ପ୍ରତିଦିନ ଏତେ ମଶା ଆସନ୍ତି କେଉଁଠୁ?

ପ୍ରତିଦିନ ଏତେ ମଶା ଆସନ୍ତି କେଉଁଠୁ?

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ମଶା ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ପ୍ରାଣୀମାନଙ୍କ ମଧ୍ୟରୁ ଅନ୍ୟତମ।ତେବେ ମଣିଷକୁ କାମୁଡୁ ଥିବା ମଶା କେବଳ ମାଇ ମଶା ହୋଇଥାଏ। ଆଜି ଆମେ ଆପଣଙ୍କୁ ମଶା ବିଷୟରେ କେତେକ ଆଶ୍ଚର୍ଯ୍ୟଜନକ ତଥ୍ୟ କହିବାକୁ ଯାଉଛୁ ଯାହା ବିଷୟରେ ଆପଣ ବୋଧହୁଏ ଜାଣି ନଥିବେ। ଦୈନନ୍ଦିନ ଜୀବନରେ, ଆମେ ସବୁ ବେଳେ ମଶା ସଂସ୍ପର୍ଶରେ ଆସି ଥାଉ। ରାତିରେ ହେଉ କି ଦିନରେ ମଶାଙ୍କ ଗୁଣୁଗୁଣୁ ଶବ୍ଦ ଆମକୁ ବିବ୍ରତ କରୁଥିବା ବେଳେ ମଶା କାରଣରୁ ହେଉଥିବା ଅନେକ ରୋଗ ମଣିଷ ମୃତ୍ୟୁର କାରଣ ହୋଇଥାଏ। ଯେପରି ଡେଙ୍ଗୁ, ମ୍ୟାଲେରିୟା ଆଦି। ପ୍ରତିଦିନ ଦେଶରେ ଡେଙ୍ଗୁ ରୋଗ ସାମ୍ନାକୁ ଆସୁଛି ଏବଂ ଲୋକଙ୍କ ମୃତ୍ୟୁ ହେବାର ଖବର ମଧ୍ୟ ରହିଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମଶା ଅଧିକ ଦିନ ବଞ୍ଚନ୍ତି ନାହିଁ । ମଶାମାନଙ୍କର ଅତି କ୍ଷୁଦ୍ର ଜୀବନଚକ୍ର। ପୁରୁଷ ମଶା ଏକ ସପ୍ତାହରୁ କମ୍ ସମୟ ବଞ୍ଚୁଥିବାବେଳେ ମାଇ ମଶା ୨ ମାସରୁ କମ୍ ବଞ୍ଚନ୍ତି। କାଲିଫର୍ନିଆ ୟୁନିଭରସିଟିର ଡେଭିସ୍ ମଶା ଅନୁସନ୍ଧାନ କାର୍ଯ୍ୟକ୍ରମ ଅନୁଯାୟୀ, ୨୧ କୋଟି ବର୍ଷ ଧରି ପୃଥିବୀରେ ମଶା ରହି ଆସିଛି। ପୁରୁଷ ମଶା ଅପେକ୍ଷା ମାଇ ମଶା ଅଧିକ ବିପଜ୍ଜନକ ଅଟନ୍ତି। କେବଳ ମହିଳା ମଶା ମଣିଷ ଆଉ ପଶୁକୁ କାମୁଡି ରକ୍ତ ସଂଗ୍ରହ କରନ୍ତି। କାରଣ ସେମାନେ ଆମ ରକ୍ତରୁ ଏକ ବିଶେଷ ପ୍ରକାରର ପ୍ରୋଟିନ୍ ପାଆନ୍ତି, ଯେଉଁଥିରୁ ସେମାନଙ୍କର ଅଣ୍ଡା ବିକଶିତ ହୁଏ।
ମାଇ ମଶା ଥରେ ଭେଟ ହେବା ପରେ ପ୍ରତି ତିନି ଦିନରେ ଥରେ ୧୦୦ ଟି ଅଣ୍ଡା ଦେଇଥାଏ। ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ମଶା ମରିବା ପୂର୍ବରୁ ତିନିଥର ଅଣ୍ଡା ଦେଇଥାଏ, ଅର୍ଥାତ୍ ଏହା ନିଜ ଜୀବନରେ ମୋଟ ୫୦୦ ଅଣ୍ଡା ଦେଇପାରେ। ମଶା ଓଦା ସ୍ଥାନରେ କିମ୍ବା ଜମା ହୋଇ ରହିଥିବା ପାଣିରେ ଅଣ୍ଡା ଦେଇଥାଏ। ସେଥିପାଇଁ ଘର ସଫା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦୁନିଆରେ ୩୫୦୦ ରୁ ଅଧିକ ପ୍ରଜାତିର ମଶା ଅଛନ୍ତି। କେତେକ ପ୍ରଜାତି ରକ୍ତ ପିଉଥିବା ବେଳେ ଆଉ କେହି କେହି ଫୁଲର ରସ ଶୋଷନ୍ତି। ଏଥିରୁ ଆପଣ ଅନୁମାନ କରିପାରୁଥିବେ ଯେ ପ୍ରତିଦିନ କୋଟି କୋଟି ମଶା ଜନ୍ମ ହୁଅନ୍ତି, ତେଣୁ ଯଦି ଆପଣ ଗୋଟିଏ ଦିନରେ ୫୦-୬୦ ମଶା ମାରନ୍ତି, ତଥାପି ସେମାନଙ୍କ ସଂଖ୍ୟା ସମ୍ପୂର୍ଣ୍ଣ ଶେଷ ହୁଏ ନାହିଁ। ଆପଣ ନିଶ୍ଚୟ ଧ୍ୟାନ ଦେଇଥିବେ ଯେ ଶୀତଦିନେ ମଶା ଅଦୃଶ୍ୟ ହୋଇଯାନ୍ତି କିମ୍ବା ଖୁବ୍ କମ୍ ଦେଖାଯାଆନ୍ତି। ଏହାର କାରଣ ହେଉଛି ମଶାମାନେ ଶୀତଳ ରକ୍ତ ପ୍ରାଣୀ ଅଟନ୍ତି। ଥଣ୍ଡା ଆରମ୍ଭ ହେବା ମାତ୍ରେ ସେମାନେ ହାଇବରନେସନ୍ କରିବାକୁ ଚାଲି ଯାଆନ୍ତି। ସେମାନଙ୍କ ପାଇଁ କେବଳ ହାଲୁକା ଗରମ ପାଗ ଉପଯୁକ୍ତ ଅଟେ। ସେଥିପାଇଁ ବର୍ଷା ଋତୁରେ ମଶା ସମସ୍ୟା ସର୍ବାଧିକ ହୋଇଥାଏ। ଦୁନିଆର ସବୁଠାରୁ ବିପଜ୍ଜନକ ପ୍ରାଣୀ ତାଲିକାରେ ମଶା ଆସନ୍ତି। ଆମେ ଆପଣଙ୍କୁ କହିବୁ ଯେ ବାର୍ଷିକ ୩୦ କୋଟି ଲୋକ ମଶା ଦ୍ଵାରା ହେଉଥିବା ରୋଗର ଶିକାର ହୁଅନ୍ତି। ମଶାମାନଙ୍କର ଦୃଷ୍ଟି ଶକ୍ତି ଅତ୍ୟନ୍ତ ଦୁର୍ବଳ। ଅନେକ ଛୋଟ ବ୍ଲକରେ ତିଆରି ଆଖି ଦ୍ଵାରା ମଶାକୁ ଦେଖିବାରେ ଅସୁବିଧା ହୋଇଥାଏ।ଶରୀରର ଉତ୍ତାପ ଦ୍ୱାରା ସେମାନେ ମଣିଷ ପାଖରେ ପହଞ୍ଚନ୍ତି। ଯେତେବେଳେ ସେମାନଙ୍କୁ ମାରିବାକୁ ଚେଷ୍ଟା କରାଯାଏ, ସେମାନେ ହାତର ଉଷ୍ମତା ଅନୁଭବ କରି ଉଡ଼ି ପଳାନ୍ତି। ଭାରତ ସରକାରଙ୍କ ନ୍ୟାସନାଲ ଭେକ୍ଟର ବର୍ନ ଦିଯିଜ ନିୟନ୍ତ୍ରଣ କାର୍ଯ୍ୟକ୍ରମର ୱେବସାଇଟ ଅନୁଯାୟୀ, ୨୦୨୧ ମସିହାରେ ଏପର୍ଯ୍ୟନ୍ତ ୧ ଲକ୍ଷରୁ ଅଧିକ ଡେଙ୍ଗୁ ରୋଗ ଚିହ୍ନଟ ହୋଇଥିବା ଜଣାପଡିଛି, ସେଥିମଧ୍ୟରୁ ୯୦ ଜଣଙ୍କର ମୃତ୍ୟୁ ହୋଇଛି। ଷ୍ଟାଟିଷ୍ଟା ଅନୁସନ୍ଧାନ ବିଭାଗର ରିପୋର୍ଟ ଅନୁଯାୟୀ, ୨୦୨୦ ମସିହାରେ ୬୩ ଜଣଙ୍କର ଡେଙ୍ଗୁରେ ମୃତ୍ୟୁ ହୋଇଛି।
ମଶାମାନେ କାର୍ବନ ଡାଇଅକ୍ସାଇଡ୍ ମଧ୍ୟ ଚିହ୍ନଟ କରିପାରନ୍ତି । ସେମାନେ କାର୍ବନ ଡାଇଅକ୍ସାଇଡ୍ ଚିହ୍ନଟ କରିବା ମାତ୍ରେ ତାହାର ଚାରିପାଖେ ବୁଲିବା ଆରମ୍ଭ କରନ୍ତି ଏବଂ ଶିକାର ପାଇବା ପରେ ସେମାନେ ରକ୍ତ ଶୋଷିବା ଆରମ୍ଭ କରନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: