ନେତାଜୀ ଜନମାନସର ଲୋକ ନାୟକ

ନେତାଜୀ ଜନମାନସର ଲୋକ ନାୟକ

ପ୍ରିଜିମ୍ ନ୍ୟୁଜ୍ ବ୍ୟୁରୋ: ସ୍ୱାଧୀନତା ପାଇଁ ଆନ୍ଦୋଳନ ହେଉ ଅବା ସଶସ୍ତ୍ର ସଂଗ୍ରାମ, ଏଥିରେ ସାମିଲ ହୋଇ ତ୍ୟାଗ କରିବାକୁ ଭାରତବାସୀଙ୍କୁ ନେତାଜୀ ସବୁବେଳେ ପ୍ରେରିତ କରିପାରୁଥିଲେ । ତାଙ୍କର ଆହ୍ୱାନ, ଭାଷଣ ଶୁଣି ଯୁବକମାନେ ସେନା ବାହିନୀରେ ଯୋଗ ଦେବାକୁ ଉତ୍ସାହିତ ହେଉଥିଲେ । ଏଥିପାଇଁ ନେତାଜୀ ନିଜର ବେଶଭୂଷା, ସାଙ୍କେତିକ ଭାଷା, ଆବେଗ- ସବୁକୁ ସୁନ୍ଦର ଭାବେ ବ୍ୟବହାର କରିଥିଲେ । ଜୀବନକାଳ ଭିତରେ ନେତାଜୀଙ୍କ କାର୍ଯ୍ୟ ଏତେ ବିବିଧ, ନାଟକୀୟ ଓ ରହସ୍ୟମୟ ଯେ, ଦେଶର ଜନମାନସରେ ସେ ଜଣେ ‘ଲୋକ ନାୟକ’(ଫୋକ୍‍ ହିରୋ) ବୋଲି କହିଛନ୍ତି ଭାରତୀୟ ଜନ ସଂଚାର ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଡ. ମୃଣାଳ ଚାଟାର୍ଜୀ ।ନେତାଜୀଙ୍କ ୧୨୫ତମ ଜନ୍ମ ଶତବାର୍ଷିକୀ ପାଳନ ଉପଲକ୍ଷେ ରବିବାର ସନ୍ଧ୍ୟାରେ ଭାରତୀୟ ଜନ ସଂଚାର ସଂସ୍ଥାନ, ଢେଙ୍କାନାଳ ଓ ଦ୍ୱିଭାଷୀ ମିଡିଆ ପତ୍ରିକା ‘କମ୍ୟୁନିକେସନ ଟୁଡେ’ ପକ୍ଷରୁ ‘ନେତାଜୀ ସୁଭାଷ ଚନ୍ଦ୍ର ବୋଷ: ଜଣେ ମହାନ ଯୋଗାଯୋଗକାରୀ’ ଶୀର୍ଷକରେ ଜାତୀୟ ୱେବନାର ଅନୁଷ୍ଠିତ ହୋଇଛି ।ଏଥିରେ ପ୍ରଫେସର ଚାଟାର୍ଜୀ ବିସ୍ତୃତ ଭାବେ ନେତାଜୀଙ୍କ ଯୋଗାଯୋଗ ଶୈଳୀ ଉପରେ ଆଲୋଚନା କରିଥିଲେ । ଗାନ୍ଧୀ ଓ ନେତାଜୀଙ୍କ ମଧ୍ୟରେ ବହୁ ସମାନତା ଥିଲା । ଉଭୟେ କାର୍ଯ୍ୟର କଥା କହୁଥିଲେ । ଗାନ୍ଧୀ ‘କର ଅବା ମର’ ସ୍ଲୋଗାନ ଦେଇଥିଲା ବେଳେ ନେତାଜୀ ‘ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି’ କହୁଥିଲେ । ଉଭୟେ ତ୍ୟାଗର କଥା କହିଥିଲେ । ମାତ୍ର ତ୍ୟାଗର ରୂପରେଖକୁ ନେଇ ଉଭୟଙ୍କ ମଧ୍ୟରେ ମତଭେଦ ଥିଲା । ଆହୁରି ସେ କହିଥିଲେ, ଖବରକାଗଜ ଓ ରେଡିଓର ବ୍ୟବହାର କରି ନେତାଜୀ ସ୍ୱାଧୀନତା ସଂଗ୍ରାମ ଓ ବ୍ରିଟିଶ ସାମ୍ରାଜ୍ୟର ଅପପ୍ରଚାର ବିରୋଧରେ ଲୋକଙ୍କୁ ସଚେତନ କରିବାରେ ସଫଳ ହୋଇଥିଲେ । କେଉଁ ଶ୍ରୋତାଙ୍କୁ କିଭଳି କହିବେ, ତାହା ଭଲ ଭାବେ ନେତାଜୀ ଜାଣିଥିଲେ । ୱାର୍ଦ୍ଧା ସ୍ଥିତ ମହାତ୍ମା ଗାନ୍ଧୀ ଅନ୍ତର୍ଜାତୀୟ ହିନ୍ଦୀ ବିଶ୍ୱବିଦ୍ୟାଳୟର ଗଣ ଯୋଗାଯୋଗ ବିଭାଗୀୟ ମୁଖ୍ୟ କ୍ରିପାଶଙ୍କର ଚୌବେ ନେତାଜୀଙ୍କ ସାମ୍ବାଦିକତା ଉପରେ କହିଥିଲେ । ‘ଫରୱାର୍ଡ ବ୍ଲକ’ ସମ୍ବାଦପତ୍ର ମାଧ୍ୟମରେ ନେତାଜୀ ଦେଶର କୃଷକ, ଶ୍ରମିକଙ୍କ ବହୁବିଧ ସମସ୍ୟା, ବାମପନ୍ଥୀ ଚିନ୍ତାଧାରର ପ୍ରସାର, କଂଗ୍ରେସର ବିଭିନ୍ନ କାର୍ଯ୍ୟକଳାପ ଉପରେ ଟିପ୍ପଣୀ, ଆଦି ବିଭିନ୍ନ ବିଷୟରେ ନେତାଜୀ ନିଜର ସ୍ୱତନ୍ତ୍ର ମତ ରଖୁଥିଲେ ।କାର୍ଯ୍ୟକ୍ରମକୁ ‘କମ୍ୟୁନିକେସନ ଟୁଡେ’ର ସମ୍ପାଦକ ପ୍ରଫେସର ସଞ୍ଜୀବ ଭନାୱତ ପରିଚାଳନା କରିଥିଲେ । ଆରମ୍ଭରେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ସହକାରୀ ପ୍ରଫେସର ଭାବନା ଆଚାର୍ଯ୍ୟ ଧନ୍ୟବାଦ ଦେଇଥିଲେ । ୱେବନାରରେ ଆଇଆଇଏମ୍‍ସି ଆଇଜଲ, କୋଟାୟମ, ଢେଙ୍କାନାଳର ଛାତ୍ରଛାତ୍ରୀ, ଅଧ୍ୟାପକ, କର୍ମଚାରୀ ଯୋଗ ଦେଇଥିଲେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: