ପ୍ରଶାନ୍ତ ଭୂଷଣ ୧ ଟଙ୍କା ଦେଇ ବଞ୍ଚିଗଲେ, ଆପଣ ଜାଣନ୍ତୁ କୋର୍ଟ ଉପରେ କ’ଣ ଟିପ୍ପଣୀ ଦେଲେ ଆପଣଙ୍କୁ ଜେଲ୍ ଯିବାକୁ ପଡ଼ିପାରେ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ:କନଟେମ୍ପଟ୍ ଅଫ୍ କୋର୍ଟ ବା କୋର୍ଟଙ୍କ ଅପମାନ କରିବା ମାମଲାରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ୧ ଟଙ୍କା ଜରିମାନା ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯଦି ସେପ୍ଟେମ୍ୱର ୧୫ ଭିତରେ ପ୍ରଶାନ୍ତ ଭୂଷଣ ଜରିମାନା ନ ଦିଅନ୍ତି, ତେବେ ତାଙ୍କୁ ୩ ମାସର ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ କହିଥିଲେ। ପ୍ରଶାନ୍ତ ଭୂଷଣ ହେଉଛନ୍ତି ଦେଶର ଜଣାଶୁଣା ଓକିଲ। ସୋସିଆଲ ମିଡିଆରେ କୋର୍ଟ କିମ୍ୱା ବିଚାରପତିଙ୍କୁ ନେଇ ଟିପ୍ପଣୀ ଦେବାର ରେଜଲ୍ଟ କ’ଣ, ତାହା ସେ ଭଲଭାବେ ଜାଣନ୍ତି। କିନ୍ତୁ, ଆପଣ ଜାଣନ୍ତି କି, ସୁପ୍ରିମକୋର୍ଟ କିମ୍ୱା ହାଇକୋର୍ଟଙ୍କ କୌଣସି ବି ଫଇସଲା ଉପରେ ଆଲୋଚନା କିମ୍ୱା ବିରୋଧ କଲେ, ଆପଣ ଜେଲ୍ ମଧ୍ୟ ଯାଇପାରନ୍ତି।


କଣ୍ଟେମ୍ପଟ୍ ଅଫ୍ କୋର୍ଟ (କୋର୍ଟଙ୍କୁ ଅପମାନ କରିବା)
୧) କନଟେମ୍ପଟ୍ ଅଫ୍ କୋର୍ଟର ସରଳ ଅର୍ଥ ହେଉଛି କୋର୍ଟଙ୍କ ଅପମାନ କରିବା। କୋର୍ଟଙ୍କ ରାୟକୁ ଅସମ୍ମାନ କରିବା କିମ୍ୱା ରାୟ ବିରୋଧରେ ଯାଇ କୌଣସି ଟିପ୍ପଣୀ ଦେବା
୨) ବହୁ ବର୍ଷ ପୂର୍ବେ ଇଂଲଣ୍ଡରେ ଏହା ପ୍ରଥମେ ଆରମ୍ଭ ହୋଇଥିଲା। ସେହି ସମୟରେ ରାଜା କିମ୍ୱା ତାଙ୍କ ଦ୍ୱାରା ନିଯୁକ୍ତ କରାଯାଇଥିବା କୌଣସି ଜଜ୍ ଙ୍କୁ ସମ୍ମାନ ଦେବା ଜରୁରୀ ଥିଲା। ଜଜଙ୍କ ଫଇସଲାର ଅପମାନ, ରାଜାଙ୍କ ଅପମାନ ବୋଲି ଧରି ନିଆ ଯାଉଥିଲା।
୩) କଥା କେବଳ, ଫଇସଲାରେ ସୀମିତ ନ ଥିଲା, କୋର୍ଟଙ୍କ ଆଦେଶକୁ ପାଳନ ନ କରିବା ମଧ୍ୟ କଣ୍ଟେମ୍ପଟ ବୋଲି ଧରାଯାଉଥିଲା। ସେହିପରି ବିଚାରପତିମାନଙ୍କୁ ଦଣ୍ଡ ଦେବାର ପୂର୍ଣ୍ଣ ଅଧିକାର ଥିଲା।
୪) ଭାରତରେ ସ୍ୱାଧୀନତା ପୂର୍ବରୁ ଏଭଳି ଆଇନ ଥିଲା। ଯେବେ ସମ୍ୱିଧାନ ପ୍ରସ୍ତୁତ ହେଲା, ଆର୍ଟିକି ୧୨୯ରେ ସୁପ୍ରିମକୋର୍ଟଙ୍କୁ ଅପମାନ କରୁଥିବା ବ୍ୟକ୍ତିଙ୍କୁ ଦଣ୍ଡିତ କରିବା ପାଇଁ ଉଲ୍ଲେଖ ହେଲା।
୫) ହାଇକୋର୍ଟଙ୍କୁ ଏହି ଅଧିକାର ଆର୍ଟିକିଲ ୨୧୫ରେ ଦିଆଯାଇଛି। ୧୯୭୧ରେ କଣ୍ଟେମ୍ପଟ ଅଫ୍ କୋର୍ଟ ଆକ୍ଟ ପ୍ରଣୟନ କରାଯାଇଥିଲା, ଯେଉଁଥିରେ ଏହି ବିଷୟରେ ବିସ୍ତୃତ ଭାବେ ଉଲ୍ଲେଖ ରହିଛି।
ଭାରତରେ କଣ୍ଟେମ୍ପଟ ଅଫ୍ କୋର୍ଟ କାହାକୁ ଧରାଯାଏ ?
୧) ଯେବେ ଏ ସମ୍ପର୍କିତ ଆଇନ ପ୍ରଣୟନ କରାଗଲା, ସବୁକିଛି ଏହାକୁ ଆଧାର କରି ଚାଲିବା ଆରମ୍ଭ କଲା। କଣ୍ଟେମ୍ପଟ ଅଫ୍ କୋର୍ଟ ଆକ୍ଟ ୧୯୭୧ ଅନୁସାରେ, ଏହା ଦୁଇ ପ୍ରକାରର: ସିଭିଲ ଓ କ୍ରିମିନାଲ
୨) ଯଦି କୋର୍ଟ କୌଣସି ଆଦେଶ ଦେଉଛନ୍ତି, ତେବେ ତାହାକୁ ପାଳନ କରିବା ଆବଶ୍ୟକ। ଯଦି କୋର୍ଟଙ୍କ ଆଦେଶକୁ ଜାଣିଶୁଣି ପାଳନ କରା ନ ଗଲା, ତେବେ ତାହା ସିଭିଲ କଣ୍ଟେମ୍ପଟ ।
୩) କ୍ରିମିନାଲ କଣ୍ଟେମ୍ପଟ ବହୁତ ଜଟିଳ। ଏହା ସାଧାରଣତଃ ତିନି ପ୍ରକାରର। କୁହାଯାଇଥିବା ଶବ୍ଦ କିମ୍ୱା ଲେଖା ଯାଇଥିବା ଶବ୍ଦ, ଯାହା କୋର୍ଟଙ୍କ ଅଧିକାରକୁ ବଦନାମ କରିବ।
୪) ଏହା ବ୍ୟତୀତ କୌଣସି ନ୍ୟାୟିକ କାର୍ଯ୍ୟ ପ୍ରତି ପୂର୍ବାଗ୍ରହ ବ୍ୟକ୍ତ କରିବା କିମ୍ୱା ସେଥିରେ ହସ୍ତକ୍ଷେପ କରିବା ଏବଂ ନ୍ୟାୟିକ ପ୍ରକ୍ରିୟାକୁ ରୋକିବା କିମ୍ୱା ରୋକିବାକୁ ପ୍ରୟାସ କରିବା ମଧ୍ୟ କ୍ରିମିନାଲ କଣ୍ଟେମ୍ପଟ ଅଟେ।
୫) ନ୍ୟାୟାଳୟ କିମ୍ୱା କୌଣସି ବିଚାରପତିଙ୍କ ଉପରେ ଆରୋପ ଲଗାଇବା, ନ୍ୟାୟ କିମ୍ୱା କୌଣସି ରାୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ଏବଂ ବିଚାରପତିଙ୍କ ଆଚରଣ ଉପରେ ଶବ୍ଦର ହମଲା କରିବା, ନ୍ୟାୟାଳୟ ଉପରକୁ ଆଘାତ ଦେବା ସଦୃଶ।
୬) ଏହି ପ୍ରାବଧାନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଅଦାଲତର ସମ୍ମାନ କରିବା, କୋର୍ଟଙ୍କ ଫଇସଲା ଉପରେ କୌଣସି ପ୍ରଶ୍ନ ନ ଉଠାଇବା ଏବଂ କୋର୍ଟଙ୍କ ଛବି ଖରାପ ନ ହେବା। ଏହାସହ ଲୋକଙ୍କ ଭରସା ରହିବା ପାଇଁ ମଧ୍ୟ ଏଭଳି ପ୍ରାବଧାନ ରହିଛି।
୭) କଣ୍ଟେମ୍ପଟ ଅଫ୍ କୋର୍ଟ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ୬ ମାସ ପର୍ଯ୍ୟନ୍ତ ଦଣ୍ଡ ଏବଂ ୨ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ରହିଛି। ବେଳେବେଳେ କଣ୍ଟେମ୍ପଟ କରିଥିବା ଲୋକଙ୍କ କ୍ଷମା ମାଗିଲେ ତାଙ୍କୁ ଦୋଷମୁକ୍ତ କରି ଦିଆଯାଏ।
କ’ଣ କଲେ କଣ୍ଟେମ୍ପଟ ଅଫ୍ କୋର୍ଟ ହେବ ନାହିଁ ?
୧) ନ୍ୟାୟିକ ପ୍ରକ୍ରିୟାର ନିରପେକ୍ଷତା ସହ ସଠିକ ରିପୋର୍ଟିଂ ଏବଂ କୌଣସି ନ୍ୟାୟିକ ଆଦେଶର ତର୍କ ଆଧାରରେ ଆଲୋଚନା କଲେ କଣ୍ଟେମ୍ପଟ ଅଫ୍ କୋର୍ଟ ହେବ ନାହିଁ।
୨) ଏଭଳି ଛବି ବନିଥିଲା ଯେ, ନ୍ୟାୟାଳୟ କେବଳ ନିଜର ସଂସ୍ଥାର ଛବିକୁ ବଞ୍ଚାଇ ରଖିବା ଏବଂ ବିଚାରପତିଙ୍କ ମନ୍ଦ ଆଚରଣକୁ ଲୁଚାଇବାକୁ କଣ୍ଟେମ୍ପଟ ଅଫ୍ କୋର୍ଟ କାର୍ଯ୍ୟାନୁଷ୍ଠାନ ନିଆଯାଉଥିଲା। ମାତ୍ର, ୨୦୦୬ ଆଇନରେ ସଂଶୋଧନ କରା ଯାଇଥିଲା। ଜନହିତ ପାଇଁ ଏହା ରହିବା ନିହାତି ଆବଶ୍ୟକ।