ମୋଦି ରାଜରେ ‘ଅରାଜକତା’ ଓ ଆସନ୍ତାକାଲିର ‘ଚକ୍କା ଜାମ’

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: କେନ୍ଦ୍ରର ମୋଦି ସରକାର ଚାଷୀଙ୍କ ହିତ ପାଇଁ ମହତ୍ୱାକାଂକ୍ଷୀ ତିନି କୃଷି ଆଇନ ଆଣିଥିବା ଦାବି କରୁଛନ୍ତି । ଏହି ଆଇନ ଚାଷୀଙ୍କ ଭାଗ୍ୟ ଭବିଷ୍ୟତ ବଦଳାଇବାର ସାମର୍ଥ୍ୟ ରଖୁଥିବା ଦାବି କରୁଛନ୍ତି ସରକାର । କେନ୍ଦ୍ରର ଏହି ଆଇନକୁ କିନ୍ତୁ ଚାଷୀସଂଗଠନ ଏବଂ କଂଗ୍ରେସ ସମେତ ତମାମ ବିରୋଧୀ ‘କଳା ଆଇନ’ ଆଖ୍ୟା ଦେଇ ବିରୋଧ ଜାରି ରଖିଛନ୍ତି । ଲାଲକିଲ୍ଲାରେ ତାଣ୍ଡବ ପରେ ଆସନ୍ତାକାଲି (6 ଫେବ୍ରୁଆରୀ) ‘ଚକ୍କା ଜାମ’ର ଆହ୍ୱାନ ଦେଇଛନ୍ତି । ଦିଲ୍ଲୀରେ ବଡ଼ ଧରଣର ଆନ୍ଦୋଳନ ପାଇଁ ସଜବାଜ ସରିଛି ଆଉ ଦେଶର କୋଣ ଅନୁକୋଣରେ ଏହାକୁ ଚାଷୀ ସଂଗଠନର କମକର୍ତ୍ତା ଓ ଚାଷୀ ସମର୍ଥନ ଜଣାଇ ରାସ୍ତା ଅବରୋଧ କରିବା ପାଇଁ ଆହ୍ୱାନ ଦିଆଯାଇଛି ।

ଏହାରି ମଧ୍ୟରେ ଚାଷୀ ଆନ୍ଦୋଳନକୁ ମିଳିଥିବା “ବିଶ୍ୱସ୍ତରୀୟ ସମର୍ଥନ” ଜନିତ ସାଇଡ ଇଫେକ୍ଟ ବି ଗୁରୁତର ଭାବେ ପଡ଼ିଛି । ନାନା ମୁନିଙ୍କ ନାନା ମତ ଆଧାରରେ ଏବେ ଚାଷୀ ଆନ୍ଦୋଳନର ସଂଜ୍ଞା ବଦଳିଛି । ରାଜନୀତି ପ୍ରସଙ୍ଗଠୁ ଉର୍ଦ୍ଧ୍ୱରେ ଉଠି ଏହି ଆନ୍ଦୋଳନ ଦେଶର ଏକତା-ଅଖଣ୍ଡତା, ସାମାଜିକ ଓ ସାଂସ୍କୃତିକ ପରମ୍ପରାର ସୁରକ୍ଷା ଆଡକୁ ମୁହାଁଇଲାଣି । ଯାହାକୁ ଇନ୍ଧନ ଯୋଗାଉଛି ସାମାଜିକ ଗଣମାଧ୍ୟମ । ବିଶେଷ କରି ଟ୍ୱିଟରରେ ଆରୋପ-ପ୍ରତ୍ୟାରୋପ, ୟୁଟ୍ୟୁବରେ ଅନାମଧେୟ ପ୍ରସଙ୍ଗକୁ ନେଇ ରିପୋର୍ଟ, ଟେଲିଭିଜନରେ ଭିନ୍ନ ଭିନ୍ନ ଏଜେଣ୍ଡାରେ ପ୍ରସାରଣ ହେଉଥିବା ତଥାକଥିତ ପ୍ରପୋଗଣ୍ଡା ବା ଉଦ୍ଦେଶ୍ୟମୂଳକ ବିତର୍କ । ସବୁ ପରେ ବି ଅନ୍ନଦାତାଙ୍କ ଆନ୍ଦୋଳନକୁ କିଛି ବାହ୍ୟ ଶତ୍ରୁ ହାଇଜାକ କରି ନେଇ ଏହାକୁ ଭିନ୍ନ ଉଦ୍ଦେଶ୍ୟ ସାଧନ ପାଇଁ ବ୍ୟବହାର କରାଯାଉଥିବା ସରକାର କହୁଛନ୍ତି । ବିରୋଧୀ ଓ ମୁକ୍ତ ଚିନ୍ତାଧାରାର ବ୍ୟକ୍ତି ବିଶେଷଙ୍କ କହିବା କଥା ମୋଦି ରାଜରେ ଲାଲକିଲ୍ଲାରେ ଯେଉଁ ଅରାଜକତା (ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ କିଛି ଉତ୍ୟକ୍ତ ଚାଷୀ ସଂଗଠନର ସଦସ୍ୟଙ୍କ ଉଦ୍ଦେଶ୍ୟରେ) ହେଲା ତାହା ବିଶ୍ୱ ଆଗରେ ଭାରତର ଛବିକୁ ମଳିନ କଲା ।

ଏବେ ପ୍ରଶ୍ନ ଉଠୁଛି ଗତ ଗଣରାଜ୍ୟ ଦିବସରେ ଯେଉଁ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଲା ତାହା ଆସନ୍ତାକାଲି(ଚାଷୀଙ୍କ ଚକ୍କା ଜାମ ଆହ୍ୱାନ ମର୍ମରେ) କି ରୂପ ନେଉଛି ଦେଖିବାର କଥା । ଆନ୍ଦୋଳନ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ଅଦ୍ଭୂତ ପ୍ରକାର ବ୍ୟବସ୍ଥା କରିଛି । ଗାଜିପୁର, ଟିକିରି, ସିଙ୍ଗୁ ସମେତ ଦିଲ୍ଲୀକୁ ଲାଗିଥିବା ଅନ୍ୟ ସୀମାରେ ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି । ରାସ୍ତାରେ କଣ୍ଟା ବାଡ଼ କରାଯାଇଥିଲା ଯାହା ବିବାଦ ଉପରେ ଉଠାଇ ଦିଆଯାଇଛି । 10 ବିରୋଧୀ ଦଳର ପ୍ରତିନିଧିମଣ୍ଡଳକୁ ଆନ୍ଦୋଳନ ସ୍ଥଳକୁ ସୁରକ୍ଷା ଦୃଷ୍ଟି କୋଣରୁ ଅନୁମତି ନ ମିଳିବା ଇତ୍ୟାଦି ଇତ୍ୟାଦି ।

ଗତମାସରେ କୃଷକ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟ କଡା ଆଭିମୁଖ୍ୟ ଗ୍ରହଣ କରିଥିଲେ । କେନ୍ଦ୍ର ସରକାର ନୂଆ କୃଷି ଆଇନକୁ ସ୍ଥଗିତ ରଖନ୍ତୁ, ନହେଲେ ନିଜେ ସୁପ୍ରିମକୋର୍ଟ ଏନେଇ ପଦକ୍ଷେପ ନେବେ ବୋଲି ଚେତାବନୀ ଦେଇଥିଲେ । କେନ୍ଦ୍ର ସରକାରଙ୍କୁ କଡା ଭାଷାରେ ସୁପ୍ରିମକୋର୍ଟ କହିଛନ୍ତି, ଏତେ ଦିନ ଯାଏଁ ଆଲୋଚନାରୁ କୌଣସି ବାଟ ବାହାରି ପାରିଲା ନାହିଁ ଏବଂ ପରିସ୍ଥିତି ଧିରେ ଧିରେ ବିଗିଡିବାରେ ମଧ୍ୟ ଲାଗିଛି । ତେଣୁ ସରକାର କୃଷି ଆଇନକୁ ସ୍ଥଗିତ ରଖି ଏକ କମିଟି ଗଠନ କରନ୍ତୁ ଏବଂ ସମାଧାନର ବାଟ ବାହାର କରନ୍ତୁ । ସେପଟେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ କହିଛନ୍ତି, ଆଇନ୍ ସମ୍ବିଧାନ ବିରୋଧୀ ନହେଲେ ସୁପ୍ରିମକୋର୍ଟ ଏହାକୁ ସ୍ଥଗିତ ରଖିପାରିବେ ନାହିଁ ।

ମୋଦି ସରକାରଙ୍କ କୃଷି ଆଇନରେ ଏମିତି କଣ ରହିଛି, ଯାହାକୁ କୃଷକମାନେ କରୁଛନ୍ତି ବିରୋଧ…

ସରକାରଙ୍କ ବାଦି: ଏହି ଆଇନକୁ ସରକାର କଣ୍ଟ୍ରାକ୍ଟ ଫାର୍ମିଂ ମାମଲାରେ ଲାଗୁ କରିଛନ୍ତି । ଏହା ଦ୍ୱାରା ଚାଷରେ କ୍ଷତି ଆଶଙ୍କା କମ ରହିବ ଏବଂ କୃଷକ ମାନଙ୍କର ଆୟରେ ସୁଧାର ଆସିବ । ସମାନତା ଆଧାରରେ କୃଷକ ପ୍ରୋସେସର, ହୋଲସେଲର, ବଡ ଖୁଚୁରା ବ୍ୟବସାୟୀ, ରପ୍ତାନିକାରୀ ଇତ୍ୟାଦି ସହିତ  ଯୋଡି ହେବାରେ ସକ୍ଷମ ହୋଇପାରିବେ । କୃଷକମାନେ ଆଧୁନିକ ଜ୍ଞାନକୌଶଳ ଏବଂ ଉନ୍ନତ ଇନପୁଟ ପାଇବାରେ ସକ୍ଷମ ହେବେ । ତେବେ କହିବାକୁ ଗଲେ କଣ୍ଟ୍ରାକ୍ଟ ଫାର୍ମିଂକୁ ଅଧିକ ପ୍ରୋତ୍ସାହନ ଦିଆଯିବ । ଯେଉଁଥିରେ ବଡ଼ ବଡ଼ କମ୍ପାନୀଗୁଡିକ ଏକ ନିର୍ଦ୍ଦିଷ୍ଟ ଉତ୍ପାଦ ପାଇଁ ଚାଷୀମାନଙ୍କ ସହିତ ଚୁକ୍ତି କରିବେ । ଏହାର ମୂଲ୍ୟ ଆଗରୁ ସ୍ଥିର କରାଯିବ ଏବଂ ଏହା ଦ୍ୱାରା କୃଷକ ମାନେ ଉତ୍ପାଦ ସଠିକ ମୂଲ୍ୟ ପାଇ ପାରିବେ ।

କୃଷକଙ୍କ ଡର: ତେବେ ଚାଷୀଙ୍କ ପାଇଁ  କାମ କରୁଥିବା ସଂଗଠନ ଏବଂ କିଛି ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏହି ଆଇନରେ କୃଷକ ନିଜ ଜମିରେ କେବଳ ମାତ୍ର ଶ୍ରମିକ  ହୋଇ ରହିଯିବେ । କେନ୍ଦ୍ର ସରକାର ପାଶ୍ଚାତ୍ୟ ଦେଶ ଗୁଡ଼ିକର କୃଷି ମଡେଲକୁ  ଆମ କୃଷକଙ୍କ ଉପରେ ଥୋପିବାକୁ ଚାହୁଁଛନ୍ତି । କଣ୍ଟ୍ରାକ୍ଟ ଫାର୍ମିଂରେ କମ୍ପାନୀ ଗୁଡ଼ିକ କୃଷକ ମାନଙ୍କର ଶୋଷଣ କରିଥାନ୍ତି । ତାଙ୍କ ଉତ୍ପାଦନ ଗୁଡ଼ିକୁ ଖରାପ କହି ପ୍ରତ୍ୟାଖାନ କରିଦେଇଥାନ୍ତି । ଅନ୍ୟପକ୍ଷରେ, ବ୍ୟବସାୟୀମାନେ ଭୟ କରୁଛନ୍ତି ଯେ, ଯଦି ବଡ଼ ବଡ଼ ମାର୍କେଟ ଲିଡର ମାନେ କ୍ଷେତରୁ ଉତ୍ପାଦ କିଣିବେ ତେବେ ଏଜେଣ୍ଟମାନଙ୍କୁ କେହି ପଚାରିବେ ନାହିଁ ।

କୃଷି ଉତ୍ପାଦନ ବାଣିଜ୍ୟ ଏବଂ ବାଣିଜ୍ୟ ପ୍ରୋତ୍ସାହନ ଏବଂ ସୁବିଧା ଆଇନ-

ସରକାରଙ୍କ ଦାବି: ଏହି ଆଇନ ଲାଗୁ ହେଲେ କୃଷକମାନଙ୍କ ପାଇଁ ଏକ ସୁଗମ ଏବଂ ମୁକ୍ତ ପରିବେଶ ପ୍ରସ୍ତୁତ ହୋଇପାରିବ, ଯେଉଁଥିରେ ସେମାନଙ୍କୁ ନିଜ ସୁବିଧା ଅନୁଯାୟୀ କୃଷି ଉତ୍ପାଦ କିଣା-ବିକା କରିବାର ସ୍ୱାଧୀନତା ରହିବ । ‘ଏକ ଦେଶ, ଏକ କୃଷି ବଜାର’ ହେବ । ନିଜ ଇଚ୍ଛା ମୁତାବକ କୃଷକ ନିଜ ଉତ୍ପାଦ ବିକ୍ରି କରିପାରିବେ । କୃଷକ ମାନଙ୍କୁ ଅଧିକ ବିକଳ୍ପ ମିଳିବ, ଯାହାଦ୍ୱାରା ବଜାରରେ ମୂଲ୍ୟ ହ୍ରାସ ପାଇବ ଏବଂ ସେମାନଙ୍କୁ ତାଙ୍କ ଉତ୍ପାଦର ଉପଯୁକ୍ତ ମୂଲ୍ୟ ମିଳିପାରିବ ।

ଏହି ନିୟମ ଅନୁଯାୟୀ, ପାନ୍ କାର୍ଡ ଧାରୀ କୌଣସି ବ୍ୟକ୍ତି, କମ୍ପାନୀ, ସୁପର ମାର୍କେଟ ଯେକୌଣସି କୃଷକଙ୍କ ସାମଗ୍ରୀ ଯେକୌଣସି ସ୍ଥାନରୁ କିଣି ପାରିବେ । କୃଷିଜାତ ଦ୍ରବ୍ୟର ବିକ୍ରି କେବଳ କୃଷି ବଜାର (APMC) ରେ ହେବା ସର୍ତ୍ତକୁ ବର୍ତ୍ତମାନ ହଟାଇ ଦିଆଯାଇଛି। ଯେଉଁ କ୍ରୟ ଗୁଡ଼ିକ ବଜାର ବାହାରେ ହେବ, ସେହି ଦ୍ରବ୍ୟ ଗୁଡ଼ିକ ଉପରେ କୌଣସି ଟିକସ ରହିବ ନାହିଁ ।

କୃଷକଙ୍କ ଭୟ: ଯେତେବେଳେ କୃଷକଙ୍କ ଉତ୍ପାଦର କ୍ରୟ ମଣ୍ଡିରେ ହେବ ନାହିଁ, ସେତେବେଳେ ସରକାର ଏହି କଥାକୁ ରେଗୁଲେଟ କରିପାରିବେ ନାହିଁ ଯେ, କୃଷକଙ୍କୁ ସର୍ବନିମ୍ନ ସହାୟତା ମୂଲ୍ୟ (MSP) ମିଳୁଛି ନା ନାହିଁ । ଏଠାରେ MSPର ଗ୍ୟାରେଣ୍ଟି ଦିଆଯାଇନାହିଁ । କୃଷକମାନେ ସେମାନଙ୍କ ଫସଲ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟର ଗ୍ୟାରେଣ୍ଟି ଦାବି କରୁଛନ୍ତି । ସେମାନେ ଏହାକୁ କୃଷକଙ୍କ ଏକ ଆଇନଗତ ଅଧିକାର କରିବାକୁ ଚାହୁଁଛନ୍ତି, ଯାହା ଦ୍ୱାରା ଯେଉଁମାନେ ଧାର୍ଯ୍ୟ ଦାମ୍ ଠାରୁ କମରେ ଉତ୍ପାଦ କିଣିବେ ସେମାନଙ୍କୁ ଜେଲ ଦଣ୍ଡ ଦିଆଯାଇପାରିବ । ଏହି ନିୟମ ସହିତ ଚାଷୀଙ୍କ ମଧ୍ୟରେ ଆଉ ଏକ ବଡ ଭୟ ମଧ୍ୟ ରହିଛି ଯେ, ଯଦି କୃଷକ ଏବଂ କମ୍ପାନୀ ମଧ୍ୟରେ ବିବାଦ ଦେଖାଦିଏ, ତେବେ କୋର୍ଟର ଆଶ୍ରୟ ନିଆଯାଇପାରିବ ନାହିଁ । ଏହାର ସମାଧାନ କେବଳ SDM ଏବଂ DM ବାହାର କରିବେ ଯାହା ରାଜ୍ୟ ସରକାରଙ୍କ ଅଧୀନରେ କାମ କରେ । ଏମିତିରେ କୃଷକମାନେ ପ୍ରଶ୍ନ କରିଛନ୍ତି ଯେ SDM ଏବଂ DM ସରକାରୀ ଚାପରୁ ମୁକ୍ତ ହୋଇ କାମ କରିପାରିବେ କି ?

ବ୍ୟବସାୟୀ ମାନଙ୍କ କହିବା ଅନୁଯାୟୀ, ସରକାରଙ୍କ ନୂଆ ଆଇନରେ ସଫା ସଫା ଲେଖା ହୋଇଛି ଯେ, ମଣ୍ଡି ଭିତରକୁ ଫସଲ ଆସିଲେ ମାର୍କେଟ ଫିସ ଲାଗିବ ଏବଂ ମଣ୍ଡି ବାହାରେ ଫସଲ ବିକ୍ରି ହେଲେ ଫିସ ଲାଗିବ ନାହିଁ । ଯଦି ଏମିତି ହୁଏ ତେବେ ଧିରେ ଧିରେ ମଣ୍ଡି ବନ୍ଦ ହୋଇଯିବ । କେହି ମଣ୍ଡିରେ ଫସଲ କିଣିବେ ନାହିଁ  । ବ୍ୟବସାୟୀଙ୍କୁ ଲାଗୁଛି ଯେ ଏହା ଗୋଟିଏ ଦେଶ ଦୁଇଟି ମାର୍କେଟକୁ ପ୍ରୋତ୍ସାହନ ଦେବ ।

ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସଂଶୋଧନକୁ ମିଳିଲା ମଞ୍ଜୁରୀ

ସରକାରଙ୍କ ଦାବି: ଦେଶର ଅଧିକ କୃଷିଜାତ ଦ୍ରବ୍ୟ ଅମଳ ହୋଇଥାଏ, ତଥାପି ଶୀତଳ ଭଣ୍ଡାର ଏବଂ ପ୍ରକ୍ରିୟାକରଣ ଅଭାବରୁ କୃଷକମାନେ ସେମାନଙ୍କ ଉତ୍ପାଦର ଉଚିତ ମୂଲ୍ୟ ପାଇବାରେ ଅସମର୍ଥ ହୋଇଥାନ୍ତି । କାରଣ ଅତ୍ୟାବଶ୍ୟକ ବସ୍ତୁର ଖଣ୍ଡା ତାଙ୍କ ମୁଣ୍ଡ ଉପରେ ଥାଏ । ଏଭଳି ପରିସ୍ଥିତିରେ, ଯେତେବେଳେ ବି ଶୀଘ୍ର ନଷ୍ଟ ହୋଇଯାଉଥିବା କୃଷିଜାତ ଦ୍ରବ୍ୟର ଅମଳ ହୁଏ, ସେତେବେଳେ କୃଷକମାନଙ୍କୁ ବହୁ କ୍ଷତି ସହିବାକୁ ପଡିଥାଏ ।

ତେଣୁ, ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମରେ ସଂଶୋଧନ କରି ଶସ୍ୟ, ଖାଇବା ତେଲ, ତେଲ ମଞ୍ଜି, ଡାଲି, ପିଆଜ ଏବଂ ଆଳୁ ଇତ୍ୟାଦିକୁୂ ଏହି ଆକ୍ଟରୁ ବାଦ ଦିଆଯାଇଛି । ଏହା ସହିତ ବ୍ୟବସାୟୀମାନେ ସେହି କୃଷିଜାତ ଦ୍ରବ୍ୟର ଏକ ସୀମା ଠାରୁ ଅଧିକ ସଂରକ୍ଷଣ ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି । ଯେତେବେଳେ ସରକାରକୁ ଆବଶ୍ୟକତା ଅନୁଭବ ହେବ, ସେ ପୁଣି ଏହାର ପୁରୁଣା ବ୍ୟବସ୍ଥା ଲାଗୁ କରିବେ ।

କୃଷକଙ୍କ ଡର: ଏହି ଆକ୍ଟରେ ସଂଶୋଧନ ବଡ଼ ବଡ଼ କମ୍ପାନୀ ଏବଂ ବ୍ୟବସାୟୀ ମାନଙ୍କର ହିତ ପାଇଁ କରାଯାଇଛି । ଏହି କମ୍ପାନୀ ଏବଂ ସୁପର ମାର୍କେଟ ଗୁଡ଼ିକ କମ୍ ଦାମରେ ଉତ୍ପାଦ କିଣି ନିଜ ବଡ଼ ବଡ଼ ଗୋଦାମରେ ଏହାର ଭଣ୍ଡାର ପ୍ରସ୍ତୁତ କରି ପରବର୍ତ୍ତୀ ସମୟରେ ଅଧିକ ଦାମରେ ଗ୍ରାହକଙ୍କୁ ବିକ୍ରି କରିବେ ।

କାହିଁକି ହୋଇଥିଲା ଏହି ଆକ୍ଟ

ପୂର୍ବରୁ ବ୍ୟବସାୟୀମାନେ ସେମାନଙ୍କର ଉତ୍ପାଦକୁ ଏକ ତ୍ରୈମାସିକ ମୂଲ୍ୟରେ କ୍ରୟ କରି ପ୍ରଥମେ ଏହାକୁ ସଂରକ୍ଷଣ କରୁଥିଲେ । ପରେ, ସେ ନିଜର ଅଭାବ ଦର୍ଶାଇ ବ୍ଲାକ୍ ମାର୍କେଟିଂ କରୁଥିଲେ । ଏହାକୁ ବନ୍ଦ କରିବା ପାଇଁ ଜରୁରୀ ଦ୍ରବ୍ୟ ଆଇନ ପ୍ରଣୟନ କରାଯାଇଥିଲା । ଯେଉଁଥିରେ ବ୍ୟବସାୟୀମାନଙ୍କୁ କୃଷିଜାତ ଦ୍ରବ୍ୟର ସୀମାଠାରୁ ଅଧିକ ସଂରକ୍ଷଣ କରିବାକୁ ବାରଣ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ଏହାକୁ ସଂଶୋଧନ କରି ସରକାର ସେମାନଙ୍କୁ ବ୍ଲାକ୍ ମାର୍କେଟିଂର ସୁଯୋଗ ଦେଇଦେଇଛନ୍ତି ।

%d bloggers like this: