(କିମାଶ୍ଚର୍ଯ୍ୟମ-୧୬)- ଖୁଣ ବି ମୋର, ଜହ୍ନ ବି ମୁଁ

(କିମାଶ୍ଚର୍ଯ୍ୟମ-୧୬)- ଖୁଣ ବି ମୋର, ଜହ୍ନ ବି ମୁଁ


(ପରଂବ୍ରହ୍ମ ତ୍ରିପାଠୀ)

ବଡ଼ ଅଜବ ଥିଲା ସେ ଦ୍ଵିଧା। ଛତିଶଗଡ଼ର ଆଦିବାସୀ ବହୁଳ ଦାନ୍ତେୱାଡାର ଏକ ସାପ୍ତାହିକ ଗ୍ରାମୀଣ ବଜାରରେ ବାର ତେର ବର୍ଷର ଝିଅଟି ସାମ୍ନା କରୁଥିଲା ଏକ ଆଶ୍ଚର୍ଯ୍ୟଜନକ ମାନସିକ ଦ୍ୱନ୍ଦ୍ୱର। ଝିଅଟି ପାଖରେ ଥିଲା ପାଞ୍ଚ ଟଙ୍କା, ସେଥିରେ ସିଏ କିଣି ପାରିବ ଜିଲିପି ନହେଲେ ତାକୁ ଗୋରା କରିପାରୁଥିବା, ଟିଭିର ଅଭିନେତ୍ରୀଙ୍କ ଭଳି ଚିକମିକ କରେଇ ପାରୁଥିବା କ୍ରିମଟିଏ। ଦୁଇଟି ଯାକ ଜିନିଷ ପାଞ୍ଚ ଟଙ୍କାରେ ନେବାର ଶେଷ ପ୍ରୟାସ ବିଫଳ ହେଲା ପରେ ଝିଅଟି ବାଛିଲା କ୍ରିମକୁ। ଏ ଲେଖକ ସେଠି ଉପସ୍ଥିତ ଥିଲା। କ୍ରିମ କାହିଁକି ବାଛିଲା, ସେ ସମ୍ପର୍କରେ ଖଣ୍ଡି ହିନ୍ଦୀରେ ଝିଅଟି ଯାହା ଏ ଲେଖକକୁ କହିଥିଲା ତାହା ହେଲା , ଜିଲିପି ପରେ ଖାଇ ହେବ, ନଖାଇଲେ ବି ଚଳିବ। କିନ୍ତୁ ଏ କ୍ରିମ ବ୍ୟବହାର କରିବା ବିଳମ୍ବ ହେଲେ ତା ଶ୍ରେଣୀର ସବୁଠାରୁ କାଳୀଝିଅ ବୋଲି ତାକୁ ସବୁଦିନ ଟାହିଟାପରା ଶୁଣିବାକୁ ପଡୁଥିବ। ତଥାକଥିତ ଆଧୁନିକତା ଠାରୁ ତଥାପି ଦୂରରେ ଥିବା ଏକ ଆଦିବାସୀ ବହୁଳ ଅଞ୍ଚଳରେ ଜଣେ ବାର ତେର ବର୍ଷର ଝିଅଠାରୁ ଏଭଳି ଏକ ଉତ୍ତର ଶୁଣିଲା ପରେ ଏ ଲେଖକର ମନେ ପଡିଲା ୟୁରୋପର ‘ସବୁଠାରୁ ଅସୁନ୍ଦର ମହିଳା’ ପ୍ରତିଯୋଗିତା ଓ ତାର ବିଜେତା ମାରି ବେଭାନଙ୍କ କଥା। ସ୍ନାୟୁଜନିତ ଅନ୍ତଃସ୍ରାବୀ ବିଲକ୍ଷଣର ଶିକାର ମାରି ବେଭାନ ନିଜ ଚାରି ଛୁଆଙ୍କ ମୁହଁରେ ଆହାର ଦେବା ପାଇଁ ଅଂଶଗ୍ରହଣ କରିଥିଲେ ଏହି ପ୍ରତିଯୋଗିତାରେ ଓ ଜିତିଥିଲେ ପୃଥିବୀର ସବୁଠାରୁ ଅସୁନ୍ଦରୀ ମହିଳାର ଉପାଧି। ତାପରେ ନିଜ ଶେଷ ଜୀବନ ପର୍ଯ୍ୟନ୍ତ ସର୍କସର ସଦସ୍ୟ ଭାବେ ସେ ଘୁରି ବୁଲିଥିଲେ ସମଗ୍ର ୟୁରୋପ ଓ ଆମେରିକା। ତାଙ୍କୁ ଦେଖିବାକୁ, ତାଙ୍କୁ ବିଦ୍ରୁପ କରିବାକୁ, ତାଙ୍କ ଉପରେ ଅଶାଳୀନ ମନ୍ତବ୍ୟ ଦେବାକୁ ଟିକେଟ କାଟି ଜମୁଥିଲା ଭିଡ଼। ସେ ଦୁନିଆରୁ ବିଦାୟ ନେଲା ପରେ ବି ବନ୍ଦ ହେଲାନି ତାଙ୍କ ରୂପ ଓ ଶାରୀରିକ ଗଠନକୁ ନେଇ ଟାହିଟାପରା। ୨୦୦୦ ମସିହା ପର୍ଯ୍ୟନ୍ତ ଅଭିନନ୍ଦନ କାର୍ଡ ତିଆରି କରୁଥିବା ବିଶ୍ବର ଏକ ଖ୍ୟାତନାମା କମ୍ପାନୀ ମାରି ବେଭାନଙ୍କ ଫଟୋଚିତ୍ର ପରିହାସ ଓ ବିଦ୍ରୁପ ସୃଷ୍ଟିକାରୀ କାର୍ଡମାନଙ୍କ ବିକ୍ରୀ ନିମିତ୍ତ ବ୍ୟବହାର କରି ଆସୁଥିଲା। ଏବଂ ସଂସ୍ଥାର ସର୍ବାଧିକ ବିକ୍ରି ହେଉଥିବା ଅଭିନନ୍ଦନ କାର୍ଡ ଗୁଡିକ ଭିତରୁ ମାରି ବେଭାନ କାର୍ଡ ଥିଲା ଅନ୍ୟତମ।

ସୌନ୍ଦର୍ଯ୍ୟର ମାପକାଠି କ’ଣ ଓ ଏ ମାପକାଠି କିଏ ତିଆରି କରିଛି? କେଉଁ ମାନଦଣ୍ଡରେ ଗୋରା ରଙ୍ଗଟି ବାଦାମୀ କିମ୍ବା ଶ୍ୟାମଳ ରଙ୍ଗଠାରୁ ଅଧିକ ସୁନ୍ଦର? ଦେହରେ କେତେ ମାଂସ ରହିବା ସୁନ୍ଦରପଣର ମାପକାଠି ବୋଲି କେଉଁ ଅନ୍ତର୍ଜାତୀୟ ସମ୍ମିଳନୀ ବା କନଭେନ୍ସନ ସ୍ଥିର କରିଛି? କୁଂଚୁକୁଞ୍ଚିଆ ନା ସିଧା ଚୁଟି, ଶୁଆ ନାକ ନା ଚେପଟା, ପୋଟଳଚିରା ନା ମୁଦି ହେଇ ଯାଉଥିବା ଆଖି- ଗୋଟିଏ ଶାରୀରିକ ବୈଶିଷ୍ଟ୍ୟ ଯେ ଅନ୍ୟଟି ଠାରୁ ଉନ୍ନତ, ଅଧିକ ସୁନ୍ଦର, ଏ ଅବଧାରଣା ପଛର ତାର୍କିକ ଓ ବିଜ୍ଞାନସମ୍ମତ କାରଣଟି କଣ? କେଉଁଠି ଓ କାହାପାଖରେ ଅଛି ସେ ଛାଞ୍ଚ ଯାହାକୁ ମିଳିଛି ସୌନ୍ଦର୍ଯ୍ୟ ଛାପିବାର ଏକଚାଟିଆ ଅଧିକାର? ସୌନ୍ଦର୍ଯ୍ୟ ଭଳି ଏକ ଚିରନ୍ତନ ଓ ଆପେକ୍ଷିକ ଶବ୍ଦକୁ ପଣିକିଆ ଭଳି ଘୋଷା, ଛାଞ୍ଚ ସାପେକ୍ଷ, ନିର୍ଦ୍ଦିଷ୍ଟ, ଅବଧାରିତ ଓ ସୀମାବଦ୍ଧ କରୁଛି କିଏ ଓ କେଉଁ ସ୍ୱାର୍ଥରେ? ନିଶ୍ଚିତ ଏହା ପଛରେ ଏକ ବୃହତ ବଜାର ସ୍ୱାର୍ଥ ରହିଛି। ଯେଉଁ ସ୍ବାର୍ଥ ବିଶ୍ଵର ଏକ ବୃହତ ଜନସଂଖ୍ୟାକୁ ଅସୁରକ୍ଷା, ନିମ୍ନ ଆତ୍ମବିଶ୍ୱାସ ଓ କୃତ୍ରିମ ଉତ୍କର୍ଷ ପ୍ରତି ଅଦମନୀୟ ଲିପ୍ସାର ଭଉଁରୀ ଭିତରକୁ ଠେଲି ଦେଇ ହଜାର ହଜାର କୋଟି ଟଙ୍କାର ଅତି ଜରୁରୀ ମନେ ହେଉଥିବା ନିହାତି ଅଦରକାରୀ ଜିନିଷର ବଜାର ତିଆରିବାରେ ସକ୍ଷମ ହୋଇଛି।

ଏପରି ଏକ ବିଡ଼ମ୍ବନା ରଚିବାର ପ୍ରୟାସ ଭିତରେ ମିଳିଛି କଣ, ହଜିଛି କେତେ? ଶାରୀରିକ ଗଠନ ବା ଜଣେ କେମିତି ଦେଖାଯାଉଛି ସେ ନେଇ ତାକୁ ଉପହାସ କରିବା ପ୍ରକ୍ରିୟାର ସବୁଠାରୁ ବଡ଼ ଭୁକ୍ତଭୋଗୀ ହେଲେ ମହିଳାମାନେ। ବୋଧହୁଏ ଆମେ ଯେହେତୁ ଜଣେ ମହିଳାଙ୍କୁ ଜଣେ ମଣିଷ ହିସାବରେ କମ ଓ ଦର୍ଶନୀୟ ବସ୍ତୁ ହିସାବରେ ବେଶୀ ବିବେଚନା କରୁ, ପୁରୁଷମାନଙ୍କ ଅପେକ୍ଷା ମହିଳାମାନେ ଶାରୀରିକ ଗଠନ ଜନିତ ଉପହାସର ଅଧିକ ଶିକାର ହୁଅନ୍ତି। ପୁରୁଷର କଣ ଅଛି, ସିଏ ତ ପିତଳ ହାଣ୍ଡି। ମାଜିମୁଜି ଦେଲେ ପୁଣି ଚିକଣ, ହେଲେ ନାରୀଟିଏ କିଛି ଲୋକଙ୍କ ଓ ବଜାରର ଅଲିଖିତ ମାନଦଣ୍ଡ ଅନୁଯାୟୀ ସୁନ୍ଦର ହେବାକୁ ବାଧ୍ୟ। ଏକ ସର୍ବେକ୍ଷଣ ଅନୁସାରେ ଶାରୀରିକ ଗଠନ ଓ ବାହ୍ୟରୂପ ପାଇଁ କେବେ ନା କେବେ କୌଣସି ବିଦ୍ରୁପ ଓ ପରିହାସର ସାମ୍ନା କରିଥିବା ମହିଳାଙ୍କ ସଂଖ୍ୟା ସମୁଦାୟ ମହିଳା ଜନସଂଖ୍ୟାର ୯୪ ପ୍ରତିଶତ।

କେବେ ଭାବିଛନ୍ତି, ନିଜ ଶାରୀରିକ ଗଠନ ପାଇଁ ଉପହାସର ଶିକାର ହେଉଥିବା ମହିଳାମାନେ କିଛି ନିନ୍ଦୁକଙ୍କ କ୍ଷଣିକ ମଜା ପାଇଁ କି କି ଅସୁବିଧାର ସାମ୍ନା କରନ୍ତି? ଶାରୀରିକ ଗଠନକୁ ନେଇ ବିଦ୍ରୁପ ଓ ପରିହାସ ମହିଳା ଅବସାଦର ଏକ ପ୍ରମୁଖ କାରଣ। ମୋଟୀ ପରିହାସ ଶୁଣି ଶୁଣି ନିଜ ଓଜନ କମେଇବା ପାଇଁ ନିଜ ଖାଦ୍ୟ ଅଭ୍ୟାସକୁ ଦାରୁଣ ଭାବେ ବିପର୍ଯ୍ୟସ୍ତ କରିଥିବା ମହିଳାମାନଙ୍କ ସଂଖ୍ୟା ବେଶ ବେଶୀ। ଦେହର ରଙ୍ଗ ଓ ଶାରୀରିକ ଗଠନ ପାଇଁ ବ୍ୟଙ୍ଗ ବିଦ୍ରୁପ ମହିଳାଙ୍କ ଆତ୍ମବିଶ୍ୱାସକୁ ଗଭୀର ଭାବେ ପ୍ରଭାବିତ କରିବା ସହ ଯେକୌଣସି ଗୁରୁତ୍ୱପୂର୍ଣ୍ଣ ସାକ୍ଷାତକାର କିମ୍ବା ମିଟିଂ ପୂର୍ବରୁ ସେମାନଙ୍କ ଭିତରେ ବିବ୍ରତପଣିଆକୁ ଅନେକ ମାତ୍ରାରେ ବଢ଼େଇ ଦେଇଥାଏ। ଠିକ ସେହିପରି ଜଣେ ସୁନ୍ଦରୀ ମହିଳା ଯେତେ ଦକ୍ଷ ହେଲେ ବି ଦକ୍ଷତା ନୁହେଁ ବରଂ ତାଙ୍କ ସୌନ୍ଦର୍ଯ୍ୟ ହିଁ ତାଙ୍କ ସଫଳତାର ରହସ୍ୟ ବୋଲି ଏକ ନକରାତ୍ମକ ଅବଧାରଣା ମଧ୍ୟ ସୃଷ୍ଟି କରାଯିବାର ନଜିର ବିରଳ ନୁହେଁ।

ମଣିଷ ମାତ୍ରେ ହିଁ ଅସୁରକ୍ଷିତ। ଏବଂ ଶାରୀରିକ ଗଠନ ଓ ରୂପ ଜନିତ ବ୍ୟଙ୍ଗ ବିଦ୍ରୁପ ଏହି ଅସୁରକ୍ଷିତ ଭାବକୁ ବହୁ ମାତ୍ରାରେ ବଢ଼େଇ ଦିଏ। ଆଉ ବ୍ୟକ୍ତିତ୍ୱ ଗଠନର ପ୍ରକୃଷ୍ଟ ସମୟ ଯଥା କୈଶୋର ଓ ଆଦ୍ୟ ଯୌବନରେ ଏପରି ବିଦ୍ରୁପ କିଛି ଜଣଙ୍କ କ୍ଷେତ୍ରରେ ଏପରି ଅନ୍ତର୍ଘାତୀ ହୋଇଥାଏ ଯେ ସେମାନେ ସାରା ଜୀବନ ଆତ୍ମବିଶ୍ୱାସହୀନ ଅସୁରକ୍ଷିତ ଜୀବନ ବଞ୍ଚନ୍ତି। ଏହି ବ୍ୟଙ୍ଗ ବିଦ୍ରୁପ ବେଳେ ବେଳେ ବିଶୁଦ୍ଧ ଥଟ୍ଟା ମଜାରେ ବା ସାମ୍ନା ଲୋକ ଏଥିରେ ଆହତ ହେବ ଏପରି ଆକଳନ ନକରି ପାରି କରାଯାଇଥାଏ। ଅନେକ ସମୟରେ ଜାଣିଶୁଣି ମଧ୍ୟ କରାଯାଏ ଯେପରି ସାମ୍ନା ଲୋକଟି ଆହତ ଓ ପ୍ରଭାବିତ ହେବ। ଆଉ ସବୁଠାରୁ ଉଦବେଗଜନକ ଜିନିଷଟି ହେଲା ଅନ୍ୟର ଶାରୀରିକ ଗଠନ ଓ ରୂପକୁ ନେଇ କୁତ୍ସିତ ଟିପ୍ପଣୀ ଦେବା, ବିଦ୍ରୁପ କରିବା ପିଲାଟିଏ ଅଧିକାଂଶ ସମୟରେ ନିଜ ପରିବାର ଓ ନିଜ ପରିଚିତ ଗୁରୁଜନଙ୍କ କଥାବାର୍ତ୍ତା ଓ ବ୍ୟବହାରରୁ ହିଁ ଶିଖି ଥାଏ।

ଏସବୁର ଶିକାର ହେଉଥିଲେ ଆପଣ କଣ କରିପାରିବେ ? ପ୍ରଥମ କଥାଟି ହେଲା, ନିଜକୁ ଭଲ ପାଇବା, ନିଜକୁ ସ୍ୱୀକାର କରିବା ଓ ନିଜକୁ ସମ୍ମାନ ଦେବା ଆରମ୍ଭ କରନ୍ତୁ। ଏ ତିନୋଟି ଆରମ୍ଭ ନକରିବା ଯାଏ ଯେକୌଣସି ଯଦୁ ମଧୁ ଯେକୌଣସି ମନ୍ତବ୍ୟ ଦେଇ ଆପଣଙ୍କ ଅସ୍ତିତ୍ୱ ଓ ଅସ୍ମିତାକୁ ଦୋହଲାଇ ଦେବାର କ୍ଷମତା ରଖିବେ। ଦ୍ଵିତୀୟ କଥାଟି ହେଲା, ଆପଣଙ୍କ ରୂପ, ବେଶଭୁଷା, ପାରିପାଟୀରେ କିଛି ବି ପରିବର୍ତ୍ତନର ଏକମାତ୍ର କାରଣ ଓ ଉତପ୍ରେରକ ଆପଣଙ୍କ ଇଛା ହିଁ ହେଉ। ଯେତେଦିନ ଯାଏ ଏ କାରଣ ଓ ଉତପ୍ରେରକ ଲୋକଙ୍କ କହିବା ଓ ବିଦ୍ରୁପ ହେଉଥିବ, ସେତେଦିନ ଯାଏ ଆପଣ ଏ ନାଗଫାଶରୁ ବାହାରି ପାରିବେନି। କାରଣ ଆଜି ଆପଣଙ୍କ ଓଜନ ସହିତ ସମସ୍ୟା ଥିବା ଲୋକଙ୍କର କାଲି ହୁଏତ ଆପଣଙ୍କ ଡାହାଣ ଗୋଡ଼ ବୁଢା ଆଙ୍ଗୁଠି ନଖ କାହିଁକି ଏକୋଇଶ ଡିଗ୍ରୀ ବଙ୍କା ହୋଇଛି ବୋଲି ସମସ୍ୟା ହୋଇ ପାରେ। ତୃତୀୟ କଥାଟି ହେଲା, ଘରେ କିମ୍ବା ବାହାରେ ନିଜେ ଅନ୍ୟ କାହା ପ୍ରତି ଏପରି କୌଣସି ମନ୍ତବ୍ୟ ଦେବାରୁ ବିରତ ରୁହନ୍ତୁ। ଚତୁର୍ଥଟି, ଆପଣଙ୍କ ଘରେ କୌଣସି ଛୋଟପିଲା ଯଦି ଏପରି କୌଣସି ମନ୍ତବ୍ୟ ଦେଉଛି, ତାକୁ ହଲୁକାରେ ନିଅନ୍ତୁନି। ପିଲା ମୁଣ୍ଡରୁ ଏପରି ଧାରଣା ଯେତେ ଶୀଘ୍ର କାଢି ପାରିବେ ସେତେ ଭଲ।

ଶେଷରେ ଏତିକି, ଜହ୍ନରେ ବି ଖୁଣ ଅଛି ବୋଲି ଉକ୍ତିଟିଏ ଅନେକ ଥର ଆପଣ ଶୁଣିଥିବେ। ଏହା ସେମିତି ଏକ ସକାରାତ୍ମକ ଉକ୍ତି ନୁହେଁ। ଖୁଣ ଆପଣଙ୍କ ଭିତରେ ଅଛି ବୋଲି କହିବା ପାଇଁ, ଦେଖାଇବା ପାଇଁ ବଜାର ସବୁବେଳେ ତତ୍ପର ଥିଲା ଓ ରହିବ। ହଜାର ହଜାର କୋଟି ଟଙ୍କା/ଡଲାରର ଏ ପ୍ରୟାସ, ଏ ବଜାର। ମାତ୍ର, ସବୁ ଖୁଣ ଭିତରେ ବି ଆପଣ ସୁନ୍ଦର, ଏଭଳି ଭାବନାଟିଏ କେବଳ ଆପଣଙ୍କ ଆତ୍ମବିଶ୍ୱାସ ହିଁ ତିଆରି କରିପାରେ। ବଜାରର କଥା ଶୁଣିବେ ନା ସବୁ ଖୁଣ ଭିତରେ ବି ଆପଣ ଜହ୍ନ, ଏପରି ଏକ ଆତ୍ମପ୍ରତ୍ୟୟର ଅଙ୍କୁରଣ ସୁନିଶ୍ଚିତ କରିବେ ସେ ନିଷ୍ପତ୍ତି ଆପଣଙ୍କୁ ହିଁ ନେବାକୁ ପଡିବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: