ଭୁଶୁଡ଼ୁଛି ଲାଲ୍ ଦୁର୍ଗ,ହଜିଯିବ ଅସ୍ତିତ୍ୱ ! EXCLUSIVE

ଭୁଶୁଡ଼ୁଛି ଲାଲ୍ ଦୁର୍ଗ,ହଜିଯିବ ଅସ୍ତିତ୍ୱ ! EXCLUSIVE

ପ୍ରିଜମ୍ ନ୍ୟୁଜ୍ EXCLUSIVE: କନ୍ଧମାଳ ଜିଲ୍ଲାରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ ଘଟି ୪ ଜଣ ମାଓବାଦୀ ନିହତ ହୋଇଛନ୍ତି । ସ୍ପେଶାଲ ଅପରେସନ ଗ୍ରୁପ (SOG) ଏବଂ ଜିଲ୍ଲା ଭଲୁଣ୍ଟାରୀ ଫୋର୍ସ (DVF)ର ମିଳିତ ଅପରେସନରେ ମାଓବାଦୀମାନେ ନିହତ ହୋଇଛନ୍ତି । ଏହାସହ ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି । ଘଟଣାସ୍ଥଳରେ କମ୍ୱିଂ ଅପରେସନ ଜାରି ରହିଛି । ତୁମୁଡ଼ିବନ୍ଧ ଅଞ୍ଚଳର ସିରଲା ଜଙ୍ଗଲରେ ଖବର ପାଇଁ ଏସଓଜି ଓ ଡିଭିଏଫ୍ ଯବାନ ମିଳିତ ଅପରେସନ କରିଥିଲେ । ଏହି ସମୟରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଫଳରେ ୪ ଜଣ ମାଓବାଦୀ ନିହତ ହୋଇଥିଲେ । ତେବେ ନିହତ ହୋଇଥିବା ମାଓବାଦୀମାନେ କଳାହାଣ୍ଡି-କନ୍ଧମାଳ-ବୌଦ୍ଧ-ନୟାଗଡ଼ ଡିଭିଜନର ବଂଶଧାରା-ଘୁମୁସର-ନାଗାବଳୀ ଗ୍ରୁପର ବୋଲି ସରକାରୀ ସୂଚନାରୁ ଜଣାପଡ଼ିଛି । ଗତ ଲୋକସଭା ନିର୍ବାଚନ ସମୟରେ ଏହି ଡିଭିଜନରେ ଡୁଇଟି ଇଭିଏମ୍ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ । ଇଭିଏମ୍ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ଜିନିଷପତ୍ର ଜଳି ଯାଇଥିଲା । ଗତ ଆଠମାସ ଧରି ଓଡ଼ିଶା-ଆନ୍ଧ୍ର ସୀମାରେ ମାଓବାଦୀମାନେ ଆଉ ସେତେଟା ସକ୍ରିୟ ନାହାନ୍ତି । ଗୁରୁପ୍ରିୟା ସେତୁ ନିର୍ମାଣ ପରେ କୋରାପୁଟ ଓ ମାଲକାନଗିରି ସୀମାନ୍ତରେ ମାଓବାଦୀମାନେ ପୂର୍ବାପେକ୍ଷା ଶାନ୍ତ ପଡ଼ି ଯାଇଛନ୍ତି । ଏହି ଅଞ୍ଚଳର ଅନେକ ମାଓବାଦୀ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି । ସେହିପରି ଏବେ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳବାସୀଙ୍କୁ ପୋଲିସ ନିଜେ ସୁରକ୍ଷା ଦେଉଛି । ଛଅ ମାସ ପୂର୍ବର ଘଟଣା, ମାଲକାନଗିରି ଜିଲ୍ଲା ଜନ୍ତୁରାଇରେ ପ୍ରଥମେ ଦୁଇଜଣ ମାଓବାଦୀଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିଲେ ସ୍ୱାଭିମାନ ଅଞ୍ଚଳବାସୀ । ମାଓବାଦୀଙ୍କ ଅତ୍ୟାଚାରକୁ ବିରୋଧ କରିବା ସହ ଦୁଇଜଣ ମାଓବାଦୀଙ୍କୁ ଲୋକେ ନିସ୍ତୁକ ମାଡ଼ ମାରିଥିଲେ । ଘଟଣାରେ ମାଓବାଦୀ ଆଡ଼ମାର ମୃତ୍ୟୁ ହୋଇଥିବା ବେଳେ ଲୋକଙ୍କ ମାଡ଼ରେ ଗୁରୁତର ହୋଇ ମାଲକାନଗିରି ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲା ଆଉ ଜଣେ ମାଓବାଦୀ । ଏପରିକି ମୃତ ମାଓବାଦୀ ଆଡ଼ମାର ମୁଣ୍ଡପାଇଁ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲା ପୋଲିସ।

ପୂର୍ବରୁ ମାଓ ଅଧ୍ୟୁଷିତ ଅଞ୍ଚଳର ଲୋକମାନେ ମାଓବାଦୀଙ୍କ ଇନଫର୍ମର୍ ହିସାବରେ କାମ କରୁଥିଲେ । ସେହି ଲୋକମାନଙ୍କୁ ହାତ କରି ମାଓବାଦୀମାନେ ହିଂସ୍ର ହୋଇ ଉଠୁଥିଲେ । କିନ୍ତୁ ସମୟ ବଦଳିଛି । ଏଣିକି ରାଜ୍ୟର ମାଓବାଦୀ ଅଧ୍ୟୁଷିତ ଅଞ୍ଚଳର ଲୋକ ବି ସଚେତନ ହେଲେଣି। ସେମାନଙ୍କୁ ଲୋଡ଼ା କାମ। ସେମାନଙ୍କୁ ଲୋଡ଼ା ସ୍ଥାନୀୟ ଅଞ୍ଚଳର ଉନ୍ନତି। ମାଲକାନଗିରି ଗୁମ୍ମା ମାଓ ଡିଭିଜନରେ ପାର୍ଟିର ସଦସ୍ୟ ରୂପେ କାର୍ଯ୍ୟ କରୁଥିଲା ଆଡ଼ମା । ଆହତ ମାଓବାଦୀ ଜିପ୍ରୋ ନିଜ ଦଳରେ ଏରିଆ କମାଣ୍ଡର ରୂପେ କାର୍ଯ୍ୟ କରୁଥିଲା। ତା’ ମୁଣ୍ଡ ପାଇଁ ମଧ୍ୟ ରହିଥିଲା ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି । ତେବେ ପ୍ରତି ଆକ୍ସନର ରିଆକ୍ସନ ଭଳି ଏହି ଘଟଣାରେ ବି ଉତ୍ତ୍ୟକ୍ତ ମାଓବାଦୀମାନେ ରୋଗ ବିକଳରେ ତାଟିଆ କାମୁଡ଼ିଛନ୍ତି । ମାଓବାଦୀମାନେ ଉତ୍ତ୍ୟକ୍ତ ହୋଇ ସ୍ଥାନୀୟ ଅଞ୍ଚଳରେ ଅନେକ ଘର ଭାଙ୍ଗିଛନ୍ତି । ବିଭିନ୍ନ ସମୟରେ ଲୋକଙ୍କୁ ମାଡ଼ ମାରୁଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି । ଗଜପତି ଜିଲ୍ଲାରେ ମଧ୍ୟ ମାଓବାଦୀମାନେ ଆଉ ସକ୍ରିୟ ନାହାନ୍ତି । ଗଜପତି ଏସପି ସାରା ଶର୍ମାଙ୍କ ପ୍ରିଜମ୍ ନ୍ୟୁଜକୁ ଦେଇଥିବା ସୂଚନା ଅନୂସାରେ, ଏହି ଜିଲ୍ଲାରେ ଏବେ ମାଓବାଦୀ ମାନେ ଆଉ ସକ୍ରିୟ ନାହାନ୍ତି । ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଉଛନ୍ତି ଏବଂ ସଚେତନ କରିବା ଦିଗରେ ପୋଲିସର ବଡ଼ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେଥିପାଇଁ ଅନେକ ଜନ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରାଯାଉଛି ।

୨୦୦୨ରୁ ୨୦୦୬ ପର୍ଯ୍ୟନ୍ତ ନକ୍ସଲମାନେ ପ୍ରାୟ ୩ ହଜାର ଲୋକଙ୍କୁ ହତ୍ୟା କରିଥିଲେ। ୨୦୧୦ରେ ଛତିଶଗଡ଼ରେ ସବୁଠୁ ବଡ଼ ହିଂସା କରିଥିଲେ ନକ୍ସଲ। ଗତ ୨୦ ବର୍ଷ ଭିତରେ ପ୍ରାୟ ୧୦ରୁ ୧୫ ହଜାର ଲୋକଙ୍କୁ ନକ୍ସଲମାନେ ହତ୍ୟା କରିଛନ୍ତି। ସେଥିରେ ଆମର ଯବାନମାନେ ମଧ୍ୟ ସାମିଲ ଅଛନ୍ତି। ଓଡ଼ିଶାରେ ମଧ୍ୟ ମାଓବାଦୀମାନେ ଅନେକ ହିଂସା କରିଛନ୍ତି। ୨୦୦୮ ମସିହା ଜୁନ ୨୯ରେ ମାଲକାନଗିରିର ବାଲିମେଳା ଜଳଭଣ୍ଡାରସ୍ଥିତ ଆଲାମ୍ ପକାରେ ମାଓବାଦୀମାନେ ଆକ୍ରମଣ କରି ଏକ ଡଙ୍ଗା ବୁଡ଼ାଇ ଦେଇଥିଲେ। ଏଥିରେ ୩୮ ଜଣ ଯବାନ ସହିଦ ହୋଇଥିଲେ ଏବଂ ୨୬ ଜଣ ଯବାନ ବଞ୍ଚି ଯାଇଥିଲେ। ସେହିପରି ସେହିବର୍ଷ ଜୁଲାଇ ୧୭ରେ MV-126ରେ ଆଣ୍ଟି ଲ୍ୟାଣ୍ଡମାଇନ ଗାଡ଼ିକୁ ମାଓବାଦୀମାନେ ବିସ୍ଫୋରଣ କରି ଉଡ଼ାଇ ଦେଇଥିଲେ। ଏଥିରେ ଜଣେ ପୋଲିସ ଆରଆଇଙ୍କ ସମେତ ୧୭ ଜଣ ଯବାନ ସହିଦ ହୋଇଥିଲେ। କେବଳ ମାଲକାନଗିରି ନୁହେଁ, କୋରାପୁଟ, ରାୟଗଡ଼ା, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ ଆଦି ସ୍ଥାନରେ ମାଓବାଦୀ ଏବେ ବି ସକ୍ରିୟ ଅଛନ୍ତି ଏବଂ ବିଭିନ୍ନ ସମୟରେ ଛୋଟବଡ଼ ହିଂସା ବି ଘଟାଉଛନ୍ତି ।

ପୂର୍ବ ବର୍ଷ ଅପେକ୍ଷା ୨୦୧୯ରେ ଜିଲ୍ଲାରେ ମାତ୍ର ଗୋଟିଏ ସ୍ଥାନରେ ପୋଲିସ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିଲା । ଏଥିରେ ଜୟରାମ କବାସୀ ନାମକ ଜଣେ ଜଣେ ଓ.ଏ.ପି.ଏଫ ଯବାନ ସହିଦ ହୋଇଥିବା ବେଳେ ରାମ ଦୁରୁଆ ନାମକ ଜଣେ ଯବାନ ଗୁରୁତର ଆହତ ହୋଇଥିଲେ। କିନ୍ତୁ ପୋଲିସ ଗୁଳିରେ ସୋଡ଼ି ବୁଦ୍ରା ଓରଫ ରାକେଶ ନାମକ ଡିସିଏମ କ୍ୟାଡର ଜଣେ ମାଓବାଦୀ ନିହତ ହୋଇଥିଲା। ଏହାସହ ବହୁ ମାଓ ଅସ୍ତ୍ରଶସ୍ତ୍ର ଓ ଦୈନନ୍ଦିନ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଥିଲା। ସେହପରି ପୋଲିସ ମୋଟ ୨୨ ଜଣ ମାଓବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ମାଥିଲି ଥାନା ଅନ୍ତର୍ଗତ ମହୁପଦର ଅଞ୍ଚଳର ପ୍ରାୟ ୨୫୦ ରୁ ଉର୍ଦ୍ଧ୍ୱ ମାଓ ସମର୍ଥକ ଆତ୍ମସମର୍ପଣ କରିଛନ୍ତି। ଚଳିତ ବର୍ଷ ୬ ଜଣ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ବେଳେ ବିଭିନ୍ନ ସମୟରେ ପୁଲିସ ସୂଚନାକାରୀ ଓ ମାଓ ସଂଗଠନ ବିରୋଧୀ କାର୍ଯ୍ୟ କରିଥିବା ଅଭିଯୋଗରେ ମାଓବାଦୀମାନେ ୩ ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରିଛନ୍ତି । ବିଗତ ୫ ବର୍ଷରେ ମାଲକାନଗିରିରେ ମୋଟ ୩୦ ଜଣ ମାଓବାଦୀ ପୋଲିସ ଗୁଳିରେ ନିହତ ହୋଇଥିବା ବେଳେ ୩୦ଜଣଙ୍କୁ ମାଓବାଦୀ ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା କରିଛନ୍ତି ।

ସେହିପରି ୨୦୦୯ ଫେବ୍ରୁଆରୀ ମାସରେ ନକ୍ସଲ ନିପାତ ପାଇଁ କେନ୍ଦ୍ର ସରକାର ଏକ ଆକ୍ସନ ପ୍ଲାନ କରିଥିଲେ, ଯାହାର ନାଁ ଥିଲା Integrated action plan। କର୍ଣ୍ଣାଟକ, ଛତିଶଗଡ଼, ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା, ମହାରାଷ୍ଟ୍ର, ଝାଡଖଣ୍ଡ, ବିହାର, ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ନକ୍ସଲ ଦମନ ପାଇଁ ସରକାର ଏହି ପ୍ଲାନ୍ କରିଥିଲେ।ଏହାପରେ ୨୦୧୭ରେ ଗୃହ ମନ୍ତ୍ରାଳୟ ପକ୍ଷରୁ ନକ୍ସଲ ସମସ୍ୟାକୁ ଦୂର କରିବାକୁ ‘ସମାଧାନ’ ନାଁରେ ଏକ ସ୍ୱତନ୍ତ୍ର ଯୋଜନା ଅଣାଯାଇଥିଲା।ଏଥିରେ ଆର୍ମିକୁ ଫୁଲ୍ ପାୱାର ଦିଆଯାଇଥିଲା। ଏହାପରେ ପ୍ରତିବର୍ଷ ମାଓ ଦମନ ରଣନୀତି ପାଇଁ ସବୁ ରାଜ୍ୟର ମିଳିତ ବୈଠକ ବସିଥାଏ। ତେଣୁ, ହିଂସାପଥରୁ ଦୂରେଇ ଯିବା ହିଁ, ସେମାନଙ୍କ ପାଇଁ ବିକଳ୍ପ ରାସ୍ତା, ନଚେତ୍ ଆଗାମୀ ଦିନରେ ଲାଲବାହିନୀର ନାଁ ବି ଲିଭିଯିବ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: