ଆଗେ ଦେଶ, ପରେ ସଂସାର, ଲକ୍ଷ୍ୟ: ନକ୍ସଲ ନିପାତ

ଆଗେ ଦେଶ, ପରେ ସଂସାର, ଲକ୍ଷ୍ୟ: ନକ୍ସଲ ନିପାତ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ‘ଦେଶ ସେବା ସର୍ବୋପରି, ମାଟି ମାଆର ସୁରକ୍ଷା ଆଗ ନିଜ ସୁଖ, ପ୍ରେମ ଓ ସଂସାର ପଛ’ ହୁଏତ ଏହା ଆପଣଙ୍କୁ କୌଣସି ଚଳଚିତ୍ରର ସଂଳାପ ପରି ଲାଗିପାରେ କିନ୍ତୁ ଏହା କୌଣସି ଡାଏଲଗ ନୁହେଁ । ଏହା କୌଣସି ଗପ ବା କାହାଣୀର ଆଧାର ବି ନୁହେଁ । ଏହା ବାସ୍ତବ ଜୀବନର ସେହି ସତ ଯାହାକୁ ଶୁଣିଲେ ଜାଣିଲେ ପଢ଼ିଲେ ଆପଣଙ୍କ ରୋମ ଟାଙ୍କୁରି ଉଠିବ । ଯାହାକୁ ଆଜି ସମସ୍ତେ ପ୍ରଶଂସା କରୁଛନ୍ତି , ବାହାବା କହୁଛନ୍ତି ଏବଂ ଆଶୀର୍ବାଦ ଦେଉଛନ୍ତି ।

ହଁ ଆମେ କହୁଛୁ ଦେଶ ସେବା ଆଗ, ଶତ୍ରୁର ସଂହାର ପ୍ରଥମ ବୋଲି ମନରେ ରଖି ଦେଶ ମାତୃକାର ସେବାରେ ନିୟୋଜିତ ଏକ ଦମ୍ପତିଙ୍କ ବିଷୟରେ । ଯାହାଙ୍କ କଥା ଓ କାହାଣୀ ବର୍ତ୍ତମାନ ଅନନ୍ୟ ଉଦାହରଣ ହୋଇ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାଇରାଲ ହେଉଥିବା ଏହି ନବବିବାହିତ ହେଉଛନ୍ତି ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ ବା ସିଆରପିଏଫରେ ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ଭାବେ କାମ କରୁଥିବା ଇଶିତା ଏବଂ ତାଙ୍କ ପତି ଗୌରବ । ଏହି ଦମ୍ପତିଙ୍କ ବିବାହ ଗତ ବର୍ଷ ହିଁ ହୋଇଛି । ବିବାହ ପରଠାରୁ ସେମାନେ ନକ୍ସଲ ପ୍ରବଣ ଛତିଶଗଡ଼ର ବିଭିନ୍ନ ଅଞ୍ଚଳରେ ଅପରେସନରେ ଅଛନ୍ତି ।

 ଦୁହେଁ 2019 ନଭେମ୍ବର ମାସରେ ବିବାହ କରିଛନ୍ତି । ବିବାହ ସରିଛି କିନ୍ତୁ ସେମାନେ ସଂସାର କରିବାକୁ ପ୍ରାଥମିକତା ଦେଇନାହାନ୍ତି । ନିଜସ୍ୱ ଖୁସି,ସୁଖକୁ ଛାଡ଼ି ଆଗେଇ ଆସିଛନ୍ତି ଦେଶ ମାତୃକାର ସେବା କରିବାକୁ । ସଂସାର କଣ ବୁଝିବା ଆଗରୁ, ପରିବାର ଆଗକୁ ନେବା ନିଷ୍ପତ୍ତି ପୂର୍ବରୁ, ଘର ସମ୍ଭାଳିବାର ଗୁରୁ ଦାୟିତ୍ୱକୁ ପଛ କରି ସେମାନେ ଶତ୍ରୁ ଦାଉରୁ ଦେଶକୁ ସୁରକ୍ଷା ଦେବା ଏବଂ ଦେଶ ସମ୍ଭାଳିବାର ଜିଦ୍ ଧରି ବସିଛନ୍ତି । ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ପ୍ରାଥମିକତା ଦେଇ ସେମାନେ ଶତ୍ରୁକୁ ସିଂହରଡ଼ି ଦେଇ ନିପାତ କରୁଛନ୍ତି । ବିବାହ ପରଠାରୁ ହିଁ ନକ୍ସଲ ନିପାତ ଅଭିଯାନରେ ସାମିଲ ଥିବା ଏହି ନବଦମ୍ପତିଙ୍କ ସମ୍ପର୍କରେ ସୋସିଆଲ ମିଡିଆରେ ଖବର ଭାଇରାଲ ହେବା ପରେ ଅନେକ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଜୀବନର ସୁଖମୟ ହେଉ ବୋଲି ଆଶୀର୍ବାଦ ଦେଉଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: