ସରକାରଙ୍କ ଏତେ ଜିଦ୍ କାହିଁକି ?

ପ୍ରିଜମ୍ ନ୍ୟୁଜ(କମଳାକାନ୍ତ ପତି): ଦିଲ୍ଲୀ ସୀମାନ୍ତରେ ଦୁଇ ମାସରୁ ଉର୍ଦ୍ଧ୍ୱ କାଳ ଧରି ଚାଲିଥିବା କୃଷକ ଆନ୍ଦୋଳନକୁ ଦେଖି ସାଧାରଣରେ ପ୍ରଶ୍ନ ଉଠିଲାଣି – ସରକାରଙ୍କ ଏତେ ଜିଦି କାହିଁକି ? ଯଦି ଆନ୍ଦୋଳନକାରୀ କୃଷକ ସେମାନଙ୍କର ଭଲ (ସରକାରୀ ଦାବି ଅନୁସାରେ ) ଚାହୁଁନାହାନ୍ତି, କିମ୍ବା ନୂଆ ତିନିଟି କୃଷି ଆଇନ ସେମାନଙ୍କ ହିତରେ ନୁହେଁ ବୋଲି କହୁଛନ୍ତି, ତେବେ ସରକାର ଏହାକୁ ଫେରାଇ ନେଉନାହାନ୍ତି କାହିଁକି ? କେବଳ ଦେଶ ଭିତରୁ ନୁହେଁ, ବିଦେଶରୁ ମଧ୍ଯ କୃଷକଙ୍କ ସପକ୍ଷରେ ମତ ପ୍ରକାଶ ପାଇଲାଣି। ବିଦେଶର ଅନେକ ସେଲିବ୍ରିଟି କୃଷି ଆଇନ ନେଇ ଭାରତ ସରକାରଙ୍କ ଏକଜିଦିଆ ମନୋଭାବକୁ ସମାଲୋଚନା କରି ଟ୍ୱିଟର ଯୁଦ୍ଧ ଚଲାଇଲେଣି। ଆନ୍ତର୍ଜାତିକ ପପ୍ ତାରକା ରିହାନା ଟ୍ୱିଟ୍ କରି କୃଷକ ଆନ୍ଦୋଳନ ସପକ୍ଷରେ ମତ ଦେବା ପରେ ଆନ୍ତର୍ଜାତିକ ମହଲରେ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇ ଯାଇଛି। ଏପରିକି ନାବାଳିକା ପରିବେଶବିତ୍ ସ୍ଵିଡେନର ଗ୍ରେଟା ଥୁନବର୍ଗ ଓ ମିୟା ଖାଲିଫାଙ୍କ ଭଳି କଳାକାର କୃଷକ ଆନ୍ଦୋଳନ ସପକ୍ଷରେ ଟ୍ୱିଟ୍ କରିଛନ୍ତି। ଅବଶ୍ୟ ଅନ୍ତର୍ଜାତୀୟ ମହଲର ଏଭଳି ମତ ମନ୍ତବ୍ୟର ପ୍ରତିଜବାବ ଦେବାକୁ ଯାଇ ଜାତୀୟତାବାଦ ଅସ୍ତ୍ରରେ ଶାଣଦେଇ ପାଲଟା ଜବାବ ଦେଇଛନ୍ତି କେନ୍ଦ୍ର ସରକାର।

ଆନ୍ତର୍ଜାତିକ ମହଲରୁ ଏଭଳି ଟ୍ୱିଟକୁ ‘ଭାରତ ବିରୋଧୀ’ କହିବାକୁ ପଛାଇ ନାହାନ୍ତି। ଏପରିକି ସଂଗଠିତ ପ୍ରୟାସ ମଧ୍ଯ ଦେଇ ସମ୍ପୂର୍ଣ୍ଣ ବିଷୟଟିକୁ ଦେଶ ପ୍ରେମର ମୋଡ଼ ଦେବାକୁ କେନ୍ଦ୍ର ସରକାର ପ୍ରୟାସ କରୁଛନ୍ତି। ପ୍ରଶ୍ନ ଉଠୁଛି, ଯଦି ସରକାର ଏତେ ଦେଶପ୍ରେମୀ ତେବେ ଏଭଳି କିଛି କାର୍ଯ୍ୟ କାହିଁକି କରୁଛନ୍ତି ଯାହା ଦେଶର ମର୍ଯ୍ୟାଦା ଉପରେ ପ୍ରଶ୍ନ ଚିହ୍ନ ଲଗାଉଛି ? କୃଷକମାନଙ୍କ ଦାବି ଉପରେ ଆଲୋଚନା ପାଇଁ କେନ୍ଦ୍ର ସରକାର ଏଗାର ଥର ବୈଠକ କଲେଣି। କୃଷି ମନ୍ତ୍ରୀ, ଖାଦ୍ୟ ମନ୍ତ୍ରୀ ଓ କୃଷି ଅଧିକାରୀମନେ ଆନ୍ଦୋଳନକାରୀ କୃଷକ ନେତାଙ୍କ ସହ ଆଲୋଚନା କରିଥିଲେ ମଧ୍ଯ ସମାଧାନର ପନ୍ଥା ବାହାରୁ ନାହିଁ। ସରକାର ଏବଂ ଆନ୍ଦୋଳନକାରୀ ନିଜ ନିଜ ଜିଦି ଛାଡୁ ନ ଥିବାରୁ ସମାଧାନ ପଥ ବନ୍ଦ ହୋଇରହିଛି। ଅନ୍ୟପଟେ ସରକାର କହୁଛନ୍ତି, ଏହି ଆନ୍ଦୋଳନ ପଛରେ ସାରା ଦେଶର କୃଷକଙ୍କ ସମର୍ଥନ ନାହିଁ। କେବଳ ପଞ୍ଜାବ, ହରିୟାଣା ଓ ପଶ୍ଚିମ ଉତ୍ତରପ୍ରଦେଶର କୃଷକମାନେ ନୂଆ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଚଳାଇଛନ୍ତି। ଏହି ଆନ୍ଦୋଳନ ପଛରେ ସରକାର ଖଲିସ୍ତାନୀ ଆନ୍ଦୋଳନକାରୀଙ୍କ ସମର୍ଥନର ଗନ୍ଧ ବାରୁଛନ୍ତି। ସରକାରଙ୍କ ଉଦ୍ଦେଶ୍ୟ ହେଉଛି, ଆନ୍ଦୋଳକାରୀଙ୍କୁ ଯେନତେନ ପ୍ରକାରେ ଦେଶଦ୍ରୋହୀର ଆଖ୍ୟା ଦେବା। ଏହି ସରକାରର ଗତ ଛଅ ବର୍ଷର ଟ୍ରାକ୍ ରେକର୍ଡରୁ ଦେଖିବାକୁ ମିଳୁଛି ଯେ, ବିକ୍ଷୋଭର ମୁକାବିଲା କରିବା ସକାଶେ ଗୋଟିଏ ଅସ୍ତ୍ର ପ୍ରୟୋଗ କରାଯାଉଛି। ଯେମିତି ହେଉ ଅନ୍ଦୋଳନକାରୀଙ୍କୁ ଦେଶ ଦ୍ରୋହୀର ଆଖ୍ୟା ଦେବା। କାଶ୍ମୀର ଲୋକେ ରାସ୍ତାକୁ ଓହ୍ଲାଇଲେ ଏହା ପଛରେ ପାକିସ୍ତାନ କିମ୍ବା ବିଚ୍ଛନ୍ନତାବାଦୀଙ୍କ ହାତ ରହିଛି ବୋଲି କୁହାଯାଏ। ବର୍ତ୍ତମାନର ସରକାର ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ ଠାରୁ ଦିଲ୍ଲୀ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସମାନ କୌଶଳ ଅବଲମ୍ବନ କରିଛନ୍ତି। ସରକାରଙ୍କୁ ସର୍ବତ୍ର ‘ଟୁକରୋ ଟୁକରୋ ଗ୍ୟାଙ୍ଗ’ର ସନ୍ଧାନ ମିଳୁଛି। ୩୭୦ ଧାରା ରଦ୍ଦ, ସିଏଏ-ଏନଆରସି ବିରୋଧୀ ଆନ୍ଦୋଳନ ବେଳେ ମଧ୍ଯ ସେହି ସମାନ ପ୍ରକାର ଅସ୍ତ୍ର ପ୍ରୟୋଗ କରିଛନ୍ତି ସରକାର। ସୁତରାଂ ସରକାର ନେଉଥିବା ନିଷ୍ପତ୍ତିକୁ ବିରୋଧ କରିବା ଅର୍ଥ ‘ଦେଶଦ୍ରୋହ’, ସହରୀ ନକ୍ସଲ, ନଚେତ ପାକିସ୍ତାନୀ ସମର୍ଥକ। କି ବିଚିତ୍ର ପରିସ୍ଥିତି। ଗାଣତାନ୍ତ୍ରିକ ରାଷ୍ଟ୍ରରେ ପ୍ରତିବାଦର କଣ୍ଠରୋଧ।


ବିଡ଼ମ୍ବନାର ବିଷୟ ହେଲା, ସରକାର ଆନ୍ଦୋଳକାରୀ କୃଷକଙ୍କ କ୍ଷେତ୍ରରେ ସମାନ ଅସ୍ତ୍ର ପ୍ରୟୋଗ କାରବାକୁ ଯାଇ ଅଡୁଆରେ ପଡିଛନ୍ତି। କୃଷି ଆଇନକୁ ବିରୋଧ କରି ଶିଖ୍ ଓ ଜାଠ୍ ଚାଷୀମାନେ ଦିଲ୍ଲୀ ସୀମାନ୍ତକୁ ଆସିଯିବା ପରେ ସେମାନଙ୍କ ପଛରେ ଖଲିସ୍ତାନୀ ସଂଗଠନର ହାତ ରହିଛି ବୋଲି ବିଜେପିର ନେତା ଓ ମନ୍ତ୍ରୀମାନେ କହିବାକୁ ଡେରି କଲେ ନାହିଁ। ମଝିରେ ସହରୀ ନକ୍ସଲ ଓ ପାକିସ୍ତାନର ସହଯୋଗ ରହିଥିବା ଅଭିଯୋଗ ମଧ୍ଯ ଉଠିଥିଲା। ପ୍ରଧାନମନ୍ତ୍ରୀ ପ୍ରଥମରୁ ଅଭିଯୋଗ କରି ଆସୁଛନ୍ତି ଯେ, କୃଷକ ଆନ୍ଦୋଳନ ପଛରେ ବିରୋଧୀ ରାଜନୈତିକ ଦଳର ନେତାମାନଙ୍କର ହାତ ରହିଛି। ଗତ ସାଧାରଣତନ୍ତ୍ର ଦିବସ ଅବସରରେ ଲାଲକିଲ୍ଲା ଠାରେ ଘଟି ଥିବା ହିଂସା ପଛରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ଉସକାନି ରହିଛି ବୋଲି ମନ୍ତ୍ରୀ ପ୍ରକାଶ ଜାଭଡେକର ବିଜେପି ମଞ୍ଚରୁ ଅଭିଯୋଗ କରିଥିଲେ। କୌଣସି ସମସ୍ୟା ଦେଖାଦେଲେ ରାଜନୈତିକସ୍ତରରେ ଏଭଳି ଆରୋପ ପ୍ରତ୍ୟାରୋପ ଶୁଣିବାକୁ ମିଳିବା କିଛି ଆଶ୍ଚର୍ଯ୍ୟକର ନୁହେଁ। ଆଶ୍ଚର୍ଯ୍ୟର ବିଷୟ ହେଉଛି, କୃଷକଙ୍କ ଅନେକ ଦାବି ମାନି ନେଇ ମଧ୍ଯ ସରକାର ସେମାନଙ୍କୁ ଆନ୍ଦୋଳନରୁ ନିବୃତ କରାଇ ପାରୁନାହାନ୍ତି। ବାସ୍ତବ କଥା ହେଉଛି, ମୋଦି ସରକାର ସେଭଳି ଓଜନଦାର ମନ୍ତ୍ରୀଙ୍କୁ ଏହି ଦାୟିତ୍ୱ ଦେଇନାହାନ୍ତି। ଯେଉଁ ମନ୍ତ୍ରୀଙ୍କୁ ଏହି ଦାୟିତ୍ୱ ଦିଆଯାଇଛି, ସେମାନଙ୍କ ଉପରେ କୃଷକ ନେତାଙ୍କ କେତେ ଆସ୍ଥା ରହିଛି, ତାହା ପ୍ରଥମେ ବୁଝିବା ଦରକାର। ଉଲ୍ଲେଖ କରାଯାଇପାରେ ଯେ, ରାଜନାଥ ସିଂ ଉତ୍ତର ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଥିବା ବେଳେ ଏଭଳି କୃଷକ ଆନ୍ଦୋଳନକୁ ନିଜେ ସମାଧାନ କରିଥିଲେ। ସେତେବେଳେ ଆନ୍ଦୋଳକାରୀ କୃଷକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପର୍ଯ୍ୟନ୍ତ ଯିବାକୁ ଅନୁମତି ଦେଇ ସେମାନଙ୍କ ଆସ୍ଥାଭାଜନ ହୋଇଥିଲେ। ମୋଦି ସରକାର କିନ୍ତୁ କଣ୍ଟାବାଡ଼ କରି, ରାସ୍ତା ଖୋଳି ଆନ୍ଦୋଳନକାରୀ କୃଷକଙ୍କୁ ଅଟକାଉଛନ୍ତି। ଦିଲ୍ଲୀ ପ୍ରବେଶ ପଥ ବନ୍ଦ କରୁଛନ୍ତି। ଆଜି ବି ମୋଦିଙ୍କ ମନ୍ତ୍ରିମଣ୍ଡଳରେ ରାଜନାଥ ଅଛନ୍ତି। ମୋଦି ସରକାର ତାଙ୍କର ଅଭିଜ୍ଞତାକୁ କାର୍ଯ୍ୟରେ ନ ଲଗାଇ ଜିଦିରେ ଅଟଳ ହୋଇ ବସିଛନ୍ତି କାହିଁକି ? ଏହାଦ୍ୱାରା ଦେଶର ଛବି ବିଦେଶରେ ମଳିନ ହେବାକୁ ଦିଆଯାଉଛି କାହିଁକି ? ସରକାର ଅଧିକ ନିନ୍ଦିତ ହେବାରୁ ବର୍ତ୍ତିବା ସକାଶେ ତୁରନ୍ତ ଜିଦ୍ ଛାଡ଼ି ଆନ୍ଦୋଳନକାରୀ କୃଷକଙ୍କୁ ଆସ୍ଥାକୁ ନେବା ଶ୍ରେୟସ୍କର।

%d bloggers like this: