ମେଦିନୀପୁରରୁ ଦିଲ୍ଲୀ, ଜଣେ କ୍ରାଇସିସ୍ ମ୍ୟାନେଜରର କାହାଣୀ

ମେଦିନୀପୁରରୁ ଦିଲ୍ଲୀ, ଜଣେ କ୍ରାଇସିସ୍ ମ୍ୟାନେଜରର କାହାଣୀ

ପ୍ରିଜମ୍ ନ୍ୟୁଜ (ସ୍ୱତନ୍ତ୍ର): ସେଇଟା ଥିଲା ୧୯୬୯ ମସିହା। ଆଜିକୁ ଠିକ୍ ୫୦ ବର୍ଷ ତଳର କଥା। ପଶ୍ଚିମବଙ୍ଗର ମେଦିନୀପୁର ଆସନରେ ହେଉଥାଏ ଉପନିର୍ବାଚନ। ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥା’ନ୍ତି ଭି. କେ. କ୍ରିଷ୍ଣାମେନନ୍। ଆଉ ତାଙ୍କ ନିର୍ବାଚନୀ ରଥର ସାରଥୀ ଥାଆନ୍ତି ଜଣେ ସ୍ୱଳ୍ପ ଉଚ୍ଚତାବିଶିଷ୍ଟ ଯୁବକ। କଂଗ୍ରେସ ପରି ଦଳ ସହ ହେଉଥାଏ ତାଙ୍କ ଟକ୍କର। ତାଙ୍କ ପ୍ରଚାର ତଥା ଓଜସ୍ୱିନୀ ଭାଷଣରେ ମୁଗ୍ଧ ହେଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି। ହଠାତ୍ କ୍ରିଷ୍ଣାମେନନଙ୍କ ପାଇଁ ପ୍ରଚାର କରୁଥିବା ସେହି ସ୍ୱଳ୍ପ ଉଚ୍ଚତାବିଶିଷ୍ଟ ଯୁବକ ଜଣଙ୍କୁ ଆସିଥିଲା କଂଗ୍ରେସ ପକ୍ଷରୁ ଡାକରା। କେତେବା ବୟସ ହୋଇଥିଲା ସେତେବେଳେ ତାଙ୍କର ? ଏଇ ୩୩ କି ୩୪ ବର୍ଷ। ପିଏମଙ୍କ ସହ ମିଟିଂ ଫିକ୍ସ ହେଲା ତାଙ୍କର। ଆଉ ତାଙ୍କୁ କୌଣସି ପ୍ରକାରେ ମନାଇ ଦଳରେ ମିଶାଇଲେ ପିଏମ୍ ଇନ୍ଦିରା ଗାନ୍ଧି। ହୁଏତ ସେହି ସ୍ୱଳ୍ପ ଉଚ୍ଚତାବିଶିଷ୍ଟ ଯୁବକ ଜଣଙ୍କଠାରେ ନିହିତ ଥିବା ଶକ୍ତି ବିଷୟରେ ଭଲଭାବରେ ଅବଗତ ହୋଇ ସାରିଥିଲେ ଇନ୍ଦିରା। ସେ ସେହି ଯୁବକଙ୍କ ରୂପରେ ଦେଖି ପାରୁଥିଲେ ପଶ୍ଚିମବଙ୍ଗରେ କଂଗ୍ରେସର ଅଭ୍ୟୁଦୟ। ସେହିବର୍ଷ ହିଁ କଂଗ୍ରେସ ଟିକେଟରେ ତାଙ୍କୁ ପଠାଗଲା ରାଜ୍ୟସଭା। ହଁ, ସେହି ସ୍ୱଳ୍ପ ଉଚ୍ଚତାବିଶିଷ୍ଟ ଯୁବକ ଜଣକ ହେଉଛନ୍ତି ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ପ୍ରଣବ ମୁଖାର୍ଜୀ। ସମସ୍ତଙ୍କ ପ୍ରିୟ ପ୍ରଣବ ଦା’। ତାଙ୍କ ପ୍ରଚଣ୍ଡ ପ୍ରତିଭା ଯୋଗୁ ୧୯୭୩ ବେଳକୁ ସେ ପାଲଟି ଯାଇଥିଲେ ଇନ୍ଦିରାଙ୍କ କୋର୍ ଗ୍ରୁପର ଜଣେ ସଦସ୍ୟ। ତାଙ୍କ କ୍ୟାବିନେଟର ଜଣେ ଅଭିନ୍ନ ଅଙ୍ଗ।

ପ୍ରଣବ ଦା’ଙ୍କ ଦେହାବସାନ ପରେ ଗୋଟିଏ ଯୁଗର ନୁହେଁ, ଅର୍ଦ୍ଧଶତାବ୍ଦୀର ଅନ୍ତ ହୋଇଛି। କାରଣ ୧୯୬୯ରୁ ରାଜନୀତିରେ ପାଦ ଥୋଇବାର ମାତ୍ର କେଇବର୍ଷ ମଧ୍ୟରେ ଜାତୀୟ ରାଜନୀତିରେ ଛାଇ ଯାଇଥିଲେ ପ୍ରଣବ ମୁଖାର୍ଜୀ। ୨୦୧୨ରେ ଦେଶର ତ୍ରୟୋଦଶ ରାଷ୍ଟ୍ରପତି ଆସନରେ ବସାଇ ‘ସୋନିଆ-କଂଗ୍ରେସ’ ପ୍ରଣବ ଦା’ଙ୍କୁ ପ୍ରତ୍ୟକ୍ଷ ରାଜନୀତିରୁ କୋଣଠେସା କରିବାର ଏକ ସୁନ୍ଦର ତଥା ସଫଳ ଉପାୟ ଆପଣେଇଥିଲା। ଏହା ଥିଲା କଂଗ୍ରେସର ଗୋଟିଏ ଗୁଳିରେ ଦୁଇଟି ଶିକାର। କାରଣ ପ୍ରଥମତଃ ଦଳରେ ସୋନିଆଙ୍କୁ ସମାଲୋଚନା କରିବା ଏବଂ ତାଙ୍କର ସବୁ ‘ହଁ’ରେ ‘ହଁ ‘ ନ ମିଳାଇ ସମାଲୋଚନା କରିବାର ଜଣେ ସଶକ୍ତ ବ୍ୟକ୍ତିଙ୍କୁ ହଟାଇ ଦିଆଗଲା। ଦ୍ୱିତୀୟରେ ରାଷ୍ଟ୍ରପତି ପରି ମର୍ଯ୍ୟାଦାଜନକ ପଦରେ ବସାଇ ତାଙ୍କର ତଥା ସମର୍ଥକଙ୍କ ମୁହଁ ମଧ୍ୟ ବନ୍ଦ କରି ଦିଆଗଲା। ତା’ ପରେ ମଧ୍ୟ ନିଜ ପଦ ମର୍ଯ୍ୟାଦା ସାହାଯ୍ୟରେ ୟୁପିଏ ସରକାରର ଏକାଧିକ ନିଷ୍ପତ୍ତିକୁ ବିରୋଧ କରିଥିଲେ ପ୍ରଣବ ଦା’। ଏପରିକି ବହୁ ବିଲରେ ଦସ୍ତଖତ ନ କରି ଫେରାଇ ଦେଇଥିଲେ।

ଇଏ ତ ଗଲା ପ୍ରଣବ ମୁଖାର୍ଜୀଙ୍କ ରାଜନୈତିକ ଜୀବନର କଥା। ଅନ୍ୟ ଦିଗଟି ହେଉଛି ଭାରତୀୟ ଜନତା ପାର୍ଟି ଓ ଆରଏସଏସ ପ୍ରତି ତାଙ୍କ ମନ ଭିତରେ ଥିବା ଏକ ଅନ୍ତଃସ୍ରୋତର କଥା। ସେଇଥିପାଇଁ ତ’ ୨୦୧୮ ଜୁନ୍ ୭ରେ ଆରଏସଏସର ନାଗପୁର ବାର୍ଷିକ କାର୍ଯ୍ୟକାରିଣୀରେ ଯୋଗଦେଇ ସେ ତାଙ୍କୁ କଟ୍ଟରବାଦୀ କଂଗ୍ରେସୀ କହୁଥିବା ଲୋକଙ୍କ ମୁହଁ ବନ୍ଦ କରି ଦେଇଥିଲେ। ଅବଶ୍ୟ ଏହାପଛରେ ଥିଲା ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ସହ ଥିବା ତାଙ୍କ ଦୀର୍ଘବର୍ଷର ସମ୍ପର୍କ।

କ୍ଷମତାର ଚରମ ସୋପାନରେ ପହଞ୍ଚି ସାରିଥିଲେ ପ୍ରଣବ ଦା’। କେବଳ ଦେଶର ପ୍ରଧାନମନ୍ତ୍ରୀ ପଦ ଛଡ଼ା ପ୍ରାୟ ଏପରି କୌଣସି ପଦ ନ ଥିଲା, ଯେଉଁଥିରେ ସେ ଅଧିଷ୍ଠିତ ହୋଇ ନ ଥିଲେ। ପିଏମଙ୍କ ପରେ ଦେଶର ଓଜନଦାର ପୋର୍ଟଫୋଲିଓ କୁହାଯାଉଥିବା ପ୍ରତିରକ୍ଷା ମନ୍ତ୍ରୀ ପଦ ହେଉ ଅବା ଦେଶର ମର୍ଯ୍ୟାଦାଜନକ ବୈଦେଶିକ ବ୍ୟାପାର ମନ୍ତ୍ରୀ ପଦ ହେଉ ଅବା ହେଉ ଅର୍ଥମନ୍ତ୍ରୀ ପରି ଗୁରୁତ୍ୱପୂର୍ଣ୍ଣ ପଦ, ଏ ସବୁଥିରେ କେବେ ନା କେବେ ବସି ସାରିଛନ୍ତି ପ୍ରଣବ ଦା’। ୧୯୬୯ରେ ପ୍ରଥମେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି, ୧୯୮୦ରେ ହୋଇଛନ୍ତି ରାଜ୍ୟସଭା ଅଧ୍ୟକ୍ଷ, ୧୯୮୨ରେ କେନ୍ଦ୍ର ଅର୍ଥମନ୍ତ୍ରୀ, ୧୯୯୧ରେ ପ୍ଲାନିଂ କମିଶନ ଅଧ୍ୟକ୍ଷ, ୧୯୯୫ରେ ବିଦେଶ ମନ୍ତ୍ରୀ, ୨୦୦୪ରେ ପ୍ରତିରକ୍ଷା ମନ୍ତ୍ରୀ, ୨୦୦୬ରେ ବହିର୍ବ୍ୟାପାର ମନ୍ତ୍ରୀ, ୨୦୦୯ରେ କେନ୍ଦ୍ର ଅର୍ଥମନ୍ତ୍ରୀ। ଏପରିକି ୧୯୮୪ରେ ୟୁରୋ ମାଗାଜିନର ସର୍ଭେ ଅନୁଯାୟୀ ପ୍ରଣବ ମୁଖାରପ୍ଜୀ ଥିଲେ ସାରା ବିଶ୍ୱର ନମ୍ବର ୱାନ୍ ଅର୍ଥମନ୍ତ୍ରୀ। ସେଥିପାଇଁ ଅବଶ୍ୟ ଦାୟୀ ତାଙ୍କର ସଫଳ ପଲିସୀମାନ। ଶେଷରେ ୨୦୧୭ରେ ଦେଶର ପ୍ରଥମ ନାଗରିକ, ରାଷ୍ଟ୍ରପତି। ଏତିକିରେ ତାଙ୍କ ପାଇଁ ସଫଳତା ଶେଷ ହୋଇଯାଇ ନ ଥିଲା। ୨୦୧୯ରେ ତାଙ୍କୁ ଅପେକ୍ଷା କରିଥିଲା ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ। ତାଙ୍କ ଝିଅ ଶର୍ମିଷ୍ଠା ସେ ଦିନର ସ୍ମୃତିଚାରଣ କରି କୁହନ୍ତି, ସେଦିନଟି ଥିଲା ଅଗଷ୍ଟ ୮ ତାରିଖ ୨୦୧୯ ମସିହା। ମୋ ଜୀବନର ସବୁଠୁ ସୁଖଦ ମୁହୂର୍ତ୍ତ। କାରଣ ବାପା ସେଦିନ ଗ୍ରହଣ କଲେ ଭାରତରତ୍ନ ସମ୍ମାନ। ଏପରିକି ୨୦୧୩ ମସିହାରେ ବାଂଲାଦେଶ ମଧ୍ୟ ତାଙ୍କୁ ୧୯୭୧ ସ୍ୱାଧୀନତା ସଂଗ୍ରାମ ପାଇଁ ‘ବାଂଲାଦେଶ ମୁକ୍ତିଯୋଦ୍ଧା’ ସମ୍ମାନରେ ଭୂଷିତ କରିଥିଲା।

ପ୍ରଣବ ଦା’ କେବେ ବି ନିଜ ନୀତି ଏବଂ ଆଦର୍ଶ ସହ ସାଲିସ କରିନାହାନ୍ତି। ନିଜ ତମାମ ରାଜନୈତିକ ଜୀବନରେ ସେ ଜଣେ କଂଗ୍ରେସୀ ବୋଲି ଯେଉଁମାନେ ଭାବନ୍ତି, ତାଙ୍କର ‘ରାଷ୍ଟ୍ରୀୟ ସମାଜବାଦୀ ପାର୍ଟି’ ଗଠନ ସେମାନଙ୍କର ଏ ଧାରଣାକୁ ଭୁଲ୍ ପ୍ରମାଣିତ କରିବାକୁ ଯଥେଷ୍ଟ। ଅବଶ୍ୟ ତାଙ୍କ ପାର୍ଟିର ସ୍ଥାୟୀତ୍ୱ ବେଶିଦିନ ନ ଥିଲା। କାରଣ ୧୯୮୯ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ସହ ବୁଝାମଣା ପରେ ସେ ପୁନର୍ବାର କଂଗ୍ରେସକୁ ଫେରିଥିଲେ। ଆଉ ସେଇଠୁ ହିଁ ଚାଖିଥିଲେ କ୍ଷମତାର ଅସଲ ସ୍ୱାଦ। ୧୯୯୮ରେ ଯେତେବେଳେ ସୋନିଆ ଗାନ୍ଧି ପ୍ରତ୍ୟକ୍ଷ ରାଜନୀତିକୁ ଆସିଲେ, ତାଙ୍କ ପଛରେ ମେରୁ ଖୁଣ୍ଟ ଭଳି ଯିଏ ଶକ୍ତ ଭାବରେ ଛିଡ଼ା ହୋଇଥିଲେ, ସିଏ ହେଉଛନ୍ତି ପ୍ରଣବ ଦା’। ସୋନିଆଙ୍କୁ ପ୍ରତ୍ୟକ୍ଷ ରାଜନୀତିର ସବୁ ଦାଓପେଞ୍ଚ ଖୁବ୍ ଭଲ ଭାବରେ ବୁଝାଇଲେ। ତାଙ୍କୁ ଭାରତୀୟ ରାଜନୀତିର ମଇଦାନରେ ଜଣେ ପୋଖତ ଖେଳାଳି କରି ଗଢ଼ି ତୋଳିଲେ। ଆଜି ପ୍ରବ ଦା’ ନାହାନ୍ତି, କିନ୍ତୁ ଭାରତୀୟ ରାଜନୀତିରେ ସେ ଚିରଦିନ ପାଇଁ ବଞ୍ଚି ରହିଥିବେ। ମେଦିନୀପୁରରୁ ଦିଲ୍ଲୀ ପର୍ଯ୍ୟନ୍ତ ଦୀର୍ଘ ସଫର୍ ଭିତରେ ପ୍ରଣବ ଦା’ ସର୍ବଦା ଜଣେ କ୍ରାଇସିସ୍ ମ୍ୟାନେଜର ଭାବେ ଗଣା ହେଉଥିବେ।

%d bloggers like this: