ଏବେ ହେବନି ମନ୍ତ୍ରିମଣ୍ଡଳ ଅଦଳବଦଳ, ପଞ୍ଚାୟତ ନିର୍ବାଚନ ଯାଏ ଗଡ଼ିବ !

ପ୍ରିଜମ୍ ନ୍ୟୁଜ(EXCLUSIVE):ରାଜ୍ୟ ରାଜନୀତିରେ ଚର୍ଚ୍ଚା ହେଉଥିଲା ଯେ, ନବୀନଙ୍କ ଟିମ୍ ବଦଳିବ। କିଛି ନୂଆ ଚେହେରା ଏଥିରେ ସ୍ଥାନ ପାଇବେ, ଆଉ କିଛି ପୁରୁଣା ଚେହେରାଙ୍କୁ ବିଶ୍ରାମ ଦିଆଯିବ। କେତେକ ଚର୍ଚ୍ଚିତ ଚେହେରାଙ୍କୁ ଦଳୀୟ କାର୍ଯ୍ୟ ପାଇଁ ଦାୟିତ୍ୱ ଦିଆଯିବ। ମାତ୍ର ଏବେ କଥା ଟିକେ ଅଲଗା ବାସୁଛି। ମିଳିଥିବା ସୂତ୍ର ଅନୁସାରେ, ଏବେ ରାଜ୍ୟ ସରକାରଙ୍କ ମନ୍ତ୍ରିମଣ୍ଡଳ ଅଦଳବଦଳ ହେବାର ସମ୍ଭାବନା କ୍ଷୀଣ। କାରଣ ଆଗକୁ ପୌର ଓ ପଞ୍ଚାୟତ ନିର୍ବଚନ ଅଛି।

ଆସନ୍ତା ୧୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ଼ ଗସ୍ତ କରିବେ। ଏହା ପୂ୍ର୍ବରୁ କଳାହାଣ୍ଡି ଗସ୍ତ କରି ବିଜେଡି ସୁପ୍ରିମୋ ପଶ୍ଚିମ ପଞ୍ଚଜନ୍ୟ ଫୁଙ୍କି ସାରିଛନ୍ତି। ଆଗକୁ ବଲାଙ୍ଗିର, ବରଗଡ଼ ଓ ସମ୍ୱଲପୁର ଗସ୍ତ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ତେଣୁ, ଏସବୁ ଭିତରେ ବର୍ତ୍ତମାନ ନବୀନଙ୍କ ମୁଖ୍ୟ ଫୋକସ୍ ପଶ୍ଚିମ ଓଡ଼ିଶା।

ଅନ୍ୟପଟେ ପରୀ ହତ୍ୟା ମାମଲା, ପିପିଇ କିଟ୍ ଦୁର୍ନୀତି, ଧାନ ଅବ୍ୟବସ୍ଥା ପ୍ରସଙ୍ଗ, ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଆଦି ଅଭିଯୋଗ ଆସିବା ପରେ ନବୀନଙ୍କ ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ, ସେସବୁ ପ୍ରସଙ୍ଗ ଏବେ ଶୀଥିଳ ପଡ଼ିଗଲାଣି। ସେହିପରି ବିଜେଡି ବିଧାୟକ ସୌମ୍ୟ ପଟ୍ଟନାୟକ ମନ୍ତ୍ରୀ ହେବାକୁ ବେଶ୍ ଆଶାବାଦୀ ଅଛନ୍ତି। ଅରୁଣ ସାହୁଙ୍କୁ ଯଦି ମନ୍ତ୍ରିମଣ୍ଡଳରୁ ବିଦା କରାଯାଏ, ତେବେ ନୟାଗଡ଼ କୋଟାରେ ସୌମ୍ୟଙ୍କୁ ସ୍ଥାନ ମିଳିପାରେ। କିନ୍ତୁ, ମାଷ୍ଟରଷ୍ଟ୍ରୋକ୍ ଷ୍ଟାର୍ ଭାବେ ପରିଚିତ ନବୀନ କୋଟା ଉପରେ ବିଶ୍ୱାସ କରନ୍ତି ନାହିଁ। ତା’ ଯଦି ହୋଇଥା’ନ୍ତା ତେବେ, ସୁବର୍ଣ୍ଣପୁର ଜିଲ୍ଲାରୁ ନିରଞ୍ଜନ ପୂଜାରୀ ଓ ପଦ୍ମନାଭ ବେହେରା ଉଭୟେ କେବେ ମନ୍ତ୍ରୀ ହୋଇ ନ ଥାନ୍ତେ। ସେହିପରି ବଦ୍ରି ପାତ୍ର, ପ୍ରଫୁଲ୍ଲ ସାମଲ ଏବଂ ଦେବୀ ମିଶ୍ର ମଧ୍ୟ ମନ୍ତ୍ରୀ ହେବାକୁ ଚାହାନ୍ତି। ତେଣୁ, ଦଳ ସେମାନଙ୍କ କଥା ବି ବିଚାରକୁ ନେଇପାରେ। ଆଗକୁ ପିପିଲି ଉପ ନିର୍ବାଚନ ଅଛି, ତେଣୁ ଏହାରି ଭିତରେ ସରକାର କୌଣସି ପ୍ରକାର ରିସ୍କ ନେବାକୁ ଚାହୁଁନାହାନ୍ତି।

ସେହିପରି ମହିଳାଙ୍କ ଉପରେ ଅଧିକ ଗୁରୁତ୍ୱ ଦେଉଥିବା ନବୀନ ସରକାର, ବିଧାନସଭା ଓ ସଂସଦରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ଦାବିରେ ଅଡ଼ି ବସିଛି। ତେଣୁ ମନ୍ତ୍ରିମଣ୍ଡଳରେ କେତେକ ମହିଳାଙ୍କୁ ବି ଦଳ ସ୍ଥାନ ଦେଇପାରେ। ବରି ବିଧାୟିକା ସୁନନ୍ଦା ଦାସ ଏବଂ ଚମ୍ପୁଆ ବିଧାୟିକା ମୀନାକ୍ଷି ମହାନ୍ତଙ୍କୁ ମନ୍ତ୍ରୀପଦ ମିଳିବା ନେଇ ଚର୍ଚ୍ଚା ହେଉଛି। ପିପିଲି ଉପନିର୍ବାଚନ ପାଇଁ ବିଜେଡି ଯଦି ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀଙ୍କୁ ପ୍ରାର୍ଥୀ କରେ ଏବଂ ସେ ବିଜୟୀ ହୁଅନ୍ତି, ତେବେ ତାଙ୍କୁ ମଧ୍ୟ ନବୀନଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରେ। ତେଣୁ, ଏସବୁ ଦୃଷ୍ଟିକୁ ନଜରରେ ରଖି ମୁଖିଆ ନବୀନ ମନ୍ତ୍ରିମଣ୍ଡଳ ଅଦଳବଦଳକୁ କିଛିଦିନ ପାଇଁ ସ୍ଥଗିତ ରଖି ପାରନ୍ତି। ପଞ୍ଚାୟତ ନିର୍ବାଚନ ପରେ ହିଁ ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।

%d bloggers like this: