ରାଜଧାନୀରେ ପୁଣି ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା, କାରଣ ଖୋଜୁଛି ପୋଲିସ୍

ରାଜଧାନୀରେ ପୁଣି ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା, କାରଣ ଖୋଜୁଛି ପୋଲିସ୍

ପ୍ରିଜମ ନ୍ୟୁଜ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଛି। ଆଚାର୍ଯ୍ୟବିହାର ସ୍ଥିତ ଭଡ଼ାଘରୁ ଝୁଲନ୍ତା ଅବସ୍ଥାରେ ମିଳିଛି ଛାତ୍ରୀଙ୍କ ମୃତ ଦେହ। ମୃତକ ଜଣେ MCA ଛାତ୍ରୀ ବୋଲି ଜଣାପଡ଼ିଛି । ମୃତ ଛାତ୍ରୀ ଜଣଙ୍କର ନାମ ଆଶ୍ରିତା ସେନାପତି । ଆଶ୍ରିତା MCAର ତୃତୀୟ ବର୍ଷର ଛାତ୍ରୀ । ସେ ଭୁବନେଶ୍ୱରରେ ଭଡ଼ା ଘରେରହି ଏକ ଘରୋଇ ଇଞ୍ଜିନିୟରିଂ କଲେଜ୍‌ରେ ପାଠ ପଢ଼ୁଥିଲେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ୍‌ ପହଞ୍ଚି ମୃତ ଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି। ଛାତ୍ରୀ ଜଣକ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଘରମାଲିକ, ପରିବାର ଲୋକଙ୍କ ସହ ସାଙ୍ଗସାଥୀଙ୍କ ଠାରୁ କିଛି ସୁରାକ ପାଇବାକୁ ତଦନ୍ତ ଚଳାଇଛି ପୋଲିସ।

ଅନ୍ୟପଟେ ବିଜେବି କଲେଜ୍‌ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ମାମଲା ଥମି ନଥିବା ବେଳେ ପୁଣି ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ରୁଚିକାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆଜି ପୋଲିସ୍‌ର ହସ୍ତଗତ ହୋଇଥିବା ବେଳେ ତାଙ୍କର ଶ୍ୱାସ ରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ଏହି ରିପୋର୍ଟରୁ ଜଣାପଡ଼ିଛି । ଏହାସହ ଅଭିଯୁକ୍ତ ୩ ସିନିୟର୍ ଛାତ୍ରୀଙ୍କୁ ପୋଲିସ ଏପର୍ଯ୍ୟନ୍ତ ଧରିବାରେ ସକ୍ଷମ ହୋଇନଥିବା ଡିସିପି ପ୍ରତୀକ ସିଂ କହିଛନ୍ତି। ଅନ୍ୟ ପକ୍ଷରେ କଲେଜ ଆଗରେ ପରିବାର ଲୋକଙ୍କ ଧାରଣା ସେହିଭଳି ଚାଲିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: