ନବୀନଙ୍କ ଆଗୁଆ ଭେଟି: ପିପିଲିରେ ପ୍ରକଳ୍ପ ବର୍ଷା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଯେକୌଣସି ମୁହୂର୍ତ୍ତରେ ପିପିଲି ଉପ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇପାରେ। କିନ୍ତୁ ଏହା ପୂର୍ବରୁ ସେଠାରେ ପ୍ରକଳ୍ପ ବର୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପିପିଲି ଓ ଡେଲାଙ୍ଗ ପାଇଁ ୬୭.୬୮ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଭିଡିଓ କନଫରେନ୍ସିଂ ଜରିଆରେ ପିପିଲି ଓ ଡେଲାଙ୍ଗ ଲୋକଙ୍କ ସହ କଥା ହେବା ସହ ମୁଖ୍ୟମନ୍ତ୍ରୀ ସେମାନଙ୍କ ସୁଖଦୁଃଖ ପଚାରି ବୁଝିଛନ୍ତି।

ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ପିପିଲି ବିକାଶ ପାଇଁ ହାତ ବଢାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଥିପାଇଁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପିପିଲି ବ୍ଲକ, ଡେଲାଙ୍ଗ ବ୍ଲକ ଓ ପିପିଲି ପୌରାଞ୍ଚଳ ପାଇଁ ୬୭ କୋଟି ୬୮ ଲକ୍ଷ ଟଙ୍କା ବ୍ୟୟ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି। ଏହି ପ୍ୟାକେଜରେ ଦୁଇଟି ବ୍ଳକର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ମଧ୍ୟ ମୁଖ୍ୟମନ୍ତ୍ରୀ କରିଛନ୍ତି। ରାସ୍ତା ଘାଟ, ଜଳସେଚନ, ଷ୍ଟାଡିୟମ, ବସ୍ ଷ୍ଟାଣ୍ଡ୍, ସେତୁ ଇତ୍ୟାଦି ଭଳି ବିକାଶମୂଳକ ପ୍ରକଳ୍ପ ହେବ। ସେହିପରି ପିପିଲି ବ୍ଲକ୍ ପାଇଁ ୨୪ କୋଟି ୪୧ଲକ୍ଷ ଓ ପୌରାଞ୍ଚଳ ପାଇଁ ୧୬ କୋଟି ୮୫ଲକ୍ଷ ଟଙ୍କା ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ନବୀନ। ପିପିଲି ପୌରାଞ୍ଚଳରେ ନୂଆ ବସଷ୍ଟାଣ୍ଡ ନିର୍ମାଣ ପାଇଁ କୋଟିଏ ୫୦ ଲକ୍ଷ, ନୂଆ ହସ୍ତଶିଳ୍ପ ଭେଣ଼୍ଡଂ ମାର୍କେଟ ପାଇଁ କୋଟିଏ ୫୦ ଲକ୍ଷ, ଟାଉନହଲ ଓ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଏକ କୋଟି ୫୦ ଲକ୍ଷ, ଭୁବନାନନ୍ଦ ପୁଷ୍କରିଣୀ ପୁନରୁଦ୍ଧାର ଓ ଉନ୍ନତି ପାଇଁ ୨କୋଟି, ପାଣି ପାଇପ୍‌ ଲାଇନ ସମ୍ପ୍ରସାରଣ ପାଇଁ ୭କୋଟି , ୭୭ଟି କଂକ୍ରିଟ ରୋଡ୍ , କମ୍ୟୁନିଟି ସେଣ୍ଟର, ଡ୍ରେନ୍ ଆଦି ନିର୍ମାଣ ପାଇଁ ୧କୋଟି ଟଙ୍କା ଖର୍ଚ୍ଚ ହେବ।

%d bloggers like this: