ମନରେଗା ଶ୍ରମିକଙ୍କୁ ଏତିକି ସହାୟତା ଦେଲେ ମୁଖ୍ୟମନ୍ତ୍ରୀ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ମହାତ୍ମା ଗାନ୍ଧି ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ନିୟୋଜିତ ଶ୍ରମିକମାନଙ୍କୁ ସ୍ବତନ୍ତ୍ର କୋଭିଡ୍ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିରେ ଏପ୍ରିଲରୁ ଜୁନ ମାସ ପର୍ଯ୍ୟନ୍ତ ଏହି ତିନି ମାସ ମଧ୍ୟରେ କାମ କରିଥିବା ଶ୍ରମିକମାନଙ୍କୁ ସେମାନଙ୍କର ପ୍ରତ୍ୟେକ ଦିନର ମଜୁରି ସହ ଆଉ ଅତିରିକ୍ତ ୫୦ ଟଙ୍କା ପ୍ରଦାନ କରାଯାଇଛି। ଏହା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇଛି। ଏହାଦ୍ବାରା ପ୍ରତ୍ୟେକ ଶ୍ରମିକ ୪୫୦୦ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ମଜୁରୀ ପାଇଛନ୍ତି। ତେବେ ରାଜ୍ୟର ମୋଟ୍ ୩୨ ଲକ୍ଷ ଶ୍ରମିକଙ୍କୁ ୩୫୨ କୋଟି ଟଙ୍କାର ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ।

କୋଭିଡର ଦ୍ଵିତୀୟ ଲହରରେ ଗରିବ ଲୋକଙ୍କ ଅସୁବିଧା ଦୂର କରିବା ପାଇଁ ୧୬୯୦ କୋଟି ଟଙ୍କାର ସ୍ଵତନ୍ତ୍ର କୋଭିଡ ସହାୟତା ଘୋଷଣା କରିଛନ୍ତି । ଏଥିରେ ଶ୍ରମିକଙ୍କ ପାଇଁ ମଧ୍ୟ ୩୫୨ କୋଟି ଟଙ୍କାର ସହାୟତା ରହିଛି। ମନରେଗାରେ ଗତବର୍ଷ ୨୦ କୋଟି ଶ୍ରମ ଦିବସ ସୃଷ୍ଟି ହୋଇଥିବା ବେଳେ, ଚଳିତ ବର୍ଷ ଏ ପର୍ଯ୍ୟନ୍ତ ୭ କୋଟି ଶ୍ରମ ଦିବସ ସୃଷ୍ଟି ହୋଇ ପାରିଛି ଏବଂ ବର୍ଷ ଶେଷ ସୁଦ୍ଧା ୨୫ କୋଟି ଶ୍ରମ ଦିବସ ସୃଷ୍ଟି ପାଇଁ ଲକ୍ଷ୍ୟ ରଖାଯାଇଛି।

Leave a Reply

Your email address will not be published. Required fields are marked *