଛନ୍ତି। ବୁଧବାର ବିଧାନସଭାରେ ପ୍ରଶ୍ନକାଳରେ ବିଜେଡି ବିଧାୟକ ଅଶ୍ୱିନୀ କୁମାର ପାତ୍ର ମାଣ୍ଡିଆ ଚାଷ ସଂକ୍ରାନ୍ତରେ ପଚାରିଥିବା ମୂଳ ପ୍ରଶ୍ନ ଉପରେ ବହୁ ସଦସ୍ୟ ଅତିରିକ୍ତ ପ୍ରଶ୍ନମାନ ପଚାରିଥିଲେ। ମାଣ୍ଡିଆ ପ୍ରତି ସଦସ୍ୟମାନଙ୍କ ଆଗ୍ରହକୁ ଦେଖି କୃଷିମନ୍ତ୍ରୀ ଡକ୍ଟର ସାହୁ ଉତ୍ତର ରଖିବାବେଳେ କହିଥିଲେ ଯେ, ଯଦି ବାଚସ୍ପତି ଅନୁମତି ପ୍ରଦାନ କରିବେ ତେବେ ବିଭାଗର ଖର୍ଚ୍ଚଦାବି ଆଲୋଚନା ଦିନ ଗୃହର ସଦସ୍ୟମାନଙ୍କୁ ମାଣ୍ଡିଆରୁ ପ୍ରସ୍ତୁତ ସୁସ୍ୱାଦୁ ଖାଦ୍ୟ ସେ ଯୋଗାଇଦେବେ। ବାଚସ୍ପତି ମଧ୍ୟ ତତ୍କାଳ ‘ହଉ ଆଣନ୍ତୁ’ ବୋଲି କହିଥିଲେ। ମାଣ୍ଡିଆ ଉପରେ ସଦସ୍ୟମାନଙ୍କ ପ୍ରଶ୍ନର ଉତ୍ତରରେ କୃଷିମନ୍ତ୍ରୀ କହିଥିଲେ ଯେ ରାଜ୍ୟର ୧୫ଟି ଜିଲ୍ଲାର ୮୧ଟି ବ୍ଲକରେ ଓଡ଼ିଶା ମିଲେଟ ମିଶନ ମାଧ୍ୟମରେ ମାଣ୍ଡିଆ ଚାଷ କରାଯାଉଛି। ତନ୍ମମଧ୍ୟରୁ କୋରାପୁଟ,ରାୟଗଡା, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର, ଗଜପତି, ନୂଆପଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାଗୁଡ଼ିକରେ ଅଧିକ ପରିମାଣରେ ମାଣ୍ଡିଆ ଚାଷ ହେଉଛି।

ମାଣ୍ଡିଆଚାଷ ଓ ଏହାକୁ ଚାଷ କରୁଥିବା ଚାଷୀଙ୍କ ସଂଖ୍ୟା ପ୍ରତିବର୍ଷ ବଢ଼ିବାରେ ଲାଗିଛି। ୨୦୧୮-୧୯ ବର୍ଷରେ ୫୪୭୦ ଜଣ ଚାଷୀ ମାଣ୍ଡିଆ ଚାଷ କରିଥିବାବେଳେ ୨୦୧୯-୨୦ରେ ୨୦,୩୨୮ ଓ ୨୦୨୦-୨୧ରେ ୨୪,୩୨୪ ଜଣ ମାଣ୍ଡିଆ ଚାଷ କରିଥିଲେ। ସେହିଭଳି ରାଜ୍ୟ ସରକାର ୨୦୧୮-୧୯ ବର୍ଷରେ ଚାଷୀଙ୍କ ଠାରୁ ୧୭,୯୮୫ କୁଇଣ୍ଟାଲ ମାଣ୍ଡିଆ ସଂଗ୍ରହ କରିଥିବାବେଳେ ୨୦୧୯-୨୦ରେ ୯୪,୭୪୫ ଓ ୨୦୨୦-୨୧ରେ ୧,୯୯,୪୮୦ କୁଇଣ୍ଟାଲ ମାଣ୍ଡିଆ ସଂଗ୍ରହ କରିଛନ୍ତି । ୨୦୨୦ ଖରିଫ ଋତୁରେ ବାଲେଶ୍ୱର, ଭଦ୍ରକ, ଯାଜପୁର,କେନ୍ଦ୍ରାପଡା, ଖୋରଧା ଓ ସୋନପୁର ଜିଲ୍ଲାକୁ ବାଦଦେଲେ ଅନ୍ୟ ସମସ୍ତ ଜିଲ୍ଲାରେ ଉଣା ଅଧିକେ ମାଣ୍ଡିଆ ଚାଷ ହୋଇଛି ।

%d bloggers like this: