ପଦ୍ମପୁରବାସୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ପଦ୍ମପୁରବାସୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ପ୍ରିଜମ ନ୍ୟୁଜ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନରେ ବିଜେଡିର ବିଜୟ ପରେ ପଦ୍ମପୁରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇ କହିଛନ୍ତି, ପ୍ରିୟ ଭାଇ ଓ ଭଉଣୀମାନେ। ଆପଣମାନଙ୍କୁ ସମସ୍ତଙ୍କୁ ମୋର ଜୁହାର ଏବଂ ଏହି ଅଭୂତପୂର୍ବ ବିଜୟ ପାଇଁ ଧନ୍ୟବାଦ। ଏହା ଆଉ କାହାର ବିଜୟ ନୁହେଁ। ଏହା ପଦ୍ମପୁରବାସୀଙ୍କ ବିଜୟ । ବିଜେଡିର ଲକ୍ଷ ଲକ୍ଷ କର୍ମୀମାନଙ୍କୁ ମୁଁ ଧନ୍ୟବାଦ ଜଣାଇବାକୁ ଚାହୁଁଛି। ଆପଣମାନେ ବହୁତ ବ୍ୟବସ୍ଥିତ ଭାବେ ଓ ନିଷ୍ଠାର ସହ କାମ କରିଛନ୍ତି। ସରକାରଙ୍କ ଭଲ ଭଲ ଯୋଜନା ଗୁଡିକୁ ଲୋକଙ୍କ ପାଖରେ ରଖିଛନ୍ତି ଓ ବିରୋଧୀ ଦଳର ସବୁ ମିଛ କଥାକୁ ଲୋକଙ୍କ ସମ୍ମୁଖରେ ରଖିଛନ୍ତି ।

କିଛି ଲୋକ ମୋତେ ପଚାରୁଛନ୍ତି, ଆପଣ ତ ପଞ୍ଚାୟତ ଇଲେକ୍‌ସନରେ ଯାଇ ନ ଥିଲେ, ବିଭିନ୍ନ ଉପନିର୍ବାଚନରେ ବି ଯାଇ ନଥିଲେ, ଏ ପଦମପୁର ଇଲେକ୍‌ସନରେ କାହିଁକି ଗଲେ ? ମୁଁ କହିବାକୁ ଚାହୁଁଛି ଯେଭଳି ଭାବରେ ଜଣେ ମହିଳାଙ୍କୁ, ଜଣେ ଶିକ୍ଷିତ ଅଳ୍ପ ବୟସର ମହିଳାଙ୍କୁ, ଜଣେ ବାପା ହରାଇ ଦୁଃଖରେ ଥିବା ମହିଳାଙ୍କୁ – ରାଜ୍ୟ ବିଜେପିର କିଛି ନେତୃମଣ୍ଡଳୀ ଅସମ୍ମାନ କଲେ, ତାହା ମୋତେ ବହୁତ ଦୁଃଖ ଦେଲା । ମୁଁ ଭାବୁଛି, ଏହା କେବଳ ମୋ ପାଇଁ ଦୁଃଖ ନୁହେଁ । ଓଡ଼ିଶାର ସବୁ ମହିଳା ମାନଙ୍କ ପାଇଁ ଦୁଃଖର କଥା ।

ରାଜନୀତିରେ ହାରିବା ଓ ଜିତିବା, ନିର୍ବାଚନ ଲଢିବା ଅଲଗା କଥା । କିନ୍ତୁ ଜଣେ ମହିଳାଙ୍କୁ ଏଭଳି ଭାବରେ ଅସମ୍ମାନ କରିବା, ଅତି ନିନ୍ଦନୀୟ। ସେଥିପାଇଁ ମୁଁ ନିଷ୍ପତ୍ତି ନେଲି, ମୁଁ ନିଜେ ଯାଇ ବର୍ଷା ସିଂ ପାଖରେ ଠିଆ ହେବି – ଜଣେ ବାପା ଭଳି, ଜଣେ ଭାଇ ଭଳି, ଜଣେ ବନ୍ଧୁ ଭଳି । ମୁଁ ବିରୋଧୀ ଦଳଙ୍କୁ ନମ୍ରତାର ସହ ଜଣାଇ ଦେବାକୁ ଚାହୁଁଛି ଯେ, ରାଜନୀତି କରିବା ବାହାନାରେ ଯଦି ମହିଳା ମାନଙ୍କୁ ଅସମ୍ମାନ କରାଯିବ, ତାକୁ କେବେ ଓଡିଶାବାସୀ ସମର୍ଥନ କରିବେ ନାହିଁ । ଆଜି ନୁହେଁ ବରଂ ସବୁବେଳେ। ଆଜି ମୁଁ ପଦ୍ମପୁରବାସୀଙ୍କ ପାଖରେ ଋଣୀ । ବିନମ୍ରତାର ସହ କହିବାକୁ ଚାହେଁ ଯେ ଆପଣମାନଙ୍କୁ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପାଳନ ହେବ। ଆଉ ଥରେ ସମସ୍ତଙ୍କୁ ଜୁହାର। ମୁଁ ବହୁତ ଶୀଘ୍ର ପଦମପୁରକୁ ଆସିବି। ଆପଣମାନଙ୍କର ଆଶୀର୍ବାଦ ନେବି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: