ମନେ ରହିବେ କ୍ୟାପଟେନ୍ ଦୀପକ: ‘ବନ୍ଦେ ଭାରତ ମିଶନ’ ପାଇଁ ଥଲେ ‘ କୋରୋନା ଯୋଦ୍ଧା’

ମନେ ରହିବେ କ୍ୟାପଟେନ୍ ଦୀପକ: ‘ବନ୍ଦେ ଭାରତ ମିଶନ’ ପାଇଁ ଥଲେ ‘ କୋରୋନା ଯୋଦ୍ଧା’

ପ୍ରିଜମ ନ୍ୟୁୁଜ ବ୍ୟୁରୋ: କେରଳ କୋଝିକୋଡ୍ ମର୍ମନ୍ତୁଦ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ବିମାନର ପାଇଲଟ୍‌-ଇନ୍‌-କମାଣ୍ଡ ଦୀପକ ସାଠେ ଏବଂ ତାଙ୍କ ସହ-ପାଇଲଟ୍‌ ଅଖିଲେଶ କୁମାର । ଆଉ ଏବେ ଦୀପକ ସାଠେଙ୍କ ସମ୍ପର୍କରେ କିଛି ଅଜଣା ତଥ୍ୟ ସାମ୍ନାକୁ ଆସିଛି । କ୍ୟାପଟେନ୍‌ ସାଠେ ବେସାମରିକ ବିମାନର ପାଇଲଟ ହେବା ପୂର୍ବରୁ ୧୯୯୦ ଦଶକ ବେଳକୁ ଭାରତୀୟ ବାୟୁସେନାରେ ପାଇଲଟ ଥିଲେ। ସେହି ସମୟରେ ମଧ୍ୟ ସେ ଏକ ବିମାନ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ହେଲେ, ସୌଭାଗ୍ୟବଶତଃ ଗୁରୁତର ଆହତ ଅବସ୍ଥାରେ ବଞ୍ଚି ଯାଇଥିଲେ ଏବଂ ୬ ମାସ କାଳ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରହିଥିଲେ ବୋଲି ତାଙ୍କର ଜଣେ ସମ୍ପର୍କୀୟ ଭାଇ କହିଛନ୍ତି।

ସେହି ଘଟଣା ସଂପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ସେତେବେଳେ ସାଠେଙ୍କ ଖପୁରୀରେ ଏକାଧିକ ଆଘାତ ଲାଗିଥିଲା। କିନ୍ତୁ, ସେତେବେଳେ ସେ ତାଙ୍କର ଦୃଢ଼ ଇଚ୍ଛାଶକ୍ତି ବଳରେ ମୁତ୍ୟୁକୁ ହରାଇ ଦେଇଥିଲେ। ଏବଂ ପୁନର୍ବାର ଉଡ଼ାଣ ଭରିବା ଆରମ୍ଭ କରି ଦେଇଥିଲେ। ସେତେବେଳେ କ୍ୟାପ୍‌ଟେନ୍‌ ସାଠେ ଥିଲେ ଭାରତୀୟ ବାୟୁସେନା (ଆଇଏଏଫ୍‌)ର ୱିଙ୍ଗ କମାଣ୍ଡର ଏବଂ ଦୁର୍ଘଟଣାରୁ ଆରୋଗ୍ୟ ଲାଭ କଲା ପରେ ସେ ବାୟୁସେନାର ଫ୍ଲାଇଟ୍‌ ପରୀକ୍ଷଣ ପ୍ରତିଷ୍ଠାନରେ କାର୍ଯ୍ୟ କରିଥିଲେ। ବାୟୁସେନାରୁ ଅବସର ଗ୍ରହଣ କରିବା ପରେ ସେ ବେମାରିକ ବିମାନର ପାଇଲଟ ଭାବେ କାର୍ଯ୍ୟ କରୁଥିଲେ। ଏୟାର ଇଣ୍ଡିଆ ଏକ୍ସପ୍ରେସର ପାଇଲଟ ଥିଲେ।

ଦୀପକ ସାଠେଙ୍କ ନିକଟରେ ଦୀର୍ଘ ୩୬ ବର୍ଷର ଉଡ଼ାଣ ଅଭିଜ୍ଞତା ରହିବା ସହିତ ସେ ଜଣେ ଅଭିଜ୍ଞ ବିମାନ ଅପରେଟର ଥିଲେ। ସେ ଏନଡିଏ ଶିକ୍ଷାଗ୍ରହଣ କରିବା ସହ ଶୀର୍ଷ ସ୍ଥାନରେ ରହି ଉତ୍ତୀର୍ଣ୍ଣ ହେବାପରେ ଭାରତୀୟ ବାୟୁସେନାରେ ପାଇଲଟ ଭାବେ ଯୋଗ ଦେଇଥିଲେ। ବାୟୁସେନାରେ କାର୍ଯ୍ୟରତ ଥିବାବେଳେ ସେ ନିଜର ସାହସିକତାର ଓ କର୍ମଦକ୍ଷତା ପାଇଁ ଏକାଧିକ ପୁରସ୍କାର ଓ ସମ୍ମାନ ମଧ୍ୟ ପାଇଥିଲେ। ଦୀପକ ସାଠେ ୨୦୦୫ ମସିହାରେ ଏୟାର ଇଣ୍ଡିଆରେ ବାଣିଜ୍ୟିକ ପାଇଲଟ୍‌ ଭାବରେ ଯୋଗଦେବା ପୂର୍ବରୁ ୨୧ ବର୍ଷ ଧରି ଭାରତୀୟ ବାୟୁସେନା ସେବା କରିଥିଲେ। ସଂପ୍ରତି ସେ ‘ବନ୍ଦେ ଭାରତ ମିଶନ’ ଅଧୀନରେ ଉଡ଼ାଣ ଭରି ଆରବ ରାଷ୍ଟ୍ରଗୁଡ଼ିକରୁ ଭାରତୀୟମାନଙ୍କୁ ସ୍ୱଦେଶ ଫେରାଇ ଆଣୁଥିଲେ।

ନବେ ଦଶକ ପୂର୍ବରୁ ସେ ବାୟୁସେନାରେ ଥିବାବେଳେ ବିମାନ ଦୁର୍ଘଟଣାର ସମ୍ମୁଖୀନ ହୋଇ ସୁଦ୍ଧା ବଞ୍ଚିଥିଲେ।  ଖପୁରୀରେ ଏକାଧିକ ଆଘାତ ପାଇଁ ତାଙ୍କୁ ଦୀର୍ଘ ମାସ କାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ କେହି ଭାବି ନଥିଲେ ଯେ ସେ ପୁଣି ଉଡ଼ିବେ। କିନ୍ତୁ ତାଙ୍କର ଦୃଢ଼ ଇଚ୍ଛାଶକ୍ତି ଶକ୍ତି ଏବଂ ଉଡ଼ାଣ ପ୍ରତି ଭଲପାଇବା ତାଙ୍କୁ ପୁନର୍ବାର ଉଡ଼ାଣ ଭରିବାକୁ ସମର୍ଥ କରାଇଥିଲା। ଏହା ଏକ ଚମତ୍କାର ଥିଲା ବୋଲି କହିଛନ୍ତି ସାଠେଙ୍କ ସଂପର୍କୀୟ ଭାଇ।

କ୍ୟାପଟେନ ସାଠେ ତାଙ୍କ ପତ୍ନୀ ଏବଂ ଦୁଇ ପୁଅଙ୍କ ସହ ମୁମ୍ବାଇରେ ରହନ୍ତି। ତାଙ୍କ ବାପା ବସନ୍ତ ସାଠେ ମଧ୍ୟ ସେନାବାହିନୀରେ ଜଣେ ବ୍ରିଗେଡିୟର୍‌ ଥିଲେ। ତାଙ୍କ ଭାଇ କ୍ୟାପଟେନ ବିକାଶ ମଧ୍ୟ ସେନାବାହିନୀ ଥିଲେ, ଯିଏ ଜାମ୍ମୁ ଅଞ୍ଚଳରେ କାର୍ଯ୍ୟରତ ଥିବାବେଳେ ସହିଦ୍‌ ହୋଇଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: